Unknown

 

 

 

 

 

 

 

 

 

ବିବାହ ରହସ୍ୟ

ଶ୍ରୀ ଚିନ୍ତାମଣି ମିଶ୍ର

 

(ଏକ)

 

ଦିନ ପ୍ରାୟ ଦି’ପହର ହେବ । ପୁରାଦିନ ଆଉ ରାତିଏ ଗାଡ଼ିରେ କଟାଇ ସାରି ଦ୍ୱିତୀୟ ଦିନର ଅଧେ ଭୋଗ ହୋଇଗଲାଣି, କ୍ରମାଗତ ୩୦ ଘଣ୍ଟା କାଳ ଗାଡ଼ିରେ ବସି ବସି ବଡ଼ ବ୍ୟସ୍ତ ଲାଗୁଥାଏ । କିପରି ଆଉ ରାତିଏ କଟିବ ମୁଁ ଯାଇ ଘରେ ପହୁଞ୍ଚିବି ଏଥିପାଇଁ ମନ ବଡ଼ ଉଦ୍‍ବିଗ୍ନ ହେଉଥାଏ । ଅଳ୍ପ ବାଟ ଯିବାବାଲା ଯାତ୍ରୀମାନେ କେତେ ଗାଡ଼ିରେ ଉଠୁଥାନ୍ତି । ଘଣ୍ଟେଖଣ୍ଡେ ବସି ଚୁଟକିନି ଓହ୍ଲେଇ ଚାଲି ଯାଉଥାନ୍ତି-ତାଙ୍କ ସୌଭାଗ୍ୟ ଦେଖି ମନେ ମନେ ଈର୍ଷା ହେଉଥାଏ ।

ଖାଲି ଯେ ମୁଁ ଏପରି ଲମ୍ବା ଯାତ୍ରା କରୁଥାଏ ତାହା ନୁହେଁ । ମୋ ସାଙ୍ଗେ ଆଉ ତିନିଜଣ ଥାନ୍ତି । ସେମାନେ ମୋରି ପରି-ମୋରି ପରି କାହିଁକି–ମୋ’ଠାରୁ ବେଶୀବେଳ ଗାଡ଼ିରେ କଟାଇ ସାରିଥାନ୍ତି । ଜଣେ ମହିଳା । ବୟସ ପ୍ରାୟ ଚାଳିଶ ହେବ, ବୟସ ଗଡ଼ି ଗଲାଣି; ସୌନ୍ଦର୍ଯ୍ୟ ବି ଗଲାଣି । ପୋଷାକ ତାଙ୍କର ବଡ଼ ଅପୂର୍ବ ଧରଣର, ପାଶ୍ଚାତ୍ୟ ଫେସନ୍‌ର ସବୁ ମେମଙ୍କ ପରି ଗୋଡ଼ଠାରୁ ମୁଣ୍ଡ ଟୋପି ପର୍ଯ୍ୟନ୍ତ । ତେବେ ବିଚିତ୍ର ଏତିକି ଦେହରେ ପୁରୁଷ ଉପଯୋଗୀ ଖଣ୍ଡେ ଲମ୍ବା କୋଟ୍ । ତାଙ୍କ କୋଟ୍, ତାଙ୍କ ପୋଷାକ ତାଙ୍କ ଧୂଆଁଖିଆ ଏ ସବୁ ଦେଖି ତାଙ୍କ ପ୍ରକୃତି ଏବଂ ସ୍ୱର ଯେ ଭଳି ହେବ ବୋଲି ଅନୁମାନ କରିଥିଲି ସେ ଅନୁମାନ ମୋର ଭୁଲ । ସ୍ୱରଟି ବେଶ୍ କୋମଳ । ବାହ୍ୟ ଆବରଣ ଛାଡ଼ିଦେଲେ ଆଉ ସବୁ ରମଣୀସୁଲଭ । ବହୁଦିନ କଷ୍ଟ ସହି ସହି ମୁହଁରେ ଗୋଟାଏ କିପରି କରୁଣ ଭାବ ଫୁଟି ଚିତ୍ରିତ ହୋଇଛି ।

ତାଙ୍କ ସାଙ୍ଗରେ ଆଉଜଣେ–ତାଙ୍କର ଜଣେ କେହି ପରିଚିତ ବନ୍ଧୁ ହେବେ ପରା-ନିଃସଂକୋଚ କଥାବାର୍ତ୍ତାରୁ ଜଣାଯାଉଥାଏ, ଖୁବ୍ ନିକଟସମ୍ପର୍କୀୟ, ଆତ୍ମୀୟ-ବାବୁଙ୍କର ବୟସ ବି ଚାଳିଶ ପାଖାପାଖି, ଭାରି ଗପୁଡ଼ି, ଭାରି ଫିଟ୍‍ଫାଟ୍, ନୂଆ ଜୋତା, ନୂଆ ପାଇଜାମା, ନୂଆ କୋଟ୍-ସବୁ ନୂଆ; ଭାରି ଛାପ ଚିକ୍କଣ । ମୁଣ୍ଡବାଳଗୁଡ଼ାକରୁ ଗୋଟାଏ ଯୋଡ଼ାଏ କେଉଁଠି କିମିତି କଅଁରା ପଡ଼ିଯାଇ ବାର୍ଦ୍ଧକ୍ୟର ଅପ୍ରିୟ ସୂଚନା ଦେଉଛି । କିନ୍ତୁ ବାବୁ ପ୍ରସାଧନ ପରିପାଟୀଦ୍ୱାରା ସ୍ପଷ୍ଟଜଣାଇ ଦେଇଛନ୍ତି–ବାର୍ଦ୍ଧକ୍ୟକୁ ତାଙ୍କର ଅବଜ୍ଞା କେତେ । ଯୌବନସୁଲଭ ରସିକତା ଛାଡ଼ିବାକୁ ସେ ଏକବାରେ ନାରାଜ ।

ବାକି ତୃତୀୟ ଜଣକ–ଏ ଦୁଇଜଣଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ-ପୋଷାକପତ୍ରରେ ପରିପାଟୀ ନାହିଁ । କୁଞ୍ଚକୁଞ୍ଚିଆ ବାଳଗୁଡ଼ିକ ଧୂସରା–ଫୁର୍‍ଫୁର୍ ଉଡ଼ୁଛି । ବୟସ ବେଶୀ ହେବ ନାହିଁ; କିନ୍ତୁ ସବୁଗୁଡ଼ିକ ବାଳ ଉପଯୁକ୍ତ ସମୟର ବହୁ ଆଗରୁ ପାଚିଗଲାଣି, ଲୋକଟି ଖୁବ୍ ଗେଡ଼ା, ଖୁବ୍ ଗମ୍ଭୀର, ଖୁବ୍ ଉଦାସୀନ–କାହା ସାଙ୍ଗେ କଥାବାର୍ତ୍ତା ନାହିଁ । ଯାହା କରୁଛନ୍ତି ସତେ ଯେପରି ଡରି ଡରି କରୁଛନ୍ତି–ଆଖି ଦୁଇଟି ଭୟରେ ହେବ ପରା–କ୍ଷଣକୁ କ୍ଷଣ ଭିନ୍ନ ଭିନ୍ନ ଜିନିଷ ଉପରେ ବୁଲି ଆସୁଛି ।

ପୋଷାକପତ୍ରରେ ପରିପାଟୀ ନାହିଁ ସତ, ପୋଷାକଗୁଡ଼ିକ ପୁରୁଣା ମଇଳା ସତ, ତେବେ ସେଗୁଡ଼ିକ ଖୁବ୍ ବଢ଼ିଆ କାଟ ଛାଣ୍ଟବାଲା–କଲିକତା Whiteway ସାହେବଙ୍କ ସିଲେଇ କଳରୁ ବାହାରିଲା ପରି ଜଣାଯାଉଥାଏ । ଲୋକଟି ନିଶ୍ଚୟ କୌଣସି ବିପଦରେ ପଡ଼ି ଏପରି ହୋଇଛନ୍ତି ବୋଲି ମନେହେଉଥାଏ ।

ଭଦ୍ରଲୋକଟି କାହା ସାଙ୍ଗେ କଥାବାର୍ତ୍ତା ହେଉ ନ ଥାଆନ୍ତି । କେହି କୌଣସି ପ୍ରଶ୍ନ ପଚାରିଲେ ରୁଢ଼ ଭାବରେ ଗୋଟାଏ କିଛି ଉତ୍ତର ଦେଇ ସେ ଧୂଆଁ ଖିଆରେ, ଚାଆତିଆରି କରିବାରେ ବା ଝରକାବାଟେ ମେଲାକୁ ଚାହିଁବାରେ ଏପରି ମନୋଯୋଗ ଦିଅନ୍ତି ଯେ, ଯେଥରେ ତାଙ୍କ ସଙ୍ଗେ କଥାବାର୍ତ୍ତା କରିବାର ଉଦ୍ୟମ କରିଥିବ ସେ ସହଜେ ଦ୍ୱିତୀୟ ଚେଷ୍ଟାପାଇଁ ଇଚ୍ଛୁକ ହେବ ନାହିଁ । ସେ ବେଳେବେଳେ ଏପରି ଗୋଟାଏ ଗୋଟାଏ ଶବ୍ଦ କାଶଭଳି ବା ରୁଦ୍ଧ ହସ ଭଳିଆ କରୁଥାନ୍ତି ଯେ ସେ ଅଦ୍ଭୁତଶବ୍ଦ ତାଙ୍କ ଅପୂର୍ବ ଢଙ୍ଗ ଢାଙ୍ଗକୁ ଆହୁରି ଅଦ୍ଭୁତ କରି ପକାଉଥାଏ ।

ଦ୍ୱିତୀୟ ଦିନର ସନ୍ଧ୍ୟାବେଳେ ଗାଡ଼ି ଗୋଟାଏ ବଡ଼ ଷ୍ଟେସନରେ ରହିଲା । ଅଦ୍ଭୁତ ଭଦ୍ରଲୋକଟି ଚା’ ତିଆରି କରିବା ପାଇଁ ଫୁଟନ୍ତା ପାଣି ଆଣିବାକୁ ପଦାକୁ ଗଲେ । ଓକିଲ ବାବୁଟି ଫିଟ୍‍ଫାଟ୍ ବାବୁ । ଓକିଲ ବୋଲି ପରେ ବୁଝିଥିଲି–ମହିଳାଙ୍କୁ ସାଙ୍ଗରେ ଧରି ଖାନା ଖାଇବାପାଇଁ ବାହାରିଲେ, ଆଉ ମୁଁ ରହିଲି ଏକୁଟିଆ; ଏତିକିବେଳେ ପୁଣି ନୂଆ ଯାତ୍ରୀ କେତେ ଆସି ପହଞ୍ଚିଲେ । ଏମାନଙ୍କ ଭିତରେ ଜଣେ ବୟସ୍କ ଲୋକ । ଲୋକଟିକୁ ଦେଖିଲା ମାତ୍ରେ ସଂଭ୍ରାନ୍ତ ଉଚ୍ଚବଂଶୀୟ ପରି ଜଣାଯାଉଥାଏ । ନାଗରା ଯୋତା, ପୁରୁଣା କାଳିଆ ଲମ୍ବା କୋଟ୍‌ରୁ ଜଣାଯାଉଥାଏ, ସେ ନୂଆ ଆଦବକାଇଦାରୁ ଦୂରଛଡ଼ା ହୋଇ ଅଛନ୍ତି । ଆଉ ଜଣକ ଜଣେ ଟୋକା କିରାଣୀ ହେବେ ପରା !

ଏ ଦୁହେଁ ମୋ ପାଖରେ ବସି କଥାବାର୍ତ୍ତା ଆରମ୍ଭ କରିଦେଲେ । ଜମଦାର ବାବୁ ପ୍ରଥମରୁ କଥା ଆରମ୍ଭ କରି କହିଲେ, ସେ ଅଳ୍ପ ଦୂରବର୍ତ୍ତୀ ତାଙ୍କ ଜମିଦାରୀକୁ ଯାଉଛନ୍ତି । ତା’ପରେ ଆଜିକାଲି ପ୍ରଜାଙ୍କ ବଦମାସି-ଖଜଣା ଦେବାରେ ଗଫଲିଅତି ବା ଅସାମର୍ଥ୍ୟ ଯାହା କହ–ଜମିଦାରଙ୍କ ଦୁର୍ଦ୍ଦଶ- ବଏକଟ୍, ଜିନିଷ ପତ୍ର ଦରଦାମ–ଏହିପରି କେତେକଥା ପଡ଼ିଗଲା । କିରାଣୀମାନଙ୍କର ବିଶେଷତ୍ୱ, ନିଜର କୌଣସି ବିଶିଷ୍ଟ ମତ ନ ଥିବାରୁ ସେମାନେ ସମାନ ଆଗ୍ରହରେ ସବୁ କଥାବାର୍ତ୍ତାରେ ଯୋଗ ଦେଇପାରନ୍ତି । ଆମ କିରାଣୀ ଭଦ୍ରଲୋକଟି କଥାବାର୍ତ୍ତାରେ ବେଶ୍ ମଜି ଯାଇଥାନ୍ତି । କଥାର ଦିଗ ବଦଳିଲା । ଜମିଦାର ବାବୁ ଉପଯୁକ୍ତ ଶ୍ରୋତା ପାଇ ତାଙ୍କ ଯୌବନ ଓ ପ୍ରୌଢ଼ାବସ୍ଥାର କେତେଗୁଡ଼ିଏ କଥା କହିବାକୁ ଆରମ୍ଭ କଲେ । ତାଙ୍କ ଜମିଦାରୀରେ ଦାରୀନାଚ, ତାଙ୍କ ଯୌବନର ପ୍ରେମ ଇତିହାସର କେତେପୃଷ୍ଠା; ମୋତେ ଏ ସବୁ ଶୁଣିବାକୁ ସୁଖ ଲାଗିଲା ନାହିଁ, ମୁଁ ଉଠିଲି ପ୍ଲାଟ୍‍ଫର୍ମରେ ଯାଇ ଟିକିଏ ପଦ ଚାରଣ କରିବାକୁ ।

ପାଞ୍ଚ ମିନିଟ୍ ବୁଲିଛି କି ନାହିଁ, ଗାଡ଼ି ଛାଡ଼ିବାର ଉପକ୍ରମ ହେଲା । ତରବର ହୋଇ ଆସି ମୋ ସ୍ଥାନରେ ବସିଲି । ସମସ୍ତେ ଆସି ଆପଣା ଆପଣା ସ୍ଥାନରେ ବସି ପଡ଼ିଲେଣି ।

ଓକିଲ ବାବୁ ମହିଳାଙ୍କୁ ହସି ହସି କହୁଛନ୍ତି–ତା ବାଦ୍ ?

ତା ବାଦ୍ ଆଉ କଣ ? ସେ ଆସି ତା ସ୍ୱାମୀକୁ କହିଲା ‘ମୁଁ ଆଉ ତମ ସାଙ୍ଗେ ରହିପାରିବି ନାହିଁ, କାରଣ–’

ଆଉକିଛି ଶୁଣିପାରିଲି ନାହିଁ–ଗାଡ଼ି ଠିକ୍ ଛାଡ଼ିବାବେଳକୁ ସାଧାରଣତଃ ଯେଉଁ ହଟ୍ଟଗୋଳ ହୁଏ ସେଥିଯୋଗୁଁ ।

ଗାଡ଼ି ଚାଲିଲା, ଗାଡ଼ି ଶବ୍ଦ କ୍ରମାଗତ ଲାଗିବାରୁ କାନ ସେ ଶବ୍ଦକୁ ଜିଣି ଶୁଣିବାକୁ କ୍ଷମ ହେଲାରୁ ପୁଣି ଶୁଣିଲି–ଓକିଲ ଓ ତାଙ୍କର ସଙ୍ଗିନୀ ଯେଉଁ ବିଶେଷ ଘଟଣାଟିଏ କଥା ପକାଇଥିଲେ ତାକୁ ଛାଡ଼ି ମୋଟାମୋଟି ଛାଡ଼ପତ୍ର ଦିଆନିଆର ଭଲମନ୍ଦ ବିଚାର ଆରମ୍ଭ କଲେଣି । ଓକିଲ ବାବୁ କହୁଛନ୍ତି–ଛାଡ଼ପତ୍ର ଦେବା ଠିକ୍ କି ନୁହେଁ ଆଉ ବିଚାର କରିବାର ଅବକାଶ ନାହିଁ । ୟୂରୋପ, ଆମେରିକା ତମାମ ଏହା ଦୈନନ୍ଦିନ ଘଟଣା ହୋଇ ପଡ଼ିଲାଣି । ଆମ ଦେଶର ଶିକ୍ଷିତଲୋକେ ବି ଏହା ଠିକ୍ ବୋଲି କ୍ରମେ କ୍ରମେ ବୁଝୁଛନ୍ତି ।

ହଠାତ୍ ଜମିଦାର ବାବୁଙ୍କ ଆଡ଼କୁ ଚାହିଁ ସେ କହିଲେ–ପୂର୍ବକାଳରେ ଆମ ଦେଶରେ ଏକଥା ସବୁ ନ ଥିଲା ?

ଜମିଦାର ବାବୁ ଏମାନଙ୍କ କଥା ଶୁଣି ଆଗରୁ ଯେପରି ନାକ ଟେକୁଥିଲେ, ସେଥିରୁ ଜଣାପଡ଼ୁଥିଲା ତାଙ୍କୁ ଏ ସବୁ ଭଲ ଲାଗୁ ନ ଥାଏ । ସେ ନିଜର ପଦେଅଧେ ମତ ଜଣାଇବାକୁ ତିଆର ଥିଲେ । ବର୍ତ୍ତମାନ ଓକିଲଙ୍କ ପ୍ରଶ୍ନ ଫଳରେ ସୁଯୋଗ ମିଳିଗଲା । ସେ କହିଲେ ‘‘ନ ଥାନ୍ତା କାହିଁକି ? ହାବୁଡ଼ା ଝଟ୍‍କା କେଉଁଠି କିମିତି, ନୀଚ ଜାତି ଲୋକଙ୍କ ଭିତରେ ଗୋଟେଅଧେ ଛାଡ଼ପତ୍ର ଦିଆ ଶୁଣାଥିଲା । କିନ୍ତୁ ଉଚ୍ଚଜାତିର ଲୋକଙ୍କ ଭିତରେ ଆଜି ଏହା ଯେପରି ବ୍ୟାପୁଛି ସେ ନୂଆ କଥା । ଆଜିକାଲି ଆମ ଦେଶରେ ଯେ ଉନ୍ନତ ଶିକ୍ଷା ଓ ଉତ୍କୃଷ୍ଟ ସଭ୍ୟତାର ହାଉଆ ବହୁଛି ସେଥିରେ ଏପରି ହେବା ତ ସ୍ୱାଭାବିକ ।

ଜମିଦାର ବାବୁଙ୍କ କଥା କହିବା ଢଙ୍ଗରୁ ବୁଝିଲି ଯୁକ୍ତିତର୍କ ଟିକିଏ ସରଗରମ ହୋଇ ଲାଗିବ । ଭଲ କରି ଶୁଣିବାକୁ ମୁଁ ଟିକିଏ ପାଖକୁ ଘୁଞ୍ଚି ଆସିଲି । ଆମ ସହଯାତ୍ରୀ ଅଦ୍‌ଭୁତ ଲୋକଟି ମଧ୍ୟ ହଠାତ୍ ଟିକିଏ ଆଗ୍ରହ ଦେଖାଇ କାନ ଡେରିଲେ । ଅବଶ୍ୟ ସେ ତାଙ୍କ ଜାଗାରୁ ଘୁଞ୍ଚିଲେ ନାହିଁ ।

ମହିଳାଟି ଟିକିଏ ବଡ଼ ଉତ୍ତେଜିତ ହୋଇ ପଚାରିଲେ–ଶିକ୍ଷା ସଭ୍ୟତାର ଦୋଷ କଣ ? ଆଉ ଆପଣ କହୁଛନ୍ତି ପରା, ସେହି ପୁରୁଣା ଅସଭ୍ୟ ଯୁଗର ପ୍ରଥା ଅନୁସାରେ ଯୋଡ଼ିଏ ଅଜଣା ଅଚିହ୍ନା ବାଳକ ବାଳିକାକୁ ବାନ୍ଧି ଦିଅନ୍ତେ ? ସେମାନେ ପରସ୍ପର ସୁଖରେ ରହିବେ, ତାଙ୍କର ମନ ମିଳିବ କି ନାହିଁ ସେ କଥାକୁ ଖାତିର ନାହିଁ । ଏଇ କଥାଟା ଆପଣଙ୍କୁ ଭଲ ପରା ?

ଜମିଦାର ବାବୁ ପୁରୁଣା କାଳିଆ ବିବାହ ପଦ୍ଧତିକୁ ପସନ୍ଦ କରି କିଛି କହି ନ ଥିଲେ । ସେ ଯାହା କହିଥିଲେ ଛାଡ଼ପତ୍ର ବିରୁଦ୍ଧରେ କିନ୍ତୁ ସେତିକିରୁ ମହିଳା ଠଉରେଇ ନେଲେ, ସେ ପୁରୁଣା ବିବାହ ପଦ୍ଧତିର ପକ୍ଷପାତୀ । ସେହି ଅନୁମାନରେ ସେ ପୁରୁଣା ବିବାହ ପଦ୍ଧତିର ନିନ୍ଦାକରି ଆହୁରି କେତେ କଣ ଗାଇଗଲେ ।

ଜମିଦାର ବାବୁ ତୀବ୍ର ଅବଜ୍ଞାରେ ମହିଳାଙ୍କ ବକ୍ତୃତାକୁ ଉଡ଼ାଇ ଖାଲି ଏତିକି କହିଲେ,–ଆଜିକାଲି ଲୋକେ ବଡ଼ ଭୟଙ୍କର ସଭ୍ୟ ହୋଇ ଗଲେଣି ।

ଓକିଲ ବାବୁ ପଚାରିଲେ–ସଭ୍ୟତା ସଙ୍ଗେ ଆପଣ ଛାଡ଼ପତ୍ର ପ୍ରଥା ଅର୍ଥାତ୍ ବିବାହ ଜୀବନରେ ଅଶାନ୍ତିର କି ସମ୍ବନ୍ଧ ଧାର୍ଯ୍ୟ କରୁଛନ୍ତି ?

ଜମିଦାର ବାବୁ କଣ କହୁଥିଲେ । କିନ୍ତୁ ମହିଳା ତାଙ୍କୁ ବାଧା ଦେଇ କହିଲେ–ଆଉ ସେ ଅନ୍ଧାରି ଯୁଗ ଆସିବ ନାହିଁ ଗୋ ଆସିବ ନାହିଁ । ବିଚାରିଛ ପରା ସିମିତି ଅସଭ୍ୟ ଭାବରେ ବିବାହ କରାଉଥିବ ?

ଓକିଲ ବାବୁ–ସେ କଥା କାହିଁକି ପଡ଼ିଛି । ସେ କଣ କହିବେ ଟିକିଏ ଅପେକ୍ଷା କରି ଶୁଣ-। ଆପଣ କଣଟି କିଏ ବୁଝେଇ ଦେଲେ ।

ଜମିଦାର ବାବୁ–ଆଜିକାଲି ଯାହାକୁ ଶିକ୍ଷା ବୋଲି କହୁଛ ତାହାରି ଫଳରେ ଲୋକେ ଅଧିକ ବୋକା ହେଉଛନ୍ତି । ଜମିଦାର ବାବୁ କିଛି କହିବା ପୂର୍ବରୁ ମହିଳାଟି ତୁରନ୍ତ ବକ୍ତୃତା ଆରମ୍ଭ କରି ଦେଲେ–

ବାଃ, ଅଜଣା ଅଚିହ୍ନା ଲୋକ ଯୋଡ଼ିଏ ଆଣି ବାହା କରିଦେବ । ତାଙ୍କ ଭିତରେ ପ୍ରେମ ନାହିଁ ତାଙ୍କର ପରସ୍ପର ପ୍ରତି ଆକର୍ଷଣ ନାହିଁ । ଏପରି ଅବସ୍ଥାରେ ସେମାନେ ସୁଖରେ ରହିବେ କିପରି କହିଲ ? ମଣିଷ ସବୁ କଣ ଗୋରୁଗାଈ ହୋଇଛନ୍ତି ? ମନଇଚ୍ଛା ଯୋଡ଼ିଏ ଆଣି ଏକା ଖୁଣ୍ଟରେ ବାନ୍ଧି ଦେବ ? ମଣିଷଙ୍କର ତ ପୁଣି ବୁଦ୍ଧି ଅଛି, ଭଲ ମନ୍ଦ ବିଚାର କରିବାର ଶକ୍ତି ଅଛି–ମାନସିକ ବୃତ୍ତି ସବୁ ଅଛି ?

ଜମିଦାର ବାବୁ–କାହିଁକି ଏପରି ଗୁଡ଼ାଏ ବକି ଯାଉଛ । ମଣିଷ ପଶୁ ନୁହେଁ ବୋଲି ସମସ୍ତେ ଜାଣନ୍ତି । ମଣିଷଙ୍କର ସମାଜ ଅଛି–ନୀତି ଅନୀତି ଅଛି ।

ମହିଳା–ହଉ ତେବେ । କହିଲ ଦେଖି ସ୍ତ୍ରୀର ପୁରୁଷ ପ୍ରତି ପ୍ରେମ ନ ଥିଲେ ସେ ତା ସଙ୍ଗେ ରହିବ କିମିତି ?

ଜମିଦାର ବାବୁ ଭାରି ଗମ୍ଭୀର ଭାବରେ କହିଲେ–ଏ ଯେଉଁ ‘ପ୍ରେମ ପ୍ରେମ’ ବୋଲି ଚିତ୍କାର କରୁଛ, ସେ କଥା ପୂର୍ବକାଳରେ ନ ଥିଲା । ଏ ପ୍ରେମ ଢୁଆ ଲୋକେ ଏଇଲାଗେ ଧରୁଛନ୍ତି । ଏ ପ୍ରେମ ବିଷ ଏପରି ଘାରିଲାଣି ଯେ ଇଉରୋପରେ ଯିମିତି ପ୍ରତି ମୁହୂର୍ତ୍ତରେ ‘ଛାଡ଼ପତ୍ର’ ଦିଆନିଆ ଚାଲିଛି, ଆମରି ବି ସେହିପରି ହେବାର ଉପକ୍ରମ ହେଲାଣି । ଏଥିରେ ଏଣିକି ଟିକିଏ ମନ ନ ମାନିଲେ ସ୍ତ୍ରୀ ବାହାରି ପଡ଼ି କହିବ, ‘ଯା ତୋ ସାଙ୍ଗରେ ମୁଁ ଆଉ ରହିବି ନାହିଁ । ଅମୁକର ମୁହଁଟି ସୁନ୍ଦର, ନାକଟି ସୁନ୍ଦର ମୁଁ ଯାଉଛି ତାରି ସାଙ୍ଗେ ଘର କରିବି ।’ ଏପରି ଅବସ୍ଥାରେ ଆଉ ସମାଜ ରହିବ ନା ସଂସାର ରହିବ ? ସ୍ତ୍ରୀ ପତିବ୍ରତା ହେବା ଚାହି; ସ୍ତ୍ରୀର ପତି ପ୍ରତି ଭକ୍ତି, ଭୟ ଥିଲେ ସିନା ହେବ !

କିରାଣୀ ବାବୁ ଓକିଲ ବାବୁଙ୍କୁ ମୋତେ ଓ ସେ ବିବିଙ୍କି ନିଜର ହସ ମଜୁତ୍ ରଖି ଚାହିଁ ରହିଲେ । ଉଦ୍ଦେଶ୍ୟ, ଆମ ମୁହଁର ଭାବ ଦେଖି ସେହି ଅନୁସାରେ ଜମିଦାର ବାବୁଙ୍କ କଥାକୁ ପସନ୍ଦ ବା ନାପସନ୍ଦ କରିବେ ।

ମହିଳା ଉତ୍ତେଜିତ ହୋଇ କହିଲେ–ହେଇ ତ ସେଇ ପୁରୁଣା କାଳିଆ କୁସଂସ୍କାର । ଭୟ କଣ ? ସ୍ତ୍ରୀ ଭୟ ପୁଣି କଣ କରିବ ? ସେ ଦିନ ଗଲାଣି ଗୋ, ଗଲାଣି ।

ଜମିଦାର ବାବୁ–ଭୟ କଣ ? ଶାସ୍ତ୍ର ପରା ଡାକୁଛି, ସ୍ୱାମୀକୁ ଭୟ କରିବା ସ୍ତ୍ରୀର କର୍ତ୍ତବ୍ୟ-?

ମହିଳା–ସେଦିନ ଗଲାଣି । ଧର୍ମଶାସ୍ତ୍ର କଥାରେ ଆଶ୍ରୟ ନେବା ଆଉ ଚଳିବ ନାହିଁ ।

ଜମିଦାର ବାବୁ–ସେ ଦିନ ଯିବାର ନୁହେଁ । ଧର୍ମଶାସ୍ତ୍ର କଥା ରହିବ, ରହିବ, ଶାସ୍ତ୍ରରେ ଅଛି ସ୍ତ୍ରୀ ପୁରୁଷର ଅଧୀନ । ସେହି ଅଧୀନତ ରହିବ । ପୁରୁଷର ଯାହା ଧର୍ମ ସ୍ତ୍ରୀ ତାହା ମାନି ଚଳିବ-। ମିଛରେ ଗୁଡ଼ାଏ ବାଡ଼େଇ କଚାଡ଼ି ହେବାରେ ଲାଭ ନାହିଁ ।

ଜମିଦାର ବାବୁ ଏପରି ଜୋର ଦେଇ ଏକଥାଗୁଡ଼ିକ କହିଲେ ଯେ କିରାଣୀ ବାବୁ ପରିଷ୍କାର ବୁଝିନେଲେ, ଜମିଦାର ବାବୁଙ୍କର ଜିତ୍ । ତେଣୁ ସେ ଆଉ ଆମ୍ଭମାନଙ୍କୁ ଅପେକ୍ଷା ନ କରି ତାଙ୍କ ମଜୁତ୍ ରଖିଥିବା ହସଟି ଜୋରରେ ଫୁଟାଇ ଦେଲେ ।

ମହିଳା ଏକଥାରେ ବିବ୍ରତ ହେଲେ । ସେ ତ ହାରମାନିବା ଲୋକ ନୁହନ୍ତି । ଖୁବ୍ ଟାଣରେ କହିଲେ-ହଁ ପୁରୁଷମାନଙ୍କର ତ ଏଇ କଥା । ଆପଣାବେଳକୁ ଭୟ ଫୟ କିଛି ନାହିଁ-। ଆପଣା କାର୍ଯ୍ୟକୁ ବାଡ଼ବତା ନାହିଁ; କିନ୍ତୁ ସ୍ତ୍ରୀମାନଙ୍କ କଥା ପଡ଼ିଲାବେଳକୁ ଭୟ, ପତିବ୍ରତାପଣ, ସବୁ-

ଜମିଦାର ବାବୁ–ତା ତ ହେବାର କଥା । ପୁରୁଷ ସ୍ତ୍ରୀ ଉଭୟଙ୍କୁ ସମାନ ସୁବିଧା ଦେଲେ ତ ଚଳିବ ନାହିଁ । ପୁରୁଷ ଅବିବେକପଣିଆ କଲେ ଘରଭିତରେ ତ ନିନ୍ଦା ପଶିବ ନାହିଁ । କିନ୍ତୁ ସ୍ତ୍ରୀ ଯଦି ନଷ୍ଟଚରିତ୍ରା ହୁଏ, ତେବେ ବହାରେ ଦୁଷ୍କୃତି କରି ଘରଭିତରେ ଆଣି କଳଙ୍କ ବୁଜୁଳା ପହୁଞ୍ଚାଇବ-

ଏ କଥାଟା ସେ ଏପରି ଗମ୍ଭୀର ଭାବରେ ଏପରି କଡ଼ା ଭାବରେ କହିଲେ ଯେ ଏଥିରେ ମହିଳା ଦବିଗଲେ । କିନ୍ତୁ ବିନତି କଲା ଭଳିଆ ଆପତ୍ତି କଲେ–ଠିକ୍ କଥା, କିନ୍ତୁ ସ୍ତ୍ରୀ ତ ପୁଣି ମନୁଷ୍ୟ । ତା’ର ତ ପୁଣି ମନ ଅଛି । ସେ ମନ ଯଦି ନ ମାନିଲା ତେବେ ସେ କିପରି ପୁରୁଷ ସଙ୍ଗେ ଘରକରି ରହିବ ଭଲା ?

ଜମିଦାର ବାବୁ କଥାଟାକୁ ବେଖାତିର କରି କହିଲେ–ଏଇ କଥା ତ ? ଏଥିକି କିଛି ଭୟନାହିଁ । ସ୍ତ୍ରୀର ମନ ନ ଲାଗିବ ତ ନ ଲାଗୁ, ଚିନ୍ତା ନାହିଁ । ମୂଳରୁ ଯଦି ମନ ନ ମାନିଛି ତାହାହେଲେ ବଳେ କାଳକ୍ରମେ ମନ ମାନିଯିବ ।

ମହିଳା–ଏ କଥା ଅସମ୍ଭବ । ମନ ମୂଳରୁ ନ ଥିଲେ, ଯେତେ ସମୟ ଯାଉ ପଛେ, ଆଉ କଣ ମନ ମାନିବ ? ଜୋର ଜବରଦସ୍ତିରେ ତ ମନ ମାନେ ନାହିଁ ।

ଓକିଲ ବାବୁ କହିଲେ–ଆଛା, ସେ କଥାତ ସିମିତି ହେବ । କିନ୍ତୁ ଧରନ୍ତୁ କୌଣସି ସ୍ତ୍ରୀ ଅସତୀ ହେଲା, ସେତେବେଳେ କର୍ତ୍ତବ୍ୟ କଣ ?

ଜମିଦାର ବାବୁ ଉତ୍ତର ଦେଲେ–ଅସତୀ ହେବ କାହିଁକି ନା ? ମୂଳରୁ ସେ ବାଟ ବନ୍ଦ କରିଦେବାକୁ ହେବ ।

କିନ୍ତୁ ଯେତେ ବାଟ ବନ୍ଦକଲେ ବି ଯଦି ଏପରି ହୁଏ ?

ହେଉ କି ନ ହେଉ । ଆମେ ଏତିକି ଜାଣୁ ଯେ ଆମ ସମାଜରେ ଏପରି ହେବା ଖୁବ୍ କ୍ୱଚିତ୍ ।

ଏଥିରେ ସମସ୍ତେ ତୁନି ହେଲେ । କିରାଣୀ ବାବୁ କିନ୍ତୁ ତୁନି ହେଲେନାହିଁ । ସେ ଟିକିଏ ପାଖକୁ ଘୁଞ୍ଚି ଆସି ଗୋଟିଏ କଥା ଆରମ୍ଭ କଲେ । ସେ ବର୍ଣ୍ଣନା କଲେ- ତାଙ୍କର ଜଣେ କୌଣସି ବନ୍ଧୁଙ୍କ ସ୍ତ୍ରୀ ଅସତ୍ ମାର୍ଗରେ ଯାଇ ଅନେକଗୁଡ଼ିଏ କୀର୍ତ୍ତି ଅର୍ଜିଲେ । ସ୍ୱାମୀ ବିଚରା ଖୁବ୍ ସହିଲା । ଶେଷକୁ ଅଗତ୍ୟା ତାକୁ ତ୍ୟାଗ କରିବାକୁ ପଡ଼ିଲା । ଏବେ, ସ୍ତ୍ରୀଟି ଲଗାମ ଛାଡ଼ ପାଇ ପୁର୍ଣ୍ଣମାତ୍ରାରେ କୁପଥଗାମିନୀ ହୋଇଛି, ପୁରୁଷ ବିଚରା ଏକୁଟିଆ ବ୍ରହ୍ମଚାରୀ ଜୀବନ କଟାଉଛି ।

କଥାଟି କହିସାରି କିରାଣୀ ବାବୁ ବୃଦ୍ଧଙ୍କୁ ଚାହିଁଲେ ।

ବୃଦ୍ଧ ଜମିଦାର ଉତ୍ତର ଦେଲେ–ଆଗରୁ ପୁରୁଷ ସତର୍କ ହୋଇଥିଲେ ଏପରି ଘଟି ନ ଥାନ୍ତା । କଥା ଅଛି ‘ବିଶ୍ୱାସେ ନୈବ କର୍ତ୍ତବ୍ୟଂ ସ୍ତ୍ରୀଷୁ ରାଜା କୁଳେଷୁଚ ।’ ଏକଥା ମନେରଖି ସ୍ତ୍ରୀମାନଙ୍କୁ ଗୋଡ଼େ ଗୋଡ଼େ ଜଗିବାକୁ ପଡ଼ିବ । ଟିକିଏ ନ ଜଗିଲେ ସର୍ବନାଶ ।

 

ମୁଁ ଆଉ ସ୍ଥିର ହୋଇପାରିଲି ନାହିଁ । କହିଲି–‘ସ୍ତ୍ରୀମାନଙ୍କୁ ତ ଗୋଡ଼େ ଗୋଡ଼େ ଜଗିବାକୁ କହୁଛନ୍ତି । କିନ୍ତୁ ପୁରୁଷର ତାଙ୍କୁ ଆଉ ଜଗିବା ଦରକାର ନାହିଁ ପରା ? ଆପଣ ଗାଡ଼ିକୁ ପ୍ରଥମେ ଆସିଲାବେଳେ କିରାଣୀ ବାବୁଙ୍କୁ ଯେ ସବୁ କଥା କହୁଥିଲେ, ମନେ ଅଛି ତ ?

ଜମିଦାର ବାବୁ ମୂଳରୁ ମାରିଦେଲେ–ସେ ତ ଅନ୍ୟକଥା । ସେ କଥାର ଏଠାରେ ପ୍ରୟୋଜନ ନାହିଁ ।

ଗାଡ଼ି ଆସି ଷ୍ଟେସନ୍‌ରେ ଠିଆ ହେଲା । ସେହି ଷ୍ଟେସନ୍‌ରେ ଜମିଦାର ବାବୁ ଓହ୍ଲାଇବାର କଥା । ସେ ତର ତର ହୋଇ ପ୍ଲାଟ୍‌ଫର୍ମକୁ ଚାଲିଗଲେ ।

•••

 

(ଦୁଇ)

 

ଜମିଦାର ବାବୁ ଯିବା ମାତ୍ରେ ପୁଣି କଥାବାର୍ତ୍ତା ଚାଲିଲା ।

କିରାଣୀ ବାବୁ କହିଲେ–ଅସଲ ମରହଟି ବୁଢ଼ାଟା ।

 

ମହିଳା ପକେଟ ଭିତରୁ ସିଗାରେଟ୍ ଖଣ୍ଡେ ବାହାର କରି ନିଆଁ ଧରଉ ଧରଉ ମତ ଦେଲେ–ପୁରୁଣା ଯୁଗର ବର୍ବରତାର ସାକ୍ଷାତ୍‍ ଗୋଟିଏ ପ୍ରତିମୂର୍ତ୍ତି । କି କୁସଂସ୍କାର ! ନାରୀ ଜାତି ବିଷୟରେ କି ଭ୍ରାନ୍ତ ଧାରଣା । ଏହି ଭଳି ଲୋକଙ୍କ ଯୋଗୁହିଁ ନାରୀ ଜାତିର ଏତେ ଅଧଃପତନ ।

 

ଓକିଲ ବାବୁ ବି କହିଲେ–ପାଶ୍ଚାତ୍ୟ ଜଗତ୍‌ର ଉନ୍ନତ ଆଚାର ଓ ନୀତି ସବୁ ଆମ ଦେଶରେ ପଶୁ ପଶୁ ଆହୁରି ଅନେକ ଦିନ ଲାଗିବ । ଏପରି ଲୋକଙ୍କର ସଂଖ୍ୟା ଆଜିକାଲି ବି ବଡ଼ କମ୍ ନୁହେଁ ।

 

ମହିଳା ଟିକିଏ ଉତ୍ତେଜିତ ହୋଇ କହିଲେ–ଦେଖ, ବିବାହ ବିଷୟରେ ଏମାନଙ୍କର କି ଧାରଣା ! ସତେ ଏ ଧାରଣା ଲୋପ ହେବ ନା ଦେଶର ସୁଦିନ ଫେରିବ ! ଏମାନେ ଏହି ଟିକକ ବୁଝୁ ନାହାନ୍ତି ଯେ, ପ୍ରେମ ନ ଥିଲେ ବିବାହର କିଛି ଅର୍ଥ ନାହିଁ । ପ୍ରେମ ବିବାହକୁ ପବିତ୍ର କରେ–ପ୍ରେମ ଥିଲେ ଯାଇ ବିବାହ ବାସ୍ତବିକ ବିବାହ ନାମରେ ଉପଯୁକ୍ତ ।

 

କିରାଣୀ ବାବୁ ଖୁବ୍ ଧ୍ୟାନ ଦେଇ ଏକଥା ଶୁଣୁଥାନ୍ତି, ସତେ ଅବା ଯେପରି କଥା ପିଇ ଯାଉଥାନ୍ତି । ମୋର ମନେହେଲା, ଭବିଷ୍ୟତରେ ନିଜର ପାଣ୍ଡିତ୍ୟ ଦେଖାଇ ତାଙ୍କ ଭଳିଆ ଲୋକଙ୍କ ଆଗରେ କହିବା ନିମନ୍ତେ ସେ କେତେଗୁଡ଼ିଏ କଥା ବାଛି ବାଛି ମନେ ରଖି ପକାଉଥାନ୍ତି । ଏହିପରି ସମୟରେ ଆମ ଅଦ୍‌ଭୁତ ଲୋକଟିର ସେହି ଅଦ୍‍ଭୁତ ଶବ୍ଦ ଶୁଣାଗଲା । ସତେ ଯେପରି ସେ ମହିଳାଙ୍କ କଥାରେ ଉପହାସ କରିବାକୁ ଯାଇ ରୁଚିବିରୁଦ୍ଧ ହେବ ବୋଲି ଭୟରେ ହସ ରୁଦ୍ଧ କରି ରଖୁଛନ୍ତି ବା ମହିଳାଙ୍କ କଥାରେ ତାଙ୍କର କୌଣସି ସ୍ମୃତି ଜାଗ୍ରତ ହେବାରେ ତାଙ୍କ ହୃଦୟର କୋହ ପ୍ରକାଶ ହେବାପାଇଁ ବାଟ ଖୋଜି ପାଟିଠେଇଁ ଆସି ରୁଦ୍ଧ ହୋଇ ରହିଯାଇଛି ।

 

ଏପର୍ଯ୍ୟନ୍ତ ଆମ୍ଭମାନଙ୍କର ତାଙ୍କ ଉପରେ ଦୃଷ୍ଟି ନ ଥିଲା । ହଠାତ୍ ଶବ୍ଦଟି ଶୁଣି ସମସ୍ତେ ତାଙ୍କ ଆଡ଼କୁ ଚାହିଁଲୁ । ସେ ଆପଣା ବସିବା ଜାଗାରୁ ଉଠି ଠିଆ ହୋଇଥାନ୍ତି । ରୁଦ୍ଧ ଆବେଗ ଓ ବିଚଳିତ ଭାବ ତାଙ୍କ ମୁହଁରେ ସଫା ଜଣାପଡ଼ୁଥାଏ ।

 

ସେ ସେହି ଆବେଗରେ ପଚାରିଲେ–ଯେଉଁ ପ୍ରେମ ବିବାହକୁ ପବିତ୍ର କରେ, ଯାହା ବ୍ୟତୀତ ବିବାହର ଅର୍ଥ ନାହିଁ, ସେ ପ୍ରେମ ଜିନିଷଟା କଣ ?

 

ମହିଳା ତାଙ୍କ ଅବସ୍ଥା ଦେଖି ଟିକିଏ ମଧୁର ଭାବରେ ଉତ୍ତର ଦେଲେ-ପ୍ରକୃତ ପ୍ରେମ, ଅସଲ ପ୍ରେମ, ଏ ପ୍ରେମ ନ ଥିଲେ ବିବାହ ଅସମ୍ଭବ ।

 

ଅଦ୍‌ଭୁତ ଲୋକଟି ପୁଣି ଅତି ସନ୍ତର୍ପଣରେ ପଚାରିଲେ–ହଁ ଯେ, ସେହି ପ୍ରକୃତ, ଅସଲ ପ୍ରେମଟି କଣ ?

 

ମହିଳା–ସେ କଣ, ସମସ୍ତେ ଜାଣନ୍ତି !

କିନ୍ତୁ ମୁଁ ତ ବୁଝି ପାରୁନାହିଁ ସେ କଣ ମୋତେ ଟିକିଏ ବୁଝାଇ ଦିଅନ୍ତୁ ।

ଏ ପୁଣି ଗୋଟାଏ କଣ ଯେ ବୁଝିପାରୁ ନାହାନ୍ତି ? ଏ କଥା ତ ବଡ଼ ସାଦାସିଧା ।

 

ମହିଳା ଏତକ କହି କିନ୍ତୁ ଖୁବ୍ ଟିକିଏ ଚିନ୍ତିତ ହେଲେ । ବୋଧହୁଏ ଯେ ଜିନିଷକୁ ସେ ଅତି ସାଦାସିଧା ବୋଲି କହୁଥିଲେ, ତାହା ପ୍ରକୃତରେ ତାଙ୍କୁ ଅତି ସାଦାସିଧା ପରି ଜଣାପଡ଼ିଲା ନାହିଁ । ଟିକିଏ ସମୟ ଚିନ୍ତା କଲା ପରେ ସେ ପୁଣି କହିଲେ–ପ୍ରକୃତ ପ୍ରେମ କଣ ? ନା-ପୁରୁଷ ବା ସ୍ତ୍ରୀ ଯେତେବେଳେ ଅନ୍ୟ ସମସ୍ତଙ୍କୁ ବାଦ୍‌ ଦେଇ ଜଣେ ସ୍ତ୍ରୀ ବା ପୁରୁଷକୁ ପସନ୍ଦ କରେ ସେତେବେଳେ କୁହାଯାଏ ସେହି ପୁରୁଷ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଅଛି ।

 

ଭଦ୍ରଲୋକଟି ସ୍ୱରରେ ଉପହାସ ପୂରାଇ କହିଲେ–ପ୍ରେମ ତାହା ହେଲେ ପସନ୍ଦ ? ଆଛା, ଏ ପସନ୍ଦ କେତେଦିନ ପାଇଁ ? ମାସେ ? ଦିନେ ? କି ପାଞ୍ଚ ମିନିଟ୍ ?

 

ଅବଳା ଟିକିଏ ବିରକ୍ତ ହେଲେ, କହିଲେ–ଆପଣ ତାହା ହେଲେ ଖାଲି ଯୁକ୍ତି କରିବା ପାଇଁ ଏପରି ଗୁଡ଼ାଏ ପ୍ରଶ୍ନ କରୁଛନ୍ତି ?

 

ଭଦ୍ରଲୋକ–ଆଦୌ ନୁହେଁ । ପ୍ରେମ ବୋଇଲେ ଆପଣ କଣ ବୁଝୁଛନ୍ତି, ଖାଲି ସେହି କଥା ବୁଝିବା ମୋର ଉଦ୍ଦେଶ୍ୟ । ଯୁକ୍ତିତର୍କ କରିବା ମୋର ପ୍ରକୃତି ନୁହେଁ ।

 

ଓକିଲ ବାବୁ ବର୍ତ୍ତମାନ ମହିଳାଙ୍କ ପକ୍ଷରେ ଓକିଲାତି କରି ତାଙ୍କ କଥା ପରିଷ୍କାର ବୁଝାଇବାକୁ ଯାଇ କହିଲେ–ମହିଳାଙ୍କର କହିବା ଉଦ୍ଦେଶ୍ୟ ପ୍ରଥମତଃ ବିବାହ ମୂଳରେ ଯଦି ପ୍ରେମ ନାହିଁ, ତେବେ ବିବାହର କୌଣସି ଅର୍ଥ ନାହିଁ, ଦ୍ୱିତୀୟତଃ, ପ୍ରେମ ବିନା ଯଦି ବିବାହ ହୋଇଥାଏ ତେବେ ସେ ବିବାହ ସମାଜ ଚକ୍ଷୁରେ ଯାହା ହେଉପଛେ, ଈଶ୍ୱରଙ୍କ ଦୃଷ୍ଟିରେ ତାହା ବିବାହ ନୁହେଁ ଏବଂ ସେପରି ବିବାହ ସୂତ୍ରରେ ବନ୍ଧା ହୋଇଥିବା ନରନାରୀ ଯଦି ପରସ୍ପର ପ୍ରତି ଆକୃଷ୍ଟ ହୋଇ ନ ରହନ୍ତି ଏବଂ କୌଣସି ତଥାକଥିତ ଗର୍ହିତ କାର୍ଯ୍ୟ କରନ୍ତି, ତେବେ ସେଥିପାଇଁ ସେମାନେ ପ୍ରକୃତରେ ଦାୟୀ ନୁହନ୍ତି । ତୃତୀୟତଃ–

 

ଭଦ୍ରଲୋକ ଅଧୀର ଭାବରେ ବାଧା ଦେଇ କହିଲେ-ବିଶ୍ଳେଷଣରେ କିଛି ଲାଭ ନାହିଁ । ମୋର ପ୍ରଥମ ପଚାରିବାର କଥା–ସେ ଯେଉଁ ପ୍ରେମ, ତାହା କଣ ? ପ୍ରେମ ଯେବେ ପସନ୍ଦ ହେଲା ତେବେ ଏ ପସନ୍ଦ କେତେଦିନ ସ୍ଥାୟୀ ?

 

ମହିଳା–କେତେ ଦିନ ? ବହୁଦିନ । ଅନେକ ସମୟରେ ଜୀବନ ତମାମ ।

 

ଭଦ୍ରଲୋକ–ତେବେ ତ ଆଉ କିଛି ଗଣ୍ଡଗୋଳ ନ ଥିଲା । କିନ୍ତୁ ଆପଣ ଯାହା କହୁଛନ୍ତି ତାହା ଖାଲି ଉପନ୍ୟାସରେ ଦେଖାଯାଏ । ବାସ୍ତବ ଜଗତ୍‌ରେ ଏ ପ୍ରେମ ବହୁଦିନ ସ୍ଥାୟୀ ହୁଏ କି ? ବଡ଼ ହେଲେ ଏହା ବର୍ଷେ ଖଣ୍ଡେ ରହେ । ଅନେକ ସ୍ଥଳରେ ବିବାହର କେତେ ସପ୍ତାହ, କେତେ ଦିନ, ଏପରିକି କେତେ ଘଣ୍ଟା ପରକୁ ଏହାର ସତ୍ତା ନ ଥାଏ ।’’

 

ଆମ୍ଭେମାନେ ସମସ୍ତେ ଏ ପ୍ରକାର ମତ ପ୍ରକାଶରେ ସ୍ତମ୍ଭୀଭୂତ ହେଲୁ । ମହିଳା ଟିକିଏ ଉତ୍ତେଜିତ ହୋଇ କହିଲେ–ଏପରି ଗୁଡ଼ାଏ କଥା ଆପଣ କିମିତି କହୁଛନ୍ତି କେଜାଣି । ଆମ୍ଭେମାନେ ସମସ୍ତେ ମଧ୍ୟ ‘କିନ୍ତୁ’ ‘ମାତ୍ର’ କହି ନିଜ ନିଜର ପ୍ରତିବାଦ ଟିକିଏ ଟିକିଏ ଜଣାଇଲୁ ।

 

ଭଦ୍ରଲୋକଟି ଖୁବ୍ ଜୋରରେ କହିଲେ–‘ହଁ ମୁଁ ଜାଣୁଛି, ମୋ କଥା ଆପଣମାନଙ୍କୁ ସମସ୍ତଙ୍କୁ ବାଧିଲା । ଆପଣମାନେ ସ୍ୱପ୍ନ ରାଜ୍ୟରେ ବୁଲିବାକୁ ଚାହାନ୍ତି । କିନ୍ତୁ ମୁଁ ଯାହା କହୁଛି ତାହା ବାସ୍ତବ, ସତ୍ୟ । ଆପଣମାନେ ପ୍ରେମକୁ ଯାହା ବିଚାରୁଛନ୍ତି ତାହା ସେପରି ନୁହେଁ । ଜଣେ ଜଣକୁ ପ୍ରେମ କରେ, ବା ତା ପ୍ରତି ବିଶେଷ ଭାବରେ ଆକୃଷ୍ଟ ହୁଏ, କିନ୍ତୁ ସେତ ବେଶୀଦିନ ନୁହେଁ । ପୁରୁଷ ଅନ୍ୟ ଗୋଟିଏ ଅପେକ୍ଷାକୃତ ସୁନ୍ଦରୀ ସ୍ତ୍ରୀ ଦେଖିଲା ସାଙ୍ଗେ ସାଙ୍ଗେ ତା’ର ନିଜ ସ୍ତ୍ରୀ ପାଖରୁ ମନ ଛାଡ଼ିଯାଏ । ସ୍ତ୍ରୀ ଆଉ ଗୋଟିଏ ଅଧିକ ସୁପୁରୁଷ ଦେଖିଲେ ତା’କୁ ସ୍ୱାମୀରୂପେ ବରଣ କରିବାକୁ ହୃଦୟରେ ଅନ୍ତତଃ ଲାଳସା କରେ ।

 

ମହିଳା–ଆପଣ ଯାହା କହୁଛନ୍ତି, ତାହା ଅତି ଜଘନ୍ୟ । ପ୍ରେମ ସ୍ଥାୟୀ ହେବ କଣ ଏକାବେଳକେ ଅସମ୍ଭବ ?

 

ଭଦ୍ରଲୋକ–ଅସମ୍ଭବ ହୋଇ ନ ପାରେ । କିନ୍ତୁ ପ୍ରକୃତରେ ଦେଖାଯାଉଛି କଣ ? ହୁଏତ ପୁରୁଷ ନିଜର ସ୍ତ୍ରୀ ପ୍ରତି ବିଶେଷ ଅନୁରକ୍ତି ଜୀବନ ତମାମ ରଖିପାରେ; କିନ୍ତୁ ସ୍ତ୍ରୀର ଏକ ପୁରୁଷଠାରେ ଅନୁରୁକ୍ତି ବେଶିଦିନ ରହିବା ସମ୍ଭବ ନୁହେଁ-ଏହା କେବେ ହୋଇନାହିଁ କି କେବେ ହେବ ନାହିଁ ।

 

ଓକିଲ ଏ କଥାର ପ୍ରତିବାଦ କରି ଜଣାଇଲେ–ନା, ଏ କଥା ଠିକ ନୁହେଁ । ଦମ୍ପତି ମଧ୍ୟରେ ପ୍ରେମ ସ୍ଥାୟୀ ହୋଇ ରହିବା ତ ସେପରି କିଛି ଅସମ୍ଭବ ନୁହେ ।

 

ଭଦ୍ରଲୋକ ଜୋରରେ କହି ଉଠିଲେ–ଅସମ୍ଭବ-ଅସମ୍ଭବ । ଆପଣ ବାସ୍ତବ ଜଗତ୍‌କୁ ଦୃଷ୍ଟି ନ ଦେଇ ଖାଲି କଳ୍ପନାରେ ମାତି ଏହି ସାମାନ୍ୟ କଥାଟା ବୁଝୁନାହାନ୍ତି । ମହାଶୟ, ଖାଲି କହିଲେ ତ ହେବନାହିଁ । ବିଚାର କରି ଦେଖନ୍ତୁ, ଯେଉଁ ଯେଉଁ ଉଦ୍ଦେଶ୍ୟରେ ବିବାହ ହୋଇଥାଏ, ସେହି ଉଦ୍ଦେଶ୍ୟର ତୃପ୍ତି ହୋଇଗଲେ ତ ପ୍ରେମ ଶେଷ ହେଲା । ତୃପ୍ତି କଣ ଜୀବନ ତମାମ ଆସିବ ନାହିଁ ? ତୃପ୍ତିର ତ ସୀମା ଅଛି । କହନ୍ତୁ ଦେଖି, ଗୋଟାଏ ବଳିତା ଜାଳି ଦେଲେ ସେ କ’ଣ କାଳକଯାକ ଜଳୁଥିବ ? ଲିଭିବ ନାହିଁ ?

 

ମହିଳା ବିରକ୍ତିରେ ବାଧା ଦେଇ କହିଲେ–ଓହୋ ! ଆପଣ ତ ଅନ୍ୟ ଏକ ପ୍ରେମର କଥା କହୁଛନ୍ତି, ଏ ତ ପାଶବିକ ପ୍ରେମ । ଖାଲି ପଶୁପରି ଶାରୀରିକ ବିଳାସ ବାସନା ଚରିତାର୍ଥ କରିବାର ଅର୍ଥ କ’ଣ ପ୍ରେମ ? ଦୁଇ ଲୋକଙ୍କର ଆଦର୍ଶ ଏକ ହେଲେ ଯେଉଁ ପ୍ରେମ ସ୍ୱତଃ ଜାତ ହୁଏ ମୁଁ ସେ ପ୍ରେମର କଥା କହୁଅଛି । ସେ ପ୍ରେମ ଆଧ୍ୟାତ୍ମିକ । ତାହା ସ୍ଥାୟୀ ହେବ ନାହି ?

 

ଭଦ୍ରଲୋକଟି ସ୍ୱରରେ ଷୋଳଅଣା ବିଦ୍ରୂପ ରଖି ଉତ୍ତର ଦେଲେ, ବାଃ, ଆଦର୍ଶର ସାମ୍ୟ-? ଆଧ୍ୟାତ୍ମିକ ପ୍ରେମ ? ଓ, ଏହି ଆଧ୍ୟାତ୍ମିକ ପ୍ରେମ ଯୋଗରୁ ପରା ସ୍ତ୍ରୀ ପୁରୁଷ ଏକ ଶଯ୍ୟାରେ ଶୁଅନ୍ତି, ଆଧ୍ୟାତ୍ମିକ ଉତ୍କର୍ଷ ନିମନ୍ତେ ପରା ବିବାହ ଦିନଠାରୁ ମଧୁ ଶଯ୍ୟା କରନ୍ତି ! ଆଧ୍ୟାତ୍ମିକ ପ୍ରେମ-! ବଡ଼ ସୁନ୍ଦର କଥା ଏକା ।

 

ମହିଳା ଏତିକିରେ ଚୁପ୍ ହେଲେ । ମୋତେ ମଧ୍ୟ ଏ ଶେଷ କଥାକୁ କିଛି ଉତ୍ତର ଜୁଟିଲା ନାହିଁ ।

 

ଓକିଲ ବାବୁ ଯୁକ୍ତି ଚଳାଇଲେ–ହଁ, ଆପଣ ଯାହା କହୁଛନ୍ତି ସତ । କିନ୍ତୁ ଆପଣ କହୁଛନ୍ତି, ପ୍ରେମ ନାହିଁ । ପ୍ରେମ ନାହିଁ ତ ବିବାହ କିପରି ଚଳୁଛି ?

 

ଭଦ୍ରଲୋକଟି ଅଧୀର ଭାବରେ କହିଲେ–ମୁଁ କଣ ବିବାହ ନାହିଁ ବୋଲି କହୁଛି ? ମୁଁ କହୁଛି ପ୍ରେମ ଥିଲେ, ବିବାହ ସମ୍ଭବ ବୋଲି ଯାହା କହୁଛି, ତାହା ଗୋଟାଏ କଳ୍ପନା ମାତ୍ର । ବିବାହ ଚଳୁଛି ବୋଲି ଦେଖାଇ ଦେଲେ ତ ପ୍ରେମର ଅସ୍ତିତ୍ୱ ପ୍ରମାଣ ହେଲା ନାହିଁ । ଯେଉଁ ଦେଶରେ ପ୍ରେମକୁ ବିବାହର ମୂଳ କରି ଧରାଯାଉଛି ସେଠାରେ ତ ବିବାହ ନାହିଁ । ସେଠାରେ ଅଛି ଖାଲି ଛାଡ଼ପତ୍ର ଏବଂ ପାରିବାରିକ ଅଶାନ୍ତି । ଆମ ଦେଶରେ ପୂର୍ବକାଳରୁ ଯେ ବିବାହ ଚଳି ଆସୁଛି ବୋଲି କହୁଛନ୍ତି, ସେ ଏ ପ୍ରେମମୂଳକ ବିବାହ ନୁହେଁ, ସେ ବିବାହ ପ୍ରେମ-ପ୍ରଧାନ ନୁହେଁ । ସେ ବିବାହ ମୂଳରେ ଆହୁରି ମହତ୍, ଆହୁରି ଉନ୍ନତ ଉପାଦାନ ଥିଲା । ବିବାହ ଆମର ଥିଲା ଧର୍ମ, ସତ୍ୟ । ଧର୍ମସଂପୃକ୍ତ ହୋଇଥିବାରୁ ବିବାହରେ ପବିତ୍ରତା ଥିଲା, ସ୍ଥାୟୀତ୍ୱ ଥିଲା । ସ୍ତ୍ରୀ ପୁରୁଷ ମର୍ତ୍ତ୍ୟରେ ଏକ, ଇହଜଗତର ଆରପାରିରେ ମଧ୍ୟ ଏକ ରହୁଥିଲେ କିନ୍ତୁ ଯେଉଁ ଦିନ ଆମେ ପାଶ୍ଚାତ୍ୟ ଭାବବିହ୍ୱଳ ହୋଇ ବିବାହରୁ ଏ ଧର୍ମକୁ ଛାଡ଼ପତ୍ର ଦେଲେ, ସେହିଦିନୁ ବିବାହର ପବିତ୍ରତା ନଷ୍ଟ ହୋଇଛି । ପ୍ରେମ ଦୁଆ ଧରିଲା ଦିନଠାରୁ ବିବାହରେ ପଶୁତ୍ୱ ପଶିଛି । ଆଗେ ସ୍ତ୍ରୀ ପାତିବ୍ରତ୍ୟକୁ ବ୍ରତସ୍ୱରୂପ ଅବଲମ୍ବନ କରୁଥିଲା । ସାବିତ୍ରୀ ଥିଲେ ପତିବ୍ରତାର ଉଦାହରଣ, ଆଜି ଆମ ଶିକ୍ଷିତ ମହିଳାମାନେ ସାବିତ୍ରୀଙ୍କୁ କୁସଂସ୍କରାଚ୍ଛନ୍ନ ଅଶିକ୍ଷିତା ଅବଳା ବୋଲି ଅବଜ୍ଞା କରିବେ, ନ ହେଲେ ସାବିତ୍ରୀ ଚରିତ୍ରକୁ କଳ୍ପିତ ବୋଲି ଉପହାସ କରିବେ ।

 

ମହିଳା କହିଲେ–ଆପଣ ତ ତେବେ ଭାରି ଖାଣ୍ଟି ହିନ୍ଦୁ ।

 

ଭଦ୍ରଲୋକ–ମୁଁ ହିନ୍ଦୁ ନୁହେଁ, ମୁଁ ତୁମରି ଭଳି ବ୍ରହ୍ମ । ତୁମଠାରୁ ଏକ ନମ୍ବର ଅଧିକ ଉନ୍ନତ-? ମାର୍ଜ୍ଜିତ ରୁଚିବାଲା ଥିଲି । କିନ୍ତୁ ପ୍ରେମର ସ୍ୱାଦ ଚାଖି, ଶିକ୍ଷିତା କୁସଂସ୍କାର ଶୂନ୍ୟ ଖାଣ୍ଟି ପାଶ୍ଚାତ୍ୟ ପ୍ରେମରେ ଜର୍ଜ୍ଜରିତ ହୋଇ ଆଜି ଏ ଜ୍ଞାନ ପାଇଛି । ମୁଁ କିଏ ଆପଣମାନେ ଜାଣନ୍ତି ?

 

ଓକିଲ ବାବୁ..... ନା ମୋର ଦୁର୍ଭାଗ୍ୟ ମୁଁ ଆପଣଙ୍କୁ ଚିହ୍ନି ନାହିଁ !

 

ଭଦ୍ରଲୋକ ହୃଦୟର ଆବେଗରେ କହି ଉଠିଲେ–ମୋତେ ନ ଚିହ୍ନିବା ଦୁର୍ଭାଗ୍ୟ କି ସୌଭାଗ୍ୟ ଠିକ୍ କହିପାରୁନାହିଁ । ମୋର ନାମ ଚନ୍ଦ୍ରମଣି ଦାସ । ଖବର କାଗଜରେ ପଢ଼ିଥିବେ, ମୁଁ ଏହି ତଥାକଥିତ ପ୍ରେମରେ ପାଗଳ ହୋଇ ମୋର ନିଜ ବିବାହିତା ସ୍ତ୍ରୀକୁ ହତ୍ୟା କରିଛି ।

 

ଏତକ କହିଦେଇ ଭଦ୍ର ଲୋକଟି ହଠାତ୍ ଉଠିଯାଇ ତାଙ୍କ ବିଛଣା ବିଛା ହୋଇଥିବା ବେଞ୍ଚରେ ମୁହଁକୁ ମାଡ଼ି ଶୋଇଲେ ।

 

ମୁଁ ତାଙ୍କର କହିଥିବା ସବୁ କଥା ମନେ ମନେ ବସି ପାଞ୍ଚୁଥାଏ । ଶେଷରେ ସେ ଯାହା କହିଲେ ସେ କଥା କଳ୍ପନା କରୁଥାଏ ।

 

ଓକିଲ ବାବୁ ଏବଂ ମହିଳା ପର ଷ୍ଟେସନ୍‌ରେ ଗାଡ଼ି ରହିବା ମାତ୍ରେ ଗାର୍ଡ ସଙ୍ଗେ ବନ୍ଦୋବସ୍ତ କରି ଅନ୍ୟ ବଖରାକୁ ଚାଲିଗଲେ । କାହିଁକି କେଜାଣି ? ସେମାନଙ୍କ ଭାବ ଭଙ୍ଗୀରୁ ଜଣାଗଲା, ବୋଧହୁଏ ସେ ଆମ ସଙ୍ଗୀ ଭଦ୍ରଲୋକଟି ସାଙ୍ଗେ ଆଉ ବେଶି ସମୟ କଟାଇବା ଗର୍ହିତ ମନେକଲେ । କିରାଣୀ ବାବୁ ଆଗରୁ ଓହ୍ଲାଇ ଯାଇଥାନ୍ତି, ଆଉ ରହିଲୁ ଆମେ ଦୁହେଁ–ସେ ଆଉ ମୁଁ ।

•••

 

(ତିନି)

 

ମୁଁ ଚନ୍ଦ୍ରମଣି ଦାସଙ୍କ ପାଖ ବେଞ୍ଚରେ ବସିଥାଏ । କିନ୍ତୁ ତାଙ୍କୁ କଣ କହିବି କିଛି ଠିକ କରି ନ ପାରିବାରୁ ତୁନି ହୋଇଥାଏ । ସେ ମଧ୍ୟ ମୋତେ କିଛି ନ କହି ଧୂଆଁଖିଆ ଓ ଚାଆପିଆରେ ଲାଗିଥାନ୍ତି ।

 

ଅଧଘଣ୍ଟେ ଖଣ୍ଡେ ଗଲା । ଗାଡ଼ି ଆସି ଆଉ ଗୋଟିଏ ଷ୍ଟେସନ୍‌ରେ ଲାଗିଲା । ଚନ୍ଦ୍ରମଣି ବାବୁ ଚା ପିଆଲାରୁ ମୁହଁ କାଢ଼ି ମୋତେ ପଚାରିଲେ, ‘‘ମୁଁ କିଏ ଚିହ୍ନି ଯିବାରୁ ଆପଣଙ୍କୁ ବୋଧହୁଏ ମୋ ପାଖରେ ବସିବାକୁ ଖରାପ ଲାଗୁଥିବ । ତେବେ ମୁଁ ଅନ୍ୟ ବଖରାକୁ ଚାଲି ଯାଉଛି ।’’

 

ମୁଁ ଟିକିଏ ବ୍ୟସ୍ତ ହୋଇ ଉତ୍ତର ଦେଲି-କି ଅଭାଗ୍ୟ କଥା ! ଆପଣ ଏପରି ବିଚାରୁଛନ୍ତି କାହିଁକି ? ମୋତେ ଆଦୌ ଖରାପ ଲାଗୁନାହିଁ ।

 

ଚନ୍ଦ୍ରମଣି ବାବୁ–ଟିକିଏ ଚା’ ଖାନ୍ତୁ । ବଡ଼ କଡ଼ା ଚା’ ମୋର । ଆପଣଙ୍କୁ କିମିତି ଲାଗିବ କେଜାଣି ? ଏହା କହି ସେ ମୋତେ ମୁନ୍ଦିଏ ଚା’ ଦେଇ ପୁଣି କହିଲେ–ତାଙ୍କ କଥାରେ ସବୁ କିଛି ମୂଲ୍ୟ ନାହିଁ । କିଛି ନ ଜାଣି ବୃଥାରେ ଗୁଡ଼ାଏ ଗପି ହେଉଛନ୍ତି ।

 

ମୁଁ–କାହା କଥା ?

‘‘ସେଇ କଥା । ସେଇ ପ୍ରେମ କଥା । ଆପଣଙ୍କୁ ନିଦ ଲାଗିଲାଣି କି ?

‘‘ନା, ନିଦ ତ ଆଦୌ ଲାଗୁ ନାହିଁ ।

 

‘‘ତେବେ ଭଲ । ଆପଣଙ୍କର ଇଚ୍ଛା ହେଲେ ମୁଁ ଆପଣଙ୍କୁ ଗୋଟିଏ କଥା କହନ୍ତି । କହନ୍ତି, କିପରି ଏହି ପ୍ରେମ ଯୋଗୁଁ ହିଁ, ମୁଁ ଘୋର ପାପ କରିଛି–ମୋ’ର ସ୍ତ୍ରୀକୁ ମାରିଛି ।’’

 

ମୁଁ କହିଲି, ‘‘କହନ୍ତୁ, ଅବଶ୍ୟ କହିବାରେ ଯଦି ଆପଣଙ୍କର ଦୁଃଖ ନ ହୁଏ ।’’

 

ଚନ୍ଦ୍ରମଣି ବାବୁ–ଦୁଃଖ ପୁଣି କଣ ? ଅନ୍ୟ ଆଗରେ ନିଜର ଦୁଃଖ କାହାଣୀ କହିଲେ ଦୁଃଖ ଲାଘବ ହୁଏ । ପ୍ରକୃତରେ ଆପଣ ମୋ ଗଳ୍ପ ଶୁଣିବାରେ ବିରକ୍ତ ହେବେ ନାହିଁ ତ ?

 

ମୁଁ ତାଙ୍କ କଥା ଶୁଣିବା ପାଇଁ ମୋର ଆଗ୍ରହ ପ୍ରକାଶ କଲି । ସେ ଆରମ୍ଭ କଲେ–

 

‘‘ବର୍ତ୍ତମାନ ମୋର କିଛି ନାହିଁ । ମୁଁ ଗୃହଦ୍ୱାରଶୂନ୍ୟ ହୋଇ ଏଣେ ତେଣେ ବୁଲୁଛି । କିନ୍ତୁ ମୁଁ ଥିଲି ଜଣେ ଜମିଦାର । ମୋର ପୂର୍ବପୁରୁଷର ଜଣେ କେହି ଓଡ଼ିଶାରେ ଖଣ୍ଡେ ଜମିଦାରୀ ନିଲାମରେ କିଣିଥିଲେ, ମୋର ପଢ଼ାବି ଥିଲା । ଏ ଦେଶରେ ଯେତେ ଯାଏଁ ପଢ଼ା ଅଛି ସବୁ ପଢ଼ିଥିଲି । ବେଶ୍ ଉଚ୍ଚ ଚାକିରୀରେ ବି ଥିଲି । ଯାଉ ସେ ସବୁ; ସେ ସବୁ ବର୍ତ୍ତମାନ ଅତୀତର କଥା-

 

ପ୍ରଥମ ଯୌବନରେ ମୁଁ ଥିଲି ବେଶ୍‍ ଭଲ ଲୋକ । ତା’ ଅର୍ଥ ମୋର ସଙ୍ଗୀମାନେ ଯିମିତି ଭଲ ଥିଲେ, ମୁଁ ବି ସେହିପରି ଭଲ ଲୋକ ଥିଲି । ନୀତି ଶାସ୍ତ୍ରର ମାନଦଣ୍ଡରେ ମୁଁ ପାପୀ ହୋଇପାରେ, କିନ୍ତୁ ମୁଁ ମନେ କରୁଥିଲି ମୋର ଚରିତ୍ରରେ କିଛି ‘‘ଦୋଷ ନାହିଁ । ବିଳାସକୁ ମୁଁ ଜୀବନର ଚରମ ଲକ୍ଷ୍ୟ ବୋଲି ମନେ କରୁଥିଲି । ମୁଁ ଲମ୍ପଟ ନ ଥିଲି, ପ୍ରଥମ ଯୌବନରେ ମୋର ଅନ୍ୟ ସ୍ତ୍ରୀମାନଙ୍କ ସହିତ ସମ୍ପର୍କ ଥିଲା । କିନ୍ତୁ ମୁଁ ଏ ସଂପର୍କ ଦୂର କରିବା ପାଇଁ ଖୁବ୍ ଚେଷ୍ଟା କରୁଥିଲି, ମୋର ପରିଚିତା କୌଣସି ସ୍ତ୍ରୀଲୋକ ମୋ ପ୍ରତି ପ୍ରେମରେ ଆକୃଷ୍ଟ ହେବାର ଦେଖିଲେ ମୁଁ ତା’ଠାରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରି ତାକୁ ଛାଡ଼ି ଅନ୍ୟକୁ ବରଣ କରୁଥିଲି । କୌଣସି ସ୍ତ୍ରୀ ଲୋକ ପ୍ରତି ଆକୃଷ୍ଟ ନ ହେବାକୁ ମୁଁ ଗୋଟାଏ ବଡ଼ ଭଲଗୁଣ ବୋଲି ମନେ କରୁଥିଲି ଏବଂ ମୋର ଏ ଗୁଣଟା ଥିବାରୁ ମନେ ମନେ ବଡ଼ ଗର୍ବିତ ହେଉଥିଲି ।’’

 

ଏହିଠାରେ ବନ୍ଦ ହୋଇ ସେ ତାଙ୍କର ସେହି ଅଦ୍‌ଭୁତ ଶବ୍ଦ କଲେ ଏବଂ କ୍ଷଣେ କାଳ କ’ଣ ଚିନ୍ତାକରି ପୁଣି କହିଲେ, ‘‘ଗତି ବର୍ଷ ତମାମ ଜେଲଖାନାରେ ପଡ଼ି ମୋର ଜ୍ଞାନ ଉଦୟ ହୋଇଛି, ମୁଁ ବୁଝିଛି, ମୁଁ ଯାହା ଗୁଣ ବୋଲି ମନେକରି ଗର୍ବ ଅନୁଭବ କରୁଥିଲି ତା’ଠାରୁ ବଳି ଭୟାନକ ପାପ ଆଉ ନାହିଁ । କୌଣସି ସ୍ତ୍ରୀ ପ୍ରତି ଆକୃଷ୍ଟ ନ ହେବାକୁ ମୁଁ ଗୁଣ ବୋଲି ମନେ କରିଥିଲି–ସ୍ତ୍ରୀକୁ ବିଳାସର ସାମଗ୍ରୀ ମନେକରି ଭୋଗ କରୁଥିଲି, କିନ୍ତୁ ହୀନ ବିଳାସ ବାସନାକୁ ଅତିକ୍ରମ କରି ଆକର୍ଷଣର ଅଙ୍କୁର ଫୁଟି ଉଠିଲାବେଳକୁ ସେ ଅଙ୍କୁରକୁ ମୋଡ଼ି ଫୋପାଡ଼ି ଦେଉଥିଲି-। ବର୍ତ୍ତମାନ ବୁଝିଛି, ମୋର ଏ ଗୁଣ ସବୁଠାରୁ ବଡ଼ ଦୋଷ । କୌଣସି ସ୍ତ୍ରୀ ପ୍ରତି ଆକୃଷ୍ଟ ହେବାରେ କିଛି ଦୋଷ ନାହିଁ, ସେଥିରେ ମହତ୍ତ୍ୱ ଅଛି ।

 

‘‘ଆଉ ଏ କଥା । ଏହା ଆପଣଙ୍କୁ ଅବାନ୍ତର ବୋଧ ହେଉଥିବ । ବର୍ତ୍ତମାନ ମୁଁ ମୋର ଇତିହାସ କହେ । ମୋତେ ଯେତେବେଳେ ଷୋଳ ବର୍ଷ ବୟସ, ସେତିକିବେଳେ ମୋ ଗୋଡ଼ ପାପ-ପଙ୍କରେ ବୁଡ଼ିଲା । ସେତେବେଳେ ମୁଁ ସ୍କୁଲରେ ପଢ଼ୁଥାଏ; ଭାଇ ନୂଆ କରି କଲେଜରେ ଭର୍ତ୍ତି ହୋଇଥାନ୍ତି । ଏହି ସମୟରେ ମୁଁ ଭଲକରି ପାପରେ ପଡ଼ିଲି, କିନ୍ତୁ ତା ପୂର୍ବରୁ ଯେ ମୁଁ ପୁରା ନିଷ୍ପାପ ଥିଲି, ତାହା କହି ହେବ ନାହିଁ । ଦୁଇବର୍ଷ ପୂର୍ବରୁ, ମୋତେ ଯେତେବେଳେ ଚଉଦ ବର୍ଷ, ସେତେବେଳକୁ ମୋର ସାଙ୍ଗ ପିଲାମାନେ ତାଙ୍କ କଥା ବାର୍ତ୍ତାରେ ମୋ ମନ କଳୁଷିତ କରିଥିଲେ । କୌଣସି ନିର୍ଦ୍ଦିଷ୍ଟ ସ୍ତ୍ରୀଲୋକ ନୁହେଁ, ସାଧାରଣ ସ୍ତ୍ରୀଜାତି ମୋ ମନକୁ ଚିନ୍ତାରେ ଆଲୋଡ଼ିତ କରୁଥିଲା-। ମୁଁ ଏକାନ୍ତରେ ବସି କାଳ୍ପନିକ ସ୍ତ୍ରୀର ସଙ୍ଗସୁଖ କଳ୍ପନାରେ ଅନୁଭବ କରି କେତେବେଳେ ସୁଖ ଅନୁଭବ କରୁଥିଲି, କେତେବେଳେ ବା ଆତ୍ମଗ୍ଲାନିରେ ହୃଦୟ ଭରିଦେଇ ମୋତେ ପାପରୁ ମୁକ୍ତ କରିବାପାଇଁ ଈଶ୍ୱରଙ୍କୁ ନିଷ୍ଫଳ ପ୍ରାର୍ଥନା କରୁଥିଲି ।

 

‘‘ସେ ଯାହାହେଉ, ଏପର୍ଯ୍ୟନ୍ତ ମୋ ପାପ ଥିଲା ମୋ ନିଜର । ମୁଁ ଅନ୍ୟ କାହାରିକୁ ମୋ ପାପକୁ ଟାଣି ଆଣି ନ ଥିଲି । କଳ୍ପନାରେ ସ୍ତ୍ରୀର ସଙ୍ଗସୁଖ ଅନୁଭବ କରି ଆତ୍ମପ୍ରସାଦ ଅନୁଭବ କରିଥିଲେହେଁ, ରକ୍ତମାଂସବିଶିଷ୍ଟ ସ୍ତ୍ରୀର ପାର୍ଶ୍ୱବର୍ତ୍ତୀ ହେବାର ଦୁର୍ଭାଗ୍ୟ ମୋର ଏପର୍ଯ୍ୟନ୍ତ ହୋଇ ନ ଥିଲା ।

 

‘‘ଏଥର ହେଲା । ମୋତେ ଏ ସର୍ବନାଶର ବାଟ ବତାଇଲା ମୋର ଏବଂ ମୋ ଭାଇର ଜଣେ ସାଙ୍ଗ । ସେତେବେଳେ ସେ ବଡ଼ ସୁନ୍ଦର ପିଲାଟିଏ ବୋଲି ମୋତେ ଜଣାଯାଉଥିଲା । ବିଡ଼ିଖିଆ ଶିଖାଇଥିଲା ଆମକୁ ସିଏ; ମଦପିଆ ଶିଖାଇଥିଲା, ଏବେ ବେଶ୍ୟା ଘରକୁ ବାଟ କଢ଼େଇଲା ।’’

 

‘‘ମୁଁ ଗଲି, ମୋ ଭାଇ ଗଲେ । ସେଦିନ କି ପାପ କଲି; କି ନରକକୁ ଆନନ୍ଦରେ ଗୋଡ଼ ବଢ଼େଇଦେଲି, ସେତେବେଳେ ଜାଣିପାରି ନ ଥିଲି । ଜାଣିବାର ସୁବିଧା ବି ନ ଥିଲା । ଏ ସବୁ ବିଷୟ ଗୁରୁଜନମାନେ ଆମ ଆଗରେ କହନ୍ତି ନାହିଁ । ସେମାନେ ବିଶ୍ୱାସ କରନ୍ତି, ଏ କଥାଟା ଆମ ଆଗରେ ପ୍ରଚାରିତ ହୋଇଗଲେ ଆମର ସର୍ବନାଶ । କ୍ଲାସରେ ଧର୍ମଶିକ୍ଷା ଦିଆଯାଏ, କିନ୍ତୁ ଏ ଧର୍ମଶିକ୍ଷା ଉପରେ ଆମେମାନେ ଦୃଷ୍ଟି ଦେଉ ନାହିଁ । ଯେଉଁମାନେ ଆମ୍ଭମାନଙ୍କୁ ଧର୍ମଶିକ୍ଷା ଦିଅନ୍ତି, ସେମାନଙ୍କର ବି ଇଚ୍ଛା ନ ଥାଏ, ଏଥିପ୍ରତି ଆମର ମନୋଯୋଗ ପଡ଼ୁ । ଇଂରେଜୀରେ କିପରି ଶୁଦ୍ଧ ବାକ୍ୟ ଲେଖାଯିବ, ସେ କଥା ମାଷ୍ଟ୍ରେ ଯେତେ ଯତ୍ନରେ ପଢ଼ାନ୍ତି ଧର୍ମଶିକ୍ଷା ତହିଁରୁ ଶହେ ଭାଗରୁ ଭାଗେ ଯତ୍ନରେ ଦିଅନ୍ତି ନାହିଁ, ଫଳରେ ପିଲାଦିନୁ ସ୍କୁଲରେ ଆମର ଧାରଣା ବୁଦ୍ଧମୂଳ ହୁଏ ଯେ, ଧର୍ମ ଗୋଟାଏ ଗୌଣ ବସ୍ତୁ, ନ୍ୟାୟାନ୍ୟାୟ ବିଚାର କରି ଚଳିବାରେ ଲାଭ କିଛି ନାହିଁ, ଜଗିରଖି ଚଳି ପାରିଲେ ହେଲା ।’’

 

‘‘ପୂର୍ବରୁ କହିଛି, ଗୁରୁଜନମାନେ ଏପରି ବିଷୟରେ ଆମ ଆଗରେ ବିନ୍ଦୁ ବିସର୍ଗ କିଛି ପକାନ୍ତି ନାହିଁ । ଆଉ ଯେଉଁମାନେ ଏ କଥା ପକାନ୍ତି, ସେମାନେ ଏ ସବୁ ଗର୍ହିତ ବୋଲି କହନ୍ତି ନାହିଁ-। ଏପରି କାର୍ଯ୍ୟ ଯେ ନେଇ ଆଣି ଥୋଇ ପାରିଲା, ତାର ପ୍ରଶଂସା ତ କହିଲେ ନ ସରେ । ଏ ସବୁ ଆମ୍ଭମାନଙ୍କୁ ଏଥିରୁ ବାରଣ କରିବ କଣ, ଓଲଟି ଏପରି କାର୍ଯ୍ୟ କରି ପ୍ରଶଂସା ପାଇବାକୁ ଉତ୍ସାହିତ କରେ ।

 

‘‘ସରକାର ମଧ୍ୟ ଏ କାର୍ଯ୍ୟକୁ ପ୍ରଶ୍ରୟ ଦିଅନ୍ତି । ସରକାର ଲାଇସେନ୍ସ ଦେଇ ବେଶ୍ୟା ରଖାଇଛନ୍ତି, ଡାକ୍ତରମାନଙ୍କୁ ରଖାଇଛନ୍ତି, ଏ ପାପର ଫଳସ୍ୱରୂପ କୌଣସି ବେମାରି ହେଲେ ଭଲ କରିବେ ବୋଲି । ଡାକ୍ତରମାନେ ଆହୁରି ଅଧିକ କରନ୍ତି । ଲୋକଙ୍କୁ ଏପରି କାର୍ଯ୍ୟରେ ପ୍ରବର୍ତ୍ତାନ୍ତି, ବେଳେ ବେଳେ ବେଶ୍ୟାଘରକୁ ଗଲେ ଦିହ ଭଲ ହେବ ବୋଲି ବ୍ୟବସ୍ଥା ଦିଅନ୍ତି । ଏସବୁ ଶିକ୍ଷାର ଫଳ, ସଭ୍ୟତା ଓ ବିଜ୍ଞାନର ଫଳ ।’’

 

ମୁଁ ଆଶ୍ଚର୍ଯ୍ୟ ହେଲି । ପଚାରିଲି–‘‘ଶିକ୍ଷା, ସଭ୍ୟତା, ଡାକ୍ତରଙ୍କର ଏଥିରେ ଦୋଷ କଣ ? ଡାକ୍ତର କଣ ରୋଗ ହେଲେ ଚିକିତ୍ସା କରନ୍ତେ ନାହିଁ ? ନାନା ପ୍ରକାର କୁତ୍ସିତ ରୋଗର ଚିକିତ୍ସା କରିବା ହେତୁ ସେମାନେ ଯେ ସମାଜର କୃତଜ୍ଞତାର ପାତ୍ର ।’’

 

ସେ ଉତ୍ତେଜିତ ହୋଇ କହିଲେ ‘‘କୃତଜ୍ଞତାର ପାତ୍ର ନା ଅଭିଶାପର ପାତ୍ର ? ରୋଗ ଚିକିତ୍ସା କରିବାରେ ସେମାନେ ଯେତେ ସମୟ ନଷ୍ଟ କରୁଛନ୍ତି, ତହିଁରୁ ଶହେ ଭାଗରୁ ଭାଗେ ଯଦି ବିଳାସ, ଲମ୍ପଟତା ଦୂର କରିବାରେ ଲଗାଉଥାନ୍ତେ, ଲୋକଙ୍କୁ ସତ୍‌ମାର୍ଗରେ ଯିବାକୁ ଶିକ୍ଷା ଦେଉଥାନ୍ତେ, ତେବେ ରୋଗ ତ ମୋଟେ ହୁଅନ୍ତା ନାହିଁ । ତାଙ୍କ ଚିକିତ୍ସାର କି ପ୍ରୟୋଜନ ରହନ୍ତା ? ଗୋଟିଏ ହେଲେ ତାକୁ ଆରୋଗ୍ୟ କରିଦେଇ ସେମାନେ ପାପକୁ ପ୍ରଶ୍ରୟ ଦେଉଛନ୍ତି । ଲୋକଙ୍କର ରୋଗଭୟ ରହୁ ନାହିଁ । ଡାକ୍ତରଙ୍କଠାରୁ ‘ଅଭୟ’ ପାଇ ସମାଜ ରସାତଳକୁ ଯାଉଛି ।

 

‘‘ମୁଁ ଯେ ବେଶ୍ୟା ଘରକୁ ଗଲି, କଣ ପ୍ରେମରେ ଆକୃଷ୍ଟ ହୋଇ ଗଲି ? ନା-ବିଳାସ ବାସନା ତୃପ୍ତ କରିବା ପାଇଁ ଗଲି । ମୋର ସଙ୍ଗୀମାନେ ବୁଝାଇ ଦେଲେ, ମୁଁ ମୋର ଶରୀରର ଉପକାର ନିମନ୍ତେ ଯେପରି ସିଗାରେଟ୍ ଖିଆ, ମଦପିଆ ଧରିଥିଲି, ସେହିପରି ଶରୀର ରକ୍ଷା ନିମନ୍ତେ ସ୍ତ୍ରୀଗମନ ପ୍ରୟୋଜନ । ମୋ କାର୍ଯ୍ୟରେ ପାପର ଗନ୍ଧ ରହିଲା ନାହିଁ । ମୁଁ ଯାହା କଲି ତାହା ଲୋକଚକ୍ଷୁରେ ଗର୍ହିତ ନୁହେ ବୋଲି ବୁଝିଲି । ତାହା ନ କଲେ ଶରୀରୀର ଶରୀରଧାରଣ ଅସମ୍ଭବ ବୋଲି ବିଶ୍ୱାସ କଲି ।

 

‘‘ବେଶ୍ୟା ଘରେ ପଶିଗଲାବେଳେ ବିବେକ ଟିକିଏ ସତର୍କ କରି ଦେଇଥିଲା; କିନ୍ତୁ ତାହା କିଛି ନୁହେଁ । ପାପ କଲା ଭଳି ମନକୁ ଟିକିଏ ଲାଗିଲା, କିନ୍ତୁ ସେ ଚିନ୍ତା ବେଶୀ କ୍ଷଣ ରହିଲା ନାହିଁ ।

 

‘‘ନରକର ବାଟ ଖୋଲିଗଲା । ନାରୀ ପ୍ରତି ପବିତ୍ର ପ୍ରେମଭାବ ପୋଷଣ କରିବା ମୋ ପକ୍ଷରେ ଅସମ୍ଭବ ହେଲା । ସେହି ଦିନୁଁ ମୁଁ ସ୍ତ୍ରୀମୁଖ ଦେଖିଲେ ପାପଚିନ୍ତା କଲି । ମୋ ଭାବ, ଭଙ୍ଗୀ, ସବୁଥିରେ ଲମ୍ପଟତା ଚିତ୍ରିତ ହୋଇଗଲା । ମୁଁ ହେଲି ପାପୀ ଲମ୍ପଟ । ଏହି ପାପ, ଏହି ଲମ୍ପଟତ ମୋର ସର୍ବନାଶର କାରଣ । ଏହି ଦିନ ଯେଉଁ ପାପଜୀବନ ଆରମ୍ଭ କଲି, ତାହାରି ଫଳରେ ମୁଁ ଆଜି ସ୍ତ୍ରୀ-ଘାତୀ ଜଘନ୍ୟ ନରକ କୀଟ !

•••

 

(ଚାରି)

 

‘‘ଏହିପରି ଦିନକୁ ଦିନ ମୋର ଅଧୋଗତି ହେଲା । ଆଗ ଆଗ ବିବେକର ଯେଉଁ ଟିକକ ଶାସନ ମୋ ଉପରେ ପ୍ରଭାବ ବିସ୍ତାର କରିବାକୁ ଦୁର୍ବଳ ଚେଷ୍ଟା କରୁଥିଲା, କ୍ରମେ ସେତକ ବି ବନ୍ଦ ହୋଇଗଲା । ମୁଁ ପାପୀ ବୋଲି ଆଜି ସିନା କହୁଛି, କିନ୍ତୁ ସେତେବେଳେ ମୋର ପାପ ମୋତେ ଦିଶୁ ନ ଥାଏ–ନ ଦିଶିବାର କଥା । ମୋ’ଠାରୁ ଅଧିକ ପାପୀ କେତେ ଥାନ୍ତି । ସେମାନେ ମୋର ନିରୀହତା, ସଚ୍ଚରିତ୍ରତା (?) ଦେଖି ମୋତେ ଟାହୁଲି କରୁଥାନ୍ତି । ମୁଁ ସେମାନଙ୍କଠାରୁ ଭଲ ବୋଲି ଗର୍ବ ଅନୁଭବ କରୁଥାଏ ।

‘‘ସେମାନଙ୍କ ଭଳିଆ ହୋଇଥିଲେ ଯେ ଗର୍ବ ଅନୁଭବ ନ କରନ୍ତି, ତାହା ନୁହେଁ । ସମାଜ ତ ଆମକୁ କୌଣସି ଶାସ୍ତି ଦେଉ ନ ଥାଏ, ଆମ ପାପ ଆମେ ବୁଝନ୍ତୁ କିପରି ? ମୋ ସଙ୍ଗୀମାନେ ଓ ମୁଁ ଉନ୍ନତ ସମାଜରେ ସୁଶିକ୍ଷିତ ଉଚ୍ଚବଂଶୀୟ ପରିବାର ଭିତରେ ଅବାଧ ପ୍ରବେଶ ଅଧିକାର ପାଇଥାଉଁ । ସମାଜ ଆମ ପାପକୁ ପୁଣ୍ୟ ବୋଲି ଧରି ନେଇଥାଏ କି ନାହିଁ କେଜାଣି, ଯାହାହେଉ, ଅନ୍ୟମାନଙ୍କଠାରୁ ଆମ୍ଭମାନଙ୍କୁ କୌଣସି ପ୍ରକାର ନୀଚ ଦୃଷ୍ଟିରେ ଦେଖୁ ନ ଥାଏ । ଅବିବାହିତା ଯୁବତୀମାନଙ୍କ ସଙ୍ଗେ ଆମେ ହସଖେଳ କରିବାକୁ ସେମାନଙ୍କ ବାପ ମା ମନା କରିବେ କଣ, ଆମକୁ ଆଗ୍ରହରେ, ଇଙ୍ଗିତରେ ଆହ୍ୱାନ କରୁଥାନ୍ତି ।

‘‘ଆମ ଭଳିଆ ନୀଚ ଦୁଶ୍ଚରିତ୍ର ଯୁବକ କୌଣସି ଭଦ୍ର ଗୃହସ୍ଥ ଘରକୁ ଗଲେ କଣ ହେବା ଉଚିତ କହିଲେ ? ଗୃହସ୍ଥ ଆମକୁ କହନ୍ତେ, ‘ବାବୁ, ତମ ଗୁଣ ଆମେ ଜାଣୁ । ଆମର ଏଠାରେ ସରଳା ଯୁବତୀ ଅଛନ୍ତି; ଆପଣମାନେ ଏଠାରୁ ତୁରନ୍ତ ଦୂର ହୁଅନ୍ତୁ ।’ ଏହା ହେବାର କଥା; କିନ୍ତୁ ପ୍ରକୃତରେ ହୁଏ କଣ ? ଗୃହସ୍ଥ ଆମକୁ ଆଦରରେ ଘରକୁ ଡାକି ନିଅନ୍ତି ଏବଂ ତାଙ୍କ କନ୍ୟାମାନଙ୍କ ସଙ୍ଗେ ଆମେ ହସ ଖୁସି କଲେ ଆମଦ୍ୱାରା ଅନୁଗୃହୀତ ହେଲାପରି ମନେକରନ୍ତି ।

‘‘ଏପରି ଅବସ୍ଥାରେ ଆମର ଅନୁତାପ ଆସିବ କିପରି କହିଲେ ? ମୁଁ ନିଜକୁ ଅସଲ ସଚ୍ଚରିତ୍ର ଯୁବକ ବୋଲି ଗର୍ବ କରୁଥାଏ ଏବଂ ମୋ’ ଭଳିଆ ସଚ୍ଚରିତ୍ର ଯୁବକର ଉପଯୁକ୍ତା ପତ୍ନୀ ମିଳିଲେ ତା’ ସଙ୍ଗେ ଗୃହସ୍ଥାଶ୍ରମ ଆରମ୍ଭ କରିବାକୁ ଆଶ୍ରୟୀ ହୋଇ ଚାହିଁଥାଏ !

‘‘ସମୟ ଗଡ଼ି ଯାଉଥାଏ, ବୟସ ବଢ଼ି ଯାଉଥାଏ ଏବଂ ବୟସ ସଙ୍ଗେ ସଙ୍ଗେ ମୁଁ ନରକର ତଳକୁ ତଳକୁ ଯାଉଥାଏ । କିନ୍ତୁ ମୋ’ର ସେ’ଦିନର ଆତ୍ମପ୍ରସାଦରେ ଟିକିଏ ବାଧା ପଡ଼ୁ ନ ଥାଏ । ମୁଁ ମୋ ‘ଚକ୍ଷୁରେ’ ମୋ ସଙ୍ଗୀମାନଙ୍କ ଚକ୍ଷୁରେ, କନ୍ୟାପିତାଙ୍କର ବିଶେଷତଃ କନ୍ୟାମାତାଙ୍କ ଚକ୍ଷୁରେ ଗୋଟାଏ ପହିଲା ନମ୍ବର ଯୁବକ ବୋଲି ଦିଶୁଥାଏ । ଏହି ସମୟରେ ମୋର ବିବାହ ହେଲା । ଆଜିଯାଏ ମୁଁ ଉପଯୁକ୍ତ ପାତ୍ରୀ ଅନ୍ୱେଷଣରେ ଥିଲି ଏତେଦିନେ ମୋର ଉପଯୁକ୍ତା ଜଣେ ମିଳିଲା । ମୁଁ ତାକୁ ପସନ୍ଦ କଲି ।

‘‘ସେ କଲିକତାର ଜଣେ ସଂଭ୍ରାନ୍ତ ବ୍ରାହ୍ମ ଗୃହସ୍ଥଙ୍କର କନ୍ୟା ଦୁଇଙ୍କ ଭିତରୁ ଜଣେ-ଦିନେ ରବିବାର ଉପାସନା ମନ୍ଦିରରେ ମୁଁ ପ୍ରଥମେ ଦେଖିଲି । ସେ ଦିନଠାରୁ ମୋର ମନ୍ଦିରକୁ ଯିବା ରବିବାରର ଗୋଟାଏ ନିୟମିତ କାର୍ଯ୍ୟ ହୋଇଗଲା । ତହିଁ ପୂର୍ବରୁ ମୁଁ ତାର ସେହି ସୁଗଠିତ ଗୋଲ ମୁହଁଟି ଦେଖିବା ପାଇଁ, ଈଶ୍ୱରପ୍ରୀତି ମୋ ମନରେ ବିଶେଷ ପ୍ରଭାବ ବିସ୍ତାର ନ କରିଥିଲେ ହେଁ ରବିବାର ରାତିଠାରୁ ଆର ରବିବାର ଉପାସନାକୁ ଯିବାବେଳ ଯାଏଁ ଚାହିଁ ବସିଥାଏ । ରବିବାର ଦିନ ତରବରରେ ସବୁ କାର୍ଯ୍ୟ ସାରି ଦେଇ ତାର ସେହି ମୁହଁ, ତାର ସେହି ସୁନ୍ଦର ଘନକୃଷ୍ଣ କେଶ ଅପେକ୍ଷାରେ ମନ୍ଦିର ଦୁଆର ମୁହଁରେ ପଦ ଚାରଣ କରୁଥାଏ । ମୋର ଏ ଭାବ ତା ନଜରରେ ପଡ଼ିଲା । ସେ ମୋତେ ଯେପରି ଚାହିଁଲା, ସେଥିରୁ ଆଶା ହେଲା । ଆଉ ଦିନେ ସନ୍ଧ୍ୟାବେଳେ ତାଙ୍କ ବଗିଚାରେ ତା ସଙ୍ଗେ ଦୁଇ ଚାରି ପଦ କଥାବାର୍ତ୍ତା ପରେ ମୁଁ ‘ପ୍ରସ୍ତାବ’ କରିଦେଲି । ସେ ମୋତେ ଗ୍ରହଣ କଲା ।

‘‘ସେ ସ୍ତ୍ରୀ ଲୋକଟି କହୁଥିଲେ ପରା ଶୁଣିଲେ, ଆଦର୍ଶର ମିଳନ କଥା ପ୍ରେମରେ ଆଧ୍ୟାତ୍ମିକତା କଥା ? କି ମୂର୍ଖତା ! ସୁନ୍ଦରୀ ସ୍ତ୍ରୀ ମୁହଁରୁ ଯୁବକ କି ଆଦର୍ଶର ପରିଚୟ ପାଏ କେଜାଣି ? ତା କଥାରୁ କି ମହତ୍ ଭାବର ସଙ୍କେତ ପାଏ କେଜାଣି ? ମୋ ବିଷୟରେ ତ ସେପରି କିଛି ଘଟି ନାହିଁ । ମୋର ଭାର୍ଯ୍ୟା ବିବାହ ପୂର୍ବରୁ କିଛି ତା ହୃଦୟର କୌଣସି ମହତ୍ତ୍ୱର ସୂଚନା ଦେଉଥିଲା ପରି ତ କାହଁ ମୋର ମନେ ହେଉ ନାହିଁ ! ଆଜି ତାର ସେ ବେଳ କଥାବାର୍ତ୍ତାରୁ ଯାହାକିଛି ମନେପଡ଼ୁଛି, ସେଥିରେ ମହତ୍ତ୍ୱର କିଛି ଭାଗ ନ ଥିଲା । ସେ ସେତେବେଳେ ଯାହା କହୁଥିଲା, ତାହା ଅତି ସାଧାରଣ କଥା; କିନ୍ତୁ ତା ସୁନ୍ଦର ମୁହଁରୁ ବାହାରୁଥାଏ ବୋଲି ସେତେବେଳେ ଅସାଧାରଣ ମନେ ହେଉଥାଏ । ଯେଉଁ ରମଣୀ ଯେପରି, ସୁନ୍ଦରୀ, ସେ ସେପରି ମହତ୍ ବୋଲି ଯୁବକ ମନେକରେ ! ଯାହାହେଉ, ମୁଁ ତାହାର ସମ୍ମତି ପାଇ ଘରକୁ ମହାଆନନ୍ଦରେ ଫେରିଲି । ନିଜକୁ ନିଜେ କେଡ଼େ ଭାଗ୍ୟବାନ୍ ବୋଲି ମନେ କରୁଥାଏ । ବିବାହ ସ୍ଥିର ହେଲା । ଯେଉଁ ରମଣୀକୁ ଆଜିଯାଏ ଖୋଜି ହେଉଥିଲି, ତାକୁ ପାଇଲି ।

‘‘ବିବାହ-ବି-ବା-ହ-କେଡ଼େ ନୂଆ କଥାଟାଏ ପରି ଜଣାପଡ଼ୁଥାଏ । କିନ୍ତୁ ନୂଆ କଣ ? ମୁଁ ତ ଏଥି ପୂର୍ବରୁ ଅନେକ ଥର ବିବାହ କରିଥିଲି । ଖାଲି ମୁଁ କାହିଁକି ? ଆମ ଶିକ୍ଷିତ ସମାଜରେ ଏବଂ ଆମ ପ୍ରଭାବରୁ, ଦୁର୍ଭାଗ୍ୟ କ୍ରମେ ସାଧାରଣ ଲୋକଙ୍କ ଭିତରେ ବି ଶହେକେ ଜଣେ ସୁଦ୍ଧା ଲୋକ ବାହାରିବେ ନାହିଁ, ଯେ ତାଙ୍କ ଅସଲ ବିବାହ ପୂର୍ବରୁ ବହୁବାର ବିବାହ କରିନାହାନ୍ତି । ଅବଶ୍ୟ ଶୁଣିଛି, ପୂର୍ବକାଳରେ ଏ ଦେଶରେ ଲୋକ ଥିଲେ, ଯେଉଁମାନେ କି ଯୌବନକୁ ବିଳାସର ସମୟ ବୋଲି ମନେକରୁ ନ ଥିଲେ; ବ୍ରହ୍ମଚର୍ଯ୍ୟ ବ୍ରତ ପାଳୁଥିଲେ । ଆଜି ମଧ୍ୟ ଠାଏ ଠାଏ ଦେଖୁଛି, କେତେକ ଯୁବକଙ୍କ ଭିତରେ ସେ ପୁରୁଣା ଭାବ ପୁଣି ଜାଗିଉଠୁଛି; କିନ୍ତୁ ଆମ ବେଳେ, ମୋର ଯୌବନରେ ଆମ ଶିକ୍ଷିତ ସଂପ୍ରଦାୟରେ ଗୋଟିଏ ବୋଲି ସଚ୍ଚରିତ୍ର ଲୋକ ଖୋଜି ପାଇବା କଷ୍ଟ ଥିଲା । କିନ୍ତୁ ମନୁଷ୍ୟର କି ମୂଢ଼ତା–କେହି ଏ କଥାକୁ ଗାର କରି ଧରୁ ନ ଥିଲେ । ମନେକରୁଥିଲେ, ସମାଜ ବେଶ୍ ଉନ୍ନତ ! ଚରିତ୍ରହୀନଙ୍କ ସଂଖ୍ୟା ଏତେ କମ୍ ଯେ, ତାଙ୍କୁ ବେଖାତିର୍ କରାଯାଇପାରେ-! ସମସ୍ତେ ଏ ଦିଗଟାକୁ ଅବଜ୍ଞାରେ ଉଡ଼େଇ ଦେଉଥିଲେ ।

‘‘ଉପନ୍ୟାସମାନଙ୍କରେ ଦେଖୁଥିବେ, ଉପନ୍ୟାସକାର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା କରିବାରେ ଏତେ ଜାଗା ଦେଉଛନ୍ତି, ପ୍ରେମିକ ପ୍ରେମିକାଙ୍କର ମିଳନ ଚିତ୍ର ବର୍ଣ୍ଣନା କଲାବେଳେ ‘ଛୁଞ୍ଚି ମାଛି’ ଛାଡ଼ୁ ନାହାନ୍ତି । କିନ୍ତୁ କୌଣସି ଉପନ୍ୟାସକାର ପ୍ରେମିକର ପୂର୍ବ ଇତିହାସର ପୃଷ୍ଠାଏ ପ୍ରକାଶ କରିବାର କେଉଁଠାରେ ଦେଖୁଛନ୍ତି କି ? ଉପନ୍ୟାସକାର ସେଗୁଡ଼ାକ ଗୌଣ ବୋଲି ଛାଡ଼ି ଦେଉଛନ୍ତି । ନ ଛାଡ଼ିଲେ ବା କଣ ହୁଅନ୍ତା ? ସେ ଯଦି ଏସବୁ ବିଷୟ ଲେଖନ୍ତେ, ତେବେ ଯେଉଁ ଯୁବତୀମାନଙ୍କର ଏ କଥା ପଢ଼ିବାର ଏକାନ୍ତ ଦରକାର ସେମାନଙ୍କ ହାତରେ ଏ ବହି ତାଙ୍କ ବାପା ମା ଦିଅନ୍ତେ କି ? କେବେ ନୁହେଁ । ପୃଥିବୀ ତମାମ୍ ପାପ ପୂରି ରହିଛି ବୋଲି ନିଜ ଝିଅଙ୍କୁ ଜଣାଇଦେବା ସେମାନଙ୍କର ଇଚ୍ଛା ନୁହେଁ ।

‘‘ପ୍ରତ୍ୟେକ ଲୋକ ଏ ବିଷୟ ସବୁ ଲୁଚେଇ ରଖିବାକୁ ଚାହେଁ । ବିଷୟ ନିଜେ କରିଥିଲେ ବି ଆମେମାନେ ୟାକୁ ଭୁଲିଯାଉଁ; ମନେକରୁ, ଆମେ ସମସ୍ତେ ବେଶ୍ ଭଲଲୋକ । ଆମେ ଯିମିତି ଭଲ, ଆଉ ସମସ୍ତେ ବି ସିମିତି ଭଲ ।

‘‘ହତଭାଗିନୀ ଅବିବାହିତାମାନେ ଏ କଥା ବେଶ୍ ଭଲରୂପେ ବିଶ୍ୱାସ କରନ୍ତି । ମୋ ଅଭାଗିନୀ ଭାର୍ଯ୍ୟା ମଧ୍ୟ ଏହିପରି ବିଚାରି ଥିଲା । ମୁଁ ତାକୁ ମୋ ବିବାହ ପୂର୍ବ ଜୀବନର ଡାଇରି ପଠାଇଲି । ସେଥିରେ ମୂଳରୁ ଶେଷ ପର୍ଯ୍ୟନ୍ତ ମୋର ସବୁ କଥା ଲେଖାଥାଏ । ମୁଁ ନିଜଆଡ଼ୁ ତାକୁ ଏସବୁ ଦେଖାଇ ଦେଲି । ଅନ୍ୟ କୌଣସିଠାରୁ ସେ ଏ ବିଷୟ ଶୁଣିଲେ ବେଶୀ ମର୍ମାହତ ହେବ ବୋଲି ଭୟ କଲି । ଦେଖାଇଦେଇ ସାରି, ଅନୁତାପ କଲି । ତା ମୁହଁରେ ସେତେବେଳେ ଯେ ଦୁଃଖ, ହତାଶ ଭାବ, ଯେ ଅନୁତାପର ଚିତ୍ର ଆଙ୍କି ହୋଇଗଲା, ତହିଁରୁ ମନେ ହେଉଥାଏ, ସତେ ଯେପରି ସେ ସେହିକ୍ଷଣି ମୋତେ ଛାଡ଼ି ଚାଲିଯିବ ।’’

ମୁଁ ପଚାରିଲି–‘‘କାହିଁକି, ସେ ଛାଡ଼ିଗଲେ ନାହିଁ ?’’ ସେ କହିଲେ ମୋରି ଯୋଗୁଁ–ମୁଁ ହତଭାଗ୍ୟ ତାକୁ କ୍ଷମା ଭିକ୍ଷା କଲି । ବିବାହିତ ଜୀବନ ଭିତରେ ଏପରି ଆଉ କେବେ କରିବି ନାହିଁ ବୋଲି କରିଥିବା ସଂକଳ୍ପ ତାକୁ ଜଣାଇଲି । ଏହିଠାରେ ବନ୍ଦ ହୋଇପାରେ ସେ ଗୋଟାଏ ଦୀର୍ଘ ନିଶ୍ୱାସ ପକାଇଲେ । ତାଙ୍କର ସେ ଅଦ୍ଭୁତ ଚିତ୍କାର କଲେ ଏବଂ କିଛିକ୍ଷଣ ପରେ ପୁଣି କହିଲେ–‘‘ନିର୍ବୋଧ ମୁଁ ଯଦି ସେତେବେଳେ ତାକୁ ବାଧାଦେଇ ନ ଥାନ୍ତି, ଛାଡ଼ପତ୍ର ନେଇ ଚାଲିଯିବାକୁ ଯଦି ଛାଡ଼ି ଦେଇଥାନ୍ତି, ତେବେ କେଡ଼େ ଭଲ ହୋଇଥାନ୍ତା ।

•••

 

(ପାଞ୍ଚ)

 

‘‘ମୋର ଏ ବିଷୟରେ ଏକିତି କହିବାର କଥା ଯେ, ଏପରି ପ୍ରକୃତ କଥା ଲୁଚେଇ ରଖିବାଦ୍ୱାରା ବିଚରା ବାଳିକାଗୁଡ଼ିକ ଠକେଇ ଦୁଅନ୍ତି । ତାଙ୍କ ମା’ ମାନେ ଆଗରୁ ନିଜ ସ୍ୱାମୀମାନଙ୍କଦ୍ୱାରା କଳୁଷିତ ହୋଇ ଏସବୁ କଥା ଦେଖିଲେ ସୁଦ୍ଧା ନ ଦେଖିଲା ପରି ହୁଅନ୍ତି ଏବଂ ମନୁଷ୍ୟ ଚରିତ୍ରର ପବିତ୍ରତା ଉପରେ ବିଶ୍ୱାସ କରୁଥିଲା ପରି ବ୍ୟବହାର ଦେଖାନ୍ତି । କିନ୍ତୁ ସେମାନେ ଆମ୍ଭମାନଙ୍କୁ ଜାଲରେ ପକାଇବା ନିମନ୍ତେ ଯେଉଁ ଉପାୟ ଅବଲମ୍ବନ କରନ୍ତି, ସେଥିରୁ ସ୍ପଷ୍ଟ ଜଣାଯାଉଥାଏ, ସେମାନେ ପୁରୁଷର ନିରୀହତା ଉପରେ ଯେପରି ବିଶ୍ୱାସ ଥିବାର ଭାନ କରନ୍ତି, ବାସ୍ତବିକ୍ ସେମାନଙ୍କର ଆଦୌ ସେ ନିରୀହତାରେ ଆସ୍ଥା ନ ଥାଏ ।

 

‘‘ବଡ଼ିଶଖଡ଼ାରେ କେରାଣ୍ଡି ଦେଖାଇ ଲୋକେ ଯେପରି ମାଛ ଧରନ୍ତି, ଜାଲିଆ ଚାଉଳ ପକେଇ ଯେପରି ପକ୍ଷୀଙ୍କୁ ଜାଲରେ ଧରେ, ସେହିପରି ସେମାନେ ଜାଲରେ ପୁରୁଷକୁ ଧରନ୍ତି, ତାଙ୍କ ଝିଅମାନଙ୍କ ପାଇଁ । ସ୍ତ୍ରୀମାନେ ଜାଣନ୍ତି, କବି ଓ ଉପନ୍ୟାସକାର ଯାହାକୁ ପବିତ୍ର ପ୍ରେମ ବୋଲି କହନ୍ତି, ତାହା ହୃଦୟର ବୃତ୍ତି ଉପରେ-ଯୁବତୀର ଭିତରେ ମହତ୍ତ୍ୱ ଉପରେ ନିର୍ଭର କରେ ନାହିଁ । ସେମାନେ ଜାଣନ୍ତି, ଯୁବତୀ ସଙ୍ଗେ ଯୁବକର ଥରକୁ ଦି’ଥର ଭେଟ ହେଲେ, ଯୁବତୀ ଭଲ ଖୋସା ପାରି, ଭଲ ବେଶ ହୋଇ ଯୁବକକୁ ପ୍ରଲୋଭିତ କଲେ, ଯୁବକର ମନରେ ପ୍ରେମ ଜାଗରୂକ ହୁଏ । ସେମାନେ ଜାଣନ୍ତି, ଖଣ୍ଡେ ଶାଢ଼ିର ବର୍ଣ୍ଣ ଉପରେ ଯୁବକର ପ୍ରେମ ଯେତେ ନିର୍ଭର କରେ, ଯୁବତୀର ସହସ୍ର ସଦ୍‌ଗୁଣ ଉପରେ ତେତେ ନିର୍ଭର କରେ ନାହିଁ ।

 

‘‘ଏ କଥା ଆପଣଙ୍କୁ ଅପସନ୍ଦ ଲାଗୁଛି ପରା ? ଅପସନ୍ଦ ଲାଗିବାର କୌଣସି କାରଣ ନାହିଁ । ପୁରୁଷ ପ୍ରକୃତି ଜାଣିଥିବା ଜଣେ ନାରୀକୁ ପଚାରିଲେ ସବୁ କଥା ବେଶ୍ ଜାଣି ପାରିବେ । ସେ କହିବ, ‘ନାରୀ ଯେଉଁ ପୁରୁଷକୁ ତା ଫାନ୍ଦରେ ପକାଇବାକୁ ବସିଥିବ, ତା ଆଗରେ ନାରୀର ଶଠତା, ସ୍ୱାର୍ଥପରତା ଜଣାପଡ଼ୁ, ସେଥିପାଇଁ ଭୟ ନାହିଁ । କିନ୍ତୁ ବେଶର ପରିପାଟୀରେ ହେଳା କଲେ ଚଳିବ ନାହିଁ ।’ ନାରୀ ଜାଣେ, ପୁରୁଷ ଉନ୍ନତ ଆଦର୍ଶ, ଚରିତ୍ରର ମହତ୍ତ୍ୱ ବିଷୟରେ ଯାହା ସବୁ ଗାଇ ହୁଅନ୍ତି, ସେଥିରେ କଡ଼ାକର ମୂଲ୍ୟ ନାହିଁ । ତାହା ସବୁ ନକଲି । ପୁରୁଷ ନାରୀର ଗୁଣ ଚାହେଁ ନାହିଁ, ସେ ଚାହେଁ ରୂପ । ଅସଚ୍ଚରିତ୍ରା ନାରୀ ଏ କଥା ଜାଣେ । ଆମ ଘରମାନଙ୍କର ନିରୀହ ସମ୍ଭ୍ରାନ୍ତ ମହିଳା ମଧ୍ୟ ଅଜାଣତରେ ଏସବୁ ଶିଖିଯାଏ ।

 

‘‘ଆମ୍ଭମାନଙ୍କର ପୂର୍ବ ସଂସ୍କାର ଯୋଗୁଁ ଆମକୁ ଭଦ୍ରମହିଳା ଭଦ୍ରମହିଳା ପରି ଦିଶନ୍ତି ଏବଂ ବେଶ୍ୟା ବେଶ୍ୟା ପରି ଦିଶନ୍ତି କିନ୍ତୁ, ଟିକିଏ ଚିନ୍ତା କରି ଦେଖିଲେ ସମସ୍ତେ ସମାନ । ବେଶ୍ୟାର ଯେଉଁ ଆଦର୍ଶ, ଆମ ଘର ସ୍ତ୍ରୀମାନଙ୍କର ସେହି ଆଦର୍ଶ । ଯଦି ଏମାନଙ୍କର ଆଦର୍ଶ ଭିନ୍ନ ହୋଇଥାନ୍ତା, ତାହାହେଲେ ଏହି ଆଦର୍ଶର ପାର୍ଥକ୍ୟ ସେମାନଙ୍କ ବାହାରେ ବ୍ୟବହାରରେ ଦେଖାଯାନ୍ତା; କିନ୍ତୁ ପାର୍ଥକ୍ୟ କଣ କିଛି ଦେଖାଯାଏ? ବାରବାଳା ଯେପରି ବେଶଭୂଷାରେ ନାନାପ୍ରକାର ପରିପାଟୀ କରେ, ଠିକ୍ ସେହିପରି ଯାହାକୁ ଆମେ କୁଳବଧୂ କହୁଥାଇଁ, ଭଦ୍ରମହିଳା କହୁଥାଇଁ, ସେମାନେ ଭିତରର ମହତ୍ତ୍ୱକୁ ଭ୍ରୁକ୍ଷେପ ନ କରି ବାହା ଛାପଚିକ୍କଣରେ ମତ୍ତ । ସେହିଭଳିଆ ସେହିଭଳିଆ ଅଳଙ୍କାର ପ୍ରେମ, ସେହିଭଳିଆ ସବୁ । ଉଦ୍ଦେଶ୍ୟ ବି ଠିକ୍ ସମାନ ବାରବାଳା ପୁରୁଷକୁ ପ୍ରଲୋଭିତ କରିବା ପାଇଁ ଏସବୁ ଉପାୟ ଅବଲମ୍ବନ କରେ–ସମ୍ଭ୍ରାନ୍ତ କୁଳବଧୂର ମଧ୍ୟ ସବୁ ବେଶଭୂଷାର ଉଦ୍ଦେଶ୍ୟ ସେଇଆ ।

 

‘‘ମୁଁ ଆଗରୁ କହିଛି, ମୁଁ ଆକୃଷ୍ଟ ହେଲି ଏହି ବେଶଭୂଷା ଯୋଗୁ । ମୋତେ ଆକର୍ଷଣ କରିନେବା ସହଜ ହେବାର କଥା । ଖତ ପିଡ଼ିଆ ଦେଇ ଯେପରି ଆଳୁ କୋବି ତିଆରି ହୁଏ, ମରୁଭୂମିକୁ ମଧ୍ୟ ଉର୍ବର କରି ଯେପରି ଫସଲ କରାଯାଏ, ସେହିପରି ପିଲାଦିନୁ ମୁଁ ସମାଜରେ ଯେପରି ଭାବରେ ଲାଳିତପାଳିତ ହୋଇଥିଲି, ତା ଫଳରେ ମୁଁ ଏପରି ହୋଇଥିଲି ଯେ ଟିକିଏ ଆକର୍ଷଣରେ ମୋର ପ୍ରେମ କରିବାର କଥା । ମୁଁ ସେ ରୀତିରେ ପିଲାଦିନ ବଢ଼ିଥିଲି, ସେଥିରେ ମୋର ପ୍ରେମିକ ହେବା ଅତି ସ୍ୱାଭାବିକ ।

 

‘‘ଆଜି ସକାଳ ଓଳି ଯେଉଁମାନେ ରେଳଲାଇନ୍ ପାଖ ବିଲରେ କାମ କରୁଥିଲେ, ସେମାନେ ଖାନ୍ତି କଣ ? ସେମାନେ ଖାନ୍ତି ଭାତ ଡାଲି ଜଣେ ଅଧେ ତାଙ୍କ ଭିତରୁ ପାନ୍ତି ଭାତ ଡାଲି ସାଙ୍ଗକୁ ଦିଖଣ୍ଡ ପରିବାପାତି । ଖାଦ୍ୟ ସେମାନଙ୍କୁ ଯେ ଶକ୍ତି ଦିଏ, ସେ ଶକ୍ତିର ସମସ୍ତ ଅଂଶ ବିଲକାମରେ ଖର୍ଚ୍ଚ ହୋଇଯାଏ । ଆମେ ଖାଉଁ ଭାତ ଡାଲି, ଘିଅ ଦୁଧ ଏବଂ ଏ ସବୁ ସାଙ୍ଗକୁ ମାଛ ମାଂସ । ଏ ସବୁ ଖାଦ୍ୟ ଦେହରେ ଯେ ପ୍ରଚୁର ଶକ୍ତି ଦିଏ, ତାକୁ ଖର୍ଚ୍ଚ କରିବା ପାଇଁ ଆମେ କରୁ କଣ ? କିଛି ନାହିଁ । ବହି ଖଣ୍ଡେ ପଢ଼ି ଦେବା ବା ଦସ୍ତଖତଟାଏ କରି ଦେବାରେ ଶକ୍ତି ବା ଖର୍ଚ୍ଚ ହେବ କେତେ ? ଫଳରେ ଦେହରେ ପ୍ରଚୁର ଶକ୍ତି ଗଚ୍ଛିତ ହୋଇ ରହେ । ଖର୍ଚ୍ଚ ହେବାର ବାଟ ନ ପାଇ ତାହା ଶରୀରରେ ନାନା ପ୍ରକାର ଉତ୍ତେଜନା, ଅଭିଳାଷ ପ୍ରବୃତ୍ତି ଜାତ କରାଏ । ଏମାନଙ୍କ ସମବାୟରେ, ଯାହାକୁ କହନ୍ତି ପ୍ରେମ ଅର୍ଥାତ ସ୍ତ୍ରୀସଙ୍ଗଲିପ୍ସା, ତାହା ଅତ୍ୟଧିକ ପରିମାଣରେ ଜାତ ହୁଏ ।

 

‘‘ମୁଁ ପ୍ରେମରେ ନ ପଡ଼ନ୍ତି କିପରି ? ମୋ ସ୍ତ୍ରୀର ମା ଯଦି ସୁଚତୁର ଭାବରେ ଜାଲ ପକାଇ ନ ଥାନ୍ତା, ମୋ ସ୍ତ୍ରୀର ଶାଢ଼ି ତିଆରି କରିବାବାଲା ଯଦି ଶାଢ଼ିରେ ସେ ଲୋଭନୀୟ ରଙ୍ଗ ଦେଇ ନ ଥାନ୍ତା, ଗୁଡ଼ାଏ ସାରବାନ ଖାଦ୍ୟ ଖାଇ ଖାଇ ମୁଁ ଯଦି ଉନ୍ମତ୍ତ ହୋଇ ନ ଥାନ୍ତି ଏବଂ ମୋ ସ୍ତ୍ରୀକୁ ଯଦି ଭଲ ପୋଷାକ ପିନ୍ଧାଇ ତାର ମା ପୁରୁଷ ଶିକାର ପାଇଁ ପ୍ରସ୍ତୁତ କରି ନ ଥାନ୍ତା, ତେବେ ତା ସହିତ ମୋର ଦେଖା ହୋଇ ନ ଥାନ୍ତା, ମୁଁ ପ୍ରେମରେ ପଡ଼ି ନ ଥାନ୍ତି, ପରେ ଯାହା ଘଟିଲା ସେ ସବୁ ବି ଘଟି ନ ଥାନ୍ତା ।

 

‘ସେ ଯାହା ହେଉ, ମୁଁ ଜାଲରେ ପଡ଼ିଲି । ପାଶ୍ଚାତ୍ୟ ଧରଣର ବିବାହ ଏବଂ ଯାହାକୁ ଆମ ଉଚ୍ଚ ଶିକ୍ଷିତ ଲୋକେ ଅନୁକରଣ କରୁଛନ୍ତି, ତାକୁ ମୁଁ ଜାଲ ବୋଲି କହୁଛି । ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବାସ୍ତବିକ୍ ଏହା ଗୋଟାଏ ଜାଲ-

 

‘‘ସନାତନ କାଳରୁ ଆମ ଦେଶରେ ଚଳି ଆସୁଛି, କନ୍ୟାର ବୟସ ହେଲେ ତା ପାଇଁ ତାର ପିତାମାତା, ଅଭିଭାବକମାନେ ପାତ୍ରଟିଏ ସ୍ଥିର କରି ତାର ବିବାହ ଦିଅନ୍ତି । ଖାଲି ଆମ ଦେଶରେ କାହିଁକି, ଚିନି ଦେଶରେ, ସମସ୍ତ ମୁସଲମାନ ରାଜ୍ୟରେ ଏବଂ ଇୟୁରୋପର ସାଧାରଣ ଶ୍ରେଣୀର ଲୋକମାନଙ୍କ ଭିତରେ ଏ କଥା ଚଳୁଛି । କିନ୍ତୁ ପୃଥିବୀ ଜନସଂଖ୍ୟାର ଶହେ ଭାଗରୁ ଭାଗେ ଲୋକ, ଯେଉଁମାନେ କି ନିଜକୁ ସଭ୍ୟ ବୋଲି ଗର୍ବ କରନ୍ତି ଏବଂ ଆମ ଦେଶର ମୁଷ୍ଟିମେୟ ପଞ୍ଝାଏ ଯେଉଁମାନେ କି ଏ ସଭ୍ୟତାର ଅନୁକରଣରେ ବ୍ୟସ୍ତ, ସେମାନଙ୍କୁ ସନାତନ ବିବାହ ପ୍ରଥା ବଡ଼ ପୁରୁଣାକାଳିଆ ବଡ଼ ଅସଭ୍ୟ ଜଣାପଡ଼ୁଛି ! ସେମାନେ ଗୋଟାଏ ନୂଆ ଚାଲ ଧରିଛନ୍ତି । ଏ ଯେଉଁ ଉନ୍ନତ (?) ବିବାହ ପ୍ରଣାଳୀ, ତାହାର ପ୍ରକୃତି ପ୍ରକାର କଣ ? ଯୁବତୀମାନେ ଘରେ ସଜଡ଼ାସଜଡ଼ି ହୋଇ ବସିଥିବେ । ଦୋକାନରେ ସଜାଡ଼ି ରଖା ଜିନିଷପାତି ପରି, ଯୁବକମାନେ ବଜାରର କିଣାଳୀମାନଙ୍କ ପରି ଯୁବତୀ ହାଟରେ ବୁଲି ବୁଲି ନିଜ ପସନ୍ଦ ମୁତାବକ ଯୁବତୀ ଆଣିବେ-। ଖୋଜା ସରିଲେ ଯଦି ଭାଉ ପଟିଲା ଅର୍ଥାତ୍ ଯୁବତୀ ଯେବେ ରସିଲା, ତେବେ ବିବାହ ସମ୍ପନ୍ନ ହେବ । ଦୋକାନୀ ଯେପରି ଗ୍ରାହକ ଆସି ଦୋକାନ ପାଖରେ ବସିଲେ ଜିନିଷର ଗୁଣଗ୍ରାମ ବର୍ଣ୍ଣନା କରେ, ଜିନିଷ ପତ୍ର ସଜଡ଼ାସଜଡ଼ି କରି ପରିଷ୍କାର କରି ଦେଖାଇ ଥୋଇଥାଏ, କନ୍ୟାମାତାମାନେ ସେହିପରି କନ୍ୟାମାନଙ୍କୁ ଏପରି ପୋଷାକ ପିନ୍ଧାଇଥାନ୍ତି, ଯେପରି ତାଙ୍କ ମୁଣ୍ଡର ବେଣୀ, ବେକ ଓ ଛାତି, ଉନ୍ମୁକ୍ତ ବାହା ଯୁବକ ମନକୁ ଡାକି ଆଣିବା କଥା । ନିଜେ ତାର ଭାବଭଙ୍ଗୀଦ୍ୱାରା ସତେ ଯେପରି କହୁଥାଏ, ‘ଏ, ମତେ ନିଅମ ! ମୋ ହାତକୁ ଦେଖୁ ନାହଁ, କେଡ଼େ ଗୋଲ, ମୋ ବାଳକୁ ଦେଖୁ ନାହଁ, କିମିତି କଳା, ଚିକ୍କଣ, ମସୃଣ । ଏଣେ ପୁରୁଷ ତନ୍ନ ତନ୍ନ କରି ସମସ୍ତଙ୍କୁ ପରୀକ୍ଷା କରୁଥାଏ, କେଜାଣି ଠକରେ ପଡ଼ିଯିବ ବୋଲି ଭୟରେ ଭାରି ସତର୍କ ହୋଇ ଚଳୁଥାଏ । ହଠାତ୍ ସେ ଜଣକୁ କାହାକୁ ଦେଖି ଝଲସିଯାଏ । ସତର୍କତା ଉଭେଇଯାଏ, ଗୋଡ଼ ଖସିଯାଏ ଏବଂ ନାରୀର ଚାତୁରୀଦ୍ୱାରା ସେ ତାଙ୍କ ଫାନ୍ଦିଥିବା ଜାଲରେ ଯାଇ ପଡ଼େ ।’’

 

ମୁଁ ପଚାରିଲି–ତେବେ ଆପଣ କଣ ଚାହାନ୍ତି ? ପୁରୁଷ ବର୍ତ୍ତମାନ ସ୍ତ୍ରୀ ବାଛୁଛି । ସ୍ତ୍ରୀ ପୁରୁଷ ବାଛିଲେ କଣ, ଭଲ ହୁଅନ୍ତା । ତାହା କଣ ଅତି କଦର୍ଯ୍ୟ ପ୍ରଥା ହୁଅନ୍ତା ନାହିଁ ?

 

ଚନ୍ଦ୍ରମଣି ବାବୁ କହିଲେ–‘‘ମୁଁ କଣ ଚାହେଁ, ନିଜେ ଜାଣେ ନାହିଁ । ତେବେ ମୋର ଏତିକି କହିବାର ଇଚ୍ଛା ଯଦି ସମାଜ ନ୍ୟାୟ ବିଚାର କରିବାକୁ ଚାହେଁ, ତେବେ ସ୍ତ୍ରୀ ପୁରୁଷ ଉଭୟଙ୍କୁ ସମାନ ସୁବିଧା ଦିଆଯାଉ । ଆମ୍ଭମାନଙ୍କ ସନାତନ ବିବାହ ରୀତି ଯଦି ଘୃଣାର ପଦାର୍ଥ ତେବେ ଏ ନୂଆ ପ୍ରଣାଳୀକୁ ଶତଗୁଣ ଘୃଣା କରିବାର କଥା । ଆମ୍ଭମାନଙ୍କ ଦେଶୀୟ ରୀତି ଯେତେ ମନ୍ଦ ହେଉ ପଛେ ତାର ଏତିକି ଗୁଣ ଥିଲା ଯେ, ତୃତୀୟ ପକ୍ଷୀ ବିବାହ ସ୍ଥିର କରୁଥିବା ହେତୁ ବରକନ୍ୟା ଉଭୟଙ୍କପ୍ରତି ସମାନ ନ୍ୟାୟ ଦେଖାଇବାର, ସୁଯୋଗ ମିଳୁଥିଲା । ସେତକ ବର୍ତ୍ତମାନ ଏ ନବ୍ୟ ସଭ୍ୟ ପ୍ରଣାଳୀରେ ନାହିଁ । ବର୍ତ୍ତମାନ ନାରୀ ହୁଏତ ଦାସୀ, ନ ହେଲେ ପ୍ରଲୋଭନକାରିଣୀ ପିଶାଚୀ ହୁଏତ ପୁରୁଷ ଗାଈବଳଦ ପରି ସ୍ତ୍ରୀ କିଣୁଚି ବା ନାରୀ ତା ବେଶଭୂଷାର ପ୍ରଲୋଭନ ଦେଖାଇ ପୁରୁଷକୁ ପ୍ରଲୋଭିତ କରି ଆୟତ୍ତ କରୁଛି । ଏ ଅବସ୍ଥାରେ ନ୍ୟାୟ ରହିଲା କେଉଁଠାରେ ? ହୁଏତ ପୁରୁଷ ପ୍ରତି ଅବିଚାର ହେଲା ଅଥବା ନାରୀ ପ୍ରତି ଅବିଚାର ହେଲା ।’’

 

ଏତକ କହିସାରି ଚନ୍ଦ୍ରମଣି ବାବୁ ଟିକିଏ ଚିନ୍ତାକରି ତୁନି ହୋଇ ବସିଲେ । ଗାଡ଼ି ଭିତରୁ ବାହାରର ଅନ୍ଧକାରକୁ ଖୁବ୍ ତନ୍ନ ତନ୍ନ କରି ଚାହିଁଲେ । ମୁଁ ତାଙ୍କରି କହିବା କଥା ସବୁ ମନରେ ପାଞ୍ଚୁଥାଏ ।

 

କିଛି ସମୟ ଚିନ୍ତାକରି ସେ କହିଲେ–‘‘ହଁ, କଣ କହୁଥିଲି ? ଆଜିକାଲିର ଏହି ତଥାକଥିତ ପ୍ରେମଜଗତ୍‌ର ଦୁର୍ଭାଗ୍ୟର କାରଣ । ଆମ୍ଭମାନଙ୍କର ଅତି ଲମ୍ପଟତା ଆଜି ନାରୀ ଜାତି ହାତରେ ପ୍ରଭୂତ କ୍ଷମତା ଦେଇଛି । ନାରୀ ଆଜି ଆମର ପ୍ରଭୁ ।’’

 

ମୁଁ କହିଲି–ୟା କିମିତି ହେଲା ? ସମସ୍ତ ଅଧିକାର ତ ଆଜି ପୁରୁଷ ହାତରେ ! ନାରୀ ଜାତିକୁ ଆମ୍ଭେମାନେ ସାମାଜିକ ସବୁ କ୍ରିୟାକଳାପରୁ ଅଲଗା କରି ରଖିଥାଇଁ !

 

ଚନ୍ଦ୍ରମଣି ବାବୁ–ଠିକ୍ ସେହି କାରଣରୁ ତ ସ୍ତ୍ରୀ ଆମ ଉପରେ ଏପରି ଅଯଥା ଆଧିପତ୍ୟ ବିସ୍ତାରି ବସିଛି । ପୂର୍ବକାଳରେ ୟୁରୋପର ଖ୍ରୀଷ୍ଟୀଆନ୍ ରାଜା ଓ ପ୍ରଜାମାନେ ଇହୁଦୀମାନଙ୍କୁ ସମସ୍ତ ରାଜନୈତିକ ଏବଂ ସାମାଜିକ ଅଧିକାରରୁ ବଞ୍ଚିତ କରି ରଖିଥିଲେ, ସେମାନଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରୁଥିଲେ; କିନ୍ତୁ ଇହୁଦୀମାନଙ୍କ ହାତରେ ଥିଲା ଟଙ୍କା, ରାଜାମାନେ ଏହି ଟଙ୍କା ପାଇଁ ତାଙ୍କ ଉପରେ ନିର୍ଭର କରୁଥିଲେ । ଫଳରେ ଇହୁଦୀମାନେ ଏହି ଟଙ୍କା ଯୋଗୁଁ ନିଜ ଉପରେ ହେଉଥିବା ଅତ୍ୟାଚରର କିଛିମାତ୍ର ପ୍ରତିଶୋଧ ନେଇପାରୁଥିଲେ-ଟଙ୍କା ବଳରେ ଅତ୍ୟାଚାରୀ ରାଜା ଏବଂ ପ୍ରଜାମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରିପାରୁଥିଲେ । ବର୍ତ୍ତମାନ ନାରୀ ଜାତିର ଅବସ୍ଥା ଠିକ୍ ଏହି ଇହୁଦିମାନଙ୍କ ଅବସ୍ଥା ସଙ୍ଗେ ସମାନ । ନାରୀମାନଙ୍କଠାରୁ ଆମେ ସମସ୍ତ ଅଧିକାର ଛଡ଼ାଇ ନେଇଥାଇଁ–ସେମାନେ ଭୋଟ ଦେଇପାରିବେ ନାହିଁ, ସେମାନେ ବିଚାରପତିର ଆସନରେ ବସିପାରିବେ ନାହିଁ, ସମାଜର, ସରକାରର ମୁଖ୍ୟ ମୁଖ୍ୟ କାର୍ଯ୍ୟରେ ତାଙ୍କର ବିଶେଷ ହାତ ରହିବ ନାହିଁ । ଖାଲି ଏତିକି ନୁହେ, ନାରୀର ନାରୀତ୍ୱକୁ ମଧ୍ୟ ଆମେ ଦବେଇ ରଖି ବସିଥାଇଁ । ନିଜର ପତି ନିଜେ ବରଣ କରିବାର ଅଧିକାର ଆମେ ତାଙ୍କୁ ଦେଇ ନ ଥାଇଁ । ଆମେ ସେମାନଙ୍କୁ ବାଛିବା, ସେମାନେ ଆମରି ପ୍ରେମ ବା ଘୃଣା ଉପରେ ନିର୍ଭର କରି ବସିଥିବେ ।

 

‘‘ଆପଣ କହୁଛନ୍ତି, ନାରୀ ଯଦି ତାର ପତି ବରଣ କରୁଥାନ୍ତା, ତେବେ ସମାଜ ବଡ଼ ବିଶୃଙ୍ଖଳ ହୋଇ ପଡ଼ନ୍ତା; କିନ୍ତୁ ଏହି ଦେଶରେ ପୂର୍ବକାଳରେ ନାରୀର ତ ଏହି ଅଧିକାର ଥିଲା । ସେ କାଳର ସମାଜ ବର୍ତ୍ତମାନ ସମାଜଠାରୁ କେଉଁ ଭାବରେ ବେଶୀ ବିଶୃଙ୍ଖଳ ହୋଇଥିଲା, କହିଲେ ଦେଖି । ଆଛା ଆପଣଙ୍କ କଥା ଏବେ ହେଉ । ଯଦି ନାରୀକୁ ଏଅଧିକାର ଦେବା ଜଘନ୍ୟ, ତେବେ ପୁରୁଷ ହାତରୁ ମଧ୍ୟ ତାହା ଛଡ଼ାଇ ନିଆଯାଉ । ବର୍ତ୍ତମାନ ପ୍ରେମ କରିବା ଅର୍ଥାତ୍ ସ୍ତ୍ରୀ ବାଛିବା ଅଧିକାର ପୁରୁଷର ଏକଚାଟିଆ ସ୍ୱତ୍ତ୍ୱ । ନାରୀର ସମସ୍ତ ଅଧିକାର ପାଇଛ, ଫଳରେ ସ୍ତ୍ରୀ ଅଧିକାର ନାଶ ପାଇଁ ପ୍ରତିଶୋଧ ନେବା କାରଣ ନାରୀ ପୁରୁଷର ମାନସିକ ବୃତ୍ତି ଉପରେ ଅଧିକାର ଜାରି କରୁଛି ଏବଂ ପୁରୁଷକୁ ଏପରି ଭାବରେ ଆୟତ୍ତ କରିଛି ଯେ, ସେ ପୁରୁଷକୁ ଖେଳର ଜିନିଷ କରି ପକାଇଛି । ପୁରୁଷକୁ ନିଜର କ୍ରିତଦାସ କରି ରଖିଛି ।’’

 

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି–କିପରି ?

 

‘‘କିପରି ? ବୁଝି ପାରୁ ନାହାନ୍ତି ? ଆମ ଦେଶର ସହରମାନଙ୍କର ବଡ଼ ବଡ଼ ବଜାର ସବୁ ଦେଖିଛନ୍ତି ଟି ? ବଜାରରେ କଣ ଦେଖୁଛନ୍ତି ? ମସ୍ତବଡ଼ ଅଳଙ୍କାର ଦୋକାନ, କେତେ ରକମ ସୁନ୍ଦର ସୌଖୀନ ଅଳଙ୍କାର ସବୁ ସଜିଲ ହୋଇ ଥୁଆ ହୋଇଛି । ଲୁଗା ଦୋକାନରେ କେତେ ରକମର ଚକଚକିଆ ଶାଢ଼ି ଗଚ୍ଛିତ ହୋଇଛି । କେତେ ରକମର ମୁଣ୍ଡବନ୍ଧା କଣ୍ଟା, ବାସନାତେଲ, ସାବିନ ତିଆର ହୋଇ ଥୁଆ ହୋଇଛି । ଏସବୁ କାହାପାଇଁ ? ଆମ ଦେଶର ଅବସ୍ଥା ଅପେକ୍ଷା ଇଉରୋପ ଅବସ୍ଥା ଆହୁରି ଶୋଚନୀୟ । ସେଠାରେ ଶତକଡ଼ା ନବେ ପୁରୁଷ ସ୍ତ୍ରୀମାନଙ୍କ ମନମାଫି ଜିନିଷ ତିଆର କରିବାରେ, ହପ୍ତାକୁ ହପ୍ତା ସେମାନଙ୍କ ପାଇଁ ନୂଆ ନୂଆ ପୋଷାକ ଉଦ୍‌ଭାବନ କରିବାରେ ବ୍ୟସ୍ତ । ସ୍ତ୍ରୀମାନଙ୍କୁ ଖୁସି କରିବା ପୁରୁଷର ଆଜିକାଲି ଏକମାତ୍ର ବ୍ୟବସାୟ ହୋଇପଡ଼ିଛି । ଆମ ଦେଶରେ ଅବଶ୍ୟ ଏତେଦୂର ନୁହେଁ ! କିନ୍ତୁ ଗତି ଯେଉଁ ଦିଗରେ ଚାଲିଛି, ଆମର ବି ଦିନେ ଏହିପରି ହୋଇଯିବାର ଆଶଙ୍କା ।

 

‘‘ନାରୀ ବିଳାସର ସାମଗ୍ରୀ ହୋଇଥିବାରୁ ଅବସ୍ଥା ଆଜି ଏପରି ଭୟଙ୍କର ହୋଇଛି ଯେ, ପୁରୁଷ ନିର୍ବିକାର ଚିତ୍ତରେ କୌଣସି ନାରୀର ପାର୍ଶ୍ୱବର୍ତ୍ତୀ ହେବା ଆଜିକାଲି ଅସମ୍ଭବ । ମୋ ପିଲାଦିନେ ବି ନାରୀର ପାର୍ଶ୍ୱବର୍ତ୍ତୀ ହେଲେ ମୋତେ କିମିତି କିମିତି ଲାଗୁଥିଲା । ଆଜି ସୁବେଶା ନାରୀ ଦେଖିଲେ ମୋ ମନରେ ମହା ଭୟ ଜାତ ହେଉଛି । ମନେହେଉଛି, ପୁଲିସକୁ ଡାକନ୍ତି, କହନ୍ତି, ‘‘ଏ ମୋର ସର୍ବନାଶ କରିବାପାଇଁ ମୋତେ ଧମକଉଛି । ସମଗ୍ର ଜଗତ୍‌ର ସର୍ବନାଶ କରିବା ଏହାର ଉଦ୍ଦେଶ୍ୟ । ୟାକୁ ଜବତ୍ କର, ମନୁଷ୍ୟ ପାଖରୁ ୟାକୁ ଦୂରରେ ରଖ । ଏ ବଡ଼ ଭୟଙ୍କର ଜୀବ ।

 

‘‘ଏସବୁ ଶୁଣି ଆପଣଙ୍କୁ ହସ ମାଡ଼ୁଛି; ନା ? କିନ୍ତୁ ଏ ହସ କଥା ନୁହେଁ, ବାବୁ ! ଦିନ ଆସିବ, ଯେତେବେଳେ ଲୋକେ ଏ ବିପଦ ବୁଝିପାରିବେ । ଇୟୁରୋପର ପଣ୍ଡିତମାନେ ଏସବୁ ବୁଝିପାରିଲେଣି । ଆମ ଦେଶର ତଥାକଥିତ ଶିକ୍ଷିତ ଲୋକେ ମଧ୍ୟ କ୍ରମେ ଏସବୁ ସତ୍ୟ ବୁଝିବେ ଏବଂ ବୁଝି ବିସ୍ମିତ ହେବେ–ଏତେଦିନଯାଏ ତାଙ୍କୁ କିପରି ନାରୀ ଏପରି ଜଘନ୍ୟ ଉପାୟରେ, ଜଘନ୍ୟ ଉଦ୍ଦେଶ୍ୟରେ ବଶ କରି ରଖିଥିଲା ? ଏହା ବିଚାରି ଆପଣାକୁ ଆପେ ମଧ୍ୟ ଧିକ୍କାରିବେ ।

 

‘‘ବଡ଼ ଆକ୍ଷେପର କଥା, ଲୋକେ ଏ ସତ୍ୟ ଏବେସୁଦ୍ଧା ବୁଝୁନାହାନ୍ତି । ଠକମାନଙ୍କୁ ସମାଜ ଦଣ୍ଡ ଦେଉଛି, ଜୁଆଖେଳ ବନ୍ଦ କରାହୋଇଛି–କିନ୍ତୁ ଏସବୁଠାରୁ ବେଶୀ ମାରାତ୍ମକ ଏ ସ୍ତ୍ରୀମାନଙ୍କର ଦୁର୍ବିଷହ ପ୍ରାଦୁର୍ଭାବ ବନ୍ଦ କରିବାପାଇଁ କିଛି ବନ୍ଦୋବସ୍ତ ହେଉ ନାହିଁ । ସ୍ତ୍ରୀ ଆଜି ଜଗତ୍‌ର ଚାରିଆଡ଼େ ଜାଲ ପକାଇ ଦେଇ ପୁରୁଷମାନଙ୍କୁ ସାଧୁଛି । ପୁରୁଷ ଏ କଥା ବୁଝୁନାହିଁ, ବୁଝି ବି କୌଣସି ପ୍ରକାର ଆତ୍ମରକ୍ଷାର ଉପାୟ ଚିନ୍ତା କରୁନାହିଁ ।

•••

 

(ଛଅ)

 

‘‘ପୂର୍ବରୁ କହିଛି–ମୁଁ ଏହି ଜାଲରେ ପଡ଼ିଲି; ମୋର ସ୍ତ୍ରୀର ସୁନ୍ଦର ବେଶ ଓ ସୁନ୍ଦର ରୂପର ମୋହରେ ପଡ଼ି ମୁଁ ତା ପ୍ରତି ଆକୃଷ୍ଟ ହେଲି ଏବଂ ବିବାହ ପ୍ରସ୍ତାବ କଲି; ସେ ମୋ ପ୍ରସ୍ତାବରେ ସମ୍ମତି ହେଲା ।

‘‘ଆମ ବ୍ରହ୍ମ ସମ୍ପ୍ରଦାୟ ଏବଂ ନୂଆ ଧରଣର ଶିକ୍ଷା ପାଇ ସଭ୍ୟ ବୋଲାଇ ଯେଉଁମାନେ ଆମର ସନାତନ ରୀତି ଛାଡ଼ି ପାଶ୍ଚାତ୍ୟ ରୀତି ନୀତିର ଅନୁକରଣ କରୁଛନ୍ତି ସେମାନେ, ବିବାହ ପ୍ରସ୍ତାବ ଏବଂ ଯଥାର୍ଥ ବିବାହ ମଧ୍ୟରେ ଯେଉଁ ସମୟ ଅର୍ଥାତ୍ ‘ନିର୍ବନ୍ଧ’ ସମୟ, ତହିଁରେ ସ୍ତ୍ରୀ ପୁରୁଷ ଯଥାସମ୍ଭବ ଏକତ୍ର ରହିବେ ବୋଲି ବ୍ୟବସ୍ଥା କରିଛନ୍ତି । ସେହି ପ୍ରଥା ଅନୁସାରେ ମୁଁ ମୋର ସ୍ତ୍ରୀଙ୍କ ସଙ୍ଗେ ଦିନର ଅଧିକାଂଶ ସମୟ କଟାଇଲି ।

ସେ ‘ନିର୍ବନ୍ଧ’ ସମୟଟା ମୋ ମନରୁ ଯାଇ ନାହିଁ । ବାସ୍ତବିକ୍ ଯଦି ମନର ମେଳ ହୋଇଥିବାରୁ ଆମ ଦୁହିଙ୍କ ଭିତରେ ପ୍ରେମ ଜାଗରୂକ ହୋଇଥାନ୍ତା, ତେବେ କଥାବାର୍ତ୍ତା ହେବାକୁ ଆମକୁ ବିଷୟ ଅଭାବ ପଡ଼ି ନ ଥାନ୍ତା; କିନ୍ତୁ ଆମର ପ୍ରେମରେ ପାଶବିକ ଭୋଗର ଲାଳସା ପୂର୍ଣ୍ଣମାତ୍ରାରେ ଥିଲା । ମୋ ସ୍ତ୍ରୀର ମୁହଁକୁ ଚାହିଁଦେଲା ମାତ୍ରେ, ମୋ ହୃଦୟରେ ସେହି ପାଶବିକ ଭାବ ବଳବତ୍ତର ହୋଇଉଠେ, ମୁଁ ତାକୁ ଧରି ପକାଇ ଚୁମ୍ବନ ଦେବାକୁ ଦୃଢ଼ ଇଚ୍ଛା କରି ବସେ । ମୋର ସ୍ତ୍ରୀର ମନରେ ମଧ୍ୟ ସେହିପରି ଭାବ ହେଉଥିବ, ସନ୍ଦେହ ନାହିଁ; କିନ୍ତୁ ବିବାହଟା ଆଗରେ ଅଛି । ସେ କାର୍ଯ୍ୟଟା ନ ସରିଲେ ସ୍ୱାଧୀନ ବିଳାସ ପାଇଁ ପୂର୍ଣ୍ଣ ଅବସର ମିଳିବ ନାହିଁ । ଫଳରେ ଆମେ ଦୁହେଁଯାକ ଏକାଠି ହେଲେ ମନେ ମନେ ବା ପ୍ରକାଶ୍ୟରେ ସେହି ବିବାହ ଦିନ ବିଷୟ ଚିନ୍ତା କରିବାରେ ଲାଗୁଁ, ସେହି ଦିନକୁ ପ୍ରତୀକ୍ଷା କରୁଥାଉଁ । ଆଉ ସ୍ଫୂର୍ତ୍ତିରେ କେଉଁ ବିଷୟରେ କି କଥାବାର୍ତ୍ତା ହେବୁ ?

’’ସେହି ଚିର-ପ୍ରତୀକ୍ଷିତ ବିବାହ ଦିନଟା ଆସିଲା, ବିବାହ ମଧ୍ୟ ହେଲା । ଏହି ବିବାହକୁ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗୋଟିଏ ପବିତ୍ର ଧର୍ମକାର୍ଯ୍ୟ ବୋଲି ମନେକରୁଥିଲେ । ଈଶ୍ୱରଙ୍କୁ ସାକ୍ଷୀ ରଖି, ଅଗ୍ନିଙ୍କୁ ସାକ୍ଷୀ ରଖି, ପୁରୁଷ ସ୍ତ୍ରୀ ଚିରଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହେଉଥିଲେ । ସେ ବନ୍ଧନ ଥିଲା ଅଚ୍ଛେଦ୍ୟ-ଇହକାଳରେ ଆଚ୍ଛେଦ୍ୟ, ପରକାଳରେ ଅଚ୍ଛେଦ୍ୟ । ସେ ବିବାହରେ ପଶୁତ୍ୱର ବିକାଶ ନ ଥିଲା । ଭୋଗ ଥିଲା, କିନ୍ତୁ ସେ ଭୋଗ ଭୋଗ ପାଇଁ ନୁହେଁ- ତାହା ସେହି ପରମ ଈଶ୍ୱରଙ୍କର ସନାତନ ନିୟମପାଳନ ପାଇଁ । ପୁତ୍ର କାମନାରେ ବିବାହ ହେଉଥିଲା, ସେହି ପୁତ୍ର ଥିଲା ନରକରୁ ତ୍ରାଣକର୍ତ୍ତା, ଇହକାଳର ସୁଖ ବା ଗର୍ବର ବସ୍ତୁ ନୁହେଁ, ପିତାର ପରକାଳର ଏକମାତ୍ର ଅବଲମ୍ବନ ।

କିନ୍ତୁ ଏ ଦୃଷ୍ଟିରେ ବିବାହକୁ ଆଉ ଦେଖୁଛି କିଏ । ବର୍ତ୍ତମାନ ବିବାହରେ ପରମେଶ୍ୱର ନାହାନ୍ତି, କି ପ୍ରତିଜ୍ଞା ନାହିଁ ବନ୍ଧନ ନାହିଁ । ଆଜିକାଲିର ବିବାହ ସ୍ୱେଚ୍ଛାଭୋଗ ଓ ବିହାରର ଗୋଟାଏ ଲାଇସେନ୍ସ । ବିବାହରେ ଗୁରୁତ୍ୱ ନାହିଁ, କାରଣ ବିବାହ ପୂର୍ବରୁ ପରୁଷ ବାରନାରୀ ଗୃହକୁ ଗମନ କରିଛି ଏବଂ ବିବାହ ପରେ ମଧ୍ୟ ଏପରି ଗମନ କରିବା ପାଇଁ କିଛି ବାଧା ଅଛି ବୋଲି ସେ ମନେକରୁନାହିଁ ବା ତାକୁ ମନେକରାଇ ଦେବା ପାଇଁ ସମାଜର କୌଣସି ବ୍ୟବସ୍ଥା ନାହିଁ । ବିବାହଟା ଗୋଟାଏ ନିହାତି ମାମୁଲି, ବାଜେ କଥା । ବିଚାରିଲେ ଏକ ମୁହୂର୍ତ୍ତରେ ରାଜାଙ୍କ କଚେରୀର କର୍ମଚାରୀ ସାହାଯ୍ୟରେ ପୁରୁଷ ସ୍ତ୍ରୀଠାରୁ ଏବଂ ସ୍ତ୍ରୀ ପୁରୁଷଠାରୁ ସ୍ୱାଧୀନତା ଦାବୀ କରି ପାଇ ପାରିବ ।

ଆମେ ଦୁହେଁ ଏହି ପ୍ରକାର ବିବାହର ପ୍ରତୀକ୍ଷାରେ ଥିଲୁ ବିବାହ ହୋଇଗଲା ଏବଂ ଆମ୍ଭମାନଙ୍କର ସେହି ତଥାକଥିତ ସୁଖର ସମୟ ମଧୁଚନ୍ଦ୍ର (honeymoon) ଆସି ପହଞ୍ଚିଲା ।

ଆପଣ ଦେଖିଥିବେ, ଅନେକ ସମୟରେ ଆମ୍ଭେମାନେ ଭୁଲ କରୁ, ଅସୁବିଧାରେ ପଡ଼ୁ, କିନ୍ତୁ ଲଜ୍ଜା ଯୋଗୁଁ ହେଉ ବା ନିଜର ଟେକ ବଜାୟ ରଖିବା ଉଦ୍ଦେଶ୍ୟରେ ହେଉ, ଆମ୍ଭେମାନେ ସେ ଭୁଲ ସ୍ୱୀକାର କରୁନାହିଁ । ଏପରି କି ଭୁଲ୍‌ଟାକୁ ଠିକ୍ ବୋଲି ବି ନିଃସଙ୍କୋଚରେ ଲୋକଙ୍କ ଆଗେ ପ୍ରକାଶ କରୁ । ଫଳରେ ଅନ୍ୟମାନେ ସେହି ଭୁଲରେ ପଡ଼ନ୍ତି । ଆମ୍ଭେମାନେ ଯେଉଁ କାରଣରେ ଭୁଲ ସ୍ୱୀକାର କରୁ ନ ଥିଲେଇଁ, ସେହି କାରଣରେ ସେମାନେ ବି ଭୁଲ ସ୍ୱୀକାର କରନ୍ତି ନାହିଁ । ଫଳରେ ସେ ବାଟରେ ଯେ ଯାନ୍ତି, ସମସ୍ତେ ସେ ଭୁଲରେ ପଡ଼ନ୍ତି, କେହି କାହାକୁ କିଛି କହନ୍ତି ନାହିଁ-। ଭୁଲରେ ପଡ଼ିବା ଲାଗିଥାଏ, ମୁହଁ ଲାଜରେ ସମସ୍ତେ ଚୁପ୍‌ ରହନ୍ତି ଏବଂ ନିଜର ସୁନାମ କେଜାଣି ତଳେ ପଡ଼ିଯିବ ବୋଲି ଉଭୟେ ଭୁଲକୁ ଠିକ୍ ବୋଲି ରଟି ହେଉଥାନ୍ତି ।

ଥରେ ମୁଁ ବଜାରରେ ଚାଲି ଯାଉଥିଲି, ଆଖି ପଡ଼ିଗଲା ଗୋଟିଏ ପସରା ଉପରେ-ଜଣେ ଦାଢ଼ିବାଲି ସ୍ତ୍ରୀଲୋକ ଠିଆ ହୋଇ ଭିତରକୁ ହାତ ଦେଖାଉଛି । ମୋର ଟିକିଏ କୌତୂହଳ ହେଲା । ଭିତରେ କଣ ଥିବ ଦେଖିବାକୁ ମୁଁ ଭିତରେ ପଶିଲି । ପ୍ରଥମେ ପାଖକୁ ଯାଇ ଦେଖିଲି, ଦାଢ଼ିବାଲି ସ୍ତ୍ରୀଲୋକ ପରି ମୋତେ ଯେ ଦିଶୁଥିଲା, ସେ ଜଣେ ବୁଢ଼ା, ଶାଢ଼ି ଖଣ୍ଡେ ପିନ୍ଧିଛି । ମନେ ମନେ ଟିକିଏ ବିରକ୍ତ ହୋଇ ଭିତରେ ପଶିଲି । ଭିତରେ ଯାହା ଦେଖିଲି, ସେଥିରେ ବିରକ୍ତି ଆହୁରି ବଢ଼ିଗଲା । ସର୍କସବାଲା ଗୋଟେ ମାଙ୍କଡ଼ ପାଟିରେ ନେଇ ବିଡ଼ି ଖଣ୍ଡେ ପୂରେଇ ଦେଉଛି । ମାଙ୍କଡ଼ ବିଡ଼ି ଖାଇ ଧୂଆଁ ବାହାର କରୁଛି । ଏହିପରି ଆଉ ଗୁଡ଼ାଏ ବାଜେ କଥା । ଟିକିଏ ଦେଖି ସାରି ମନେ ମନେ ଭାରି ବିରକ୍ତ ହୋଇ, ପଇସା ଚାରିଅଣା ବୃଥା ହାଡ଼ି ଖାଇଲା ବୋଲି ମନେ ମନେ ବିଚାରି ପଦାକୁ ବାହାରି ଆସିଲି । ସର୍କସବାଲା ମୋତେ ବୋକା ସମଜିଲା କି କଣ କେଜାଣି, ମୋ ସାଙ୍ଗେ ସାଙ୍ଗେ ପଦାକୁ ଆସି ବାହାରେ ଠିଆ ହୋଇ ଯେଉଁମାନେ ଯିବେ କି ନ ଯିବେ ଦୋ ଦୋ ପାଞ୍ଚ ହେଉଥିଲେ, ସେମାନଙ୍କୁ କହିଲା, ‘‘ଆପଣମାନେ ଏହି ବାବୁଙ୍କୁ ପଚାରନ୍ତୁ-ମୋ ସର୍କସ ଭଲ କି ନାହିଁ ? ବାବୁ, ଆପଣ କହନ୍ତୁ ।’’ ମୋତେ ଆହୁରି ବିରକ୍ତ ଲାଗିଲା; ମୁଁ କିପରି ଠକେଇ ହେଲି, ସେ କଥା ଲାଜରେ କହି ନ ପାରି ତୁନି ହୋଇ ବାହାରି ଆସିଲି । ଲୋକେ ମୋ ମୌନକୁ ସମ୍ମତି ଲକ୍ଷଣ ବୋଲି ବିଚାରି ଆଗ୍ରହରେ ସର୍କସ୍ ଭିତରେ ପଶିଲେ ।

ଯାହାକୁ ଆମ ପଣ୍ଡିତ (?) ମାନେ ‘ମଧୁଚନ୍ଦ୍ର’ ବୋଲି ଅନୁବାଦ କରିଛନ୍ତି, ସେହି ସମୟର ଅନୁଭୂତି ଠିକ୍ ଏହି ସର୍କସ ଦେଖିଲା ପରି । ଏ ମଧୁଚନ୍ଦ୍ର ଅବସ୍ଥାଟା ଯେଉଁ ହତଭାଗା ପୁରୁଷମାନେ ଭୋଗ କରିଛନ୍ତି ସେମାନେ ଏ ସମୟର ଯନ୍ତ୍ରଣା ବେଶ୍ ଜାଣନ୍ତି । କିନ୍ତୁ ସଂସାର ଯେଉଁ, ସମୟଟାକୁ ସୁଖର ସମୟ ବୋଲି କହେ, ସେ ସମୟଟାର ଅସଲସ୍ୱରୂପ ପ୍ରକାଶ କରି ଅପଦସ୍ଥ ହେବାକୁ ମନ କାହାର ହେବ ? ସୁତରାଂ ଯେତେଯାହା ଯନ୍ତ୍ରଣା ଭୋଗ କରିଥିଲେ ସୁଦ୍ଧା ବିବାହିତ ପୁରୁଷ ନିଜ ମର୍ଯ୍ୟାଦା ରକ୍ଷା କରିବା ଇଚ୍ଛାରେ ମୁହଁରେ ଏ ସମୟଟାକୁ ସୁଖ ଓ ସମ୍ଭୋଗର ସମୟ ବୋଲି ମାନି ନିଏ, ସଙ୍ଗୀମାନଙ୍କୁ ସେହିପରି କହେ ଏବଂ ମନେ ମନେ ଯନ୍ତ୍ରଣାକୁ ସୁଖ ବୋଲି ବିଚାରି ଆପେ ଆପଣାକୁ ଠକାଇବାକୁ ଚେଷ୍ଟା କରେ ।

ହୃଦୟରେ ଟିକିଏ ସାହସ ବାନ୍ଧି ଯଦି କେହି ପ୍ରକୃତ ସତ୍ୟଟା ପ୍ରକାଶ କରି ଦେଇଥାନ୍ତା, ତାହାହେଲେ ବାସ୍ତବିକ ଜଗତର ପ୍ରଭୂତ ମଙ୍ଗଳ ହୋଇଥାନ୍ତା । ଜଗତର ଆଖି ଫିଟି ଯାଇଥାନ୍ତା; ମନୁଷ୍ୟ ଆତ୍ମ-ବଞ୍ଚନା ତ୍ୟାଗ କରନ୍ତା । କିନ୍ତୁ ଏ ସାହସ ଆଜି ପର୍ଯ୍ୟନ୍ତ କାହାରି ହୋଇନାହିଁ । ମୁଁ ବି ସତ୍ୟ ପ୍ରକାଶ କରି ଉପହାସର ପାତ୍ର ହେବା ପାଇଁ ବର୍ଷକ ଆଗରୁ ପ୍ରସ୍ତୁତ ନ ଥିଲି । କିନ୍ତୁ ଆଜି ଆଉ ଘୋଡ଼େଇବାର କିଛି କାରଣ ନାହିଁ । ଅସଲ ସତ୍ୟ କହି ଜନସମାଜର ମଙ୍ଗଳସାଧନ କରିବା ପାଇଁ ବର୍ତ୍ତମାନ ସାହସୀ ଲୋକ ଦରକାର ।

ପ୍ରକୃତ ସତ୍ୟ କହିବାକୁ ଗଲେ ଏ ଯେଉଁ ମଧୁଚନ୍ଦ୍ରକୁ ଲୋକେ ଅତି ଆନନ୍ଦର ସମୟ ବୋଲି ବିଚାରନ୍ତି ଏବଂ ଯୁବକ ଯୁବତୀ ଯେଉଁ ସମୟକୁ ବିଶେଷ ଆବେଗରେ ପ୍ରତୀକ୍ଷା କରିଥାନ୍ତି, ତାହା ଅପେକ୍ଷା ଅଧିକ ମାନସିକ ଯନ୍ତ୍ରଣାଦାୟକ, ଅଧିକ ବିରକ୍ତିକର ସମୟ ଆଉ ନାହିଁ । ଅନ୍ତତଃ ମୋର ଏ ସମୟଟା ବଡ଼ ଅସହ୍ୟ ହୋଇଥିଲା । ବିବାହର ପ୍ରାୟ ଦୁଇଦିନ ଯାଉ ନ ଯାଉଣୁ ମୋ ସ୍ତ୍ରୀ ସହିତ ଏକସଙ୍ଗରେ ରହିବା ଅତି ଅସହନୀୟ ହୋଇପଡ଼ିଲା । କିନ୍ତୁ ଅସହନୀୟତାକୁ ସୁଖ ବୋଲି ବିଚାରିବାକୁ ଚେଷ୍ଟା କରି ମୁଁ ମୋ ହୃଦୟର ବିରକ୍ତିକୁ ରୁଦ୍ଧ କରି ରଖୁଥାଏ, ଜଗତକୁ ଦେଖାଇବାକୁ ଚେଷ୍ଟା କରୁଥାଏ,–ମୁଁ ଯେଉଁ ସୁଖଭୋଗ କରୁଛି ନାହିଁ ନ ଥିବ ।

ଏହି ମଧୁଚନ୍ଦ୍ର ସମୟରେ ମୋର ମନେପଡ଼ିଲା, ମୋ ପ୍ରଥମ ବିଡ଼ିଖିଆବେଳ । ସାଙ୍ଗମାନଙ୍କ ପ୍ରରୋଚନାରେ ମୁଁ ବିଡ଼ିଖିଆଟା ଗୋଟାଏ ଭାରି ମଉଜ ବୋଲି ମନେକରି ବିଡ଼ିଖିଆ ଆରମ୍ଭ କଲି । ପ୍ରଥମେ ଧୂଆଁ ଶୋଷିଦେଲାବେଳକୁ ଅତି କଦର୍ଯ୍ୟ ଲାଗିଲା । ପାଟି ଓ ପେଟ ଭିତର ଗୋଟାଏ କିପରି ଅକଥନୀୟ ଅସ୍ୱସ୍ତିରେ ପୂର୍ଣ୍ଣ ହୋଇଯାଉଥାଏ । କିନ୍ତୁ ବନ୍ଧୁମାନେ ଏ ଯେଉଁ ବିଡ଼ିଖିଆକୁ ଏତେ ପ୍ରଶଂସା କରି କହିଛନ୍ତି, ତାହା ଖରାପ ବୋଲି କୌଣସି ପ୍ରକାର ଇଙ୍ଗିତ କରିବା ଅସୁନ୍ଦର ହେବ ବୋଲି ବିଚାରି ଅତି କଷ୍ଟରେ ବାହାରେ ହସ ହସ ମୁହଁ ଦେଖାଇ ଭିତରର କଷ୍ଟ ଓ ଆସ୍ୱାଦ ଘୋଡ଼ାଇ ରଖୁଥିଲି ଏବଂ ବିଡ଼ି ଧୂଆଁରେ ପେଟ ଯେ ଦରାଣ୍ଡି ହୋଇଯାଉଥଲା, ତାହା ଯନ୍ତ୍ରଣା ନୁହେଁ, ପ୍ରକୃତ ବିଡ଼ିଖିଆ ସୁଖ ବୋଲି ମନକୁ ଆଶ୍ୱସ୍ତ କରୁଥିଲି । ମଧୁଚନ୍ଦ୍ରଟା ଠିକ୍ ସେହିପରି, ସମସ୍ତେ ଏ ସମୟଟାକୁ ଭଲ ବୋଲି କହନ୍ତି । ତେଣୁ ବାଧ୍ୟ ହୋଇ ଅତି କଷ୍ଟରେ ଏ ଅସହ୍ୟ ସମୟର ଅସହ୍ୟ ଅନୁଭୂତିକୁ ସୁଖ ବୋଲି ମୁଁ ମୋ ମନକୁ ଭୁଲାଉଥାଏ । କିନ୍ତୁ ପ୍ରକୃତରେ କହିବାକୁ ଗଲେ ଏ ସମୟ ପରି ଦୁଃସମୟ ଆଉ ନାହିଁ ।’’

ତାଙ୍କର ଏ କଥା ଶୁଣି ମୁଁ ବାସ୍ତବିକ୍ ବଡ଼ ଆଶ୍ଚର୍ଯ୍ୟ ହୋଇ କହିଲି,–

‘‘ଆପଣ ବିବାହିତ ଜୀବନକୁ ବିଶେଷତଃ ନବ ବିବାହିତ ଜୀବନକୁ ଯଦି ଏ ଦୃଷ୍ଟିରେ ଦେଖନ୍ତି ତେବେ ସଂସାର ଚଳିବ କିପରି ?’’

ସେ ଟିକିଏ ଗୁମ୍ ମାରି ବସିଲେ । ତା’ପରେ ଖୁବ୍ ଗମ୍ଭୀର ଭାବରେ ଅଥଚ ଜୋର୍‍ରେ ଉତ୍ତର ଦେଲେ ‘‘କଣ କହିଲେ ? ସଂସାର ଚଳିବ ନାହିଁ ? ଅର୍ଥାତ୍ ବିବାହିତ ଜୀବନ ଅସହ୍ୟ ହେଲେ ବଂଶବୃଦ୍ଧି ହେବେ କୁଆଡ଼ୁ ନା ? ଆଚ୍ଛା, ମହାଶୟ ପିଲା କବିଲା ଯଦି ଜନ୍ମ ନ ହୁଅନ୍ତି, ବଂଶବୃଦ୍ଧି ଯଦି ନ ହୁଏ, ତେବେ କ୍ଷତିଟା କଣ ?’’

ମୁଁ–କ୍ଷତି ? କ୍ଷତି କଣ ? ଏ ତ ଆଉ ପ୍ରଶ୍ନ କରିବାର କଥା ନୁହେଁ । ବଂଶବୃଦ୍ଧି ନ ହେଲେ ଅର୍ଥାତ୍‍ ପିଲାପିଲି ଯଦି ନ ହୁଅନ୍ତି, ତେବେ ମାନବ ଜାତିର ଲୋପ ଯେ ନିଶ୍ଚୟ !

ସେ ଉତ୍ତର ଦେଲେ–ମନୁଷ୍ୟ ଜାତିର ଲୋପ ହୋଇଗଲେ ବା କ୍ଷତି କଣ ?

ମୁଁ–ସଂସାର ଲୀଳା ଯେ ସରିଯିବ !

ମୋର ଏ କଥା ଶୁଣି ସେ ଠୋଠୋ ହସିଲେ-ଘୋର ଅବଜ୍ଞାରେ ତା’ପରେ ଖୁବ୍ ମଧୁର ଭାବରେ କହିଲେ, ‘‘ଓହୋ ! ଏହି ସଂସାର ଲୀଳାଟା ଲଗାଇ ରଖିବା ପାଇଁ ଆପଣ ଚାହାନ୍ତି । ମନୁଷ୍ୟ ବିବାହ କରୁ, ପିଲାକବିଲା ଜାତ କରୁ । ସଂସାର ଲୀଳାଟା ଲାଗିଥିଲେ ଈଶ୍ୱରଙ୍କର ଉଦ୍ଦେଶ୍ୟ ସିଦ୍ଧ ହେଲା ବୋଲି ଆପଣ କହୁଛନ୍ତି ।’’

‘‘କିନ୍ତୁ ଈଶ୍ୱରଙ୍କର ଉଦ୍ଦେଶ୍ୟ କଣ ସେତିକି ? ମୁଁ ମନେକରେ ଈଶ୍ୱର ଖାଲି ଲୀଳା ଲଗାଇବା ପାଇଁ ମନୁଷ୍ୟ ସୃଷ୍ଟିକରି ନାହାନ୍ତି । ଲୀଳା ଯଦି ଉଦ୍ଦେଶ୍ୟ ହୋଇଥାନ୍ତା ତେବେ ମନୁଷ୍ୟକୁ ସେ ଭାଷା ଦେଇଥାନ୍ତେ କାହିଁକି ? ବୁଦ୍ଧି ବିଚାର ଦେଇଥାନ୍ତେ କାହିଁକି ? ଈଶ୍ୱରଙ୍କର ଉଦ୍ଦେଶ୍ୟ ସେତିକି ନୁହେ । ସେ ମନୁଷ୍ୟ ଗଢ଼ିଛନ୍ତି, ମନୁଷ୍ୟକୁ ବୁଦ୍ଧି ବିଚାର ଦେଇଛନ୍ତି–ସେ ସେହି ବୁଦ୍ଧି, ସେହି ବିଚାର ବଳରେ ପୂର୍ଣ୍ଣତା ପାଇବ ବୋଲି । ପୂର୍ଣ୍ଣତା ଜିନିଷଟା କଣ ଆପଣ ବୋଧହୁଏ ବୁଝୁଥିବେ । ମୁଁ ବୁଝୁଛି, ମନୁଷ୍ୟ ମନୁଷ୍ୟ ପ୍ରତି ସଦ୍‌ଭାବ ରଖିଲେ, ସମାଜର ସମସ୍ତଙ୍କୁ ଭାଇବୋଲି ବିଚାରିଲେ, ଯାହା ନୀଚ, ଯାହା ହୀନ ତା’କୁ ଛାଡ଼ି ଏହି ମହତ୍ତ୍ୱ ଉପଲବ୍ଧି କରିପାରିଲେ ସେ ପୂର୍ଣ୍ଣତ୍ୱ ପାଇଲା । ସେତିକିରେ ତାର ନିର୍ବାଣ । ତା ପାଇଁ ଆଉ ପୁନର୍ଜନ୍ମ ଦରକାର ନାହିଁ । ସମସ୍ତେ ଏହି ପୂର୍ଣ୍ଣତ୍ୱର ଅଧିକାରୀ ହୋଇଗଲେ ଈଶ୍ୱରଙ୍କର ଉଦ୍ଦେଶ୍ୟ ସାଙ୍ଗ ହେଲା; ସେହିଠାରେ ସଂସାରଲୀଳା, ସୃଷ୍ଟିର ଆବଶ୍ୟକତା ଶେଷ । ତା’ପରେ ସଂସାରରେ ମନୁଷ୍ୟ ଆଉ ରହିବ ନାହିଁ, ମନୁଷ୍ୟର ଆବଶ୍ୟକତା ବି ଆଉ ନାହିଁ । ବୁଦ୍ଧ ଏହି ଧର୍ମ ପ୍ରଚାର କରିଥିଲେ । ଅଳ୍ପ ବହୁତେ ସବୁ ଧର୍ମରେ ବି ଏହି କଥା । ସମସ୍ତେ ସ୍ୱୀକାର କରୁଛନ୍ତି, ଏହି ସଂସାର ଅନନ୍ତ ନୁହେଁ ସାନ୍ତ । ଦିନ ଆସିବ ଯେବେ ସଂସାର ଅନନ୍ତ ପରମେଶ୍ୱରଙ୍କଠାରେ ଲୀନ ହୋଇଯିବ ।’’

ମୁଁ କହିଲି–ଏ ତ ଠିକ୍ କଥା । କିନ୍ତୁ ମନୁଷ୍ୟର ଏହି ପୂର୍ଣ୍ଣତା ଯେତେଦିନ ଯାଏ ନ ଆସିଛି, ସେତେଦିନ ଯାଏ ସଂସାର ତ ଚାଲିବା ଦରକାର । ସେତେଦିନ ଯାଏ ତ ପୁରୁଷ ସ୍ତ୍ରୀ ଏକତ୍ର ରହିବା ଦରକାର, ପୁତ୍ର ଉତ୍ପାଦନ କରିବା ଦରକାର, ନ ହେଲେ ମନୁଷ୍ୟ ପୂର୍ଣ୍ଣତା ପାଇବ କାହୁଁ ?

ସେ କହିଲେ-ମୁଁ ଆପଣଙ୍କ କହିବା କଥା ବୁଝିଲି । ଆପଣ କହୁଛନ୍ତି, ମନୁଷ୍ୟ ପୂର୍ଣ୍ଣତା ପାଇବା ପଥରେ ଅଗ୍ରସର ହେଉଛି, କିନ୍ତୁ ନିଜର ଆୟୁ: କାଳ ମଧ୍ୟରେ ସେ ପୂର୍ଣ୍ଣତା ନ ମିଳିବାରୁ ସେ ପୁତ୍ର ଉପରେ ସେ ଭାରଦେଇ ନିଜେ ସଂସାର-ରଙ୍ଗମଞ୍ଚରୁ ବିଦାୟ ନେଉଛି । ଏହା ଯଦି ପ୍ରକୃତ ହେଉଥାନ୍ତା, ତାହାହେଲେ ମୋର କିଛି ଆପତ୍ତି ହୁଅନ୍ତା ନାହିଁ । କିନ୍ତୁ ବାସ୍ତବିକ ଏହା କଣ ହେଉଛି ? ମନୁଷ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଦାୟାଦ ଜନ୍ମ ଉଦ୍ଦେଶ୍ୟରେ କଣ ବିବାହ କରୁଛି ନା ପୁତ୍ର ଉତ୍ପାଦନ କରୁଛି ?

‘‘ମହାଶୟ, ଆପଣ ଯାହା କହୁଛନ୍ତି ସେପରି ହେବା ଉଚିତ । କିନ୍ତୁ ବାସ୍ତବରେ ତାହା ହେଉ ନାହିଁ । ପୂର୍ବକାଳରେ କେତେ ମାତ୍ରାରେ ଏହା ଥିଲା; କିନ୍ତୁ ବର୍ତ୍ତମାନ ସେ ସବୁ ନାହିଁ । ବର୍ତ୍ତମାନ ନିର୍ବାହରେ ବଡ଼ ମହତ୍ ଉଦ୍ଦେଶ୍ୟ କିଛି ନାହିଁ । ବିଳାସ ବିବାହର ଏକମାତ୍ର ଉଦ୍ଦେଶ୍ୟ । ପାଶବିକ ସୁଖ ସମ୍ଭୋଗ ପାଇଁ ଆମ୍ଭେମାନେ ପରମେଶ୍ୱରଙ୍କର ଏହି ପବିତ୍ର ଅନୁଷ୍ଠାନଟିକୁ ବ୍ୟବହାର କରୁଥାଇଁ, ସ୍ୱର୍ଗର ଜିନିଷଟିକୁ ନରକର ଉପଯୁକ୍ତ କରିଥାଇଁ ।

ମୁଁ ଆଜିକାଲିର ବିବାହକୁ ପାଶବିକ କହିଲି; କିନ୍ତୁ ପାଶବିକ ନୁହେଁ, ଆହୁରି ହୀନ । ପଶୁ ଜୀବନର ଏକମାତ୍ର କାର୍ଯ୍ୟ ଏ ହୀନ ସମ୍ଭୋଗ ନୁହେ । ପଶୁମାନଙ୍କର ସମସ୍ତ ଜୀବନ ଏ କାମପ୍ରବୃତ୍ତି ଚରିତାର୍ଥ କରିବାରେ ନିୟୋଗ ହୁଏ ନାହିଁ । ସେଥିପାଇଁ ସେମାନଙ୍କର ନିର୍ଦ୍ଦିଷ୍ଟ ସମୟ ଅଛି । ଜୀବନର ଶହେ ଭାଗରୁ ଭାଗେ ବା ତହିଁରୁ ଅଳ୍ପ ସେମାନେ ଏଥିରେ ଖର୍ଚ୍ଚ କରନ୍ତି । କିନ୍ତୁ ମନୁଷ୍ୟର ଏହାହିଁ ଏକମାତ୍ର କାର୍ଯ୍ୟ ହୋଇପଡ଼ିଛି ଯେ ବିବାହର ପ୍ରଥମ ଦିନଠାରୁ ବାର୍ଦ୍ଧକ୍ୟ ଶରୀରକୁ ଅସମର୍ଥ ନ କଲା ପର୍ଯ୍ୟନ୍ତ ଏହାହିଁ ଆମ୍ଭମାନଙ୍କ ଜୀବନର ସର୍ବସ୍ୱ ହୋଇପଡ଼ିଛି । ବୁଝୁଛନ୍ତି ନା ?’’

ମୋ ସଙ୍ଗୀ କଥାଟିକୁ ଟିକିଏ ଅତିରଞ୍ଜିତ କରୁଥାନ୍ତି । ଅଥବା ସେ ନିଜ ପ୍ରାଣର ତୀବ୍ର ଚାପର ସହିତ ଏସବୁ କଥା ପ୍ରକାଶ କରୁଥାନ୍ତି ବୋଲି ମୋତେ ଏ ସବୁ ଅତିରଞ୍ଜିତ ପରି ଜଣାଯାଉଥାଏ । କିନ୍ତୁ ସେ ମୋଟାମୋଟି ଯେଉଁ କଥାଟି ମୋତେ କହିଲେ, ତାହା ସତ୍ୟ ବୋଲି ମୁଁ ଉପଲବ୍‌ଧି କଲି । ସେ ମୋ ହୃଦୟର ଚିନ୍ତା ବୁଝିପାରିଲା ପରି କହିଲେ, ‘‘ହଁ, ହ, ଆପଣ ମୋ କଥାକୁ ଟିକିଏ ଅତିରଞ୍ଜିତ ହୋଇଗଲା ବୋଲି ବିଚାରୁଛନ୍ତି ପରା ! କିନ୍ତୁ ଏଥିରେ କୌଣସି ପଦକ ଅତିରଞ୍ଜିତ ନୁହେଁ । ଏ କଥାର ସତ୍ୟତା ମୁଁ ଅଙ୍ଗେ ନିଭେଇଛି । ମୋର ୧୨ ବର୍ଷର ବିବାହିତ ଜୀବନରେ ମୁଁ ଏ ସତ୍ୟର ପ୍ରମାଣ ପାଇଛି । ମୁଁ ବର୍ତ୍ତମାନ ବୁଝିଛି ହୀନ ସମ୍ଭୋଗ ଯଦି ମନୁଷ୍ୟର ଏକମାତ୍ର କାମ୍ୟ ବସ୍ତୁ ନ ହୋଇଥାନ୍ତା, ତେବେ ମୁଁ ଆଜି ଏପରି ଭାଙ୍ଗି ପଡ଼ି ନ ଥାନ୍ତି ଏବଂ ଶେଷରେ ମୋ କ୍ଷୁଦ୍ର ଶିଶୁମାନଙ୍କର ମାକୁ ନିଜ ହାତରେ ମାରିପକାଇ ନ ଥାନ୍ତି ।’’

ଏତକ କହି ସେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇଲେ ଏବଂ ତାଙ୍କର ସେହି ଅଦ୍ଭୁତ ଚିତ୍କାର କଲେ । ନିଜର ଅତୀତ ଜୀବନ ଆଖି ଆଗରେ ସ୍ପଷ୍ଟ ପଡ଼ିଯିବାରୁ ଏବଂ ଗୋଟାଏ ନୀତି ବ୍ୟାଖ୍ୟାନ କରୁ କରୁ ହଠାତ୍ ସ୍ତ୍ରୀର ସ୍ମୃତି ଜାଗରୂକ ହୋଇ ତାଙ୍କ ସ୍ୱାଭାବିକ ମନୋଭାବକୁ ଟିକିଏ ବେଶୀ ଯନ୍ତ୍ରଣାମୟ କରିଦେଲା ପରା ! ସେ ନିଜ ଆସନରେ ମୁହଁ ମାଡ଼ି ଶୋଇପଡ଼ିଲେ । ମୁଁ ଏ ଅଦ୍ଭୁତ ଲୋକଟିର ଅଦ୍ଭୁତ ଗତିବିଧି ଦେଖି ତାର ହୃଦୟର ଯାତନା ଅନୁମାନରେ ଉପଲବ୍‌ଧି କରୁ କରୁ ନିଜେ ମଧ୍ୟ ଗଭୀର ବ୍ୟଥା ଅନୁଭବ କଲି ।

•••

 

(ସାତ)

 

ଚନ୍ଦ୍ରମଣି ବାବୁ କିଛି ସମୟ ପରେ ପୁଣି କହିଲେ, ‘‘ମନୁଷ୍ୟ ଯେଉଁ ଉଦ୍ଦେଶ୍ୟରେ ସୃଷ୍ଟି ହୋଇଛି ସେ ଉଦ୍ଦେଶ୍ୟ ସାଧିତ ହେବ,–ସଂଯମ, ସାଧୁତା, ବିଶ୍ୱମୈତ୍ରୀ ଓ ଆତ୍ମତ୍ୟାଗରେ । କିନ୍ତୁ ଯେଉଁ ରାସ୍ତାରେ ଚାଲିଲେ ଈଶ୍ୱରଙ୍କର ଉଦ୍ଦେଶ୍ୟ ସାଧିତ ହେବ, ସେ ରାସ୍ତାରେ କଣ ଆମ୍ଭେମାନେ ଚାଲୁଥାଇଁ ? ନା, ଆମ୍ଭେମାନେ ଠିକ୍ ବିପରୀତ ଦିଗରେ ପଥିକ ହୋଇଥାଇଁ । ଏ ବିପରୀତ ଦିଗରେ କିଏ ଚଳାଉଛି ? ଇନ୍ଦ୍ରିୟମାନେ । ଇନ୍ଦ୍ରିୟ ନିରୋଧ ନ କଲେ ଏ ଉଦ୍ଦେଶ୍ୟ ସାଧିତ ହେବା ଅସମ୍ଭବ ।

‘‘କାମପ୍ରବୃତ୍ତି ମନୁଷ୍ୟର ସର୍ବପ୍ରଧାନ ରିପୁ । ଜଗତରେ କିଛି କରିବାକୁ ହେଲେ ପ୍ରଥମେ ଏ ରିପୁକୁ ଦମନ କରିବାର କଥା । କିନ୍ତୁ ଆମ୍ଭେମାନେ ତାହା କଣ କରୁଥାଇଁ ? ନା, ତତ୍‌ପରିବର୍ତ୍ତେ ଆମ୍ଭେମାନେ ଏ ଘୃଣ୍ୟ ପ୍ରବୃତ୍ତିକୁ ଯଥାସାଧ୍ୟ ପରିତୃପ୍ତ କରିବା ପାଇଁ ଜୀବନତମାମ ବ୍ୟୟ କରୁଥାଇଁ-। ଫଳରେ ମୂଷାମାନଙ୍କ ପରି ଖାଲି ବଂଶବୃଦ୍ଧି କରିବା ମନୁଷ୍ୟର ବ୍ୟବସାୟ ହୋଇ ପଡ଼ିଛି ।

‘‘ଆପଣ ଏହିଠାରେ ଆପତ୍ତି କରିପାରନ୍ତି । ଆପଣ ଆପଣଙ୍କ ଅର୍ଥନୀତିଜ୍ଞ ପଣ୍ଡିତମାନଙ୍କୁ ଦେଖାଇ କହି ପାରନ୍ତି ଯେ ଆଜିକାଲି ଅଯଥା ବଂଶବୃଦ୍ଧି କିପରି ନ ହେବ, ସେଥିପାଇଁ ପ୍ରଚାର ଚାଲିଛି । ଜନ୍ମ ନିରୋଧ (Birth control) ଉପାୟ ଉଦ୍ଭାବିତ ହୋଇଛି । କିନ୍ତୁ ଏ କଥା ଆହୁରି ଖରାପ । ଆମ୍ଭେମାନେ ଜନ୍ମନିରୋଧ ପାଇଁ ବର୍ତ୍ତମାନ ଯେ ଚେଷ୍ଟା କରୁଥାଇଁ, ତା ମୂଳରେ ବେଶୀ ପାପ ପୂରି ରହିଛି । ଜନ୍ମନିରୋଧ ମୂଳରେ ମହତ୍‌ ଉଦ୍ଦେଶ୍ୟ ବା ଆଦର୍ଶ ନାହିଁ । ଆର୍ଥିକ ବା ଅନ୍ୟାନ୍ୟ ବୈଷୟିକ କାରଣରେ ସିନା ଜନ୍ମନିରୋଧ ହେଉଛି; କିନ୍ତୁ ଆଜିକାଲି ଜଗତରେ କେହି ଇନ୍ଦ୍ରିୟ ସଂଯମ ପ୍ରଚାର କରୁଛି କି ? ବ୍ରହ୍ମଚର୍ଯ୍ୟ ଉପରେ କେହି ଜୋର୍ ଦେଉଛି କି ? କାମପ୍ରବୃତ୍ତି ଶାନ୍ତ ହେଉ; କିନ୍ତୁ ତାର ଯାହା ସ୍ୱାଭାବିକ ଫଳ, ସେ ସବୁ ବନ୍ଦ କରାଯାଉ କୃତ୍ରିମ ଉପାୟରେ । ଏହା ଆଜି ଯେଉଁମାନଙ୍କୁ ଆମ୍ଭେମାନେ ପଣ୍ଡିତ ବୋଲୁଥାଇଁ, ସେମାନଙ୍କର ଶିକ୍ଷାର ଉଦ୍ଦେଶ୍ୟ । ବ୍ରହ୍ମଚର୍ଯ୍ୟ ଆତ୍ମସଂଯମଦ୍ୱାରା ଜନ୍ମନିରୋଧ କରିବା ପାଇଁ ଆଜି ଯଦି କେହି ପ୍ରଚାର କରେ, ତେବେ ତାର ଉପଦେଶ କେହି ଗ୍ରହଣ କରିବେ କି ? ତାକୁ ଟାହୁଲି କରି ଟାପରା କରି ଆମ୍ଭେମାନେ ଉଡ଼ାଇ ଦେବା ।

‘‘କୁତ୍ରିମ ଉପାୟରେ ଜନ୍ମନିରୋଧ କଲେ ଜନସଂଖ୍ୟା ଉପରେ ଆମ୍ଭେମାନେ ଚାପ ଦେଇପାରିବା ଅବଶ୍ୟ । ଫଳରେ ଯେଉଁ ଅଳ୍ପ ଲୋକ ଜନ୍ମ ହେବେ ଓ ବଞ୍ଚି ରହିବେ, ସେମାନେ ଅପେକ୍ଷାକୃତ ଭୌତିକ, ବୈଷୟିକ ସୁଖସ୍ୱାଚ୍ଛନ୍ଦ୍ୟ ଭୋଗ କରିପାରନ୍ତି । କିନ୍ତୁ ଯାହା ପ୍ରକୃତ ସୁଖ, ତାହାର ପ୍ରାପ୍ତି ଏ ଉପାୟରେ ସମ୍ଭବପର ନୁହେ । ଈଶ୍ୱରଙ୍କ ସୃଷ୍ଟିର ଉଦ୍ଦେଶ୍ୟ ଏହାଦ୍ୱାରା ସାଧିତ ହେବ ନାହିଁ । ବରଂ ବେଳକୁବେଳ ମନୁଷ୍ୟ ଅଧିକ ହୀନତା ପ୍ରାପ୍ତ ହେବ ।

‘‘ଫଳରେ ସେହିକଥା ହେଉଛି । ଆମ୍ଭେମାନେ ଈଶ୍ୱରଙ୍କଠାରୁ ପ୍ରତିମୁହୂର୍ତ୍ତରେ ଦୂରତର ହେଉଥାଇଁ । ଶେଷରେ ଦିନ ଆସିବ ଯେବେ ପରମେଶ୍ୱର ନିଜ ସୃଷ୍ଟିର ଅସାରତାରେ କ୍ରୁଦ୍ଧ ହୋଇ ମହାପ୍ରଳୟ ଘଟାଇବେ, ମନୁଷ୍ୟ ଜାତିକୁ ସଂହାର କରି ପୃଥିବୀର ଭାର ଲାଘବ କରିବେ ।

‘‘ଏ ସବୁର କାରଣ କଣ ? ପୂର୍ବରୁ କହିଛି, କାମ ପ୍ରବୃତ୍ତି । ଏହି ପ୍ରବୃତ୍ତିକୁ ଦମନ କଲ ମନୁଷ୍ୟର ଅନ୍ୟ ସମସ୍ତ ରିପୁ ବଳେ ବଳେ ଦମିତ ହେବେ ଏବଂ ମନୁଷ୍ୟ ସୃଷ୍ଟିର ଉଦ୍ଦେଶ୍ୟ ସାଧନ କରି ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବ ବା ତାଙ୍କ ଦେହରେ ଲୀନ ହେବ । କିନ୍ତୁ ଏ ପ୍ରବୃତ୍ତିକୁ ପ୍ରଶୟ ଦେଲେ ଅନ୍ୟ ସମସ୍ତ ଇନ୍ଦ୍ରିୟ ସଙ୍ଗେ ସଙ୍ଗେ ମାଡ଼ି ବସିବେ ଏବଂ ମନୁଷ୍ୟଠାରୁ ମନୁଷ୍ୟହିଁ ଲୋପ ହେବ, ମନୁଷ୍ୟ ପଶୁ ହେବ ଏବଂ ଏପରିକି ପଶୁଠାରୁ ମଧ୍ୟ ହୀନତା ପାଇବ । ଏହି କଥା ବେଶୀ ବୁଝାଇ କହିବାର ପ୍ରୟୋଜନ ନାହିଁ । ଏହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ଆପଣ ନିଜ ଆଖିରେ ଦେଖୁଥିବେ ।

‘‘ଲୋକମାନଙ୍କ ମଧ୍ୟରେ ଗୋଟାଏ ଭୁଲ ଧାରଣା ରହିଯାଇଛି ଯେ, କେବଳ ପର ସ୍ତ୍ରୀ ପ୍ରତି କାମଲୋଲୁପ ଦୃଷ୍ଟି ପକାଇବା ପାପ । ନିଜର ବିବାହିତା ସ୍ତ୍ରୀପ୍ରତି ଯେତେ କାମଲୋଲୁପ ହେଲେ କ୍ଷତି ନାହିଁ । ବରଂ ତାହା ପ୍ରଶଂସ୍ୟ, ପାରିବାରିକ ପ୍ରେମର ନିଦର୍ଶନ । କିନ୍ତୁ ଏ ଧାରଣା ଭ୍ରାନ୍ତ । ପରମେଶ୍ୱର ଆମ୍ଭମାନଙ୍କ ଧର୍ମଶାସ୍ତ୍ରରେ କହିଛନ୍ତି, ବିଳାସବାସନା ଚରିତାର୍ଥ କରିବା ନିମନ୍ତେ ଯେ ପୁରୁଷ ଅନ୍ୟ ସ୍ତ୍ରୀ ପ୍ରତି ଦୃଷ୍ଟି ପକାଏ, ସେ ସେହି ଦୃଷ୍ଟି ପକାଇବା ସଙ୍ଗେ ସଙ୍ଗେ ପାପ କରିଛି, ବ୍ୟଭିଚାରୀ ହୋଇଛି । ଏକଥା ଅନ୍ୟ ସ୍ତ୍ରୀ ସମ୍ବନ୍ଧରେ ଯେପରି ସତ୍ୟ, ନିଜର ବିବାହିତା ସ୍ତ୍ରୀ ସମ୍ବନ୍ଧରେ ମଧ୍ୟ ସେହିପରି ସତ୍ୟ ।

‘‘କିନ୍ତୁ ବର୍ତ୍ତମାନ ସମାଜରେ ପ୍ରଣୟ ବିଷୟରେ ଯେଉଁ ଧାରଣ ଅଛି, ତାହା ସମ୍ପୂର୍ଣ୍ଣ ଭିନ୍ନ-। ପ୍ରଭୁଙ୍କ ଉପଦେଶକୁ ଲୋକେ ଆଗ୍ରହ୍ୟ କରିଛନ୍ତି, ନିତାନ୍ତ ଅଗ୍ରାହ୍ୟ ନ କଲେହେଁ ତାର ଅର୍ଥକୁ ମୋଡ଼ିଭିଡ଼ି ନିଜର ପ୍ରବୃତ୍ତି ସଙ୍ଗେ ଖାପ ଖୁଆଇ ଦେଇଛନ୍ତି ।

‘‘ଫଳରେ ଆଜିକାଲିର ବିବାହିତା ଜୀବନରେ ନୀତି ନାହିଁ, କୌଣସି ପ୍ରକାର ଶୃଙ୍ଖଳା ନାହିଁ । ବିଶୃଙ୍ଖଳା ଭାବରେ ଆମ୍ଭେମାନେ ବିବାହିତା ଜୀବନକୁ ଭୋଗ ବିଳାସର ପ୍ରକୃଷ୍ଟ ସୁଯୋଗ ଏବଂ ବିବାହକୁ ଇନ୍ଦ୍ରିୟ ସେବା ନିମନ୍ତେ ଗୋଟାଏ ପ୍ରକାର ଲାଇସେନ୍ସ ବୋଲି ମନେକରୁଥାଇଁ ।’’

•••

 

(ଆଠ)

 

‘‘ସମାଜ ଅନୁମତି ଦେଉଛି, ପିତାମାତା ବିବାହିତା ଦମ୍ପତିଙ୍କୁ ଅଲଗା ରହିବା ପାଇଁ ସୁବିଧା ଦେଇ ନୀତିଗର୍ହିତ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଉଛନ୍ତି ସତ୍ୟ, କିନ୍ତୁ ପ୍ରକୃତିର ନିୟମ ଅଛି । ପ୍ରକୃତର ନିୟମ ଲଙ୍ଘନ କଲେ, ଯାହା ଅନୀତି ତାର ଆଚରଣ କଲେ ଦଣ୍ଡ ବଳେ ବଳେ ଆସି ପହୁଞ୍ଚିବ ହିଁ ପହୁଞ୍ଚିବ ।

‘‘ମୋ ସମ୍ବନ୍ଧରେ ସେ ଦଣ୍ଡ ବଡ଼ ତୁରନ୍ତ ଆସି ପହୁଞ୍ଚିଗଲା । ମୁଁ ମୋର ନବବିବାହିତ ସମୟଟି ସୁଖଶାନ୍ତିରେ କଟାଇବା ପାଇଁ ଯେତେ ଚେଷ୍ଟା କଲି ସବୁ ବିଫଳ ହେଲା । ଯେଉଁ ପ୍ରେମକୁ ସ୍ୱର୍ଗୀୟ ବୋଲି, ହୃଦୟ ଓ ଆଦର୍ଶର ସାମଞ୍ଜସ୍ୟ-ସଂଭୂତି ବୋଲି ମନେକରିଥିଲି, ତାହା ଦୁଇ ତିନି ଦିନରେ କୁଆଡ଼େ, ଦୂରୀଭୂତ ହୋଇଗଲା । ମୋର ମଧୁଚନ୍ଦ୍ର ସମୟଟି ଲଜ୍ଜା, ଆତ୍ମଗ୍ଳାନି ଏବଂ ମନସ୍ତାପରେ ଅତିବାହିତ ହେଲା । ବିଷୟଟିର ଟିକିଏ ବିଶେଷ ନିବୃତ୍ତି ଦରକାର ।

‘‘ଦିନେ-ବିବାହର ୪/୫ ଦିନ ମଧ୍ୟରେ ହେବ ପରା–ମୁଁ ଦେଖିଲି ମୋ ସ୍ତ୍ରୀଙ୍କ ମନଟି କେଜାଣି କାହିଁକି ଟିକିଏ ଅସୁଖ ଅଛି । କାରଣ ଜାଣିବା ପାଇଁ ମୁଁ ତାଙ୍କୁ ପ୍ରଶ୍ନ କଲି ଏବଂ ଆଲିଙ୍ଗନ କରି ଚୁମ୍ବନ ଦେଲି । ବିଚାରିଥିଲି ଏହି ଚୁମ୍ବନ ତାଙ୍କ ଦୁଃଖ ଦୂର କରିବ; କିନ୍ତୁ ଫଳ ବିପରୀତ ହେଲା-। ସେ ମୋତେ ଛିଞ୍ଚାଡ଼ି ଦେଇ କାନ୍ଦିବାକୁ ଲାଗିଲେ । ମୁଁ ପଚାରିଲି–‘‘କଥା କଣ, ଏପରି କାନ୍ଦୁଛି କାହିଁକି, ପ୍ରିୟେ !

‘‘ସେ କିଛି କହିଲେ ନାହି, କିନ୍ତୁ ସ୍ପଷ୍ଟ ଜଣାଯାଉଥାଏ, ତାଙ୍କ ମନରେ ଘୋର ଦୁଃଖ । ଆମ ପରସ୍ପର ମଧ୍ୟରେ ସମ୍ବନ୍ଧର ହୀନତା ବୋଧହୁଏ ସେ ଉପଲବ୍ଧି କରିଥିଲେ, କିନ୍ତୁ କଥାଟା ଭଲ କରି ବୁଝି ନ ପାରି କଣ କହିବେ କିଛି ସ୍ଥିର କରିପାରୁ ନ ଥିଲେ । ଯାହେହେଉ, ମୁଁ କାତର ଭାବରେ ତାଙ୍କୁ ଦୁଃଖର କାରଣ ପଚାରିବାକୁ ଲାଗିଲି । ବହୁବାର ପଚାରିବା ପରେ ସେ କାହିଲେ, ତାଙ୍କ ମା’ଙ୍କଠାରୁ ସେ ଦୂରର ରହିଥିବାରୁ ତାଙ୍କ ମନଦୁଃଖ ହେଉଛି । ମତେ କଥାଟା ପସନ୍ଦ ହେଲା ନାହିଁ-। ମୋର ବୁଝିବାକୁ ବାକି ନ ଥିଲା ଯେ ତାଙ୍କ ଦୁଃଖର ମୂଳରେ ମା’ଙ୍କର କିଛି ସମ୍ବନ୍ଧ ନାହିଁ । ମୁଁ ତାଙ୍କ ମା’ଙ୍କ ବିଷୟ ଆଦୌ ଉଲ୍ଲେଖ ନ କରି ନାନାପ୍ରକାର ପ୍ରେମମୟ ଯୁକ୍ତିରେ ତାଙ୍କ ବୋଧ କରିବାର ଚେଷ୍ଟାକଲି । ସେ ସେଥିରେ ଶାନ୍ତ ହୁଅନ୍ତେ କଣ, ଅଧିକ ଚଟିଗଲେ । ମୁଁ ତାଙ୍କ ମା’ଙ୍କ କଥା ଆଦୌ ନ ଉଠାଇବାଦ୍ୱାରା ତାଙ୍କ ମା’ଙ୍କୁ ଅବଜ୍ଞା କରୁଛି ଏବଂ ତାଙ୍କୁ ଅବିଶ୍ୱାସ କରୁଛି ବୋଲି ମୋତେ ଜଣାଇ ଦେଲେ । କହିଲେ ‘ହଁ ହେ ହଁ, ମୁଁ ଏଥର ଜାଣିଲିଣି ଯେ ତୁମେ ମତେ ଯାହାସବୁ କହିଥିଲ, ସେଗୁଡ଼ାକ ମିଛ ।’

‘‘ମୁଁ ଏ କଥାରେ ଘୋର ବ୍ୟଥା ଅନୁଭବ କଲି ଏବଂ ବ୍ୟଥାଜନିତ ଅଭିମାନରେ ତାଙ୍କୁ ନିଷ୍ଠୁରା, ସ୍ନେହ-ମମତା-ହୀନା ବୋଲି କହିଲି ।

‘‘ମୋର ଏକଥା ଶୁଣି ତାଙ୍କ ଦୁଃଖ କୁଆଡ଼େ ଦୂର ହୋଇଗଲା । ଦୁଃଖ ପରିବର୍ତ୍ତରେ ବିରକ୍ତି ଓ କ୍ରୋଧ ଦେଖାଗଲା । ସେ ମୋତେ ସ୍ୱାର୍ଥପର, ନିଷ୍ଠୁର, ଘୃଣ୍ୟ, ଅମନୁଷ୍ୟ ବୋଲି ଗାଳିଦେଲେ । ମୁଁ ଏ ନୂତନ ଅନୁଭୂତିରେ ବିସ୍ମିତ ହୋଇ ତାଙ୍କ ଆଡ଼କୁ ଚାହିଁ ରହିଲି–ତାଙ୍କ ଚକ୍ଷୁରେ ମୋ ପ୍ରତି ଘୋର ଘୃଣା ଓ ବିଦ୍ରୋହଭାବ ପ୍ରତିଫଳିତ ହେଉଥାଏ ।

‘‘ମୋ ହୃଦୟର ସେତେବେଳର ଅବସ୍ଥା ଆପଣ କଳ୍ପନା କରନ୍ତୁ । ମୁଁ ତାଙ୍କର ଭାବଭଙ୍ଗୀ ଦେଖି ସ୍ୱର୍ଗରୁ ରସାତଳକୁ ଖସି ପଡ଼ିଲି । ପ୍ରେମ ହୃଦୟର ମିଳନ ଆଦର୍ଶର ସାମଞ୍ଜସ୍ୟ କଣ ଏଇଆ-! ବିଶ୍ୱାସ ହେଲା ନାହିଁ । ମନେ ମନେ ବିଚାରିଲି, ନିଶ୍ଚୟ ତାଙ୍କର ମସ୍ତିଷ୍କ-ବିକୃତ ଘଟିଛି ।

‘‘ତାଙ୍କୁ ପ୍ରକୃତିସ୍ଥ କରିବାପାଇଁ ଢେର ଚେଷ୍ଟା କଲି । କେତେ ମଧୁର କଥା ଶୁଣାଇଲି, କିନ୍ତୁ ମୋର ସମସ୍ତ ମଧୁରତାର ପ୍ରତିଦାନରେ ତାଙ୍କଠାରୁ ଅଧିକ ନିଷ୍ଠୁର ବାକ୍ୟବାଣ ପାଇ ମୁଁ ବି ରାଗିଗଲି ଏବଂ ଆମ ଦୁହିଁଙ୍କ ଭିତରେ ବେଶ୍‌ ଗାଳି ଦିଆଦେଇ ଚାଲିଲା । ଓହୋ ! କି ବୀଭତ୍ସ ଭାବରେ ଆମ୍ଭେମାନେ ପରସ୍ପର ପ୍ରତି ନିଷ୍ଠୁର ବାକ୍ୟବାଣ ପ୍ରହାର କଲୁ ।

‘‘ବିବାହିତ ଜୀବନର ଏହି ପ୍ରଥମ କଳିର ସ୍ମୃତି ମୋ ହୃଦୟରେ ଗୋଟାଏ ଗଭୀର ଦାଗ ପରି ରହିଗଲା । ମୁଁ ଏହାକୁ କଳି ବୋଲି କହୁଛି । କିନ୍ତୁ ପ୍ରକୃତରେ ଏହା କଳି ନୁହେ । ଏହା ଆମ୍ଭମାନଙ୍କ ଚକ୍ଷୁର ଜ୍ଞାନଞ୍ଜନ ଶଳାକା । ଏହାଦ୍ୱାରା ଆମ ଦୁହିଁଙ୍କ ଭିତରେ କେତେ ଅସାମଞ୍ଜସ୍ୟ, କେତେ ଅମେଳ ପରିଷ୍କାର ଜଣାପଡ଼ିଗଲା । ପରସ୍ପର ବୁଝିଲୁ, ଯାହାକୁ ଆମ୍ଭେମାନେ ସନାତନ ପ୍ରେମ ବୋଲି ମନେକରିଥିଲୁ, ତାହା ଏହି ଅଳ୍ପ ତିନିଦିନ ଭିତରେ ଶେଷ ହୋଇଗଲା ଏବଂ ପରସ୍ପରର ବିଭିନ୍ନ ପ୍ରକୃତି ପ୍ରେମକୁ ଦଳିମନ୍ଥି ବାହାରି ପଡ଼ିଲା ।

ଆଜି ଏପରି ମନେହେଉଛି; କିନ୍ତୁ ସେତେବେଳେ ବିବାହର ନୂତନତାରେ କଳହର କଟୁତ୍ୱ ଦୂର ହୋଇଗଲା । ଆମ୍ଭେମାନେ ଶୀଘ୍ର ମିଳାମିଶା କରି ଯାଇ ପୁଣି ପୂର୍ବବତ୍‌ ପ୍ରେମମୟ-(?) ଜୀବନ ଯାପନ କରିବାକୁ ସଚେଷ୍ଟ ହେଲୁ, ମନେକଲୁ ଆଉ ଏପରି ହୀନ କଳହ ଘଟିବ ନାହିଁ-। ହାୟ, ମାସେ ମଧ୍ୟ ଗଲା ନାହିଁ । ପୁଣିତ କଳି ପହଞ୍ଚିଲା । ପ୍ରଥମ କଳିଠାରୁ ଏହା ଅଧିକ ଗୁରୁତର ଏବଂ ହୃଦୟରେ ଗଭୀରତର ଦାଗ ପକାଇ ଦେଲା । ମୁଁ ଦ୍ୱିତୀୟ କଳି ପରେ ବୁଝିଲି, ପ୍ରଥମ କଳିଟା ଯେ ଗୋଟାଏ ଆକସ୍ମିକ ଦୁର୍ଘଟନା ତାହା ନୁହେ । ଏହାର କାରଣ ଥିଲା, ଏବଂ ସେହି କାରଣ ଦୂର ହେବାର ନୁହେ । ଫଳରେ ଆହୁରି ମଧ୍ୟ ଏହିପରି କଳି ଲାଗିବ ।

‘‘ଦ୍ୱିତୀୟବାର କଳହଟି ମୋ ହୃଦୟରେ ଗଭୀର ଦାଗ ପକେଇବାର କାରଣ ଆଉ ଗୋଟିଏ–ଏ କଳିର କାରଣର ହେୟତା । କି କ୍ଷୁଦ୍ର ନଗଣ୍ୟ କାଣଣରେ ସେ କେତେ ଚଟିଗଲା ! ମୁଁ ଟଙ୍କା ପଇସା ବିଷୟରେ ଚିପା ଲୋକ ନୁହେ । ଅନ୍ୟମାନଙ୍କ ପ୍ରତି ମୁକ୍ତହସ୍ତ, ମୋ ସ୍ତ୍ରୀ ପ୍ରତି ଯେ ମୁଁ ଚିପା ହେବି, ଏ କଥା କଳ୍ପନା ମଧ୍ୟ କରିବାର ନୁହେ । ମାତ୍ର ମୁଁ ଗୋଟାଏ କଣ କହିଲି, ସେ କଥାର ସେ ବିକୃତ ଅର୍ଥ ବାହାର କଲା ଯେ, ମୁଁ ମୋର ଟଙ୍କା ଯୋଗୁଁ ତା ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଯାଉଛି ଏବଂ ଟଙ୍କା ସାହାଯ୍ୟରେ ତାକୁ ଅଧୀନ କରିବାକୁ ବସୁଛି ।

‘‘ତା’ଠାରୁ ଏକଥା ଶୁଣି ସ୍ତମ୍ଭିତ ହେଲି ଏବଂ କ୍ଷଣକ ପରେ ତାକୁ ନିଷ୍ଠୁରା, ହୀନସ୍ୱଭାବ ବୋଲି ଗାଳିଦେଲି । ସେ ମୋତେ ଗାଳିଦେଲା ଏବଂ ଏପରୀ ମୁଖଭଙ୍ଗୀ ଦେଖାଇଲା–ଓହୋ ସେ ମୁଖଭଙ୍ଗୀ ବର୍ତ୍ତମାନ ଦିଶିଯାଇ ମୋ ହୃଦୟରେ ଶେଳ ଆଘାତ କରୁଛି–ସତେ ଯେପରି ମୁଁ ତାର ଅର୍ଦ୍ଧାଙ୍ଗ ନୁହେ, ତାର ଚିରଶତ୍ରୁ !

‘‘ବାପ, ଭାଇ ଏବଂ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନମାନଙ୍କ ସଙ୍ଗରେ ଅନେକ ବାର କଳି କରିଛି । କିନ୍ତୁ ସେ କଳିରେ ମୋର ସ୍ତ୍ରୀ ସହିତ କଳି ପରି ଏତେ ବୈରଭାବ ଓ ଘୃଣା ଜାତ ହୁଏ ନାହିଁ ।

‘‘ଏ କ୍ଷେତ୍ରରେ ଏ ଘୃଣା ମଧ୍ୟ ବେଶୀ ସମୟ ସ୍ଥାୟୀ ହେଲା ନାହିଁ । ତଥାକଥିତ ପ୍ରେମ ଘୃଣାକୁ ଦୂର କରିଦେଲା । ନିର୍ବୋଧ ମୁଁ । ପୁଣି ବିଚାରିଲି, ଏପରି କଳି ଆଉ ଭବିଷ୍ୟତରେ ଘଟିବ ନାହିଁ । ଦୁର୍‍ଦୈବକୁ ଏପରି ଘଟିଛି ।

‘‘କିନ୍ତୁ ତୃତୀୟ ଓ ଚତୁର୍ଥ କଳହ ଆସି ଶୀଘ୍ର ଏ ଧାରଣାକୁ ଦୂର କରିଦେଲା । ମୁଁ ପରିଷ୍କାର ଦେଖିଲି କଳହ ଆମ ଜୀବନରେ ଦୈନନ୍ଦିନ ଘଟଣା ହେବା ଉପରେ । ଦୁଃଖମୟ ଭବିଷ୍ୟତ ଚିନ୍ତାରେ ଦେହ ଶୀତେଇ ଗଲା । ମୋପରି ହତଭାଗ୍ୟ ଏ ଜଗତରେ ଆଉ କେହି ନାହାନ୍ତି ଏବଂ ଅନ୍ୟ କାହା ଘରେ ଏପରି କଳି ଘଟୁ ନ ଥିବ, ଏକଥା ଚିନ୍ତା କରି ମୋ ହୃଦୟରେ ଦୁଃଖ ବହୁ ଗୁଣ ହେଲା । ସେତେବେଳେ ମୁଁ ଜାଣି ନ ଥିଲି ଯେ, ଯେଉଁଥି ପାଇଁ ମୁଁ ନିଜକୁ ହତଭାଗା ବୋଲି ମନେକରୁଛି, ତାହା ଏକୁଟିଆ ମୋର ନୁହେ । ଜଗତଯାକ ସମସ୍ତଙ୍କର ସେହି ଦଶା । ଲୋକେ ନିଜର ଏହି ଦଶାକୁ ଅନ୍ୟମାନଙ୍କଠାରୁ ଘୋଡ଼ାଇ ରଖନ୍ତି । ଏପରି କି ନିଜଠାରୁ ମଧ୍ୟ ଘୋଡ଼ାଇ ରଖିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି ।

‘‘ମୁଁ ଯେ ଏପରି ଚେଷ୍ଟା କରୁ ନ ଥିଲି ତାହା ନୁହେ । ବିବାହ ଦିନଠାରୁ ମୋ ମନରେ କିପରି ଗୋଟାଏ ଛାୟା ପଡ଼ିଗଲା ଯେ, ବିବାହ ଜୀବନ ସୁଖର ନୁହେ, ସମ୍ପୂର୍ଣ୍ଣ ଦୁଃଖପୂର୍ଣ୍ଣ । କିନ୍ତୁ ମୁଁ ଏ ଛାୟାଟାକୁ ଦୂର କରିବାକୁ ଯଥା ସାଧ୍ୟ ଚେଷ୍ଟା କରୁଥାଏ । ଏ କଳିଗୋଳ ଭିତରେ ପ୍ରେମର ଟିକିଏ ମୂର୍ଚ୍ଛନା ଥିବ ବୋଲି କଳିଗୋଳକୁ ମନରେ ନାନାପ୍ରକାର ବ୍ୟବଚ୍ଛେଦ କରି ଦେଖିଥାଏ । ଆଜି ମୋ ବିବାହିତ ଜୀବନ ଚିରଦିନ ପାଇଁ ଶେଷ ନ ହୋଇଥିଲେ ମୁଁ ସେହିପରି ଆତ୍ମବଞ୍ଚନାରେ ମାତି ନ ଥାନ୍ତି ବୋଲି ବା କିଏ କହିବ ? ଯାହାହେଉ, ମୁଁ ଆଜି ଭାଗ୍ୟବାନ୍‌ ମୋର ବିବାହିତ ଜୀବନରେ ଜଉମୁଦ ଦେଇ ଦେଇଛି । ସ୍ତ୍ରୀକୁ ସ୍ୱହସ୍ତରେ ମାରି ତାକୁ ଓ ମୋତେ ବିବାହ ରୂପ ନରକରୁ ମୁକ୍ତ କରିଛି ।’’

•••

 

(ନଅ)

 

ଠିକ୍‌ ଏହି ସମୟରେ ଗାଡ଼ି ଆସି ଗୋଟିଏ ଛୋଟ ଷ୍ଟେସନ୍‌ରେ ରହିଲା ଏବଂ ଦୁଇଜଣ ଯାତ୍ରୀ ଆସି ଆମ ବଖରାଟିର ଶେଷମୁଣ୍ଡ କୋଣରେ ଯାଇ ବସିଲେ ଗାଡ଼ି ଷ୍ଟେସନରେ ଠିଆ ହେଲାବେଳୁ ଯାତ୍ରୀମାନଙ୍କୁ ନେଇ ଗାଡ଼ି ପୁଣିଥରେ ଚାଲିଲା ପର୍ଯ୍ୟନ୍ତ ଚନ୍ଦ୍ରମଣି ବାବୁ ତୁନିହୋଇ ବସି ରହିଲେ । ଗାଡ଼ି ପୁଣି ଚାଲିଲା ଏବଂ ସେ ତାଙ୍କ କଥା ଆରମ୍ଭ କଲେ ।

 

‘‘ଏ ସବୁ ବିଷୟରେ ସବୁଠାରୁ ବେଶୀ ଖରାପ କଥା ଏହି ଯେ ସାଧାରଣତଃ ପ୍ରେମକୁ ଲୋକେ ମନର ଗୋଟିଏ ଆଦର୍ଶ ପ୍ରବୃତ୍ତି ବୋଲି ମନେକରୁଥିଲେହେଁ ଏବଂ ଏହାର ମହନୀୟତା ବିଷୟରେ ପ୍ରକାଣ୍ଡ ଗ୍ରନ୍ଥମାନ ଲେଖିବାରେ ହେଳା ନ କରୁଥିଲେ ହେଁ ପ୍ରକୃତ କାର୍ଯ୍ୟରେ ସେ ପ୍ରେମ ଦେଖାଯାଏ, ତାହାଠାରୁ ବଳି ଘୃଣ୍ୟ, ପୈଶାଚିକ କ୍ରିୟା ଆଉ ନାହିଁ । ବଡ଼ ପରିତାପର ବିଷୟ, ଏହାର ପୈଶାଚିକତା ଲୁଚାଇ ରଖିବା ପାଇଁ ସମସ୍ତେ କେଜାଣି କାହିଁକି ସବୁବେଳେ ବ୍ୟାକୁଳ । ଏହାର ସ୍ୱରୂପ ପ୍ରକାଶ କରିବାକୁ ଏତେ କୁଣ୍ଠା କାହିଁକି ? ପ୍ରକୃତ ଘୃଣ୍ୟ ଜିନିଷଟାର ଏତେ ଅକାରଣ ପ୍ରଶଂସା କାହିଁକି ?

 

‘‘ଏହି ଅକାରଣ ପ୍ରଶଂସା ମୋ ମନରେ ପ୍ରେମ ବିଷୟରେ ଏପରି ଗୋଟାଏ ଉଚ୍ଚ ଧାରଣା କରାଇ ଦେଇଥିଲା ଯେ ମୋ ସ୍ତ୍ରୀ ସଙ୍ଗରେ ହୋଇଥିବା କଳହମାନଙ୍କରେ ଆମ୍ଭମାନଙ୍କର ପରସ୍ପର ପ୍ରତି ଯେଉଁ ଘୃଣା ଦେଖା ଯାଇଥିଲା, ତାହାର ଜାତକ କାରଣ ମୁଁ କୌଣସିମତେ ପ୍ରଥମେ ବୁଝିବାକୁ କ୍ଷମ ହେଲି ନାହିଁ । କିନ୍ତୁ ଏହାର କାରଣ କେଡ଼େ ପରିଷ୍କାର ବର୍ତ୍ତମାନ ସ୍ପଷ୍ଟ ଜଣାଯାଉଛି । ଆମ ଦୁହିଁଙ୍କର ପ୍ରକୃତି ସମ୍ପୂର୍ଣ୍ଣ ଭିନ୍ନ, ପରସ୍ପର ବିରୋଧୀ ଥିଲା । ଇନ୍ଦ୍ରିୟସୁଖଲାଳସା ପ୍ରେମରୂପରେ ଆବିର୍ଭୂତ ହୋଇ ପ୍ରକୃତିର ପାର୍ଥକ୍ୟକୁ ଗୋଟାଏ କୃତ୍ରିମ ବନ୍ଧନରେ ଏକ କରି ଦେଇଥିଲା, କିନ୍ତୁ ସେହି ଇନ୍ଦ୍ରିୟସୁଖ ସମ୍ଭୋଗର ନୁତନତ୍ୱ ଦୂର ହେବା ସଙ୍ଗେ ଆମ୍ଭମାନଙ୍କର ପ୍ରକୃତି ଦୁଇଟି ପରସ୍ପର ଭିତରେ ଯୁଦ୍ଧ ଆରମ୍ଭ କଲେ । ସ୍ୱତଃ ପରସ୍ପର ପ୍ରତି ଘୃଣା ଓ ଅସୂୟାର ଉଦ୍ରେକ ହେଲା ।

 

‘‘ଏ ଘୃଣା ଓ ଅସୂୟା ମୋତେ ବଡ଼ ଖରାପ ଲାଗୁଥାଏ ଏବଂ ଅନ୍ତତଃ ମୋ ମନରୁ ଏହାକୁ ଦୂର କରିବା ପାଇଁ ମୁଁ ଯତ୍‌ପରୋନାସ୍ତି ଚେଷ୍ଟା କରୁଥାଏ । କିନ୍ତୁ ସମସ୍ତ ଚେଷ୍ଟା ନିରର୍ଥକ । ତାର ମୋ ପ୍ରତି ଯେପରି, ମୋର ବି ତା ପ୍ରତି ସେହିପରି ଘୃଣା । ସେ ଘୃଣାରସ୍ୱରୂପ ବର୍ଣ୍ଣନା କରିପାରୁନାହିଁ । ଦୁଇଜଣ ଦୋଷୀ ପରସ୍ପର ପ୍ରତି ଯେପରି ଘୃଣା କରନ୍ତି, ଏହା ଏକ ପ୍ରକାର ସେହିପରି । ମୋର ପ୍ରବର୍ତ୍ତନାରେ ଓ ସାହଚର୍ଯ୍ୟରେ ମୁଁ ତାଙ୍କୁ ବିବାହ ରୂପ ପାପରେ ପକାଇଛି ବୋଲି ସେ ମନେକରୁଥାନ୍ତି ଏବ ମୁଁ ମନେକରୁଥାଏ, ସତେ ଯେପରି ସେ ମୋ ସମସ୍ତ ଦୁଃଖର କାରଣ ।

 

‘‘କିପରି ? ମୁଁ ବିଚାରୁଥାଏ ଯେ ମୁଁ ପ୍ରକୃତ ଆଦର୍ଶ ପୁରୁଷ । ପର ସ୍ତ୍ରୀ ପ୍ରତି ମୁଁ ଦୃଷ୍ଟି ଦେଉନାହିଁ । ତେଣୁ ମୋ ଚଳନରେ ନୀତିବିରୁଦ୍ଧ କିଛି ନାହିଁ । କଳିର କାରଣ ମୋର ସ୍ତ୍ରୀ । ତାର ଚରିତ୍ର ମନ୍ଦ, ସେ କଳହ ପ୍ରିୟା, ପ୍ରେମ ତା ହୃଦୟର ନାହିଁ । ତେଣୁ ଆମ୍ଭମାନଙ୍କ ପାରିବାରିକ ଜୀବନରେ ବିଶୃଙ୍ଖଳା । ଏହିପରି ଚିନ୍ତା କରି ମୁଁ ସବୁତକ ଦୋଷ ମୁଣ୍ଡରୁ ଛଡ଼ାଇ ସ୍ତ୍ରୀ ମୁଣ୍ଡରେ ନେଇ ଢାଳି ଦେଉଥାଏ ।

 

‘‘କିନ୍ତୁ ସେ ନିରପରାଧୀ । ତାର ଦୋଷ କଣ ? ଆମ ସମାଜର ସବୁ ସ୍ତ୍ରୀମାନେ ଯାହା, ସେ ମଧ୍ୟ ତାହା । ସେହିପରି ବେଷ୍ଟନୀରେ ସେହିପରି ଶିକ୍ଷା ପାଇ ବଢ଼ିଥିଲେ । ଦୋଷ ଆମ୍ଭମାନଙ୍କର ସେହି ପ୍ରେମର–ଯେଉଁ ପ୍ରେମବ୍ୟାଜରେ ଆମ୍ଭେମାନେ ଜଗତର ସ୍ତ୍ରୀମାନଙ୍କୁ ପରୁଷର ଭୋଗ୍ୟ ବସ୍ତୁ ବୋଲି ଦାବି କରୁଥାଇଁ । ଏହି ପ୍ରେମ ବ୍ୟାଜରେ ଆମ୍ଭେମାନେ ସ୍ତ୍ରୀ ଜାତିର ବିନାଶ ସାଧନ କରୁଥାଇଁ ।

 

ମୁଁ ଏକଥା ପରିଷ୍କାର ବୁଝିପାରିଲି ନାହିଁ ପଚାରିଲି, ‘‘କିପରି ?’’

 

ଚନ୍ଦ୍ରମଣି ବାବୁ ମୋର ମୂର୍ଖତାର ଉପହାସ କଲା ପରି ଟିକିଏ ଚାହିଁ କହିଲେ, ‘‘କିପରି, କାହିଁକି ? ଏକଥା ତ ବଡ଼ ସହଜ । ଆପଣ ତ ଦେଖୁଛନ୍ତି, ସ୍ତ୍ରୀମାନଙ୍କୁ ଆମ୍ଭେମାନେ କି ଦୃଷ୍ଟିରେ ଦେଖୁଁ । ତାଙ୍କୁ ସହଧର୍ମିଣୀ ବା ଜୀବନର ସାହାଯ୍ୟକାରିଣୀ ବୋଲି କଥାରେ କହୁଥିଲେହେଁ ଆମ୍ଭେମାନେ ମନରେ କେବେ ବିଚାରୁଥାଇଁ କି ? ଆମ୍ଭେମାନେ ସ୍ତ୍ରୀମାନଙ୍କୁ ଦାସୀ କରି ରଖିଥାଇ; ଦାସୀମାନେ ଦାସ ବ୍ୟବସାୟୀମାନଙ୍କୁ ଯେ ଦୃଷ୍ଟିରେ ଦେଖନ୍ତି, ସେମାନେ ଆମ୍ଭମାନଙ୍କୁ ସେ ଦୃଷ୍ଟିରେ ଦେଖିଲେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଏବଂ ଦାସୀମାନଙ୍କୁ ସେମାନଙ୍କ ପ୍ରଭୁମାନେ ଘୃଣା କରିବାକୁ, ସେମାନଙ୍କ ଉପରେ ଅତ୍ୟାଚାର କରିବାକୁ ଯେପରି ସ୍ୱାଭାବିକ ଅଧିକାର ବୋଲି ମନେକରନ୍ତି, ଆମ୍ଭେମାନେ ସେହିପରି ସେମାନଙ୍କ ପ୍ରତି ଯଥେଚ୍ଛାଚାର କରୁଥାଇଁ ।

 

‘‘ଏହାର ଉତ୍ତରରେ ଆପଣ କହିପାରନ୍ତି, ସ୍ତ୍ରୀମାନେ ଆମ୍ଭମାନଙ୍କର ଦାସୀ ନୁହନ୍ତି । ସ୍ତ୍ରୀମାନଙ୍କୁ ଆମ୍ଭେମାନେ ଭୋଟ୍‌ ଅଧିକାର ଦେଇଥାଇଁ । ସ୍କୁଲ କଲେଜରେ ଆମ ସାଙ୍ଗର ସେମାନେ ପଢ଼ିଲେଖି, ଆମ ପରି ସରକାରୀ ଚାକିରି କଲେଣି, ଓକିଲ ହେଲେଣି, ସ୍ତ୍ରୀ ସ୍ୱାଧୀନତା ପାଇଁ ଆମ୍ଭେମାନେ ଲଢ଼ୁଥାଇଁ, ସ୍ତ୍ରୀମାନେ ଲଢ଼ୁଛନ୍ତି, ଏଥିରେ ଦାସତ୍ୱ ରହିଲା କେଉଁଠାରେ ? ଏଣୁ ମୁଁ କହେ, ଠିକ୍‌ ଏହି ସ୍ତ୍ରୀ ସ୍ୱାଧୀନତା ମୂଳରେ ସ୍ତ୍ରୀଙ୍କୁ ଦାସ କରିବାର ଅଭିସନ୍ଧି ରହିଛି । ଉଦାହରଣ ଦେଲେ କଥାଟା ବେଶ୍‌ ବୁଝିବେ ।

 

‘‘ଆମେରିକାରୁ ଦାସତ୍ୱ ପ୍ରଥା ଉଠାଇ ଦିଆଗଲା । ପୃଥିବୀରୁ ଦାସତ୍ୱପ୍ରଥା ଉଠିଛି । କିନ୍ତୁ ମନୁଷ୍ୟ କଣ ବର୍ତ୍ତମାନ ମନୁଷ୍ୟର ଦାସ ନୁହେଁ ? ଦାସତ୍ୱପ୍ରଥା ଆଇନଦ୍ୱାରା ଉଠାଇ ଦେଇସାରି ଲୋକେ ଯେଉଁ ଆର୍ଥିକ ଅବସ୍ଥା ସୃଷ୍ଟି କରିଛନ୍ତି, ତାହା ଫଳରେ କେତେକ ଲୋକ ଅନ୍ୟର ଦାସ ହେବାପାଇଁ ବାଧ୍ୟ ହୋଇଛନ୍ତି । ଦାସତ୍ୱ ସେମାନଙ୍କ ଜୀବିକାର ଏକମାତ୍ର ଉପାୟ ହୋଇଛି । ସ୍ଥୁଳତଃ କହିବାକୁ ଗଲେ ମନୁଷ୍ୟ କୃତ୍ରିମ ଉପାୟରେ ଦାସତ୍ୱ ଉଠାଇଛି । କିନ୍ତୁ ଅନ୍ୟର ସେବା ଗ୍ରହଣ କରିବାକୁ, ନିଜେ ଆଳସ୍ୟରେ ରହି ଅନ୍ୟର ପରିଶ୍ରମ ସାହାଯ୍ୟରେ ନିଜର କାର୍ଯ୍ୟ ହାସଲ କରାଇନେବାକୁ ମନୁଷ୍ୟର ଯେଉଁ ପ୍ରବୃତ୍ତି ନ ଯାଇ ରହିଛି, ଦାସତ୍ୱର ପ୍ରାକୃତିକ ଉତ୍ପତ୍ତି ସେହିଠାରେ । ସେହିପରି ଆମ୍ଭେମାନେ ସ୍ତ୍ରୀମାନଙ୍କୁ ଅନେକ ଅଧିକାର ଦେବାକୁ ମେଲାକୁ ଦେଖାଇବା ପାଇଁ ଯତ୍ନ କରୁଥାଇଁ; କିନ୍ତୁ ପ୍ରକୃତି ସ୍ତ୍ରୀକୁ ଭୋଗର ସାମଗ୍ରୀ କରିବାକୁ ଯେ ଇଚ୍ଛା, ତାହା ଆମଠାରୁ–ଆମ ସମାଜର ସମସ୍ତଙ୍କଠାରୁ ଯାଇଛି କି ? ତାହା ନ ଗଲା ପର୍ଯ୍ୟନ୍ତ ସ୍ତ୍ରୀ ସ୍ୱାଧୀନତା କଥା କେବଳ କଥାରେହିଁ ରହିବ ।

 

‘‘ମନୁଷ୍ୟ ବ୍ୟତୀତ ଆଉ ସବୁ ଜୀବଜନ୍ତୁ, ପକ୍ଷୀପତଙ୍ଗଙ୍କ ଭିତରେ ସ୍ତ୍ରୀ ସ୍ୱାଧୀନତା ଅଛି । ସେମାନଙ୍କ ସମାଜରେ ପୁରୁଷ ଓ ସ୍ତ୍ରୀର ଆସନ ସମାନ; ପୁରୁଷ ଯାହା କରୁଛି, ସ୍ତ୍ରୀ ସେଥିରେ ସହଯୋଗ କରିପାରୁଛି । କାହିଁକି ? ସେମାନ ପ୍ରକୃତିର ନିୟମ ପାଳନ କରୁଛନ୍ତି ବୋଲି । କିନ୍ତୁ ମନୁଷ୍ୟ ପ୍ରକୃତିର ନିୟମ ପାଳୁଛି କି ? ଗୋଟିଏ କଥାରୁ ବେଶ୍‌ ବୁଝିବେ ।

 

‘‘ଗର୍ଭଧାରଣ ସ୍ତ୍ରୀମାନଙ୍କର ଗୋଟିଏ ପ୍ରଧାନ କର୍ତ୍ତବ୍ୟ ଏବଂ ସ୍ତ୍ରୀ ଏ କର୍ତ୍ତବ୍ୟ କରୁଥିଲାବେଳେ ତାକୁ ବିଶିଷ୍ଟ ବ୍ୟବହର ଦେଖାଇବା ଆମ୍ଭମାନଙ୍କର କର୍ତ୍ତବ୍ୟ । ଗର୍ଭଧାରଣ ଈଶ୍ୱରଙ୍କ ସୃଷ୍ଟିର ଉଦ୍ଦେଶ୍ୟ ସାଧନର ଗୋଟିଏ ଅଙ୍ଗ ବୋଲି ଯଦି ତୁମେ ମନେକର, ତେବେ ଐଶ ଉଦ୍ଦେଶ୍ୟର ସେହି ଅଙ୍ଗ ସାଧିତ ହେଲାବେଳେ ବା ସ୍ତ୍ରୀ ତାର ଶିଶୁମାନଙ୍କୁ ପାଳୁଥିବା ଅବସ୍ଥାରେ ତା ପ୍ରତି କାମାତୁର ହୋଇ ଦୃଷ୍ଟି ପକାଇବା ପାପ । ଏକଥା ଜୀବଜନ୍ତୁ ମାନୁଛନ୍ତି; କିନ୍ତୁ ମନୁଷ୍ୟ ମାନୁଛି କି ? ମନୁଷ୍ୟର ଗର୍ଭଧାରଣ ଓ ଶିଶୁପାଳନରେ କୌଣସି ପବିତ୍ରତା ଅଛି ବୋଲି ବୁଝୁଛି କି ? ମନୁଷ୍ୟର କର୍ମପନ୍ଥାର ମାପକାଠି ଡାକ୍ତରର ମତ । ଡାକ୍ତର ଯେପର୍ଯ୍ୟନ୍ତ ଯେ କାର୍ଯ୍ୟକୁ ଦେଲେ ସେ ପର୍ଯ୍ୟନ୍ତ କିଛି ଦୋଷ ନାହିଁ ।

 

‘‘ଆଉ ଏ ଡାକ୍ତରମାନେ ! ମନୁଷ୍ୟ ସେମାନଙ୍କ ଉପରେ ଏତେ ନିର୍ଭର କରୁଛି । କିନ୍ତୁ ସେମାନେ ନିଜର ଦାୟିତ୍ୱ ବୁଝି କାର୍ଯ୍ୟବିଧାନ କରୁଛନ୍ତି କି ? ବୈଜ୍ଞାନିକମାନେ ଏତେ ଲେଖା କଥା ଆବିଷ୍କାର କରୁଛନ୍ତି; କିନ୍ତୁ ମନୁଷ୍ୟର କି ନୀତିରେ ଜୀବନଯାପନ କରିବାର କଥା, ତାହା ସେମାନେ କେତେବେଳେ ଚିନ୍ତା କରୁଛନ୍ତି କି ? ବୈଜ୍ଞାନିକ ନୂଆ ନୂଆ ଔଷଧ ଆବିଷ୍କାର କରି ପ୍ରକୃତିର ନିୟମ ଲଙ୍ଘନ କରିବା ପାଇଁ ପ୍ରଶୟ ଦେଉଛି ଏବଂ ପ୍ରକୃତିର ନିୟମ ଲଙ୍ଘନ ଫଳରେ ଯେଉଁ ପ୍ରତିଫଳ ମନୁଷ୍ୟ ମୁଣ୍ଡକୁ ଆସୁଛି, ତାହା ଦୂର କରିବା ପାଇଁ ଡାକ୍ତରମାନେ ଔଷଧ ବ୍ୟବସ୍ଥା କରି ପାପର ଗୁରୁତ୍ୱ ବୁଝିବା ପାଇଁ ଆମ୍ଭମାନଙ୍କୁ ଅବସର ଦେଉନାହାନ୍ତି । ଡାକ୍ତର ଯାହା କରୁଛନ୍ତି, ତା ଫଳରେ ଆମ୍ଭମାନଙ୍କୁ ପାପ ବେଶୀ ଗ୍ରାସୁଛି ଏବଂ ନାରୀ ଆମ୍ଭମାନଙ୍କର ଅଧିକରୁ ଅଧିକତର ଦାସୀ ହେଉଛି । ଏ କଥା ବାହୁଲ୍ୟ କରି ଆପଣଙ୍କୁ ବୁଝାଇବାର କୌଣସି ପ୍ରୟୋଜନ ନାହିଁ ।’’

 

ବାସ୍ତବିକ କୌଣସି ପ୍ରୟୋଜନ ନ ଥିଲା । ମୁଁ ଚନ୍ଦ୍ରମଣି ବାବୁଙ୍କ କଥା ଶୁଣି ବୁଝିପାରିଥିଲି । ମୋ ଆଖି ଆଗରୁ ସତେ ଯେପରି ପରଳ ଉଠି ଯାଉଥିଲା ।

 

ଚନ୍ଦ୍ରମଣି ବାବୁ ହଠାତ୍‌ କିଛି ସମୟ ତୁନି ହୋଇ ରେଳ ଝରକା ବାଟେ ବାହାରର ଅନ୍ଧାରକୁ ନିର୍ନିମେଷ ଦୃଷ୍ଟିରେ ଚାହିଁ ରହି ତା’ପରେ କ୍ଷମା ମାଗିଲା ପରି ମୋତେ କହିଲେ, ‘‘ଆପଣ ମୋତେ ପାଗଳ ବୋଲି ମନେକରୁଥିବେ । ମୁଁ ଏପରିଗୁଡ଼ାଏ ଅନର୍ଥକ ବକୁଛି ବୋଲି ମନେକରୁଥିବେ । ନା, ମୁଁ ଆପଣଙ୍କୁ ମୋର ସ୍ତ୍ରୀଙ୍କୁ ହତ୍ୟା କରିବାର କାହାଣୀ କହୁଛି । ଏ ବିଷୟରେ ମୁଁ ଏତେ ଚିନ୍ତା କରିଛି ଯେ, ମୋର ଅନିଚ୍ଛାରେ ମୋ ଭାବଗୁଡ଼ାକ କ୍ରମେ କ୍ରମେ ବାହାରି ପଡ଼ୁଛି ।’’

•••

 

(ଦଶ)

 

‘‘ଆଜ୍ଞା, ମୁଁ କହୁଥିଲି, ସ୍ତ୍ରୀମାନଙ୍କୁ ଆମ୍ଭେମାନେ ଦାସୀ ବୋଲି ମନେକରୁଥିବାରୁ ଏବଂ ଡାକ୍ତରମାନେ ତାଙ୍କ ଚିକିତ୍ସା ବଳରେ ପ୍ରକୃତିର ନିୟମ ଭାଙ୍ଗିବାକୁ ସାହାଯ୍ୟ କରିବାରୁ ସମାଜ ଭାଙ୍ଗିଯାଉଛି । ସ୍ତ୍ରୀ ପୁରୁଷ ସମ୍ବନ୍ଧରେ ଅପବିତ୍ରତା ପଶୁଛି ଏବଂ ଠିକ୍‌ ଏହି କାରଣରୁ ମୁଁ ମୋ ସ୍ତ୍ରୀକୁ ହତ୍ୟା କରିଛି । ମୋର ଗଳ୍ପ ଶେଷରେ ଆପଣ ଏକଥା ପରିଷ୍କାର ବୁଝିବେ । ଯାହା ହେଉ, ବର୍ତ୍ତମାନ ମୋ ଗଳ୍ପକୁ ଆସେ ।

 

‘‘ମୁଁ କହୁଥିଲି ମୋ ସ୍ତ୍ରୀ ଓ ମୋ ମଧ୍ୟରେ ଜାଗରୂକ ହୋଇଥିବା ଘୃଣା କଥା । କ୍ରମେ କ୍ରମେ ଏହି ଘୃଣା ତାର ସଙ୍ଗୀରୂପେ ଅବିଶ୍ୱାସକୁ ଡାକି ଆଣିଲା । ତା ମନରେ ମୋ ପ୍ରତି ଅବିଶ୍ୱାସ ଆସିଲା କି ନାହିଁ କେଜାଣି ମୁଁ ଅନ୍ତତଃ ତା ପ୍ରତି ପୂରା ଅବିଶ୍ୱାସ କରିବାକୁ ଲାଗିଲି । ସେ ଅବିଶ୍ୱାସ ମୂଳରେ ସେହି ଡାକ୍ତରମାନେ ।’’

 

ମୁଁ ଟିକିଏ ଜିଜ୍ଞାସୁ ନୟନରେ କହିଲି, ‘‘ଆପଣଙ୍କର ଡାକ୍ତରଙ୍କ ଉପରେ ତ ଭାରି ରାଗ-!’’

 

ସେ ହଠାତ୍‌ ଉତ୍ତେଜିତ ହୋଇ ଉଠିଲେ, ‘‘କଣ ? ମୋର ରାଗ ହେବାଟା ତେବେ ଅନ୍ୟାୟ ! ଆପଣ ମୋର ଇତିହାସ ଟାଉଲ କରି ଶୁଣିଲା ପରେ ବୁଝିବେ, କିପରି ଏ ଡାକ୍ତରମାନେ ମୋର ସର୍ବନାଶର ମୂଳ କାରଣ ।

 

ମୋର ସ୍ତ୍ରୀର ଗୋଟିଏ ପୁତ୍ର ଜାତ ହେଲା । ପୁତ୍ର ଉତ୍ପନ୍ନ କରିବା ଯଦି ମାତାର କର୍ତ୍ତବ୍ୟ ତେବେ ତାର ଲାଳନ ପାଳନର ଭାର ନେବା ତା ପକ୍ଷରେ ଦୁଇଗୁଣ କର୍ତ୍ତବ୍ୟ କିନ୍ତୁ ମୋ ସ୍ତ୍ରୀ ତାର ପ୍ରଥମ ପୁତ୍ରକୁ ପାଳି ମାତୃତ୍ୱର ପବିତ୍ରତାର ଅଧିକାରିଣୀ ହେବା ବାଟରେ ଏହି ଡାକ୍ତରମାନେ ପ୍ରତିବନ୍ଧକ ହୋଇ ଠିଆ ହେଲେ । ଯଦି ସେ ସ୍ୱାଭାବିକ ଭାବରେ ପୁତ୍ରର ସମସ୍ତ ଭାର ନେଇଥାନ୍ତା, ତେବେ ହୁଏତ ଆମ୍ଭମାନଙ୍କ ମଧ୍ୟରେ ଥିବା ବିରୋଧ ଭାବ ଦୂର ହୋଇ ପାରିଥାନ୍ତା ଏବଂ ଆଜି ସେ ଓ ମୁଁ ଏକସଙ୍ଗରେ ମହା ଐଶ୍ୱର୍ଯ୍ୟରେ ବାସ କରୁଥାନ୍ତୁ । ଥାଉ ସେ ଚିନ୍ତାରେ ଫଳ କଣ ?’’

 

ଦୀର୍ଘ ନିଶ୍ୱାସଟିଏ ମାରି ସେ ପୁଣି କହିଲେ, ‘‘ଆମ୍ଭମାନଙ୍କର ପ୍ରଥମ ପୁତ୍ରର ଜନ୍ମପରେ ଡାକ୍ତର ମୋ ଘରକୁ ଆକ୍ରମଣ କଲେ । ମୋ ସ୍ତ୍ରୀର ଭିତର ବାହାର ସବୁ ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରିବା ବାହାନାରେ ବୁହେ ଦରାଣ୍ତିଲେ । ଏସବୁ ପାଇଁ ପୁଣି ମୋତେ କୃତଜ୍ଞତା ପ୍ରକାଶ କରିବାକୁ ପଡ଼ିଲା ଏବଂ ସେମାନଙ୍କୁ ଫିସ୍‌ ଟଙ୍କା ଗଣିବାକୁ ପଡ଼ିଲା । ଟଙ୍କା ଧରି ସେମାନେ ବ୍ୟବସ୍ଥା ଦେଲେ, ମୋ ସ୍ତ୍ରୀ ଅତି ଦୁର୍ବଳ; ପିଲାକୁ ଦୁଧ ଦେଲେ ତାର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବ ଏବଂ ପିଲାର ବି କ୍ଷତି ହେବ ।

 

‘‘ଫଳରେ ଗୋଟିଏ ଦରିଦ୍ର ମା’ର ଅସହାୟତାର ସୁଯୋଗ ପାଇ ଆମ୍ଭେମାନେ ତାକୁ ଧାଈ କରି ନିଯୁକ୍ତ କଲୁଁ ଏବଂ ମୋ ସ୍ତ୍ରୀ ମାତୃତ୍ୱର ଗୋଟିଏ ମୌଳିକ ଅଧିକାର ନିଜ ହାତରୁ ଛାଡ଼ି ଆଶ୍ୱସ୍ତ ହେଲା ।

 

‘‘ଏହି ବିଷୟ ମୋ ହୃଦୟରେ ଘୋର ଆଘାତ ଦେଲା । ମୁଁ ମନେ ମନେ ବିଚାରିଲି, ଆଚ୍ଛା, ଏ ତ ମୋର କର୍ତ୍ତବ୍ୟ । ଏଡ଼େଶୀଘ୍ର ଟିକିଏ କୁଣ୍ଠା ଅନୁଭବ ନ କରି ଛାଡ଼ି ଦେଲା । ସ୍ତ୍ରୀ କର୍ତ୍ତବ୍ୟ ଛାଡ଼ି ଦେବାକୁ କେତେ ବେଳ ? ମୋ’ଠାରୁ ଅନୁରକ୍ତି କାଢ଼ି ନେଇ ତାହା ଅନ୍ୟଠାରେ ସ୍ଥାପନ କରିବା ଅସମ୍ଭବ କାହିଁକି ?

 

‘‘ଏହିଠାରେ ମୋର ଅବିଶ୍ୱାସର ମୂଳ । ମୋର ସ୍ତ୍ରୀର ମାତୃତ୍ୱରେ ଅବହେଳା ମୋ ସନ୍ଦେହକୁ ଜାତ କରାଇଲା ଏବଂ ତାର ମାତୃତ୍ୱ ପୁଣି ସେ ସନ୍ଦେହ ମୂଳରେ ଜଳସେଚନ କରି ତାକୁ ବଢ଼ାଇଲା । ବୁଝିପାରୁ ନାହାନ୍ତି କି ?

 

‘‘ମୋ ସ୍ତ୍ରୀ ଶିଶୁକୁ ସ୍ତନ୍ୟ ଦାନ କରିବା ଅଧିକାର ସିନା ଅନ୍ୟକୁ ଦେଇଥିଲା; ଶିଶୁ ଯେ ତାର, ମନକୁ ଶିଶୁଚିନ୍ତା ଯାଉଛି କେତେକେ । ଦିବାରାତି ତାର ମନ ଶିଶୁଠାରେ ଥାଏ । ପିଲାର କେତେବେଳେ ଦିହ ହେଲା, ମୁଣ୍ତ ହେଲା, ସେ ବିଷୟ ନେଇ ସେ ବାଧ୍ୟହୋଇ ଅନେକ ସମୟରେ ବ୍ୟସ୍ତ ରହୁଥାଏ । ତାହା ଦେଖି ମୋର ସନ୍ଦେହ ଦୃଢ଼ ହେଲା । ସେ ଶିଶୁକୁ ସ୍ତନ୍ୟ ନ ଦେବାରୁ ବା ସେଥିପାଇଁ ବ୍ୟାକୁଳତା ପ୍ରକାଶ ନ କରିଥିବାରୁ ମୁଁ ସ୍ଥିର ବୁଝି ନେଇଥିଲି ଯେ ସେ ମାତୃପ୍ରବୃତ୍ତି-ହୀନ-। ବର୍ତ୍ତମାନ ପିଲା ପାଇ ଚିନ୍ତା କରି ମୋ ପ୍ରତି ବିଶେଷ ଦୃଷ୍ଟି ନ ଦେବାରୁ ମୁଁ ମନେ ମନେ ସିଦ୍ଧାନ୍ତ କଲି ଏହା ଗୋଟିଏ ଛଳନା । ବାସ୍ତବିକ ତାର ଶିଶୁପ୍ରତି ଅନୁରକ୍ତି ନାହିଁ । ମୋ ପ୍ରତି ଅସୂୟା ଆସିଲାଣି । ମୋ’ଠାରୁ ଅଲଗା ରହିବା ପାଇଁ ତାର ସବୁବେଳେ ଇଚ୍ଛା ହେଉଛି । ସେହି ଇଚ୍ଛା ଲୁଚାଇ ରଖିବା ପାଇଁ ଶିଶୁ ବିଷୟରେ ଏ ଅନୁରକ୍ତ ହୋଇ ଛଳନା କରୁଛି । ସନ୍ଦେହ, ଘୃଣା ବିଦ୍ୱେଷ ସବୁ ଏହିରୂପେ ବଢ଼ିବାକୁ ଲାଗିଲା ।

 

‘‘ଏ ସବୁ ଯେ ମାତ୍ରାରେ ଦିନକୁ ଦିନ ବଢ଼ି ଆସୁଥିଲା, ସେହିପରି ବଢ଼ିବାର ସୁଯୋଗ ପାଇଥିଲେ ଏବଂ ମୋ ସ୍ତ୍ରୀ ଶିଶୁମାନଙ୍କର ପାଳନରେ ଡାକ୍ତରଙ୍କ ଆଦେଶରେ ପ୍ରଥମରୁ ଯେଉଁ ଟିକକ ଅବହେଳା ଦେଖାଇଥିଲା ବୋଲି ମୁଁ ମନେକରୁଥିଲି, ସେହିପରି ଅବହେଳା କ୍ରମାଗତ ଚାଲିଥିଲେ ଅତି ଅଳ୍ପଦିନ ଭିତରେ ଶେଷ ପରିଣତର ସମୟ ପହୁଞ୍ଚି ଯାଇଥାନ୍ତା; କିନ୍ତୁ ପ୍ରଥମପୁତ୍ର ପରେ ଆଉ ଯେଉଁ ୫ଟି ଜନ୍ମ ହେଲେ, ସେମାନଙ୍କୁ ସ୍ତନ୍ୟଦାନ ମୋ ପ୍ରରୋଚନାରେ ଡାକ୍ତର ପରାମର୍ଶକୁ ଅବଜ୍ଞା କରି ସେ ନିଜେ ଗ୍ରହଣ କରିବାକୁ ଏବଂ ପିଲାଙ୍କ ଅଳିଝଳି, ହାଲ ହଇକତ୍‌ ବୁଝିବାରେ ତାର ବହୁତ ସମୟ ଯିବା ହେତୁ ମୋର ତାର ସଂଘର୍ଷ ବେଶୀ ବାଧିଲା ନାହିଁ ଏବଂ ଶେଷ ପରିଣତିରେ ଦିନ ଟିକିଏ ପଛେଇ ଗଲା ।’’

 

ମୁଁ ଏହିଠାରେ ପଚାରିଲି, ‘‘ଆପଣଙ୍କ ପିଲାଟିମାନ ବର୍ତ୍ତମାନ କେଉଁଠାରେ ?’’

 

ତାଙ୍କ ହୃଦୟର ଗୋଟିଏ କୋମଳ ଜାଗାରେ ମୋର ଏ ପ୍ରଶ୍ନ ଆଘାତ ଦେଲା । ସେ ଛଳଛଳ ଆଖିରେ କହିଲେ, ‘‘ମୋ ପିଲାଟିମାନେ ? ମୋର କଣ ? ସେମାନେ ବର୍ତ୍ତମାନ ଆଉ ମୋର ନୁହନ୍ତି ।

 

‘‘ମୁଁ ବି ସେମାନଙ୍କୁ ମୋର ବୋଲି ବିଚାରିଥିଲି ଏବଂ ମୋ ସ୍ତ୍ରୀର ଭଉଣୀ ପାଖରୁ ସେମାନଙ୍କୁ ବାହାର କରି ଆଣିବାପାଇଁ ହାଜତରୁ ମୁକ୍ତି ପାଇବା ମାତ୍ରେ ଧାଇଁଥିଲି । କିନ୍ତୁ ଭଉଣୀ ମୋତେ ପାଗଳ ବୋଲି ଅବଜ୍ଞା କଲେ ଏବଂ ମୋର ପିଲାମାନେ ମୋତେ ଭୟ କରି ମୋ ପାଖ ପଶିବାକୁ ସୁଦ୍ଧା କୁଣ୍ଠିତ ହେଲେ । ବର୍ତ୍ତମାନ ସେମାନେ ତାଙ୍କ ମାଉସୀ ପାଖରେ । ଅନ୍ୟାନ୍ୟ ସମସ୍ତଙ୍କ ପରି ରାକ୍ଷସ ରାକ୍ଷସୀ ହେବା ନିମନ୍ତେ ଶିକ୍ଷା ପାଉଛନ୍ତି ।

 

‘‘ପିଲାମାନଙ୍କ ବିଷୟ ପଡ଼ିବାରୁ ମୋର ସେହି ଡାକ୍ତରମାନଙ୍କ କଥା ପୁଣି ମନେପଡ଼ିଗଲା । ଡାକ୍ତରମାନେ ଆମ ସମାଜରେ କି ବିପ୍ଳବ ଓ ଅଧଃପତନର ମଞ୍ଜି ବୁଣିଛନ୍ତି, ଦେଖିବେ? ପୂର୍ବକାଳରେ ପିଲାପିଲି ଥିଲେ ଈଶ୍ୱରଙ୍କର ଅନୁଗ୍ରହର ନିଦର୍ଶନ; ତାଙ୍କର ଶ୍ରେଷ୍ଠ ଦାନ । କିନ୍ତୁ ବର୍ତ୍ତମାନ ଆଉ ତାହା ଅଛି କି ? ଆଜି ପିଲାପିଲି ଆମ୍ଭମାନଙ୍କର ଏକପ୍ରକାର କଣ୍ଟକ ! ପିତାମାତା ଦିନରାତି ସବୁବେଳେ ସେମାନେ କିପରି ସୁସ୍ଥ ରହିବେ, ସୁଖରେ ରହିବେ, ତାହା ଚିନ୍ତା କରୁଛନ୍ତି । ଏହାର ମୂଳରେ ଡାକ୍ତରଙ୍କ ବିଦ୍ୟା ।

 

‘‘ପୂର୍ବକାଳରେ ପିଲାଟିଏ ରୋଗରେ ପଡ଼ି ମରିଯାଉଥିଲେ, ପିତାମାତା ମନକୁ ସାନ୍ତ୍ୱନା ଦେଉଥିଲେ, ‘‘ହଉ, ଦୁଃଖ କାହିଁକି ? ପରମେଶ୍ୱର ଦେଇଥିଲେ; ପୁଣି ତାଙ୍କ ମନକୁ ପାଇଲା, ସେ ନେଇଗଲେ । ପରମେଶ୍ୱରଙ୍କ ଇଚ୍ଛାରେ ବାଧା ଦେବା ମନୁଷ୍ୟର କି ସାମର୍ଥ୍ୟ ?’’ ପିଲାଟିଏ ବେମାରୀ ହୋଇପଡ଼ିଲେ, ପିତାମାତା ପରମେଶ୍ୱରଙ୍କୁ ଡାକୁଥିଲେ । କିନ୍ତୁ ଆଜି ବେମାରୀ ହେଲେ, ଡାକ୍ତରଙ୍କୁ ଡାକ । ଡାକ୍ତର ନାରାୟଣ ସାଜିଛନ୍ତି । ବାସ୍ତବିକ୍‌ ନାରାୟଣଙ୍କ ଶକ୍ତି ଯଦି ଡାକ୍ତରଙ୍କଠାରେ ଥାନ୍ତା, ତେବେ ଅଲଗା କଥା । ଅବଶ୍ୟ କେତେଜଣଙ୍କଠାରେ ଏ ଶକ୍ତି ଯେ ନାହିଁ, ତାହା ନୁହେ । କିନ୍ତୁ ଅଧିକାଂଶ ଟିକଟମରା ଡାକ୍ତର । ସେମାନେ ରୋଗ ନିର୍ଣ୍ଣୟ କରି ଜାଣନ୍ତି ନାହିଁ-। ଜାଣିଲେ ସୁଦ୍ଧା କରନ୍ତି ନାହିଁ । ଆସି ହୁକୁମ ଦେଇଯାନ୍ତି, ‘‘ଅମୁକ ଖାଦ୍ୟ ଖାଅ, ଅମୁକ ଆଡ଼େ ମୁହଁ କରି ଶୁଅ; ଇତ୍ୟାଦି ।’’ ସମସ୍ତଙ୍କର ଏକ ନିର୍ଦ୍ଦେଶ ହୋଇଥିଲେ ରକ୍ଷା ଥିଲା । କିନ୍ତୁ କୌଣସି ଦୁଇ ଡାକ୍ତରଙ୍କ ଉପଦେଶ ଏକ ହେବା ବିରଳ । ଡାକ୍ତରଙ୍କ ଉପଦେଶରେ ଆଜିକାଲି ପିଲାଙ୍କ ମୃତ୍ୟୁସଂଖ୍ୟ; କିଛି ନା କିଛି ବଢ଼ିଛି । ସେ ବିଷୟରେ ନାନା ମତ; ମୁଁ ମୋର ମତ ଦେବା ଦରକାର ନାହିଁ । କିନ୍ତୁ ମୋର ଆପତ୍ତି ଏତିକି, ଡାକ୍ତରମାନେ ତାଙ୍କ ଔଷଧର ବାହାଦୂରୀ ଦେଖାଇ, ବୈଜ୍ଞାନିକମାନେ ବିଜ୍ଞାନର ବଢ଼ାଇ କରି ଆମ ଜୀବନକୁ ବଡ଼ ନୀରସ କରି ପକାଇଛନ୍ତି । ଆମ୍ଭେମାନେ ଈଶ୍ୱରଙ୍କୁ ଛାଡ଼ିଥାଇଁ । ବିଧାତା ଆଜି କାଲି ଟଙ୍କା, ଔଷଧ ଓ ଡାକ୍ତରରୂପେ ଆବିର୍ଭୂତ ହୋଇଛନ୍ତି ବୋଲି ଆମ୍ଭମାନଙ୍କର ମନେହେଉଛି ।

 

‘‘ସ୍ତ୍ରୀ, ସ୍ୱାମୀ ସମ୍ପର୍କରେ ମଧ୍ୟ ବିପ୍ଳବ ଘଟାଇଛନ୍ତି ଏହିମାନେ । ଆଗ ନୀତି ଥିଲା, ନିୟମ ଶୃଙ୍ଖଳା ଥିଲା । କିନ୍ତୁ ଆଜି ସେ ସବୁ ପୁରୁଣାକାଳିଆ କୁସଂସ୍କାର ବୋଲି ଦୂରକୁ ପାଇଛି । ବର୍ତ୍ତମାନ କଣ ସ୍ୱାସ୍ଥ୍ୟକର, କଣ ଅସ୍ୱାସ୍ଥ୍ୟକର ଏହି ବିଚାରରେ ଆଚରଣ ନିୟମିତ ହେଉଛି ଏବଂ କୌଣସି ବେନିୟମ କରି ଅସୁସ୍ଥ ହୋଇଗଲେ ଡାକ୍ତର ତାଙ୍କ ଔଷଧ ବାକ୍ସରେ ସଗର୍ବେ ହାତ ପକାଇ ସାହସ ଦେଉଛନ୍ତି, ‘ଭୟ ନାହିଁ, ଆମେ ଅଛୁ, ନିର୍ଭୟରେ ଅନ୍ୟାୟ ଅନାଚାର କର; ଶିଶି ମୂଲ୍ୟ ଦୁଇଟଙ୍କା । ଏତିକି କିଣିଲେ ସବୁ ଦୋଷ ମାଫ୍‍ ! ’’

 

‘‘ଆଜି ବଜାରରେ ଏତେ ବିଜ୍ଞାପନ ବାହାରୁଛି । କି ରୋଗ କି ଔଷଧ ବିଷୟରେ ବିବୃତ୍ତି ଏବଂ ପ୍ରଶଂସାପତ୍ର ଖବରକାଗଜ ଆସି ଆମ କାନରେ ଆମ ଅନିଚ୍ଛାସତ୍ତ୍ୱେ କହିଯାଉଛି । କିନ୍ତୁ କେହି ବିଜ୍ଞାପନ ଦେଉଛି କି, ଜୀବନକୁ ଏପରି ନିୟମରେ ଚଳାଅ ? ଏହା ଗର୍ହିତ, ଏହା ହିତ, ଏହା ପ୍ରକୃତି ନିର୍ଦ୍ଦିଷ୍ଟ, ଏହା ପ୍ରକୃତି-ଅନିର୍ଦ୍ଦିଷ୍ଟ । ଏପରି ବିଜ୍ଞାପନ ଆଜି ରୁଚିବିରୁଦ୍ଧ । ଯଦି କେହି ଏପରି କଥା କହିବାକୁ ବାହାରେ, ତେବେ ଲୋକେ ତାକୁ ସତେ ଗାନ୍ଧିଙ୍କ ଅବତାର ବୋଲି କହି ଟାହୁଲି କରିବେ ।

 

‘‘ଆଜିକାଲିର ତଥାକଥିତ ଶିକ୍ଷା ଫଳରେ ବିବାହରୁ ପବିତ୍ରତା ଯାଇଛି, ସ୍ତ୍ରୀଗମନ କରିବା ଆମ୍ଭମାନଙ୍କର ବିଳାସ ହୋଇଛି ଏବଂ ନିତାନ୍ତ ପିଲା ପୋଷିବା ଅସମ୍ଭବ ହୋଇପଡ଼ିଲେ ଡାକ୍ତର କାର୍ବୁଲିକ୍‌ଲୋସନ୍‌ ବା ଫ୍ରେଞ୍ଚକ୍ୟାପ୍‌ର ବ୍ୟବସ୍ଥା କରି ଦେଉଛନ୍ତି ଏବଂ କ୍ୟାପ୍‌ ଓ ଲୋସନ୍‍ ବଳରେ ଯଥେଚ୍ଛାଚାର କରିବାକୁ ପ୍ରଶ୍ରୟ ଦେଉଛନ୍ତି ।

 

‘‘ଛାଡ଼ନ୍ତୁ ସେ କଥା । ଗୁଡ଼ାଏ ଅବାନ୍ତର ପ୍ରସଙ୍ଗ ଉଠାଇଲି । ତେବେ ଏ ପିଲାଙ୍କ ବିଷୟ ନିତାନ୍ତ ଅବାନ୍ତର ନୁହେ । ମୋର ପିଲାପିଲିଗୁଡ଼ିଙ୍କ ଯୋଗୁ ଶେଷ ଦୁର୍ଘଟନାର କାଳ ଟିକିଏ ଗଡ଼ିଗଲା ନିଶ୍ଚୟ, କିନ୍ତୁ ମୋ ସ୍ତ୍ରୀ ଓ ମୋ ମଧ୍ୟରେ ଥିବା ଘୃଣା ଓ ବିଦ୍ୱେଷଭାବ ପିଲାଙ୍କ ଯୋଗୁଁ ଟିକିଏ ମଧ୍ୟ ବଢ଼ିଲା । ବଡ଼ପୁଅଟି ମୋର କ୍ରମେ ବଡ଼ ପ୍ରିୟ ହୋଇଉଠିଛି ଏବଂ ସବାସାନ କୋଡ଼ପୋଛା ଝିଅଟି ପ୍ରତି ମୋ ସ୍ତ୍ରୀ ଅନୁରକ୍ତ ହେଲା । ଏହି ପକ୍ଷପାତ ଅନୁରକ୍ତି କେତେ କଳିର କାରଣ ହୋଇଛି, ତାହାର ଗଣନା କରିପାରିବି ନାହିଁ । ପିଲାଟିମାନେ ବଢ଼ିଲାରୁ ସେମାନଙ୍କ ଚରିତ୍ର ଆମରି ଚରିତ୍ର ଭଳିଆ ହୋଇଗଲା । ବଡ଼ପୁଅ କଳିଗୋଳରେ ମୋ ପକ୍ଷ ଧରିଲା ଏବଂ ଝିଅଟି ତା ମା’ର ପକ୍ଷରେ ରହିଲା । ଏହିପରି କଳିରେ ସହାୟକ ମିଳିବାରୁ ଆମ୍ଭମାନଙ୍କର କଳହମଜ୍ଜାରେ ପୂର୍ବାପେକ୍ଷା ଅଧିକ ଗୁରୁତର ହେବା ସାଙ୍ଗେ ସାଙ୍ଗେ ବାହାରକୁ ମଧ୍ୟ ବଡ଼ ଆକାର ଧରି ଜଣାପଡ଼ିଲା ।

•••

 

Unknown

(ଏଗାର)

 

‘‘ଏହିପରି ଦିନକୁ ଦିନ ବର୍ଷକୁ ବର୍ଷ ଚାଲିଲା । ଆମ ସ୍ତ୍ରୀପୁରୁଷ ଦୁଇଜଣଙ୍କର ଖୁବ୍‌ ଅଳ୍ପଦିନ ଭଲରେ କଟୁଥାଏ । କେବଳ ପରସ୍ପର ମଧ୍ୟରେ ବିଶେଷତଃ ଶତ୍ରୁତା ବଢ଼ିବାକୁ ଲାଗିଲା । ଆଗ ମତଭେଦ ହେବାରୁ କଳି ହେଉଥିଲା । ଏଥର ଏଣିକି କଳି କରିବା ପାଇଁ ଆମ୍ଭେମାନେ ମତଭେଦ ସୃଷ୍ଟି କଲୁ । ସେ ଯାହା କହେ, ଯେ ଇଚ୍ଛା ପ୍ରକାଶକରେ, ମୁଁ ସେ କଥା ଆଉ ଇଚ୍ଛାର ବିରୁଦ୍ଧାଚରଣ କରିବାକୁ ଆଗରୁ ପ୍ରସ୍ତୁତ ହୋଇଥାଏ ଏବଂ ସେ ମୋ ଠାରୁ ଯେପରି ବ୍ୟବହାର ପାଏ, ମୋତେ ସେହିପରି ବ୍ୟବହାର ଫେରାଇଦେବା ନିମନ୍ତେ ଟିକିଏ କୁଣ୍ଠିତ ହୁଏ ନାହିଁ ।

 

‘‘ବିବାହ କରିବାର ୫।୬ ବର୍ଷ ପରେ ଆମ୍ଭେମାନେ ବେଶ୍‍ ବୁଝିଗଲୁ ଯେ, ଆମ୍ଭମାନଙ୍କର ପରସ୍ପରର ମତ ମିଳିବାର ସମ୍ଭାବନା ଅତି ଅଳ୍ପ । ତେଣୁ ଆମ୍ଭେମାନେ ସେ ବୃଥା ଚେଷ୍ଟା ଛାଡ଼ିଲୁ । ପରିବାରର ସାଧାରଣ ବିଷୟରେ ପିଲାମାନଙ୍କ ଶିକ୍ଷା ଓ ଲାଳନପାଳନ ବିଷୟରେ ତାର ଗୋଟିଏ ମତ; ମୋର ଗୋଟିଏ ମତ । ସେ ତାର ସୁବିଧା ପଡ଼ିଲାବେଳେ ତା ଇଚ୍ଛା ଅନୁସାରେ ସବୁକାର୍ଯ୍ୟ କରିଯାଏ ଏବଂ ମୋ ସୁବିଧାବେଳେ ମୁଁ ମୋର ଇଚ୍ଛା ବଜାୟ ରଖିବାପାଇଁ ତତ୍ପର ଥାଏ । ତାର ଇଚ୍ଛାରେ ବାଧା ଦେବାକୁ ମୋର ସବୁବେଳେ ଇଚ୍ଛା ହେଉଥାଏ; କିନ୍ତୁ ମୁଁ କେବଳ କଳହ ଭୟରେ ତାର ସମ୍ମୁଖୀନ ହୁଏ ନାହିଁ । ଏକା ବସିଲାବେଳେ ଆମ୍ଭେମାନେ ଅତି ସାଧାରଣ ବିଷୟରେ କଥାବାର୍ତ୍ତା ହେଉଁ । ‘ବର୍ତ୍ତମାନ କେତେ ବାଜିଛି ? ଖାଇବାବେଳ ହେଲାଣି କି ନାହିଁ । ପିଲାର ଦେହ ଅସୁସ୍ଥ ଅଛି, ଡାକ୍ତର ଡାକିବି କି ? ଏହିପରି ବିଷୟରେ ଆମ୍ଭମାନଙ୍କର କଥାବାର୍ତ୍ତା ଚାଲେ । ମୋର ମନେହୁଏ, ପଶୁପକ୍ଷୀ ସୁଦ୍ଧା ଏତିକି କଥାବାର୍ତ୍ତା ହେଉଥିଲେ । କିନ୍ତୁ କିପରି କେବେ ଏହି ସୀମା ମଧ୍ୟରୁ କଥାବାର୍ତ୍ତା ଆଉ ଟିକିଏ ପଦାକୁ ଗଲେ କଳହର ସୂତ୍ରପାତ ହୋଇଯାଏ । ଏପରିକି ଯେ ସବୁ ବିଷୟରେ କେବେହେଁ ମତଭେଦ ହେବାର ସମ୍ଭାବନା ନ ଥାଏ, ତାହା ମତଭେଦର ବଡ଼ କାରଣ ହୋଇଉଠେ ଏବଂ କଳିତକରାଳ ଭୀଷଣଭାବରେ ଜାତ ହୋଇଥାଏ ।

 

‘‘ବାସ୍ତବିକ ମୋର ତା ପ୍ରତି ଏତେ ଘୃଣା ହୃଦୟରେ ବଦ୍ଧମୂଳ ହୋଇଥାଏ ଯେ, ତା’ର ଚାଲିବା, ଭାତ ବାଢ଼ିବା, ଭାତ ଖାଇବା ସବୁଥିରେ ମୁଁ ଘୃଣା ଓ ନିନ୍ଦା କରିବାର ଉପକରଣ ପାଏ । ମନେକରେ, ସତେ ଯେପରି ଏ ସଂସାରର ଆଉ କୌଣସି ସ୍ତ୍ରୀଲୋକ ସେପରି ଚାଲନ୍ତି ନାହିଁ କି ଖାନ୍ତି ନାହିଁ ।

 

‘‘କିନ୍ତୁ ବଡ଼ ରହସ୍ୟର କଥା, କିଛିକାଳ ଏହିପରି ଘୃଣା କରିବ ପରେ ତା ପ୍ରତି ପ୍ରେମଭାବ ଉଦୟ ହୁଏ । ବେଶୀ ଘୃଣା କରିବା ପରେ ବେଶୀ ପ୍ରେମ, ଅତି ଅଳ୍ପ ସମୟବ୍ୟାପୀ କଳହ ପରେ ସେହିପରି ଅତି ଅଳ୍ପ ସମୟବ୍ୟାପୀ ପ୍ରେମ ହୁଏ । ମୁଁ ଆଜି ବୁଝୁଛି, ଆମ୍ଭମାନଙ୍କର ଏହି ତଥାକଥିତ ପ୍ରେମ ଓ ଦାମ୍ପତ୍ୟ କଳହ ଗୋଟିଏ ପ୍ରବୃତ୍ତିର ଦୁଇଗୋଟି ବିଭାବ । ଏକଥା ସେ ସମୟରେ ଯଦି ମୁଁ ଜାଣିଥାନ୍ତି ବା ସେ ଜାଣିପାରିଥାନ୍ତା, ତାହାହେଲେ ଆମ୍ଭମାନଙ୍କ ଜୀବନ ବାସ୍ତବିକ୍‌ ଅସହ୍ୟ ହୋଇଥାନ୍ତା । କିନ୍ତୁ ଆମ୍ଭେମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ସମୟର ଅଧିକାଂଶ କଟାଉଥିବାରୁ ନିଜର ଅବସ୍ଥା ବୁଝିବାପାଇଁ ଅବସର ମିଳେ ନାହିଁ । ମୁଁ ମୋର ତାସ୍‌, ପଶା ଏବଂ ଦୈନଦିନ କାର୍ଯ୍ୟରେ ବ୍ୟସ୍ତ ଥାଏ । ସେ ତାର ଘରକରଣା, ପୋଷାକପରିଚ୍ଛଦ ଏବଂ ପିଲାଙ୍କ ଲାଳନପାଳନ, ଶିକ୍ଷାଦୀକ୍ଷା ନେଇ ବ୍ୟସ୍ତ ଥାଏ । ବେଶୀ ବେଳ ଅଲଗା ଅଲଗା ରହିବାରୁ ପରସ୍ପର ପ୍ରତି ପରସ୍ପରର କେତେ ଘୃଣା ଆମ୍ଭେମାନେ ଜାଣି ପାରୁନାହିଁ । କିନ୍ତୁ ଘୃଣା ଓ ବିଦ୍ୱେଷଭାବ ବଢ଼ିବାକୁ ଲାଗିଥାଏ ।

 

‘‘ଅଫିସରେ ବସି ଗତରାତ୍ରି ସେ ମୋ ପ୍ରତି ଯେ ଅନ୍ୟାୟ ବ୍ୟବହାର କରିଥିଲା, ତାହା ଚିନ୍ତାକରି ମୁଁ ପ୍ରତିହିଂସା ସାଧନ କରିବାର ଉପାୟ ଖୋଜୁଥାଏ ଏବଂ ମୋର ବିଶ୍ୱାସ ହେଉଛି, ସେ ମଧ୍ୟ ଘରକରଣାରେ ବ୍ୟସ୍ତଥିଲାବେଳେ ମୋ ଉପରେ ରକ୍ତଚାଉଳ ଚୋବାଉଥିବ । ଏହିପରି ଆହୁରି କେତେଦିନ ଗଲା ଏବଂ ଆମ୍ଭମାନଙ୍କ ବୈବାହିକ ଜୀବନର ଶେଷ ପରିଣତ ଯାହା ହେଲା, ତାହା ଯଦି ନ ହୋଇଥାନ୍ତା, ସେ ଯଦି ବଞ୍ଚିଥାନ୍ତା, ତାହା ହେଲେ ସେହିପରି ବର୍ତ୍ତମାନ ମଧ୍ୟ ଆମ୍ଭେମାନେ ସମୟ କଟାଉଥାନ୍ତୁ । ସ୍ୱତନ୍ତ୍ର ମନୋବୃତ୍ତି ଧରି ପରସ୍ପର ପ୍ରତି ଘୋର ଘୃଣା ହୃଦୟରେ ପୋଷି ଆମ୍ଭେମାନେ ଦୁଇଟି ଭିନ୍ନଜାତୀୟ ହିଂସ୍ର ଜନ୍ତୁ ଏକାଖୁଣ୍ଟିରେ ବନ୍ଧା ହେଲା ପରି ବର୍ତ୍ତମାନ ସୁଦ୍ଧା ସଂସାର କରୁଥାନ୍ତୁ । ଆମ୍ଭମାନଙ୍କ ଜୀବନ ଯେ କେତେ ବିଷମୟ ହୋଇଥିଲା ବୁଝିପାରି ନ ଥାନ୍ତୁ ।’’

 

ଏତିକି କହି ଚନ୍ଦ୍ରମଣି ବାବୁ ହଠାତ୍‍ କଥା ବନ୍ଦ କରି ମୋ ଆଡ଼କୁ ଚାହିଁଲେ ଏବଂ ଅତି ବିନୀତ ଭାବରେ କହିଲେ, ‘‘ମୁଁ ଗୁଡ଼ାଏ ଅବାନ୍ତର କଥା କହିଯାଉଛି । ଆପଣ ବିରକ୍ତ ଓ କ୍ଲାନ୍ତ ହେବେଣି । ବର୍ତ୍ତମାନ ସମୟ କେତେ ?’’ ମୁଁ ଘଣ୍ଟା ଦେଖିଲି, ‘‘ରାତି ଦୁଇଟା ହୋଇଛି । ସେ ପଚାରିଲେ, ଆପଣଙ୍କୁ ନିଦ ମାଡ଼ିବଣି, ମୁଁ କହିଲି, ‘‘ନା, ନିଦ ମାଡ଼ୁନାହିଁ, ଆପଣ କହି କହି ହାଲିଆ ହେବେଣି । ନ ହେଲେ ଶେଷ ପର୍ଯ୍ୟନ୍ତ ଶୁଣନ୍ତି ।’’ ସେ କହିଲେ, ‘‘ନା, ମୁଁ ହାଲିଆ ହୋଇନାହିଁ, କିନ୍ତୁ କାହିଁକି କେଜାଣି ମୋ ପାଟି ବନ୍ଦ ହୋଇ ଆସୁଛି । ଆସନ୍ତା ଷ୍ଟେସନ୍‌ରେ ମେଲାକୁ ଯାଇ ମୁନ୍ଦିଏ ପାଣି ପିଇବି, ତା’ପରେ କହିବି ?’’

 

ସେ ତାଙ୍କ ଜାଗାଟିରେ ବସି ରହିଲେ । କମ୍ବଳରେ ମୁହଁକୁ ଘୋଡ଼ାଇ ଦେଇଥାନ୍ତି । ବେଳେବେଳେ ତାଙ୍କର ସେ ଅଦ୍ଭୁତ ଚିତ୍କାର ଶୁଣାଯାଉଥାଏ । ବୋଧହୁଏ ତାଙ୍କ ଗଳ୍ପର ଆଉ ଯାହା କହିବାକୁ ବାକି ରହିଲା, ସେ କଥା ମନେପଡ଼ି ତାଙ୍କ କୋହ ଉଠୁଥାଏ ଏବଂ ସେ ଚେଷ୍ଟା କରି କାନ୍ଦ ବନ୍ଦ କରୁଥାନ୍ତି । ମୁଁ ତୁନିହୋଇ ବସି ସେ କହିଥିବା କଥାଗୁଡ଼ିକ ହୃଦୟ ଭିତରେ ଆଲୋଚନା କରୁଥାଏ । ଏହି ଆଲୋଚନାରେ ମୁଁ ଏତେ ନିବିଷ୍ଟ ଥିଲି ଯେ ଗାଡ଼ି କେତେବେଳେ ଆସି ଷ୍ଟେସନରେ ଲାଗିଲା ଏବଂ ସେ ମେଲାକୁ ଯାଇ ପାଣି ପିଇ ଫେରିଲେ, ସେ କଥା ମୁଁ ଜାଣି ପାରିଲି ନାହିଁ, ମୁଁ ଚାହିଁଲାବେଳକୁ ସେ ଫେରି ଗାଡ଼ି ଭିତରେ ପଶୁଛନ୍ତି ଏବଂ ଗାଡ଼ି ଷ୍ଟେସନ ଛାଡ଼ି ତାର ଗନ୍ତବ୍ୟ ପଥରେ ଯିବାକୁ ଉପକ୍ରମ କରୁଛି ।

•••

 

(ବାର)

 

‘‘କିଛିଦିନ ପରେ ଆମ୍ଭେମାନେ ସହରରେ ବାସ କରିବାକୁ ଗଲୁ- ସେଠାରେ ପିଲାମାନଙ୍କର ପଢ଼ାପଢ଼ିର ବେଶୀ ସୁବିଧା ହେବ ବୋଲି । ଏହି ସହରବାସ ଆମ୍ଭମାନଙ୍କର ସର୍ବନାଶର ବାଟ ପରିଷ୍କାର କରିଦେଲା । ସହରରେ ଜଣେ ଡାକ୍ତରଙ୍କ ସହିତ ଦେଖାହେଲା, ଭାରି ଖ୍ୟାତିନାମା ଡାକ୍ତର ସେ । ତାଙ୍କର ରୋଗ ନିବାରଣ କରିବାର କ୍ଷମତା, ଲୋକ ତାଙ୍କ ଘରର ଉଚ୍ଚତା ଏବଂ ମଟରଗାଡ଼ିର ସଂଖ୍ୟାରୁ ନିର୍ଣ୍ଣୟ କରନ୍ତି । ତାଙ୍କୁ ଦିନରାତି ବେଳ ମିଳୁ ନ ଥାଏ । ସେ, ତାଙ୍କ ମଟରଗାଡ଼ି ଓ ମଟରଚାଳକ ସକାଳ ଛଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁବେଳେ କାର୍ଯ୍ୟବ୍ୟସ୍ତ ଥାନ୍ତି । ଏକଥା ଶୁଣି ମୋ ସ୍ତ୍ରୀ ସେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ବଡ଼ ଉଦ୍‌ବିଗ୍ନ ହୋଇ ଉଠିଲା । ପ୍ରାୟ ସପ୍ତାହକାଳ ତାଙ୍କ ଅନୁସରଣ କରିବା ପରେ ସେ ତାହାଙ୍କୁ ଡାକ୍ତରୀଶାସ୍ତ୍ର ଅନୁଯାୟୀ ପରୀକ୍ଷା କଲେ ଏବଂ ବ୍ୟବସ୍ଥା ଦେଲେ ଯେ ସେ ଯେପରି ଆଉ ଭବିଷ୍ୟତରେ ଗର୍ଭଧାରଣ ନ କରେ । ଗର୍ଭଧାରଣ କରି ସନ୍ତାନ ଉତ୍ପାଦନ କରିବାର ଶକ୍ତି ଆଉ ତା’ର ନାହିଁ ।

‘‘ଏ ବ୍ୟବସ୍ଥାଟା ସାଧାରଣତଃ ଆପତ୍ତିଜନକ ମନେ ହୋଇ ନ ପାରେ । କିନ୍ତୁ ଆଜିକାଲି ଶତକଡ଼ା ୯୯ ଜଣଙ୍କୁ ଏଥିରେ ଆପତ୍ତି କରିଲାପରି କିଛି ଦେଖାଯାଉ ନାହିଁ । କିନ୍ତୁ ଏହି ବ୍ୟବସ୍ଥାଟି ହେଲା ଆମ୍ଭମାନଙ୍କର ବିବାହିତ ଜୀବନର କାଳ । ଅବଶ୍ୟ ଆମ୍ଭମାନଙ୍କର ପିଲାପିଲି ଅନେକ ହୋଇଥିଲେ । ଆଉ ଅଧିକ ପିଲା ଆମର ଆବଶ୍ୟକ ନ ଥିଲା । ତେଣୁ ମୋର ସ୍ତ୍ରୀ ଆଉ ଗର୍ଭଧାରଣ କରିବା ଆଦୌ ବାଞ୍ଛନୀୟ ନ ଥିଲା । କିନ୍ତୁ ଡାକ୍ତର ତାକୁ ଗର୍ଭଧାରଣ କରିବାକୁ ମନାକରି ଯେଉଁ ଉପାୟ ବତାଇଦେଲେ, ସେଥିରେ ସେ ସଂଯମ ଅବଲମ୍ବନ କରିବ କଅଣ, ସେହିଦିନୁ ନିଜର ଶିଶୁକୁ ହତ୍ୟା କରିବାକୁ ଆରମ୍ଭ କଲା । ଡାକ୍ତର ତାଙ୍କୁ ଓ ମୋତେ ବାନପ୍ରସ୍ଥ ଅବଲମ୍ବନ କରିବାକୁ ଯଦି ଶିକ୍ଷା ଦେଇଥାନ୍ତେ, ତାହାହେଲେ ମୁଁ ସେ ଡାକ୍ତରଙ୍କୁ ବାସ୍ତବିକ୍‌ ସଂସାରର ଉପକାରୀ ଲୋକ ବୋଲି ମନେକରିଥାନ୍ତି । କିନ୍ତୁ ସେ ମୋ ସ୍ତ୍ରୀ ହସ୍ତରେ ପିଚକାରି ଓ କାର୍ବଲିକ୍‌ଲୋସନ୍‍ ଦେଇ ନରହତ୍ୟାର ଏ ଉପକରଣ ଦେଇଥିବାରୁ ବେଶ୍‌ଗୁଡ଼ିଏ ଟଙ୍କା ଫିସ୍‌ ନେଲେ । ମୋର ସ୍ତ୍ରୀ ସେହିଦିନୁ ସତେ ଯେପରି ଗୋଟିଏ ଲାଇସେନ୍ସ ପାଇ ଆସିଲା । ତଥାକଥିତ ପ୍ରେମରାଜ୍ୟରେ ବିହାର କରିବାକୁ ତାକୁ ନିରଙ୍କୁଶ ଅଧିକାର ମିଳିଲା । ସେ ଯା ଇଚ୍ଛା ତା କରିପାରନ୍ତି; କିନ୍ତୁ ଆଉ ଯଥେଚ୍ଛାଚାରର ଦଣ୍ତସ୍ୱରୂପ ଗର୍ଭଧାରଣ କରିବାକୁ ପଡ଼ିବ ନାହିଁ । ଈଶ୍ୱରଙ୍କର ମହତ ଦାନ ଏପରି ଯେ ଶିଶୁ ସେ ମାତୃଗର୍ଭରେ ଠିକ୍‌ ପ୍ରବେଶ କଲାବେଳେ ଡାକ୍ତରଙ୍କ ପରାମର୍ଶ ଲବ୍‌ଧ କାର୍ବଲିକ୍‌ଲୋସନ୍‍ ତାର ସମୂଳ ବିନାଶ କରିଦେବ ।

‘‘ନରହତ୍ୟାକୁ ସମସ୍ତ ସଭ୍ୟସମାଜ ବଡ଼ ଗୁରୁତର ପାପବୋଲି ମନେକରୁଛନ୍ତି । କୌଣସି ଅବଳା ସମାଜର ଯାତନାକୁ ଡରି ଗର୍ଭଜାତ ଶିଶୁକୁ ନଷ୍ଟ କରିଦେବାକୁ ବସିଲେ, ତାକୁ ପ୍ରାଣଦଣ୍ତ ଆଦେଶ ହୋଇଯାଉଛି; କିନ୍ତୁ ଆମ ସଭ୍ୟ ସଂଭ୍ରାନ୍ତ ସମାଜରେ ପ୍ରତିଦିନ ଶିକ୍ଷିତ ଡାକ୍ତରମାନଙ୍କର ସାହାଯ୍ୟରେ ଯେ ଭ୍ରୁଣହତ୍ୟା ହେଉଛି, ତାହା କଅଣ ନରହତ୍ୟା ନୁହେ । ତା ବିରୁଦ୍ଧରେ କଅଣ କିଛି ବ୍ୟବସ୍ଥା ହୋଇଛି, ନା ହେବ ! ଓଲଟି ସଭ୍ୟତା ଯେତିକି ଅଗ୍ରସର ହେଉଛି, ଆମ୍ଭେମାନେ ତଥାକଥିତ ଉନ୍ନତି ଆଡ଼କୁ ଯେତିକି ଧାବମାନ ହେଉଥାଏ, ଏହି ନରହତ୍ୟା ପାଇଁ ସେତିକି ନୂତନ ସହଜ ଉପାୟ ଆବିଷ୍କୃତ ହେଉଛି । ଜଗତରେ ପାପ, ଅନୀତି, ଅନାଚାର ପ୍ରଚାର କରିବା ପାଇଁ ଏବଂ ସେଥିରେ ଲୋକଙ୍କୁ ପ୍ରଶ୍ରୟ ଦେବାକୁ ସମାଜ ବହୁଅର୍ଥ ବ୍ୟୟକରି ଡାକ୍ତରମାନଙ୍କୁ ଏ ବିଷୟରେ ବିଶେଷଜ୍ଞ କରୁଛି । ଖବରକାଗଜମାନେ ବିଜ୍ଞାପନରେ ଜନ୍ମନିରୋଧ ନାମରେ ଏହି ପାପକୁ ନିରୀହ ଅକଳୁଷିତ ଲୋକଙ୍କ ଆଗରେ ନେଇ ଥୋଉଛନ୍ତି । କିନ୍ତୁ ସତେ କଣ ଏ ବିଷୟର ଗୁରୁତ୍ୱ ସମାଜ ବୁଝିବୁ ? କେତେ ସ୍ତ୍ରୀଲୋକ ଏହାଦ୍ୱାରା ପଥଭ୍ରଷ୍ଟ ହୋଇ ମନୁଷ୍ୟ ଜୀବନର ଆଦର୍ଶ ହରାଉଛନ୍ତି, ସେ କଥା କଅଣ କେହି ଚିନ୍ତା କରିବ, ନା ଓଲଟି ମୁଁ ବର୍ତ୍ତମାନ ଆପଣଙ୍କୁ ଯାହା କହୁଛି, ତାହା ସଭ୍ୟସମାଜରେ ପ୍ରଚାର କରିବାକୁ ବସିଲେ, ଲୋକେ ମୋତେ ପାଗଳ ବୋଲି ଉପହାସ କରିବେ । ପିଲାମାନେ ଟେକା ପଥର ଧରି ମୋତେ ଗୋଡ଼ାଇବେ ।

‘‘ସେ ଯାହାହେଉ, ମୋର ସ୍ତ୍ରୀ ଡାକ୍ତରଙ୍କ ପାଖରୁ ଏ ବ୍ୟବସ୍ଥା ପାଇ ଆସିବା ଦିନୁ ମତେ ଜଣାଗଲା ଯେପରି ତା ଆଗରେ ଜୀବନ ସମ୍ଭୋଗର ନୂଆ ଏକ ଚିତ୍ର ମେଲିଗଲା । ମୋର ମନେହେଲା, ସତେ ଯେପରି ପିଲାମାନଙ୍କଠାରୁ ତାର ମନ ଛାଡ଼ିଗଲା । ଛାଡ଼ିବାର କଥା । ଯେ ପ୍ରତିତିନ ପିଲାଙ୍କୁ ମାରିବାକୁ ଶିଖୁଛି, ସେ ତାଙ୍କର ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ଝୁରି ହେବ କାହିଁକି? ମୋର ସ୍ତ୍ରୀ ଏହି ସମୟରୁ ଅତି ଅଧିକ ସ୍ୱାର୍ଥପର ହୋଇଗଲା । ନିଜର କେଶ ବିନ୍ୟାସ ବେଶ ପରିପାଟି ପାଇଁ ସେ ବେଶୀ ଚିନ୍ତିତ ହେଲା ପରି ମୋତେ ଜଣାଗଲା ଏବଂ କେଜାଣି କାହିଁକି ସେଦିନୁ ତାହାର ସ୍ୱାସ୍ଥ୍ୟ କ୍ରମୋନ୍ନତି ଲାଭ କରିବାକୁ ଲାଗିଲା ।

 

ସ୍ୱାସ୍ଥ୍ୟୋନ୍ନତି ଓ ସଯତ୍ନ ବେଶବିନ୍ୟାସ ଯୋଗୁଁ ସତେ ଯେପରି ତାର ବୟସ ୨୦ ବର୍ଷ ପଛକୁ ହଟିଗଲା ଏବଂ ଯୁବତୀ ସୁଲଭ ପ୍ରବୃତ୍ତି ତା ମନରେ ଜାଗିଲା । ପ୍ରଥମ ଯୌବନରେ ସଙ୍ଗୀତ ଶିକ୍ଷା କରିବା ପାଇଁ ଆମ୍ଭେମାନେ ଯେଉଁ ପିଆନୋଟି କିଣିଥିଲୁ, ତାହା ଅଳିଆଗଦାରୁ ପୁଣି ସଫାସୁତରା ହୋଇ ବୈଠକଖାନାରେ ବିରାଜିତ ହେଲା ଏବଂ ମୋର ସ୍ତ୍ରୀ ତଥାକଥିତ ପ୍ରେମର ଉପାସିକାରୂପେ ତା ପାଖରେ ଆବିର୍ଭୁତ ହୋଇ ପ୍ରେମିକମାନଙ୍କୁ ସାଦରରେ ଆହ୍ୱାନ କରିବାକୁ ଲାଗିଲା । ଏକେ ତ ମୁଁ ପ୍ରୌଢ଼; ଏଣେ ତା ମୋ ମଧ୍ୟରେ ଭଲଭାବର ଭାରି ଅଭାବ । ଏପରି ଅବସ୍ଥାରେ ମୋର ମନେହେଲା, ସତେ ଯେପରି ମୋର ସ୍ତ୍ରୀ ମନରେ ଅଧିକ ରସିକ, ଅଧିକ ଉପଯୁକ୍ତ ପ୍ରେମିକ ପାଇଁ ଗୋଟାଏ କିପରି ବ୍ୟାକୁଳତା ଜାଗି ଉଠିଛି । ତା ଉପରେ ମୋର ଯେ ସନ୍ଦେହ ଅବିଶ୍ୱାସ ପ୍ରଥମରୁ ଥିଲା, ତାହା ତାର ଏ ସୁସ୍ଥ ସବଳ ଦେହ, ଯୁବତୀସୁଲଭ ହାବଭାବ ଦେଖି ଶଏଗୁଣ ବଢ଼ିଗଲା ।’’

•••

 

(ତେର)

 

ହଠାତ୍‌ ସେ ଉଠି ପଡ଼ିଲେ ଏବଂ ଦ୍ରୁତପଦରେ ଯାଇ ରେଲଝରକା ବାଟେ ପାହାନ୍ତିଆର ଘୋର ଅନ୍ଧାରକୁ ଖୋଜି ପକାଇଲା ପରି ଚାହିଁ ରହିଲେ । ୧୦।୧୫ ମିନିଟ ପରେ ଫେରି ନିଜ ଆସନରେ ନିର୍ବେଦ ହୋଇ ବସି ମୋତେ କହିଲେ–‘‘କ୍ଷମା କରନ୍ତୁ ମହାଶୟ ! ମୋ ହୃଦୟରେ ହଠାତ୍‌ କିପରି ଗୋଟାଏ ଅଦ୍ଭାବର ନିଆଁ ଜଳି ଉଠୁଛି ।’’ ସେହିପରି ଆଉ କିଛିକ୍ଷଣ ବସି ରହି ଶେଷରେ ହୃଦୟର କୌଣସି ଉତ୍ତେଜନା ଉପରେ ପଦାଘାତ କଲାପରି ଭାବଭଙ୍ଗୀରୁ ଦେଖାଇ ସେ ମୋ ପାଖରେ ଆସି ବସି କହିଲେ–‘‘ମୁଁ ଟିକିଏ କିପରି କ୍ଲାନ୍ତ ହୋଇପଡ଼ିଲିଣି । କିନ୍ତୁ ଗଳ୍ପ ନିଶ୍ଚୟ ଶେଷ କରିବାକୁ ହେବ । ଅନେକ ସମୟ ଅଛି । କୁଆଁତରା ଏ ପର୍ଯ୍ୟନ୍ତ ଉଦୟ ହୋଇନାହିଁ । ’’

 

ଏତିକି କହି ସେ ପୁଣି ତାଙ୍କର ଗଳ୍ପର ସୂତ୍ର ଧରି ଚାଲିଲେ, ‘‘ହଁ, କଅଣ କହୁଥିଲି ? ତାର ସ୍ୱାସ୍ଥ୍ୟ ଉତ୍ତରୋତ୍ତର ବଢ଼ିଲା ଏବଂ ପିଲା ଜନ୍ମ ହେବା ବନ୍ଦ ହେଲାଦିନୁ ସେ ବେଳକୁବେଳ ମୋଟେଇଲା ଏବଂ ଆଗ ପିଲାଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ପାଇଁ ତାର ଯେ ଉତ୍କଣ୍ଠା ଥିଲା, ତାହା ଏକାବେଳକେ ଦୂର ହୋଇଗଲା ପରି ମନେହେଲା । ସତେ ଯେପରି ସେ ଗୋଟାଏ ନୂଆ ଜୀବନ ଲାଭ କରିଛି–ସେ ଗୋଟାଏ ନୂଆ ସଂସାରରେ ଆସି ହଠାତ୍‌ ଆବିର୍ଭୁତ ହୋଇଛି । ହଠାତ୍‌ ଯେପରି ତାର ମନେହେଉଛି; ‘ସୁଖ ସମ୍ଭୋଗ ପାଇଁ, ଭୋଗ ବିଳାସ ପାଇଁ, ସାରା ସଂସାର ପଡ଼ି ରହିଛି । ମୁଁ ବୃଥାରେ ବୃଥାକଥାଗୁଡ଼ାକରେ ଧନ୍ଦି ହେଉଥିଲି । ଏଥର ଆଖି ଖୋଲିଛି; ଏ ସୁଯୋଗ ଆଉ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଛାଡ଼ିବି ନାହିଁ । ‘ସେ ଏପରି ବିଚାରୁଥିଲା କି ନାହିଁ, ଅବଶ୍ୟ ନିର୍ଭର କରି କହିବା ମୋ ପକ୍ଷରେ ଅସମ୍ଭବ । କିନ୍ତୁ ମୋର ଦୃଢ଼ବିଶ୍ୱାସ ହେଉଥିଲା, ସେ ନିଶ୍ଚୟ ଏପରି ଭାବିଥିବ । ତା ପକ୍ଷରେ ଅନ୍ୟ ପ୍ରକାର ଭାବିବା ଯେ ଅସ୍ୱାଭାବିକ । ପ୍ରେମ ପରା ସଂସାରର ଶ୍ରେଷ୍ଠ ବସ୍ତୁ ବୋଲି ସେ ପିଲାଦିନୁ ଶିଖି ଆସିଛି !

 

‘‘ଅନ୍ୟପ୍ରକାର ସେ ବିଚାରନ୍ତା କିପରି ? ସେ ଯଦି ଏପରି ବିଚାର ନ କରୁଥାନ୍ତା, ତାହାହେଲେ ପୁଣି ପିଆନୋ ଶିକ୍ଷାରେ ମନ ଚଳନ୍ତା କାହିଁକି ?

 

‘‘ଯାହା ହେଉ, ଏହି ପିଆନୋ ଶିକ୍ଷା ହେଲା କାଳ । ଏହି ସୂତ୍ରରେ ସେ ପାପିଷ୍ଠ ନରାଧମ ଆସି ଆମ ଘରେ ଆବିର୍ଭୂତ ହେଲା ଏବଂ ସେହି ପାପିଷ୍ଠ ଯୋଗୁଁ ମୁଁ ଆଜି ସ୍ତ୍ରୀଘାତୀ–ନିଜର ସ୍ତ୍ରୀକି ନିଜେ ହତ୍ୟା କରିଛି ।

 

‘‘ଏହି ଯାହାକଥା କହିଲି, ସେ ମୋ ବିଚାରର ନରକର କୀଟ । ମୋର ସେ ସର୍ବନାଶ ଘଟାଇଲା ବୋଲି ଯେ ମୁଁ ତାକୁ ଏପରି କହୁଛି, ତାହା ନୁହେ । ବାସ୍ତବିକ୍‌ ସେ ନରାଧମ । ତେବେ ସେଥିରେ ବା କଅଣ ଅଛି ? ସେ ନ ହୋଇ ଅନ୍ୟ କେହି ଆସି ପହଞ୍ଚିଥିଲେ ମଧ୍ୟ ଅବସ୍ଥା ବଦଳି ନ ଥାନ୍ତା ।’’

 

ଚନ୍ଦ୍ରମଣି ବାବୁ କିଛିକ୍ଷଣ ତୁନି ହୋଇ ରହିଲେ, ତା’ପରେ କହିଲେ, ‘‘ସେ ଜଣେ ସଙ୍ଗୀତଜ୍ଞ; ଜୀବିକା ଉଦ୍ଦେଶ୍ୟରେ ସଙ୍ଗୀତ ଚର୍ଚ୍ଚା କରେ । ସଙ୍ଗୀତ ବିଷୟରେ ତାର ସଉକି ମଧ୍ୟ ଖୁବ୍‌ । ତାର ପିତା ଥିଲେ ଜଣେ ଜମିଦାର, ମୋ ପିତାଙ୍କର ପରିଚିତ ବନ୍ଧୁ । ନିଜର ଉଡ଼ା ସ୍ୱଭାବ ଯୋଗୁଁ ଜମିଦାରୀ ହରାଇ ଦାଣ୍ତର ଭିଖାରୀ ହୋଇଛନ୍ତି । ତାଙ୍କର ତିନୋଟି ପୁଅ । ପ୍ରଥମ ଦୁଇଟି ସମାଜରେ ଉଚ୍ଚ ଅବସ୍ଥାପନ୍ନ । ତୃତୀୟଟି–ମୁଁ ଯାହାଙ୍କ କଥା କହୁଛି ସେ; କଲିକତା ସଙ୍ଗୀତ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷା କରୁଥିଲେ ।

 

‘‘ଶିକ୍ଷାଫଳରେ ଏବଂ ନିଜର ସଙ୍ଗୀତ ପ୍ରତି ଟିକିଏ ସ୍ପୃହା ଥିବାରୁ ସେ ବେଶ୍‍ ସଙ୍ଗୀତଜ୍ଞ ହୋଇଥିଲେ । ଏପରି ଲୋକଙ୍କର ଅନ୍ତତଃ ସ୍ତ୍ରୀସମାଜରେ ବେଶ୍‌ ଖ୍ୟାତି ହେବାର କଥା ।

 

‘‘ଯାହାହେଉ, ମୋ ଘରେ ଆସି ପାଦ ପକାଇବା ପୂର୍ବରୁ ସେ କଅଣ କରୁଥିଲେ ଜାଣେ ନାହିଁ । ମୁଁ ଏତିକି ଜାଣେ, ସେହି ବର୍ଷ–ଅର୍ଥାତ୍‌ ମୋର ଜୀବନର ସ୍ମରଣୀୟ ଘଟନା ଯେଉଁ ବର୍ଷ ଘଟିଲା, ସେହି ବର୍ଷ ସେ ମୋ ସାଙ୍ଗରେ ସାକ୍ଷାତ୍‌ କରିବାକୁ ମୋ ଘରକୁ ଆସିଲେ । ଆଖି ଦୁଇଟି ତାଙ୍କର ବଡ଼ ଅସାଧାରଣ । ଓଠ ଯୋଡ଼ିକ ସବୁବେଳେ ହସହସ । ନିଶ ଦିଟା କ୍ରମେ କ୍ରମେ ସରୁ ହୋଇ ହୋଇ ପ୍ରାନ୍ତରେ ଛୁଞ୍ଚିମୁନ ପରି ହୋଇଥାଏ । ତନୁ ଟିକିଏ କୃଶ, କିନ୍ତୁ ଗଠନ ଅସୁନ୍ଦର ନୁହେ । ସ୍ଥୂଳତଃ ଆମ ସମାଜର ସାଧାରଣ ସ୍ତ୍ରୀଲୋକଙ୍କ ଆଖି ପୁରୁଷଠାରେ ଯାହା ଦେଖିବାକୁ ଇଚ୍ଛା କରେ, ସେ ସବୁ ତାଙ୍କଠାରେ ଥିଲା । ଚେହେରା ଅନୁସାରେ ତାଙ୍କ ବାହାର ଚାଲିଚଳଣ, କଥାବାର୍ତ୍ତା ଢଙ୍ଗ ବେଶ୍‌ ସୁନ୍ଦର । ଏହି ପୁରୁଷ ଚେହେରା ଚାଲିଚଳଣ ଓ ସଙ୍ଗୀତ ସାହାଯ୍ୟରେ ମୋର ସର୍ବନାଶ ଘଟାଇଛି ।

 

‘‘ସ୍ତ୍ରୀ ହତ୍ୟା ଅପରାଧରେ ଯେତେବେଳେ ମୋର ବିଚାର ହେଲା, ସେତେବେଳେ ମୋର ଇତିହାସର ଭିନ୍ନ ଭିନ୍ନ ଘଟଣାଗୁଡ଼ିକ ମୋ ଓକିଲ ଏପରି ସଜାଡ଼ି ବିଚାରପତିଙ୍କ ଆଗରେ ଥୋଇଲେ ଯେ, ବିଚାରପତି କହିଲେ, ‘ସ୍ତ୍ରୀର ଚରିତ୍ରସ୍ଖଳନ ଯୋଗୁଁ ମୁଁ ତାକୁ ହତ୍ୟା କରିଛି ।’ କିନ୍ତୁ ବାସ୍ତବିକ୍‌ କଥା ସେପରି ନୁହେଁ । ମୁଁ ସେ ସମୟରେ ମୋର ଜବାନ୍‌ବନ୍ଧରେ କଥାଗୁଡ଼ିକ ଠିକ୍‌ ଠିକ୍‌ କରି କହିଥିଲି । କିନ୍ତୁ ବିଚାରପତି ମନେକଲେ, ସତେ ଯେପରି ମୁଁ ମୋର ସ୍ତ୍ରୀର ସୁନାମ ପ୍ରତିପାଳିତ କରିବା ପାଇଁ ମିଥ୍ୟା କହୁଛି । କିନ୍ତୁ ବାସ୍ତବିକ୍‌ ସତ କହିବାକୁ ଗଲେ, ସେହି ସଙ୍ଗୀତଜ୍ଞ ସାଙ୍ଗରେ ମୋ ସ୍ତ୍ରୀର ଆଚରଣ କଅଣ ଥିଲା, ସେ କଥା ଚିନ୍ତା କରିବାକୁ ମୋର ଅବସର ନ ଥିଲା । ତାକୁ ଅବିଶ୍ୱାସ କରିବାର ପ୍ରକୃତ କାରଣ ଏହି ଯେ, ତା ମୋ ମଧ୍ୟରେ ଯେଉଁ ଭୀଷଣ ସମଭାବର ଅଭାବ ଥିଲା, ସେଥିଯୋଗୁ ଆମ୍ଭେମାନେ ଏପରି ଗୋଟିଏ ସନ୍ଧିସ୍ଥଳରେ ଆସି ପହଞ୍ଚିଥିଲୁ ଯେ, ସେଥିରେ ଅତିକ୍ଷୁଦ୍ର କାରଣ ଭୀଷଣ ପରିଣାମ ଘଟାଇବା କିଛି ବିଚିତ୍ର ନୁହେଁ । ଏଥିପୂର୍ବରୁ ଯେ ଭୀଷଣ ପରିଣାମ ଘଟିବାର ସୂତ୍ରପାତ ହୋଇ ନ ଥିଲା, ତାହା ନୁହେଁ । ମୁଁ ଥରେ ଅଧେ ଆତ୍ମହତ୍ୟା କି ଏ ବିବାହ ଜୀବନସ୍ୱରୂପ ନରକରୁ ଉଦ୍ଧାର ପାଇବା ପାଇଁ ଚେଷ୍ଟା କରିଥିଲି ଏବଂ ସେ ମଧ୍ୟ ଗୋଟିଏ ଦାମ୍ପତ୍ୟ କଳହର ଶେଷରେ ବିଷ ପାନ କରିଥିଲା ।’’

•••

 

(ଚଉଦ)

 

‘‘ଆମ୍ଭମାନଙ୍କ ମଧ୍ୟରେ ଯେତେବେଳେ ଏହିପରି ଭାବ, ସେତିକିବେଳେ ସଙ୍ଗୀତଜ୍ଞ-ତାଙ୍କ ନାମ ଲଳିତ ବାବୁ, ଆସି ଆମ ମଧ୍ୟରେ ଠିଆ ହେଲେ । ଦିନେ ସକାଳୁ ସେ ଆସି ଦୁଆର ମୁହଁରେ ମୋ ସଙ୍ଗେ ସାକ୍ଷାତ୍‌ ମାଗିଲେ । ତାଙ୍କୁ ଭିତରକୁ ଡାକି ଆଣିବା ପାଇଁ ମୁଁ ଚାକରକୁ ଆଦେଶ ଦେଲି । ଆଗରୁ ତାଙ୍କ ମୋ ମଧ୍ୟରେ ପ୍ରଣୟ ଥିଲା । ସେ ସେହି ପ୍ରଣୟ-ସୂତ୍ରରେ ମୋ ସଙ୍ଗରେ ଏତେଦିନ ପରେ ଆସି ମୈତ୍ରୀ ସ୍ଥାପନ କରିବାକୁ ବସିଲେ ଏବଂ ଅତି ବହୁଦିନର ପରିଚିତ ପରି ମୋ ସଙ୍ଗରେ କଥାବାର୍ତ୍ତା ଆରମ୍ଭ କଲେ । ତାଙ୍କ ଚେହେରା, ଭାବଭଙ୍ଗୀ ମୋତେ ସୁଖ ଲାଗୁ ନ ଥାଏ । ତେଣୁ ମୁଁ ଠିକ୍‌ ଆରମ୍ଭରୁ ସ୍ପଷ୍ଟ ଜଣାଇଦେଲି ଯେ, ତାଙ୍କ ସଙ୍ଗରେ ମିତ୍ରତା ସ୍ଥାପନ କରିବା ପ୍ରବୃତ୍ତି ମୋ’ଠାରେ ନାହିଁ; କିନ୍ତୁ ମୋ କଥାବାର୍ତ୍ତାରୁଏ ସଙ୍କେତ ପାଇ ସେ ହାରମାନିବା ଲୋକ ନୁହନ୍ତି । ମୁଁ ତାଙ୍କ ସଙ୍ଗରେ ଯେଭଳି ବ୍ୟବହାର କରିବାକୁ ଇଚ୍ଛୁକ, ସେ ସତେ ଯେପରି ଠିକ୍‌ ସେହି ବ୍ୟବହାର ଆଶା କରନ୍ତି । ସେ କଥା ତାଙ୍କର କଥାବାର୍ତ୍ତାର ଢଙ୍ଗ ଟିକିଏ ବଦଳାଇ ଦେଇ ମୋତେ ଜଣାଇଦେଲେ ।

ଲଳିତବାବୁ ନାଛୋଡ଼ବନ୍ଧା ହେବାର ଦେଖି ସେହିଠାରେ ଟିକିଏ ଅଭଦ୍ରତା ଆଚରଣ କଲି । ତାକୁ ଘରୁ ବିଦାୟ କରି ଦେଇଥିଲେ ସବୁ ଗଣ୍ତଗୋଳ ତୁଟି ଯାଇଥାନ୍ତା; କିନ୍ତୁ କେଜାଣି କାହିଁକି ମୋ ହୃଦୟରେ ସେ ବଳ ଟିକକ ହେଲା ନାହିଁ । ତାଙ୍କ ସାଙ୍ଗରେ କିଛିକ୍ଷଣ କଥାବାର୍ତ୍ତାପରେ ତାଙ୍କୁ ଭଦ୍ରଭାବରେ ବିଦାୟ ଦେଇଥିଲେ ମଧ୍ୟ ଚଳିଥାନ୍ତା । ମୋର ସ୍ତ୍ରୀ ସଙ୍ଗରେ ତାଙ୍କର ପରିଚୟ କରାଇ ନ ଦେଇଥିଲେ ବେଶ୍‌ ହୋଇଥାନ୍ତା ।

‘‘କିନ୍ତୁ ମୁଁ ସେ କଥା କଲି ନାହିଁ । ତାଙ୍କ ସାଙ୍ଗରେ ସଙ୍ଗୀତଚର୍ଚ୍ଚା କରିବାକୁ ବସିଲି । ମୋ ସ୍ତ୍ରୀ ସଙ୍ଗୀତଚର୍ଚ୍ଚା କରୁଛନ୍ତି ବୋଲି ତାଙ୍କୁ ଜଣାଇ ଦେଲି । ସ୍ତ୍ରୀ ସହିତ ତାଙ୍କର ପରିଚୟ କରାଇ ଦେଲି ଏବଂ ସେ ମୋ ସ୍ତ୍ରୀଙ୍କୁ ସଙ୍ଗୀତଚର୍ଚ୍ଚାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ ।

‘‘ସେ ମୋ ଘରେ ଗୋଡ଼ ପକାଇଲାବେଳୁ ତାଙ୍କ ପ୍ରତି କେଜାଣି କାହିଁକି ମୋର ଯେଉଁ ଘୃଣା ଜାତ ହୋଇଥିଲା, ତାହା ବଢ଼ୁଥାଏ ପଛେ, ଛିଡ଼ୁ ନ ଥାଏ । ସେ ମୋର ଯେ ସର୍ବନାଶ ଘଟାଇଥିଲେ, ତାହା ଘଟି ସାରିବା ପରେ ତାଙ୍କ ପ୍ରତି ମୋର ଯେ ଭାବ ହେବାର କଥା, ସେଭାବ କେଜାଣି କିପରି ସେହିଦିନୁ ମୋ ହୃଦୟରେ ଜାତ ହୋଇଥିଲା । ତଥାପି ତାଙ୍କୁ ମୁଁ ତଡ଼ି ଦେଇପାରିଲି ନାହିଁ । ପାରିଲି ନାହିଁ ମୋର ସ୍ତ୍ରୀ ଯୋଗୁଁ ।

‘‘ତାଙ୍କ ସଙ୍ଗରେ ଦେଖାହେଲା ମାତ୍ରେ ସେ ଯେ ତାଙ୍କ ପ୍ରତି ଅନୁରକ୍ତ ହୋଇଗଲେ, ସେ କଥା ମୁଁ ବେଶ୍‌ ବୁଝିପାରିଲି; କିନ୍ତୁ ସେ ମୋ’ଠାରୁ ତାଙ୍କ ପ୍ରକୃତ ଭାବ ଲୁଚାଇବାକୁ ଖୁବ୍‌ ଚେଷ୍ଟା କରୁଥାନ୍ତି । ତାଙ୍କ ସଙ୍ଗରେ କଥାବାର୍ତ୍ତା ହେବାବେଳେ ଆଡ଼େଇ ଆଡ଼େଇ ଥରକୁ ଥର ମୋ ଆଡ଼ରେ ଚାହୁଁଥାନ୍ତି; ସତେ ପେପରି ବୁଝିବାକୁ ଚେଷ୍ଟା କରୁଥାନ୍ତି । ମୁଁ ତାଙ୍କ ହୃଦୟର ପ୍ରକୃତ ଭାବ ଜାଣିପାରିଛି କି ନାହିଁ ।

‘‘ମୁଁ ତାଙ୍କୁ ସନ୍ଦେହ କରୁଛି କି ନାହିଁ, ତାଙ୍କର ଏହି ଚାହାଣୀ ଦେଖି ମୁଁ ମନକୁ ମନ କହିଲି–‘ହଁ, ତୁମେ ଅନ୍ୟର ପ୍ରେମରେ ପଡ଼ିବାର ଦେଖି ମୁଁ ଈର୍ଷା କରୁଛି ବୋଲି ବିଚାରୁଛ ପରା । ତେବେ ଦେଖ ତୁମକୁ କିପରି ଶେଷଯାଏ ସୁବିଧା ଓ ସୁଯୋଗ ଦେବି ।’ ଲଳିତ ବାବୁ ମୋ ପ୍ରତି ସନ୍ଦେହପୂର୍ଣ୍ଣ ଭାବରେ ଥରେ ଥରେ ଚାହିଁବାର ଦେଖି ମୁଁ ତାଙ୍କୁ ମନେ ମନେ କହିଲି, ‘ତମେ ବିଚାରୁଛ କି, ତମେ ମୋର ସ୍ତ୍ରୀକୁ ମୋ ହାତରୁ ଛାଟିନେବ ବୋଲି ? ମୋର ଭୟ ହେଉଛି । ତେବେ ଦେଖ ମୁଁ ତୁମ୍ଭଙ୍କୁ କେତେଦୂର ପ୍ରଶ୍ରୟ ଦେଇପାରେ ।’ ଏହିପରି ବିଚାରି ସନ୍ଧ୍ୟାବେଳେ ଆସି ମୋ ସ୍ତ୍ରୀଙ୍କୁ ସଙ୍ଗୀତ ଚର୍ଚ୍ଚାରେ ସାହାଯ୍ୟ କରିବା ପାଇଁ ମୁଁ ତାଙ୍କୁ ନିମନ୍ତ୍ରଣ କଲି । ମୋର ସ୍ତ୍ରୀ ଆଶ୍ଚର୍ଯ୍ୟରେ, ଭୟରେ ଏବଂ ବୋଧହୁଏ ଲଜ୍ଜାରେ ମୋ ଆଡ଼କୁ ଟିକିଏ ଚାହିଁ ନା ସେ ଆସିବା କିଛି ପ୍ରୟୋଜନ ନାହିଁ’ ବୋଲି ଅସ୍ଫଷ୍ଟ ଭାବରେ କହିଲେ । କିନ୍ତୁ ସେ ମନାକରିବା ଦେଖି ମୁଁ ବେଶୀ ଜିଦ୍‌ ଧଇଲି ଏବଂ ସନ୍ଧ୍ୟାବେଳେ ନିଶ୍ଚୟ ଆସିବାକୁ ମୁଁ ଲଳିତ ବାବୁଙ୍କୁ ବାରମ୍ବାର ଅନୁରୋଧ କଲି ।

‘‘ଏହି ଅନୁରୋଧ କଲାବେଳେ ତାଙ୍କର ଗୌରବର୍ଣ୍ଣ ସୁଗଠିତ ଦେହ ଏବଂ କୃଷ୍ଣ ସୁଚିକ୍ଳଣ କେଶରାଶି ଯେ ମୋ ମନରେ ନ ଥାଏ, ତାହା ନୁହେ । ସେ ମୋର ଅନୁରୋଧ ରକ୍ଷା କରି ସନ୍ଧ୍ୟାବେଳେ ଆସିବାକୁ ପ୍ରତିଶ୍ରୁତ ହେଲେ ।

‘‘ସନ୍ଧ୍ୟାବେଳେ ସେ ଆସିଲେ ଏବଂ ବହୁତ ସମୟ ଯାଏ ଦୁଇଜଣଙ୍କର ଗାଉଣାବାଜଣା ଚାଲିଲା; କିନ୍ତୁ ସେ ଦୁହିଙ୍କର ଗାଉଣା ବାଜଣାରେ ମେଳ ନ ଥାଏ । ମୋ ସ୍ତ୍ରୀ ଯେଉଁ ଗାନଟି ଭଲ ବଜାଇ ଜାଣନ୍ତି, ତାହା ଲଳିତ ବାବୁଙ୍କୁ ଜଣା ନ ଥିଲା ଏବଂ ଲଳିତ ବାବୁଙ୍କ ଓସ୍ତାତି ଗାନସବୁ ମୋ ସ୍ତ୍ରୀହାତରେ ଭଲକରି ହେଉ ନ ଥାଏ । ଅବଶେଷରେ ଦୁଇଜଣଯାକ ଏକ ପ୍ରକାର ଚଳନୀୟ ଭାବରେ କେତୋଟି ଗାନ ଗାଇ ସେ ଦିନ ପାଇଁ ସଙ୍ଗୀତଚର୍ଚ୍ଚା ସାଙ୍ଗ କଲେ । ମୁଁ ପାଖରେ ବସି ଦୁଇଜଣଙ୍କର ମନୋଭାବ ତନ୍ନ ତନ୍ନ କରି ପରୀକ୍ଷା କରିବାରେ ଲାଗିଥାଏ । ଅବିଶ୍ୱାସ ଓ ଈର୍ଷାରେ ମୋ ହୃଦୟ ଜଳି ଯାଉଥାଏ । ମୁଁ ମନେକରୁଥାଏ, ସତେ ଯେପରି ସେ ଦୁହେଁ ପରସ୍ପର ଭିତରେ ନବଜାଗ୍ରତ ପ୍ରେମ ଯୋଗୁଁ ସୁନ୍ଦର ଗାନ କରିପାରୁ ନାହାନ୍ତି ।

‘‘ମତେ ସେ ଦିନ ଆହୁରି ଗୋଟିଏ କଥା ବେଶୀ ଲାଗିଲା । ମୁଁ ସେ ଦିନ ବୁଝିଲି, ମୁଁ ପାଖରେ ବସିଲେ ମୋ ସ୍ତ୍ରୀଙ୍କ ହୃଦୟରେ ଘୋର ବିରକ୍ତି ଆସୁଛି । ମୋ ଯୋଗୁଁ ସେ ଲତିତ ବାବୁଙ୍କ ସଙ୍ଗ ସମ୍ପୂର୍ଣ୍ଣ ଉପଭୋଗ କରିବାକୁ ସତେ ଯେପରି ଅକ୍ଷମ ହେଉଛନ୍ତି । ସେହିଦିନ ମୋତେ ଜଣାପଡ଼ିଲା ଯେ ଲଳିତ ବାବୁ ମୋ ସ୍ତ୍ରୀଙ୍କ ମନମୁତାବକ ଉପଯୁକ୍ତ ସୁରସିକ । ଏହିଚିନ୍ତା ଓ ଭବିଷ୍ୟତରେ ସଙ୍ଗୀତଚର୍ଚ୍ଚା-ବ୍ୟାଜରେ ଏମାନେ ଯେ ନିଶ୍ଚୟ ଅଧିକ ପରସ୍ପରର ସଙ୍ଗ ଲାଭ କରିବାରେ ପଶ୍ଚାତ୍‌ପଦ ହେବେ ନାହିଁ ଏବଂ ଶେଷରେ ସଙ୍ଗୀତ ବଳରେ ଲଳିତ ବାବୁ ମୋ ସ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ଆପଣାର କରିନେବେ, ଏହି ଭୟ ସେଦିନ ମୋ ହୃଦୟକୁ ବିଦାରି ପକାଉଥାଏ । ମୁଁ ଭିତରେ ଘୋର ଯନ୍ତ୍ରଣା ଅନୁଭବ କରୁଥାଏ; କିନ୍ତୁ ଏ ସମସ୍ତ ସତ୍ତ୍ୱେ ମୁଁ ତାଙ୍କୁ ରୂଢ଼ ବ୍ୟବହାର ଦେଖାଇବା ଦୂରେଥାଉ, ତାଙ୍କ ସଙ୍ଗରେ ଅତି ସ୍ନେହ ସମ୍ଭାଷଣ କଲି ଏବଂ ଏହିପରି ବେଳେ ବେଳେ ଆସି ମୋର ସ୍ତ୍ରୀଙ୍କୁ ସାହାଯ୍ୟ କରିବାଦ୍ୱାରା ମୋତେ କୃତାର୍ଥ କରନ୍ତୁ ବୋଲି ତାଙ୍କୁ ଅନୁରୋଧ କଲି-। ମୁଁ ଯେ କାହିଁକି ଏପରି କଲି, ବର୍ତ୍ତମାନ ବୁଝିପାରୁନାହିଁ । ମୁଁ ଯେ ମୋ ସ୍ତ୍ରୀଙ୍କୁ ଅବିଶ୍ୱାସ କରେନାହିଁ, ଏକଥା ତାଙ୍କୁ ଜଣାଇ ଦେବାପାଇଁ ନା ନିଜକୁ ନିଜେ ଠକାଇବା ପାଇଁ ମୁଁ ଏପରି କଲି, ତାହା ମୁଁ ନିଃସନ୍ଦେହ ଭାବରେ ବୁଝିପାରୁନାହିଁ । ତାଙ୍କୁ ସେହି ସ୍ଥାନରେ ହତ୍ୟା କରିବାପାଇଁ ମୋର ମନରେ ପ୍ରବୃତ୍ତି ହେଉଥାଏ, କିନ୍ତୁ ତତ୍‌ପରିବର୍ତ୍ତରେ ମୁଁ ତାଙ୍କୁ ବହୁମୂଲ୍ୟ ସାମଗ୍ରୀ ସ୍ନେହରେ ଖୁଆଇଲି, ହତ୍ୟା ନ କରି ଅନ୍ତତଃ ଜୋତା ମାରି ମାରି ତାଙ୍କୁ ସଦର ଦରଜା ପାର କରି ଦେଇଥିଲେ କିଛି ଅନ୍ୟାୟ ହେବ ନାହିଁ ବୋଲି ବୁଝୁଥିଲେହେଁ ମୁଁ ତାଙ୍କୁ ଭବିଷ୍ୟତରେ ଆସିବାକୁ ସନିର୍ବନ୍ଧ ଅନୁରୋଧ କଲି ଏବଂ ମୋର ସଙ୍ଗୀତଶ୍ରଦ୍ଧାକୁ ବନ୍ଧୁମାନଙ୍କୁ ଡାକି ଦିନେ ତାଙ୍କ ସଙ୍ଗୀତ ସେମାନଙ୍କୁ ଶୁଣାଇବି ବୋଲି ଇଚ୍ଛା ପ୍ରକାଶ କଲି । ମୋର ସର୍ବନାଶର କାରଣ ସେହି ନରପିଶାଚ ସଙ୍ଗରେ ପ୍ରଥମଦିନର ସମ୍ଭାଷଣ ଏହିପରି ଶେଷ ହେଲା ।’’

•••

 

(ପନ୍ଦର)

 

‘‘ଦୁଇ ଚାରିଦିନ ପରର କଥା । ସନ୍ଧ୍ୟା ପ୍ରାୟ ୭ଟା । ମୁଁ ମୋର ସଙ୍ଗୀମାନଙ୍କ ସହିତ ମଉଜ ମଜଲିସରେ ସାରାଦିନ କଟାଇ ନଦୀକୂଳରେ ଟିକିଏ ପବନ ଖାଇ ଘରକୁ ଫେରୁଛି । ଘର ଭିତରେ ଗୋଡ଼ ଦେବା ସଙ୍ଗେ ସଙ୍ଗେ ମୋତେ କାହିଁକି ଭାରି ମାଡ଼ି ପଡ଼ିଲା । ଘର ଭିତରେ ପଶିବାକୁ ମନହେଲା ନାହିଁ । ଅନିଚ୍ଛା ଓ ଗୋଟାଏ କିମ୍ଭୁତକିମାକାର ଶଙ୍କାରେ ମୁ ତରବର ହୋଇ ଉପର ମହଲାକୁ ଉଠିଲି । ଅଧେ ଶିଡ଼ି ଉଠିଛି, ବିଚାରିଲି ଏପରି ମାଡ଼ି ପଡ଼ିବାର କାରଣ କଅଣ? ଦାଣ୍ତଘର ମିଞ୍ଜିମିଞ୍ଜି ଆଲୁଅରେ ଗୋଟାଏ କିଛି ଥୁଆ ହୋଇଥିବାର ମନେପଡ଼ିଲା । ଫେରିଯାଇ ପୁଣି ଦେଖିଲି, ଖଣ୍ତିଏ ବାଡ଼ି-ଖୁବ୍‌ ସଉଖିନ୍‌ । ବୋଧହୁଏ, ସେହି ସଉଖିନ ଲଳିତ ବାବୁଙ୍କର ହୋଇଥିବ ପରା- ନିଶ୍ଚୟ ତାଙ୍କରି । ନ ହେଲେ ଘର ମୋତେ ମାଡ଼ି ପଡ଼ନ୍ତା କାହିଁକି ? ତାଙ୍କର ଅତିକ୍ଷୀଣ ଗନ୍ଧ ଟିକିଏ ପାଇଲେ ମୋର ହୃଦୟରେ ଯେ ନିଆଁ ଜଳିଉଠେ, ତାହା ଜଳନ୍ତା କାହିଁକି ?

‘‘ତେବେ ଲଳିତ ବାବୁ ନିଶ୍ଚୟ ବର୍ତ୍ତମାନ ଘରେ ଅଛନ୍ତି । ମୋ ସ୍ତ୍ରୀ ସଙ୍ଗରେ ମୋର ଅନୁପସ୍ଥିତିରେ ସଙ୍ଗୀତାଳାପ ଏବଂ ସଙ୍ଗୀତାଳାପବ୍ୟାଜରେ ପ୍ରେମାଳାପ ନିଶ୍ଚୟ କରୁଥିବେ । ଖୁବ୍‌ ଛପି ଛପି ଉପରକୁ ଉଠିଲି; କିନ୍ତୁ ପିଆନୋ ଥୁଆ ହୋଇଥିବା ବୈଠକଖାନା ପାଖବାଟେ ଗଲି ନାହିଁ-

‘‘ବୁଲିକରି ପିଲାମାନଙ୍କର ପଢ଼ାଘରକୁ ଗଲି । ସେମାନେ ପଢ଼ୁଛନ୍ତି ମାଷ୍ଟରାଣୀ ତାଙ୍କର ବସି ମୋ ଛୋଟ ଝିଅକୁ କଅଣ ପଢ଼ାଉଛନ୍ତି । ଏହି ପଢ଼ାଘରକୁ ଲାଗି ବୈଠକଖାନା । ଦୁଇଘରର ଅନ୍ତର କାନ୍ଥରେ ଗୋଟିଏ ଦୁଆର ଫିଟିଛି । ଆଉଜା ଦୁଆରର ଫାଟବାଟେ ଲଳିତ ବାବୁ ଓ ମୋ ସ୍ତ୍ରୀର ଅସ୍ପଷ୍ଟ ସ୍ୱରର ଶବ୍ଦ ଶୁଣାଯାଉଥାଏ । ‘‘ହଁ, ମୋ ନିଜ ଘରେ ପିଲାଟିମାନଙ୍କର ଏତେ ନିକଟରେ ଗୋଟାଏ କାହୁଁ ଅଇଲା ଲୋକ ସଙ୍ଗରେ ପ୍ରେମାଳାପ ଚାଲିଛି । ହୃଦୟର ସେହି ନିଆଁ ଆହୁରି ହୁତ୍‌ହୁତ୍‌ ହୋଇ ଜଳିଲା । ପିଆନୋର ଶବ୍ଦ ଟିକିଏ ଟିକିଏ ହେଉଥାଏ । କିନ୍ତୁ ମୁଁ ବୁଝିଗଲି, ଏହି ପିଆନୋ ଶବ୍ଦ ଗୋଟାଏ ଛଳନା । ଏମଧ୍ୟରେ କେତେ ମଧୁର ପ୍ରେମାଳାପ ଚାଲିଥିବ ? ଚୁମ୍ବନ ମଧ୍ୟ ନ ହେଉଥିବ ବୋଲି କିଏ କହିବ ? କେତେ ପ୍ରକାର ପାପଚିନ୍ତା ମୋ ମନକୁ ଛୁଇଁଲା । ଆଜି ସେ ଦୃଶ୍ୟର ସ୍ମୃତିରେ ମୁଁ ବିହ୍ୱଳ ହୋଇଯାଉଛି ।’’

ଏହା କହି ଚନ୍ଦ୍ରମଣି ବାବୁ ଘୋଡ଼ିହେବା ଚାଦରରେ ମୁହଁକୁ ବନ୍ଦ କରି କେତେ ବେଳଯାଏ ନିର୍ବେଦ ହୋଇ ରହିଲେ । ବର୍ତ୍ତମାନ ସୁଦ୍ଧା ତାଙ୍କ ହୃଦୟ ଏତେଦୂର ବିଚଳିତ ହୋଇଯାଉଛି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥାଏ । ହଠାତ୍‌ ପୁଣି ସେ ମୁହଁ ବାହାର କରି କହିବାକୁ ଲାଗିଲେ ।

‘‘କବାଟ ଆରପାଖେ କଅଣ ହେଉଥିବ, ଅନୁମାନ କରି ମୋର ହୃଦ୍‌ଯନ୍ତ୍ର ଯେପରି ସ୍ତବ୍ଧ ହୋଇଗଲା । କ୍ରୋଧ, ଘୃଣା ଏବଂ ଆତ୍ମଗ୍ଲାନି ମୋତେ ଅଧିକାର କରି ବସିଲା । ପିଲାମାନଙ୍କ ଆଗରେ ସେମାନଙ୍କ ମାଷ୍ଟ୍ରାଣୀ ଆଗେ ଏହି କଥାଟା ମୋତେ ବେଶୀ ବାଧୁଥାଏ । ମୋ ମୁହଁରେ ହୃଦୟ-ଚିନ୍ତା ନିଶ୍ଚୟ ପ୍ରତିଫଳିତ ହୋଇଥିବ । ପିଲାଟିମାନେ ମୋତେ ଦେଖି ଭୟତ୍ରସ୍ତ ହୋଇଗଲେ । ମାଷ୍ଟରାଣୀ ମୋତେ ପଚାରିଲେ, ‘କଅଣ ହେଲା କି ?’’ ମୁଁ ଏ ପ୍ରଶ୍ନର କିନ୍ତୁ ଉତ୍ତର ନ ଦେଇ ମୋର ସ୍ୱାଭାବିକ ମୁଖଭଙ୍ଗୀ ଫେରାଇ ଆଣିବାକୁ ଯଥେଷ୍ଟ ଚେଷ୍ଟାକରି ହଠାତ୍‌ ଦୁଆର ଖୋଲି ଦେଇ ବୈଠକଖାନା ଭିତରକୁ ପଶିଲି । ସେ ପିଆନୋ ପାଖରେ ବସି ବଜାଉଛନ୍ତି । ମୋ ସ୍ତ୍ରୀ ଗୋଟିଏ କୋଣକୁ ସଙ୍ଗୀତ ବହିଟାଏ ଧରି ତାଙ୍କୁ ଚାହିଁଛି । ମୋ ପଶିବାର ଶବ୍ଦ ଶୁଣି ସେ ହଠାତ୍‌ ମୋ ଆଡ଼କୁ ମୁହଁ ଫେରାଇଲା । ମୋତେ ଦେଖି ତାର ବେଶୀ ଭୟ ହୋଇଥିଲା ଏବଂ ତେଣୁ ସେ ଛଳନା କରି ନିରୀହ ମୁଖଭଙ୍ଗୀ ଦେଖାଉଥିଲା ନା ବାସ୍ତବିକ୍‌ତାର ନିର୍ମଳ ସ୍ୱଭାବ ଯୋଗୁଁ ତା ମୁଖଭଙ୍ଗୀ ପ୍ରଶାନ୍ତ ଥିଲା, ମୁଁ କହିପାରିବି ନାହିଁ ତାହାର ମୁହଁରୁ ଟିକିଏ ହେଲେ ଭୟ, ଶଙ୍କା ବା ସନ୍ଦେହର ଚିହ୍ନ ଦେଖିପାରିଲି ନାହିଁ ।

‘‘ସେ କହିଲା, ‘‘ତମର ଆଜି ଉଛୁର ହେବାର ଦେଖି ମୁଁ ବଡ଼ ଚିନ୍ତିତ ଥିଲି । ଆମେ ଆସନ୍ତା ରବିବାର ଦିନ କେଉଁ ଗୀତ ବୋଲିବୁ ତାହା ବସି ସ୍ଥିର କରୁଛୁ ।’ ସେ ବର୍ତ୍ତମାନ ଯେଉଁ ସ୍ୱରରେ କଥା କହିଲା, ଆମେ ଦୁହେଁ ଏକାନ୍ତରେ ଥିଲେ ଏପରି ସ୍ୱର ସେ କେବେ ବ୍ୟବହାର କରେ ନାହିଁ । ସ୍ୱରର ଅଯଥା ମଧୁରତା, କଥାର ଭଙ୍ଗୀ ଏବଂ ‘ଆମେ’ ପଦଟି ମୋତେ ଅଧିକ ଚିଡ଼େଇ ଦେଲା । ମୁଁ କିଛି ନ କହି ମଉନରେ ଲଳିତ ବାବୁଙ୍କ ନମସ୍କାର କଲି । ସେ ମୋତେ ଅତି ବିନୀତ ଭାବରେ ହସି ହସି ପ୍ରତିନମସ୍କାର କରିବା ସଙ୍ଗେ ସଙ୍ଗେ ତାଙ୍କର ଏପରି ଆସିବାର କାରଣ ଏବଂ ରବିବାର ପାଇଁ ସଙ୍ଗୀତ ବାଛିବାର କଠୋରତା ବିଷୟରେ ସମଞ୍ଜାସି ଦିଚାରିପଦ କଥା କହିଲେ । କଥାଗୁଡ଼ିକ ବଡ଼ ସରଳ । ସେଥିରେ ଅସ୍ୱାଭାବିକ ବା ଦୋଷାବହ କିଛି ନ ଥିଲା । କିନ୍ତୁ ତାକୁ ଶୁଣିବା ମାତ୍ରେ ମୁଁ ସ୍ଥିରକରି ନେଲି, ମୋତେ ଠକିବା ପାଇଁ ଏ ଉଦ୍ୟମ ଚାଲିଛି ।

‘‘ଆମ ସମାଜରେ ପରପୁରୁଷ ଓ ପରସ୍ତ୍ରୀ ଏକ ସଙ୍ଗରେ ଆହାର ଓ ଆମୋଦ ପ୍ରଭୃତି କରିବାର ବ୍ୟବସ୍ଥା ଅଛି ଏବଂ ଆପଣଙ୍କ ହିନ୍ଦୁସମାଜର ଲୋକେ ଏହାକୁ ଆଦର୍ଶ ବୋଲି ଧରି ଶିକ୍ଷାର ପ୍ରଚାର ସଙ୍ଗେ ଏପରି କରିବାକୁ ସଚେଷ୍ଟ ହେଉଛନ୍ତି । ଆହୁରି ମଧ୍ୟ ସଙ୍ଗୀତଚର୍ଚ୍ଚା ପ୍ରଭୃତି କାର୍ଯ୍ୟରେ ଯେଉଁମାନେ ଯୋଗ ଦେବେ, ସେମାନେ ଏପରି ସଂସ୍କାରକୁ ଡରି ଅଲଗା ଅଲଗା ବସିବେ ବା କିପରି? କିନ୍ତୁ ମୋ ସ୍ତ୍ରୀ ଲଳିତ ବାବୁଙ୍କର ଏତେ ନିକଟରେ ବସିବାର ଦେଖି ମୁଁ ଈର୍ଷା ଓ ଅବିଶ୍ୱାସରେ ଜଳିଗଲି । ମୁଁ ନିର୍ଭର କହିପାରେ ଏପରି କୌଣସି ସ୍ୱାମୀ ନାହିଁ, ଯେ କି ଏପରି ଘଟଣାରେ ହୃଦୟକୁ ଅନାବିଳ ରଖିପାରିଥାନ୍ତା । ଦୁଇଜଣ ଏକ ସଙ୍ଗରେ ବସି ସଙ୍ଗୀତ ଚର୍ଚ୍ଚା କରିବା, ଡାକ୍ତର ସ୍ତ୍ରୀର ଦେହ ପରୀକ୍ଷା କରି ଔଷଧ ବ୍ୟବସ୍ଥା କରିବାରେ ଅବିଶ୍ୱାସ କଲେ ଆଜିକାଲିର ସଭ୍ୟ ସମାଜ ଉପହାସ କରିପାରନ୍ତି; କିନ୍ତୁ ନିଜ ସମ୍ପର୍କରେ ଏପରି ଘଟିଲେ, ଏହି ଉପହାସକାରୀମାନେ ଅବିଶ୍ୱାସ କରନ୍ତେ ନାହିଁ କି ? ଆହୁରି ମଧ୍ୟ ଏହିପରି ସଙ୍ଗୀତଚର୍ଚ୍ଚା ବା ଡାକ୍ତରୀ ପରୀକ୍ଷାସ୍ୱରୂପ ନିରୀହ କାର୍ଯ୍ୟସୂତ୍ରରେ ଆମ ସମାଜର କେତେଗୁଡ଼ିଏ ଜଘନ୍ୟ ଅନାଚାର ଓ ପାପ ଘଟୁ ନାହିଁକି ? ସେ ଯାହାହେଉ, ଏସବୁ ମୋର ନିଜର ଚିନ୍ତା ଓ ନିଜର ମତ ।

‘‘ମୋର ବିଚଳିତ ଭାବ ଦେଖି ସେ ଦୁହେଁ ଟିକିଏ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ବହୁତ ସମୟ ଯାଏ ମୁଁ କିଛି ନ କହି ତୁନି ହୋଇ ରହିଲି । ମୋର ହୃଦୟ ଆବେଗରେ ଏତେ ପରିପୂର୍ଣ୍ଣ ହୋଇଥାଏ ଯେ, ସେଥିରୁ କିଛି କଥା ସେତେବେଳେ ବାହାରୁ ନ ଥାଏ । ଦୁଇଜଣଙ୍କୁ ଭୀଷଣ ଗାଳି ଦେଇ ଲଳିତ ବାବୁଙ୍କୁ ବଳାତ୍କାରରେ ଘରୁ ବାହାର କରିଦେବାକୁ ମନହେଲା; କିନ୍ତୁ ଠିକ୍‌ ବିପରୀତ ଆଚରଣ କଲି । ହସି ହସି ତାଙ୍କୁ ବେଶ୍‌ ମଧୁର ବ୍ୟବହାର ଦେଖାଇଲି ତାଙ୍କ ସଙ୍ଗୀତଜ୍ଞାନର ଭୂୟସୀ ପ୍ରଶଂସା କଲି । ସେ ମୋର ଏପ୍ରକାର ବ୍ୟବହାରରେ ଆଉ ଟିକିଏ ସମୟ ରହିବାକୁ ସାହସୀ ହୋଇ ମଧୁର ବାକ୍ୟାଳାପରେ ମୋର ଦୁଶ୍ଚିନ୍ତାସବୁ ଦୂରକରିବା ପାଇଁ ସୁଚତୁର ଚେଷ୍ଟା କଲେ ଏବଂ ମୋ ମନରୁ ଦୁଶ୍ଚିନ୍ତା ସମ୍ପୂର୍ଣ୍ଣ ଦୂରହେଲା ବୋଲି ବିଚାରିବା ପରେ ବିଦାୟ ନେବାକୁ ବାହାରିଲେ । ମୁଁ ହସି ହସି ତାଙ୍କ ସଙ୍ଗରେ ଦାଣ୍ଡଦୁଆର ପର୍ଯ୍ୟନ୍ତ ଗଲି । ବିଦାୟବେଳେ ହାତ ମିଳାଇବା ପାଇଁ ହାତ ବଢ଼ାଇ ଦେଲି । ସେ ଖୁବ୍‌ ଆନ୍ତରିକତାର ସହିତ ମୋର ହସ୍ତ କମ୍ପନ କଲେ-। ଏ ଦିନ ମଧ୍ୟ ହୃଦୟର ଭାବ ଗୋପନ କରି ରଖିଲି; ମିଥ୍ୟାଚାର, ଅବଲମ୍ୱନ କଲି !’’

•••

 

(ଷୋହଳ)

 

‘‘ସେଦିନ ରାତି ଏବଂ ତହିଁ ଆରଦିନ ସାରା ସକାଳ ଭଲକରି ମୁଁ ମୋର ସ୍ତ୍ରୀ ମୁହଁକୁ ଚାହିଁପାରିଲି ନାହିଁ ବା ତା ସଙ୍ଗରେ କଥାବାର୍ତ୍ତା ହେଲି ନାହିଁ । ପୂର୍ବ ସନ୍ଧ୍ୟାର ଭାବ ମୋ ମନରୁ ଯାଉ ନ ଥାଏ । ସତେ ଯେପରି ମୋ ସ୍ତ୍ରୀର ଛାଇ ମୋ ଉପରେ ପଡ଼ିଗଲେ, ଦେହ ନିଆଁ ହୋଇ ଯାଉଥାଏ । ସକାଳ ପ୍ରାୟ ବାରଟାବେଳେ ସେ, ମୁଁ ଓ ପିଲାମାନେ ଏକ ସଙ୍ଗରେ ଖାଇବାକୁ ବସିଲୁ ଏବଂ କିଛି ସମୟ ପରେ ଖାଉ ଖାଉ ସେ ମୋତେ ପଚାରିଲା, ‘ତମେ କେଉଁଦିନ ପୁରୀ ଯିବ କି’ ? ଗୋଟାଏ ଗୁରୁତର କାର୍ଯ୍ୟରେ ମୋର ପୁରୀ ଯାଇ ସେଠାରେ କିଛିଦିନ ରହିବାକୁ ଥିଲା ଏବଂ ପ୍ରାୟ ୧୫ଦିନ ପୂର୍ବରୁ ମୁଁ ସେ କଥା ମୋର ସ୍ତ୍ରୀକୁ କହିଥିଲି । ବର୍ତ୍ତମାନ ମୋର ସ୍ଥାନାନ୍ତର ଯିବା ବିଷୟରେ ଏପରି ପ୍ରଶ୍ନ ବିଶେଷତଃ ପିଲାମାନଙ୍କ ଆଗରେ ପଚାରିବା ମତେ ସୁଖ ଲାଗିଲା ନାହିଁ । ମୁଁ ବିରକ୍ତିରେ ଯିବାର ଦିନ ତାକୁ କହି ଦେଲି । ସେ ମୋ ବିରକ୍ତିଭାବ ଲକ୍ଷ୍ୟ କରି ଅଧିକ ମଧୁର ସ୍ୱରରେ ପ୍ରଶ୍ନ କଲା, ‘ତମର କଅଣ କଅଣ ଦରକାର ହେବ ଆଗରୁ ସଜାଡ଼ି ରଖନ୍ତି ।’ ମୁଁ ଆହୁରି ଟିକିଏ ରାଗିଯାଇ ‘ମୋର ପାଉଁଶ ଦରକାର ହେବ- ସଜାଡ଼ି ରଖିବାକୁ କିଛି ଦରକାର ନାହିଁ’ ବୋଲି ଉତ୍ତର ଦେଲି ! ସେ ଟିକିଏ ଦବିଗଲା । ମୁଁ ତରବରରେ ଖାଇବା କାମ ସାରି ଦେଇ ଶୋଇବାକୁ ଚାଲିଗଲି ।

 

‘‘ଖଟ ଉପରେ ଯାଇ ପଡ଼ିଛି; କିନ୍ତୁ ନିଦ ହେଉନାହିଁ । ଖାଲି ତାରି ବିଷୟ ଚିନ୍ତା କରୁଥାଏ । ଏତେଗୁଡ଼ିଏ ପିଲାଙ୍କର ମା’ ହୋଇ ଏତେଦିନ ଏକ ସଙ୍ଗରେ ରହିବା ପରେ ସେ ମୋତେ ମୁହୂର୍ତ୍ତକ ମଧ୍ୟରେ ଛାଡ଼ି ଦେଇ ସେହି ସଙ୍ଗୀତଜ୍ଞ ମନୁଷ୍ୟଟାର ଆପଣାର ହୋଇଗଲା । ଏହି ଚିନ୍ତା ମୋର ହୃଦୟକୁ ଆଲୋଡ଼ିତ କରି ପକାଉଥାଏ । କେତେ ପ୍ରକାର ନୃଶଂସ କଳ୍ପନାଜଳ୍ପନା ହୃଦୟରେ ଖେଳି ଯାଉଥାଏ । ହଠାତ୍‌ ମନେହେଲା, ସେ ଯେପରି ଧୀରେ ଧୀରେ ମୋ ଶୋଇବା ଘର ଆଡ଼କୁ ଆସୁଛି । ଦୁଇ ପ୍ରହର ସମୟରେ ମୋ ଗୋଡ଼କୁ ଟିକିଏ ଆଉଜି ବସି ନାନା ପ୍ରକାର କଥା ପକାଇବା ତାର ଗୋଟାଏ ବହୁଦିନର ଅଭ୍ୟାସ । କିନ୍ତୁ ସେ ଦିନକୁ ବର୍ଷେଖଣ୍ଡେ ହେଲା ସେ ଅଭ୍ୟାସ ସେ ଛାଡ଼ିଥାଏ । ତେଣୁ ଆଜି ହଠାତ୍‌ ଆସିବାର ଅନୁଭବ କରି ମୋର ଅବିଶ୍ୱାସ ଦୃଢ଼ତର ହେଲା । ମୁଁ ମନେ ମନେ ସ୍ଥିର କଲି ‘ପାପକୁ ଘୋଡ଼ାଇ ରଖିବା ପାଇଁ ଏ ଗୋଟାଏ ଚେଷ୍ଟା ।’ ଗମ୍ଭୀରଭାବରେ ତାର ପଦଶବ୍ଦକୁ ଶୁଣି ନ ଶୁଣିଲା ପରି ପଡ଼ି ରହିଲି ।

 

‘‘ମୋର ଶୋଇବା ଘରର ଦୁଆର ଫିଟିଲା । ଦୁଆରେ ସେ ଆସି ଠିଆ । ତାହାର ସେ ସୁନ୍ଦର ଦେହକାନ୍ତି ସେ ଦିନ କେଜାଣି କାହିଁକି ଅଧିକ ସୁନ୍ଦର ଦିଶୁଥାଏ । ତେଣୁ ମୋ ହୃଦୟର କ୍ରୋଧ ଅଧିକ ବଢ଼ିଲା । ମୁଁ ତା ଆଡ଼କୁ ଅତି କଠୋର ଭାବରେ ଟିକିଏ ଚାହିଁ ମାଣ୍ଡିତଳୁ ସିଗାରେଟ ଡବା ବାହାର କରି ଖଣ୍ଡିଏ ସିଗାରେଟ ଜଳାଇ ଖାଇଲି ।

 

‘‘ସେ ଘର ଭିତରକୁ ଆସି ମୋ ଖଟର ଟିକିଏ ଦୂରରେ ଛିଡ଼ା ହୋଇ କହିଲା- ‘କିଏ ଜଣେ ଆସୁଛି ତମ ସଙ୍ଗରେ ଟିକିଏ ବସି କଥାବାର୍ତ୍ତା ହେବ ବୋଲି; ଆଉ ତମେ ଧୂଆଁ ଛାଡ଼ି ଘର ଅନ୍ଧାର କରିବାରେ ଲାଗିଛ !’ ମୁଁ ଏ କଥାର କିଛି ଉତ୍ତର ନ ଦେଇ ଅଧିକ ଧୂଆଁ ଛାଡ଼ିଲି । ସେ ଆସି ମୋ ଗୋଡ଼କୁ ଟିକିଏ ଆଉଜି ବସି ପଡ଼ିଲା । ମୁଁ ତା’ଠାରୁ ଦୂରକୁ ଗୋଡ଼ ଘୁଞ୍ଚାଇ ନେଲି । ସେ କହିଲା ‘ଇଏ କଅଣ ମ, ଏମିତି କାହିଁକି ହେଉଛ ? ମୁଁ ରବିବାରଦିନ ଲଳିତବାବୁଙ୍କ ସଙ୍ଗେ ସଙ୍ଗୀତ ଗାଇବି ବୋଲି କଅଣ ବିରକ୍ତ ହେଉଛ କି ?’ ମୁଁ ବିରକ୍ତିରେ ଉତ୍ତର ଦେଲି- ‘ଏଥିରେ ବିରକ୍ତ ହେବାର କଅଣ ଅଛି ଯେ ବିରକ୍ତ ହେବି ?’

 

ସେ–ନାହିଁ କରୁଛ ସିନା, ତମେ ବିରକ୍ତ ହୋଇଛ ବୋଲି ସଫା ଜଣାପଡ଼ୁଛି ।

 

ମୁଁ–ଜଣାପଡ଼ିଲେ ତମ ଜାଣିବାପଣକୁ ଧନ୍ୟ । କିନ୍ତୁ ମତେ ଜଣାପଡ଼ୁଛି, ତମଠାରୁ ବଳି ନିର୍ଲଜ୍ଜା ସ୍ତ୍ରୀ ଲୋକ ଏ ଜଗତରେ ଆଉ ନାହିଁ । ଜଣେ ତମ ଉପରେ ବିରକ୍ତ ହେଉଛି ଦେଖୁଛ, ତେବେ ଆସି ତା ଗୋଡ଼ତଳେ ବସି ନାଳେଇପାଳେଇ ହେବାର କାରଣ କଅଣ ?

 

ସେ–ତମେ ଯଦି ମୋତେ ଖାଲି ଏମିତି ଗୁଡ଼ାଏ ଗାଳି ଦେବ ବୋଲି ବିଚାରିଛ, ତେବେ ମୁଁ ଯାଉଛି ।

 

‘‘ତାର ଏକଥା ଶୁଣି ମୁଁ ଖୁବ୍‌ ଚଟିଗଲି ଏବଂ ଖଟ ଉପରୁ ମୋର ଅଧେ ଦେହ ଉଠାଇ ଭାରି ବଡ଼ପାଟିରେ କହିଲି–‘ଯାଆ, ଶୀଘ୍ର ଯାଆ, ଏ ଘରୁ ଯାଆ; କିନ୍ତୁ ମନେରଖ, ଏ ବଂଶର ଇଜତ୍‌ ଦାଣ୍ଡରେ ପକାଇ ଦେବାକୁ ତୁମେ ବାହାରିଲେ ମୁଁ ଆଉ ଦୟା ମାୟା ରଖିବି ନାହିଁ । ତୁମେ ରସାତଳକୁ ଯାଅ, ସେଥିରେ ମୋର କିଛି ଯାଏ ଆସେ ନାହିଁ; କିନ୍ତୁ ପୂର୍ବ ଗୌରବମୟ ଏ ବଂଶରେ କଳଙ୍କ ଲାଗିଲେ ବଂଶର ଗୌରବ ହାନି ହେବ ।

 

‘‘ସେ କାବା ପରି ମୋତେ ଚାହିଁ ପଚାରିଲା- ‘କଅଣ କହିଲ ? ମୁଁ କିଛି ବୁଝିପାରୁନାହିଁ ।’

ମୁଁ–ବୁଝିପାରୁନାହଁ । ଓଃ, ଭାରି ଭଲ ମଣିଷଟାଏ ଏକା–ମୋ ପାଖରୁ ଦୂର ହୁଅ ।

 

‘‘ସେ ମୋ କଥା ବାସ୍ତବିକ୍‌ ବୁଝି ଛଳନା କରୁଥିଲା ନା ପ୍ରକୃତରେ ତା ହୃଦୟ ନିର୍ମଳ, ମୁଁ କହିପାରିବି ନାହିଁ । ଯାହାହେଉ ମୋ କଥା ତାକୁ ଭାରି ବାଧିଲା । ସେ ଖଟରୁ ଉଠି ଧୀରେ ଧୀରେ ଯାଇ ଘର ମଝିରେ ଠିଆ ହେଲା ଏବଂ ମୋତେ ଦୁଃଖ ଓ ଘୃଣାମିଶ୍ରିତ ସ୍ୱରରେ କହିଲା- ‘ହଇହେ, ମୁଁ କଅଣ କଲି ଯେ ତୁମେ ମୋତେ ଏପରି ସାଧୁଛ ? ତମେ ଯିମିତି ବ୍ୟବହାର କରୁଛ, ତାହା ସହିବା ସମ୍ଭବ ହେଉ ନାହିଁ । ତମର ଏ ସ୍ୱଭାବରେ ତମ ସଙ୍ଗରେ ସ୍ୱର୍ଗର ଅପ୍‍ସରା ସୁଦ୍ଧା ଆସି ରହିପାରିବ ନାହିଁ । ହଁ, ତମେ ଇମିତି କରିବ ବୋଲି କଅଣ ଜଣା ନ ଥିଲା କି ? ଯେ ଆପଣା ଭଉଣୀକି ହାଡ଼ିବାଉରୀଙ୍କଠାରୁ ହୀନଚକ୍ଷୁରେ ଦେଖିପାରେ, ସେ ଭାରିଯା ପ୍ରତି ଆଉ କିପରି ବ୍ୟବହାର କରନ୍ତା ?’ ମୁଁ ବାସ୍ତବିକ୍‌ ଥରେ କ୍ରୋଧରେ ଜ୍ଞାନ ହରାଇ ମୋ ଭଉଣୀ ପ୍ରତି ବଡ଼ ରୂଢ଼ ବ୍ୟବହାର କରିଥିଲି । ସେଥିପାଇଁ ଅନେକ ସମୟରେ ମୋ ସ୍ତ୍ରୀ ଆଗରେ ମୁଁ ଦୁଃଖ ପ୍ରକାଶ କରିଛି-। ଆଜି ସେହି ଘଟଣାଟି ବାଛି ସେ ମୋତେ ଲାଞ୍ଛିତ କରିବା ପାଇଁ ଚେଷ୍ଟା କରିବାର ଦେଖି ମୋ କ୍ରୋଧର ମାତ୍ରା ବଳି ପଡ଼ିଲା । ମୁଁ ବିଚାରିଲି–ହଁ, ମୋ ମର୍ଯ୍ୟାଦାରେ କଳଙ୍କ ଲଗାଇ ମୋତେ ଅପମାନ କରି ଏହା ମନ ସନ୍ତୁଷ୍ଟ ହେଉନାହିଁ ଯେ ସେ ପୁଣି ମୋର ପୂର୍ବ ଦୋଷର ବିବୃତି କରି ଏ ଘଟଣାରେ ମୋତେ ଦୋଷୀ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ! ହୃଦୟର ଘୃଣାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ତୀବ୍ର ସଙ୍କଳ୍ପ ହେଲା । ଉଠିପଡ଼ି ଧାଇଁଗଲି ଏବଂ ତା ହାତକୁ ଧରି ଦି ଚାରିଥର ହଲାଇ ଦେଇ ପାଟିକଲି–‘ଯା ବେଗେ ମୋ ପାଖରୁ ଚାଲି ଯା, ନୋହିଲେ ଏଠାରେ ତୋର ରକ୍ତ ଚିତା କରିବି ।’ ତାକୁ ଭୟ ଦେଖାଇବା ପାଇଁ ମୁଁ ସ୍ୱରକୁ ଏପରି ଚଢ଼ାଇ ଦେଇଥିଲି ଯେ, ସେ ସ୍ତବ୍‌ଧ ହୋଇଗଲା, ତା ଗୋଡ଼ ଚଳିଲା ନାହିଁ ।

 

‘‘ଅତି ଧୀରେ ଧୀରେ କହିଲା–‘କିଏ, ତମର କଅଣ ହୋଇଛି ମ ? ଇମିତି କାହିଁକି ହେଉଛ ?’ ମୁଁ ଆହୁରି ପାଟିକରି କହିଲି–‘ଦୂର ହ, ତୋତେ ଦେଖିଲେ ମୋ ହାଡ଼ ଜଳିଯାଉଛି । ତୁ କିଏ କି, ମୋର କଅଣ ହୋଇଛି ତତେ କହିବି ? ବାହାରି ଯା ।’ ତାକୁ ସେହିଠାରେ ଗୁଡ଼ାଏ ପିଟି ପକାଇବାକୁ ଅଥବା ସେହିଠାରେ ତାର ପ୍ରାଣ ନେବାକୁ ମନ ହେଉଥାଏ; କିନ୍ତୁ ତାହା ତ ସମ୍ଭବ ନୁହେଁ । ଯେ କୌଣସିମତେ କ୍ରୋଧ ପ୍ରକାଶ କରିବାକୁ ମୁଁ ଟେବୁଲ ଉପରୁ ଗୋଟାଏ ଦୁଆତ ଉଠାଇ ଆଣିଲି ଏବଂ ଦୁଆତକୁ ଜୋରରେ ତଳକୁ ଫୋପାଡ଼ି ଦେବା ସଙ୍ଗେ ସଙ୍ଗେ ଦୂର ହୋ ବୋଲି ଆଉ ଗୋଟାଏ ଗର୍ଜନ କଲି । ସେତିକିରେ ସେ ଘରୁ ବାହାରି ପଡ଼ିଲା । କିନ୍ତୁ ଦୁଆରମୁହଁରୁ ଯାଉ ନ ଥାଏ । ତହୁଁ ମୁଁ ଟେବୁଲ ଉପରୁ ଏବଂ ସେଲ୍‌ଫମାନଙ୍କୁ ଗୋଟି ଗୋଟି କରି ତଳକୁ ଜୋରରେ ଫୋପାଡ଼ି ଭାଙ୍ଗି ଖାଲି ‘ଦୂର ହ–ଦୂର ହ’ ବୋଲି ଚିତ୍କାର କରିବାକୁ ଲାଗିଲି । ଫୋପାଡ଼ିବା ପାଇଁ ଜିନିଷ ବି ଅଭାବ ହେଲା ଏବଂ ମୋର କ୍ରୋଧ ବି ଟିକିଏ ଦବିଗଲା ।

 

‘‘ଘଣ୍ଟାକ ପରେ ଚାକରାଣୀ ଆସି ମୋତେ ଖବର ଦେଲା, ‘ବାବୁ, ଧାଇ ଆସ, ମାଙ୍କର କଅଣ ହୋଇ ଯାଉଛି । ମୁଁ ଗଲି, ତାର ପ୍ରଳାପ ହେଉଥାଏ । ସେ କେତେବେଳେ ଗୁଡ଼ାଏ କାନ୍ଦୁଥାଏ; ପୁଣି କେତେବେଳେ ଗୁଡ଼ାଏ ହସୁଥାଏ । ତା ମୁହଁରୁ କଥା ବାହାରୁ ନ ଥାଏ । ଦେହ ବରଡ଼ା ପତର ପରି କମ୍ପୁଥାଏ । ଦେଖିଲି, ସେ ଛଳନା କରୁନାହିଁ; ବାସ୍ତବିକ୍‌ତାର ଶକ୍ତିବିକାର ।

 

‘‘ସକାଳକୁ ପ୍ରଳାପ ଟିକିଏ ଶାନ୍ତ ହେଲା । କ୍ରମେ କ୍ରମେ ବିକାରର ସମସ୍ତ ଲକ୍ଷଣ ଦୂର ହୋଇଗଲା ଏବଂ ସେହି ତଥାକଥିତ ପ୍ରେମର ବଳରେ ଆମ୍ଭମାନଙ୍କ ମଧ୍ୟରେ ମିଳାମିଶା ହୋଇଗଲା । ସେତେବେଳେ ମୁଁ ତାକୁ ହୃଦୟ ଖୋଲି କହିଲି, ଲଳିତ ବାବୁଙ୍କ ପ୍ରତି ସେ ଯେ ପ୍ରକାର ବ୍ୟବହାର କରୁଛି, ତା ଦେଖି ମୋର ଈର୍ଷା ଓ ଅବିଶ୍ୱାସ ହେଉଛି । ସେ ଟିକିଏ ସୁଦ୍ଧା ଘାବରା ନ ହୋଇ ଅତି ସରଳ ଓ ସ୍ୱାଭାବିକ ଭାବରେ ମଧୁର ହସ ହସିଲା ଏବଂ କହିଲା, ‘ହଇ ହେ, ସିମିତି ଗୋଟାଏ ଲୋକ ପ୍ରତି ମୋର ଏପରି ଗୋଟାଏ ଭାବ ହେବ ବୋଲି ତମର ସନ୍ଦେହ ହେଲା କିପରି ? ସେ ଯେଉଁ ଧରଣର ଲୋକ, ତା ପ୍ରତି ମୋର ପ୍ରେମ ହୁଅନ୍ତା ? ଖାଲି ସେ ଟିକିଏ ଭଲ ବଜେଇ ଜାଣେ ବୋଲି ତା ବିଦ୍ୟାପ୍ରତି ମୁଁ ଟିକିଏ ସିନା ଆକୃଷ୍ଟ ହେଉଛି । ତମେ ଯଦି କହିବ ତା ହେଲେ ତାକୁ ମନା କରିଦେବା ଦୁଆର ମାଡ଼ିବାକୁ । ମୁଁ କଅଣ ଏପରି ବଜାରୁଣୀ ହୋଇଛି ଯେ, ତମେ ସନ୍ଦେହ କଲା ଭଳି ଏପରି ଗୋଟାଏ କିଛି ଘଟିଯିବ ?’

 

‘‘ଏ କଥା କିଛି ମିଛ ନୁହେ । ସେ ସେତେବେଳେ ଯାହା ମନରେ ଭାବୁଥିଲା, ତାହା କହିଥିଲା ବୋଲି ମୋର ବିଶ୍ୱାସ । ବୋଧହୁଏ, ସେହି ମୁହୂର୍ତ୍ତରେ ସେ ପାପର କବଳରୁ ନିଜକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ଚେଷ୍ଟା ସଫଳ ହେଲା ନାହିଁ । ହୁଅନ୍ତା ବା କିପରି ? ଲଳିତ ବାବୁଙ୍କ ରୂପ ଓ ସଙ୍ଗୀତ ତାର ମହତ ମର୍ଯ୍ୟାଦା ବିରୁଦ୍ଧରେ ଯେ ପ୍ରବଳ ପରାକ୍ରାନ୍ତ ଶତ୍ରୁ ।

 

‘‘ଯାହାହେଉ, ଏହିପରି ସେ ଦିନର ଇତିହାସ ସରିଲା । ତା ପ୍ରତି ମୋର ପୂର୍ଣ୍ଣ ବିଶ୍ୱାସ ପୁଣି ଫେରି ଆସିଲା । ଲଳିତ ବାବୁଙ୍କୁ ଦୁଆର ମନା କରିବାର କିଛି ପ୍ରୟୋଜନ ମୁଁ ଦେଖିଲି ନାହିଁ । ତା’ପରେ ବନ୍ଧୁମାନଙ୍କ ପାଖକୁ ନିମନ୍ତ୍ରଣ ସବୁ ଯାଇଥିଲା ଭାରି । ଏଣେ ଏପରି ମୁହୂର୍ତ୍ତରେ ଲଳିତ ବାବୁଙ୍କୁ ଦୁଆର ମନାକରିଦେଲେ ପ୍ରକୃତ କାରଣଟା ବୁଝିପାରି ସେ ନିଜକୁ ବଡ଼ ମଣିଷ ବୋଲି ଗର୍ବ ବି ଟିକିଏ ଅନୁଭବ କରିପାରନ୍ତି ।

•••

 

(ସତର)

 

‘‘ରବିବାର ସନ୍ଧ୍ୟା, ନିମନ୍ତ୍ରିତ ବନ୍ଧୁମାନେ ସମସ୍ତେ ଆସି ସାରିଲେଣି । ଲଳିତ ବାବୁ ଆସି ପହଞ୍ଚିଲେ । ସେତେବେଳେ ମୋର ସ୍ତ୍ରୀଠାରେ ପୂର୍ଣ୍ଣ ବିଶ୍ୱାସ ଥାଏ । ତଥାପି ଲଳିତ ବାବୁଙ୍କର ସେ ଛାପଚିକ୍କଣ ରୂପ ଦେଖି ତାଙ୍କ ଯିବା ଆସିବା, କଥାବାର୍ତ୍ତାର ରଙ୍ଗଢଙ୍ଗ ଦେଖି ମୋର ତାଙ୍କ ପ୍ରତି ମୂଳରୁ ଯେଉଁ ଧାରଣା ହୋଇଥିଲା, ତାହା ବଦଳି ପାରିଲା ନାହିଁ; ବରଂ ଘୃଣାର ମାତ୍ରା ଟିକିଏ ବଢ଼ିଲା । ତଥାପି ମୁଁ ଭାରି ଭଦ୍ର ବ୍ୟବହାର କରୁଥାଏ । ଅନ୍ୟମାନଙ୍କ ଅପେକ୍ଷା ତାଙ୍କ ସଙ୍ଗେ ବେଶୀ ମିଳାମିଶା କରୁଥାଏ । ସଙ୍ଗୀତ ଆରମ୍ଭ ହୋଇଗଲା । ମୋ ସ୍ତ୍ରୀ ଓ ସେ ରବୀନ୍ଦ୍ରନାଥଙ୍କର ସେହି ‘ସୁନ୍ଦର ହେ ସୁନ୍ଦର’ ଗୀତରୁ ଗାନ ଆରମ୍ଭ କରି ଆଉ କେତେ କଅଣ ଗାଇଗଲେ; କିନ୍ତୁ ମୋର ସେ ସବୁରେ ଦୃଷ୍ଟି ନ ଥାଏ । ମୋ କାନକୁ ସଙ୍ଗୀତ ଶୁଭୁ ନ ଥାଏ । ମୁଁ ସବୁ ଇନ୍ଦ୍ରିୟମାନଙ୍କୁ ଜାଗ୍ରତ ରଖି ଲଳିତ ବାବୁଙ୍କର ଭାବଭଙ୍ଗୀ ଏବଂ ତହିଁ ସଙ୍ଗେ ସଙ୍ଗେ ମୋ ସ୍ତ୍ରୀର ଭାବଭଙ୍ଗୀ ମଧ୍ୟ ତନ୍ନ ତନ୍ନ ନିରୀକ୍ଷଣ କରୁଥାଏ । ସ୍ତ୍ରୀର କଥାରେ ଯାହା ବିଶ୍ୱାସ ସ୍ଥାପନ କରିଛି, ତାହା ପ୍ରକୃତରେ ଠିକ ହୋଇଛି କି ନାହିଁ, ପ୍ରତି ମୁହୂର୍ତ୍ତରେ ବିଚାରୁଥାଏ ଏବଂ ସେହି ଦୃଷ୍ଟିରେ ସେମାନଙ୍କର ପ୍ରତ୍ୟେକ ଗତିବିଧି ନିରୀକ୍ଷଣ କରୁଥାଏ ।

 

‘‘ମୁଁ ସେହି ଆମୋଦ ସମୟଯାକ ଏତେ ସାବଧାନତା–ପୂର୍ଣ୍ଣ ପରୀକ୍ଷା କରିଥିଲି ଯେ, ମୋର ବର୍ତ୍ତମାନ ସୁଦ୍ଧା ସେ ସନ୍ଧ୍ୟାର ପ୍ରତ୍ୟେକ କ୍ଷୁଦ୍ରକ୍ଷୁଦ୍ର ଘଟଣାସବୁ ମନରେ କେବେ ନ ଲିଭିଲା ଭଳି ଆଙ୍କି ହୋଇ ରହିଛି । ପିଆନୋ ଉପରୁ ଆବରଣ କାଢ଼ି ପ୍ରଥମ ତାନ ଧରିବାଠାରୁ ଲଳିତବାବୁ ମୋତେ ଶେଷ ବିଦାୟ ଦେଇ ଯିବା ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣା ପୂର୍ବାପର କ୍ରମରେ ମୁଁ ବର୍ତ୍ତମାନ କହିଯାଇପାରେ । ସେମାନେ ଯେ ଗୀତ ବୋଲୁଥିଲେ, ତାହାର ବିଷୟ ସମ୍ପୂର୍ଣ୍ଣରୂପେ ମନେ ନ ଥାଇପାରେ, କିନ୍ତୁ କେଉଁ କେଉଁ ପଦଟିମାନ ଦୁହେଁ ସ୍ୱର ମିଳାଇ ବୋଲିଥିଲେ ଏବଂ କେଉଁଠି ସ୍ୱରଭଙ୍ଗ ହୋଇଥିଲା, ତାହା ମୁଁ ସ୍ପଷ୍ଟ ମନେରଖିଛି । ଏ ସବୁ ଦେଖିସାରି ଦୁହିଙ୍କ ଭିତର ସମ୍ୱନ୍ଧରେ ପାପ ଅଛି କି ନାହିଁ ସନ୍ଦିହାନ ହେଉଛି, ଏହିପରି ସମୟରେ ଲଳିତବାବୁ ଯେ ରୂପେ ମୋ ଠାରୁ ବିଦାୟ ନେଲେ, ତାହା ମୋର ସମସ୍ତ ସନ୍ଦେହ ଦୂର କରିଦେଲା ।

 

‘‘ବନ୍ଧୁମାନେ ସମସ୍ତେ ଯାଇସାରିଲା ପରେ ଲଳିତ ବାବୁ ବିଦାୟ ନେଲେ । ମୁଁ ମଝିରେ ସୋମବାର ଛାଡ଼ି ମଙ୍ଗଳବାର ଦିନ ପୁରୀ ଯିବି ବୋଲି ସେ ଜାଣିଥିଲେ । ଗଲାବେଳେ ସେ ମୋତେ କହିଲେ, ‘ଆପଣ ଯାଉଛନ୍ତି; ଫେରିଲେ ପୁଣି ଆଉ ଦେଖା ହେବ । ଆଜିର ସଙ୍ଗୀତର ତୃପ୍ତିରେ ଯେ ଟିକକ ଅଭାବ ରହି ଯାଇଥିବ, ଫେରିଲେ ମୁଁ ଆସି ସେ ଟିକକ ପୂର୍ଣ୍ଣ କରିଦେବାକୁ ଚେଷ୍ଟା କରିବି । ଆପଣ କେବେ ଆସିବେ ?’ ପୁରୀରେ ମୋର ଯେତିକି ଦିନ କାର୍ଯ୍ୟ ଲାଗିବାର କଥା ତହିଁରୁ ଖୁବ୍‌ ବେଶୀଦିନ ଲାଗିବ ବୋଲି ତାଙ୍କୁ ମିଛରେ କହିଦେଲି । ମୁଁ ମାସେ ଅନୁପସ୍ଥିତ ରହିବି ବୋଲି ଶୁଣି ସେ ଟିକିଏ ନିରାଶ ହେଲାପରି କହିଲେ–‘ଓ ହୋ, ତା ହେଲେ ତ ଆପଣ ଆସିଲାବେଳକୁ ମୁଁ ଏ ସ୍ଥାନ ଛାଡ଼ିଥିବି ।’ ଏ ଉତ୍ତରରେ ମୁଁ ଟିକିଏ ଆଶ୍ୱସ୍ତ ହେଲି ।

 

‘‘ମୋ ସ୍ତ୍ରୀଠାରୁ ସେ ଯେ ରକମ ବିଦାୟ ନେଲେ ସେଥିରୁ ଜଣାପଡ଼ିଲା, ତାହା ତାଙ୍କର ଶେଷ ବିଦାୟ । ସେମାନଙ୍କ ସମ୍ୱନ୍ଧ ବିଷୟରେ ମୋର ଯେ ଧାରଣା ଥିଲା, ତାକୁ ଭ୍ରାନ୍ତ ବୋଲି ମନେକଲି ଏବଂ ଲଳିତବାବୁଙ୍କ ଆବିର୍ଭାବରେ ମୋର ପାରିବାରିକ ଜୀବନରେ ଯେଉଁ ବିଶୃଙ୍ଖଳା ଉପସ୍ଥିତ ହୋଇଥିଲା, ତାହା ଏତେ ସହଜରେ ଦୂର ହୋଇଯିବାର ଅନୁମାନ କରି ମୁଁ ବଡ଼ ସନ୍ତୋଷ ଲାଭକଲି । ବିଚାରିଲି, ମୁଁ ନ ଥିଲା ଯାଏ ଲଳିତବାବୁ ତ ଆମ ଘରକୁ ଆସିବେ ନାହିଁ ପରି ଜଣାଯାଉଛି । ଏଣେ ସେ ସହର ନ ଛାଡ଼ିବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ । ଆଉ ଆଶଙ୍କା କଅଣ ? ଜୀବନର ଭବିଷ୍ୟତ ଉପରେ ସେ କଳାମେଘ ଘୋଟି ଯାଇଥିଲା, ତାହା ସମ୍ପୂର୍ଣ୍ଣ ଅପସାରିତ ହୋଇଥିଲା । କିନ୍ତୁ ହାୟ, ମନୁଷ୍ୟର ଅନୁମାନ କେଡ଼େ ଦୂରଦୃଷ୍ଟିହୀନ ଅସାର !’’

•••

 

(ଅଠର)

 

‘‘ସେହି ରବିବାରର ଦୁଇଦିନ ପରେ ମୁଁ ପୁରୀ ବାହାରିଲି । ମୋ ସ୍ତ୍ରୀ ମୋର ଯିବାପାଇଁ ସବୁ ବନ୍ଦୋବସ୍ତ କରିଦେଲା । ଅନ୍ୟ କେତେବେଳେ ବାହାର ଗାଁକୁ ଗଲେ ସେ ମୋ ଜିନିଷପତ୍ରର ଯେତେ ତତ୍ତ୍ୱ ନିଏ, ଏଥର ଖୁବ୍‌ ଅଧିକ ନେଲା । ମୁଁ ମନେକଲି ନିକଟରେ ଆମ୍ଭମାନଙ୍କ ମଧ୍ୟରେ ନୂଆ ପ୍ରେମର ଯେ ଅଙ୍କୁରଟି ଜାତ ହୋଇଅଛି, ତାହାର ଯତ୍ନର କାରଣଟି ସେହି । ନିଶ୍ଚିନ୍ତ ମନରେ ଗୃହତ୍ୟାଗ କଲି ଏବଂ ପୁରୀରେ ପହଞ୍ଚି ଖୁବ୍‌ ମନଦେଇ ମୋ କାର୍ଯ୍ୟରେ ମୁଁ ଲାଗିଗଲି । କାର୍ଯ୍ୟର ଚାପ ଏତେ ବେଶୀ ପଡ଼ିଥାଏ ଯେ ନିଜ କଥା, ଘରକଥା ମନେପକାଇବାକୁ ଅବସର ନ ଥାଏ । ଆବଶ୍ୟକ ବି ନ ଥାଏ, କାରଣ ମୁଁ ଯେ ପୂର୍ଣ୍ଣ ବିଶ୍ୱାସରେ ନିଶ୍ଚିନ୍ତ ମନରେ ଘର ଛାଡ଼ିଛି ।

 

‘‘ଦୁଇଦିନ ଏହିପରି କଟିଗଲା । ତୃତୀୟ ଦିନ ଅଫିସରେ ବସି କାମ କରୁଛି, ଖୁବ୍‌ କାମ ଲାଗିଛି, ଡାକବାଲା ଆସି ଚିଠିଗୁଡ଼ିଏ ଦେଇଗଲା । ସେ ଚିଠିରେ ମୋର ଖଣ୍ଡେ ଘରୋଇ ଚିଠି- ମୋ ସ୍ତ୍ରୀ ହାତର ଲେଖା । ସେତେବେଳେ ଘରୋଇ ଚିଠି ପଢ଼ିବାର ଅବସର ଖୁବ୍‌ କମ୍ । ଚିଠିଟା ଖୋଲିଦେଲି । ଖାଲି ଟିକିଏ ପତ୍ର ଲେଉଟାଇ ଆଖି ପକାଇ ଦେଲି । ଜଣାପଡ଼ିଗଲା ଘରେ ସବୁ ଭଲ । କିନ୍ତୁ କଅଣ କଅଣ ଲେଖା ହୋଇଅଛି ତାହା ପଢ଼ିଲି ନାହିଁ । ସନ୍ଧ୍ୟା ୫ଟା ବେଳକୁ ବସାକୁ ଫେରିଲି । କର୍ତ୍ତବ୍ୟରୁ ଅବ୍ୟାହତି ପାଇ ହାତ ତାର ନିଜ ଇଚ୍ଛାରେ ଏଣେ ତେଣେ ହେଉ ହେଉ ପକେଟର ସେ ଚିଠି ଖଣ୍ଡକ ଉପରେ ପଡ଼ିଗଲା । ସେହିକ୍ଷଣି ଚିଠି ଖଣ୍ଡି ବାହାର କରି ବାଟରେ ପଢ଼ି ପଢ଼ି ଆସିଲି । ପ୍ରଥମେ ଦୁଇପୃଷ୍ଠା ଘର ହାଲ, ପିଲାପିଲିଙ୍କ କୁଶଳ ସମାଚାର ବିସ୍ତାରିତ ଭାବରେ ଲେଖା ହୋଇଛି । ସେ ସବୁ ପଢ଼ି ସନ୍ତୋଷ ଲାଭ କରୁ କରୁ ଶେଷ ଦୁଇ ଧାଡ଼ିରେ ନଜର ପଡ଼ିଗଲା-। ଲେଖା ହୋଇଛି ଲଳିତବାବୁ ଯେଉଁ ସଙ୍ଗୀତଟି ଆଣିଦେବେ ବୋଲି କହିଥିଲେ ସେଇଟି ଆଣି ଦେଇଛନ୍ତି ଏବଂ ଗାନଟି ଶିଖାଇଦେବେ ବୋଲି ଆଉ ଦିନେ ଆସିବାକୁ ପ୍ରତିଶ୍ରୁତ ହୋଇଛନ୍ତି-

 

‘‘କଅଣ ! ଲଳିତବାବୁ ପରା ସେଦିନ ତାକୁ ଶେଷ ବିଦାୟ ଦେଇ ଯାଇଥିଲେ । କାହିଁ କୌଣସି ସଙ୍ଗୀତ ଆଣିଦେବା କଥା ତ ସେ କହି ନ ଥିଲେ ! ତେବେ ଏ ଆଉ କଅଣ ! କିଛି ବୁଝିପାରିଲି ନାହିଁ । ସ୍ତ୍ରୀ ପ୍ରତି ଯେଉଁ ବିଶ୍ୱାସ ସେଦିନଠାରୁ ଜାଗରୂକ ହୋଇଥିଲା, ତାହା କେଉଁଆଡ଼େ ଦୂର ହୋଇଗଲା । ଈର୍ଷା ଓ ଅବିଶ୍ୱାସର ପ୍ରଚଣ୍ଡ ନିଆଁ ହୃଦୟରେ ପୁଣି ଜଳି ଉଠିଲା । ମୁଁ ତରବରରେ ଧାଇଁ ଯାଇ ବୈଠକଖାନାର ଦୁଆରଟା ଭିତରୁ କିଳିପକାଇ ଆରାମଚୌକୀ ଉପରେ ବସି ପଡ଼ିଲି; କିନ୍ତୁ ଆରାମ ଆସୁଛି କେତେକେ ? ଈର୍ଷା ଯେ ଭୀଷଣ ଜିନିଷ । ସେ କଅଣ ସହଜେ ଆରାମ ଦିଏ ? ଶୋଇବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ସେହି ଚିଠିର ସେହି ଶେଷ ଦୁଇଧାଡ଼ି ମନେ ପଡ଼ିଗଲା ।

 

‘ଚିଠି ଖଣ୍ଡ ଖୋଲି ଆଲୋକରେ ଭଲ କରି ପଢ଼ିଲି । କାହିଁ ଚିଠିରେ ତ ସେପରି କିଛି ଅସ୍ୱାଭାବିକ କଥାର ଉଲ୍ଲେଖ ନାହିଁ ! ଚିଠିର ବିଷୟ ପାସୋରିବାକୁ, କାଲି ସକାଳୁ କଅଣ କରିବି, ସେ ବିଷୟ ଚିନ୍ତା କରିବାକୁ ଲାଗିଲି କିନ୍ତୁ ହଠାତ୍‌ ମୋର ସମସ୍ତ ଚିନ୍ତାକୁ ପଛକୁ ପକାଇ ଦେଇ ସେହି ଚିନ୍ତା ମୋତେ ଅଭିଭୂତ କଲା । ମୁଁ ତା ବିଷୟ, ତାର ମୋ ପ୍ରତି ଯେ ପ୍ରେମ, ସେ ବିଷୟ ଏବଂ ଲଳିତ ବାବୁଙ୍କ ବିଷୟ ଭାବିବାକୁ ଲାଗିଲି । ଘୃଣା, ଭୟ ଓ କ୍ରୋଧ ମୋତେ ଖଣ୍ଡ, ଖଣ୍ଡ କରି ନିଜେ ଅଧିକାର କରିବାକୁ ଚେଷ୍ଟାକଲେ । କିନ୍ତୁ ମୁଁ ବିବେକ ବଳରେ ସେସବୁ ଦୂର କରିବା ପାଇଁ ଚେଷ୍ଟା କରୁଥାଏ । ମୁଁ ମନକୁ ମନ କହିଲି ଏ କି ଅନ୍ୟାୟ କଥା ? ମୁଁ ଏପରି ପାପଚିନ୍ତାଗୁଡ଼ାଏ ମନକୁ କାହିଁକି ଆଣୁଛି ? ଏ ସବୁ ଚିନ୍ତାର କି କାରଣ ବା ଅଛି ? ମୋର ସ୍ତ୍ରୀକୁ ଏତେ ହୀନ ବୋଲି ମୁଁ କାହିଁକି ବା ବିଚାର କରୁଛି ? ଲଳିତ ବାବୁ ଗୋଟାଏ ଅତି ସାଧାରଣ ଲୋକ । ଗାଉଣା ବାଜଣା କରି ପେଟ ପୋଷୁଛି । ଏଣେ ମୋ ସ୍ତ୍ରୀ ସମ୍ଭ୍ରାନ୍ତ ବଂଶର ଲୋକ, ସମ୍ଭ୍ରାନ୍ତ ଘରେ ବିଭା ହୋଇଛି, ଶିକ୍ଷା ଅଛି, ସଂସ୍କାର ଅଛି । ପୁଣି ଚାରି ଚାରିଟା ପିଲାଙ୍କର ମା । ଛି, ତା ବିଷୟରେ ଏପରି ଚିନ୍ତା କରିବା ମୋର ନିଜ ହୀନତାର ପରିଚୟ । ବିବେକ ଏପରି କହିଲାବେଳକୁ ମନ ଭିତରେ ଆଉ ଗୋଟାଏ ସ୍ୱର ଅତି ଅସ୍ପଷ୍ଟ ଭାବରେ କହୁଥାଏ- କାହିଁକି, ଏଥିରେ ଅସମ୍ଭବ ବା କଅଣ ? ତାଙ୍କର ତ ରୂପ ଅଛି, ଯୌବନ ଅଛି, ସେ ଅବିବାହିତ, ପ୍ରେମ ରାଜ୍ୟର ପ୍ରକୃତ ପଥିକ । ଏଣେ ମୋର ସ୍ତ୍ରୀର ଚରିତ୍ର ବିଷୟରେ ମୁଁ ତ ଏପର୍ଯ୍ୟନ୍ତ କିଛି ସ୍ଥିର ଜାଣିଲି ନାହିଁ ! ତାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିବାର କିଛି କାରଣ ନାହିଁ । ଗତ କେତେଦିନ ହେଲା ଯେପରି ଜଣାଯାଉଛି, ସେଥିରୁ ତ ସେ ଉପଯୁକ୍ତ ପ୍ରେମିକ ଖୋଜିବା ପାଇଁ ବ୍ୟାକୁଳ ଥିଲାପରି ବୋଧହୁଏ । ଲଳିତ ବାବୁ ଅନୁପଯୁକ୍ତ ବା କେଉଁ ଗୁଣରେ ? ଅନୁପଯୁକ୍ତ ହେଲେ ବି ପ୍ରେମ ପ୍ରବୃତ୍ତି ସେସବୁ ବିଚାର କରିବାର ସମୟ ପାଏ ନାହିଁ । ତା’ପରେ ତାଙ୍କ ସଙ୍ଗୀତଜ୍ଞାନ ତ ଫୁଲ-ଶର ପରି । ସେ ତ ରୂପରେ ଅନଙ୍ଗ । ମୋର ସ୍ତ୍ରୀ ତାଙ୍କ ପ୍ରେମରେ ପଡ଼ିବା ଅତି ସ୍ୱାଭାବିକ । ତା’ପରେ ସେ ଦୁଇ ଜଣଙ୍କ ଭିତରେ ଯେ ସମ୍ବନ୍ଧ ମୁଁ ଦେଖିଛି, ସେଥିରେ ତ ଅତିବୋକା ନ ହୋଇଥିଲେ ମୋର ବୁଝିବାର କଥା ଯେ, ତାଙ୍କ ଭିତରେ ବର୍ତ୍ତମାନ ଅଭେଦ୍ୟ ପ୍ରେମ ।

 

‘‘ଏହିପରି ବିଚାରୁ ବିଚାରୁ ଦୁହିଙ୍କ ମୁହଁ ଆଖି ଆଗରେ ଦିଶିଗଲା । ରବିବାର ଦିନ ସନ୍ଧ୍ୟାବେଳେ ସେମାନଙ୍କର ସଙ୍ଗୀତ ଗାଇବା ଦୃଶ୍ୟ କଳ୍ପନାରେ ନାଚି ଉଠିଲା । ସେ ଦିନ ଆମୋଦର ଶେଷରେ ସେମାନେ ଯେଉଁ କ୍ଷୁଦ୍ର ସଙ୍ଗୀତଟି ସ୍ପଷ୍ଟ ବୋଲିଥିଲେ, ତାହା ସଫା ମନେପଡ଼ିଗଲା । ଗୀତଟିର ନାମ ‘ଏହି ସହକାର ତଳେ’- ଲେଖକ ଜଣେ ଆଧୁନିକ ନବ ରସିକ କବି । ସେମାନେ ସଙ୍ଗୀତର ମାଦକତାରେ ଥରି ଥରି,

 

ଏଇ ସହକାର ତଳେ

ସେ ଦିନ ପ୍ରିୟାର କରକଙ୍କଣ

ଭିଡ଼ିଥିଲା ମୋର ଗଳେ–

 

ଏ ପଦ ଯେତେବେଳେ ଗାଇଲେ, ସେ ଦିନ ଉଭୟଙ୍କର ରୋମାଞ୍ଚ ହେଲାପରି ମୋତେ କିପରି ଜଣାପଡ଼ିଲା । ମନେ କଲି, କେଡ଼େ ମୂଢ଼ ମୁଁ, ସେ ଦିନ ଏଇ ପଦେ ସଙ୍ଗୀତରୁ କଥାଟା ଯା ମୁଁ ଠଉରେଇ ନ ପାରିଲି । ସେମାନଙ୍କ ଭିତରେ ଆଉ ଯେ କିଛି ବାକି ନାହିଁ, ଏ କଥାଟା ସେତିକିବେଳେ ଜାଣିବାର ଥିଲା । ସେମାନଙ୍କର ପାପ ପ୍ରଣୟର ବିଳାସ ନିମନ୍ତେ ଉତ୍କୃଷ୍ଟ ଅବସର ଦେଇ ମୁଁ ଏହିପରି ସମୟରେ ସହର ଛାଡ଼ି କି ନିର୍ବୋଧ କାର୍ଯ୍ୟ କରିଛି । ଏ କଥା ବିଚାରୁ ବିଚାରୁ ସେ ଦୁହେଁ ପରସ୍ପରକୁ ଚାହିଁବାକୁ କିପରି ସଙ୍କୋଚ ବୋଧ କରୁଥିଲେ, ସେ କଥା ମନେପଡ଼ିଲା । ସେମାନଙ୍କର ସେତେବେଳର ଚାହାଣୀ ଆଖି ଆଗରେ ଚିତ୍ରିତ ହୋଇଗଲା । ହାୟ, ହତଭାଗା ମୁଁ, ଘରଛାଡ଼ି କି ବୋକାମି କରିଛି ! ଏପରି ବିଚାରି ମୁଁ ନିର୍ବେଦ ହୋଇଗଲି । ସେତେବେଳେ ସୁଦ୍ଧା ବିବେକ ଦୁର୍ବଳ ପ୍ରତିବାଦ କରୁଥାଏ, କହୁଥାଏ–ତୁମେ ପୂରା ପାଗଳ । ଏ କଥା ଯେ ସମ୍ପୂର୍ଣ୍ଣ ଅସମ୍ଭବ; କିନ୍ତୁ ବିବେକର ଅଭିଯୋଗ ସେତେବେଳେ ଶୁଣୁଛି କିଏ ? ଘରେ ସେଣେ କଅଣ ଘଟି ଯାଉଥିବ ? ଆଉ ଏଠାରେ ମୁଁ ଆରାମ ଚଉକିରେ ଆରାମ ନେଉଛି ? ଏ କଥା ବିଚାରି ମନେମନେ ଆପଣାକୁ ଖୁବ୍‌ ନିନ୍ଦିଲି ଏବଂ ଖଣ୍ଡେ ସିଗାରେଟ ଧରି ଶୋଷିବାକୁ ଲାଗିଲି । ମୋ ଚାରିପଟର ଜିନିଷ ସବୁ ଭଉଁରୀ ଦେଲା ପରି ବୋଧ ହେଲା, ଆହୁରି ଅଧିକ ସିଗାରେଟ ଲଗାଇ ଶୋଷିଲି । ସିଗାରେଟ ଧୂଆଁ ମସ୍ତିଷ୍କକୁ ବିକୃତ କରି ପକାଇଲା । ଏଣୁ ତେଣୁ କେତେକଥା ଅର୍ଦ୍ଧଅଚେତନ ଅବସ୍ଥାରେ ବିଚାରୁ ଥାଏ । ହଠାତ୍‌ କିଏ ଗୋଟିଏ ଧକ୍କା ମାରିଦେଲା ପରି ଲାଗିଲା । ଚେତା ପଶିଲା । ଘଣ୍ଟାକୁ ଚାହିଁ ଦେଖିଲି ୫ଟା ବାଜିବାକୁ ଆଉ ଅଳ୍ପ ସମୟ । ଗୁରୁତର କାର୍ଯ୍ୟରେ ଘରକୁ ଯିବାକୁ ପଡ଼ୁଛି ବୋଲି ଅଫିସକୁ ଖଣ୍ଡେ ଛୁଟି ଦରଖାସ୍ତ ଲେଖିଲି । ଦାଣ୍ଡ ଦୁଆରୁ ଘୋଡ଼ା ଗାଡ଼ି ଖଣ୍ଡିଏ ଭଡ଼ାକରି ମୋର ଯତ୍‌ସାମାନ୍ୟ ଜିନିଷପତ୍ର ସହ ଷ୍ଟେସନ ଆଡ଼କୁ ଧାଇଁଲି ।’’

•••

 

(ଊଣେଇଶ)

 

ଚନ୍ଦ୍ରମଣି ବାବୁ ଏତିକି କହି ତୁନି ହେଲେ । ଗାଡ଼ି ଆସି ଗୋଟିଏ ବଡ଼ ଷ୍ଟେସନରେ ଲାଗିଲା । ଗାଡ଼ିର ଆଲୋକଗୁଡ଼ିକ ଲିଭିଗଲା । ଝାଡ଼ୁ ବାଲା ଆସି ଆମ ବଖରାଟି ସଫା ସୁତରା କରି ଚାଲିଗଲା । ଫ୍ଲାଟ୍‌ଫର୍ମରେ ଯାତ୍ରୀମାନେ ମୁହଁ ଧୂଆଧୋଇ କରି ସକାଳ ଜଳଖିଆ କିଣୁଥାନ୍ତି, କିନ୍ତୁ ଚନ୍ଦ୍ରମଣି ବାବୁ ସତ୍ୟ ପ୍ରଭାତ ହେଲାଣି ଜାଣି ସୁଦ୍ଧା ମୁହଁ ଧୂଆଧୋଇ କରିବାର ଆବଶ୍ୟକତା ପ୍ରତି ଦୃଷ୍ଟି ନ ଦେଇ ତୁନି ହୋଇ ଆପଣା ଜାଗାରେ ବସି ରହିଲେ । ମୁଁ ମଧ୍ୟ ସେହିପରି ବସିଥାଏ । ଆମ ବଖରାରେ ଶୋଇଥିବ, ସହଯାତ୍ରୀମାନଙ୍କ ନିଦ ସେପର୍ଯ୍ୟନ୍ତ ଭାଙ୍ଗି ନ ଥାଏ । ଗାଡ଼ି ଅଧଘଣ୍ଟା ପରେ ପୁଣି ଚାଲିଲା । ଗାଡ଼ି ଚକର ଖଟ୍‌ଖଟ୍‌ ଶବ୍ଦରେ ତ ଆଉ ସବୁ ଶବ୍ଦ ବୁଡ଼ିଗଲା । ଚନ୍ଦ୍ରମଣି ବାବୁ ପୁଣି ତାଙ୍କ ଗଳ୍ପ ଆରମ୍ଭ କଲେ-

‘‘ଯେଉଁଠାରୁ ଘୋଡ଼ା ଗାଡ଼ିରେ ବସିଲି, ସେଠାରୁ ଷ୍ଟେସନ୍‌ ୫ ମାଇଲ । ଗାଡ଼ିକି ଆଉ ମୋଟେ ଘଣ୍ଟେ ସମୟ । କିପରି ଯାଇ ଷ୍ଟେସନରେ ପହଞ୍ଚିବି, ସେହି ଚିନ୍ତା ମନକୁ ଅଧିକାର କରିଥାଏ, ଘରକଥା ଟିକିଏ ମନେ ପଡ଼ିବାକୁ ଉପକ୍ରମ ହେଲାବେଳକୁ ମନକୁ ମନ ସାନ୍ତ୍ୱନା ଦେଉଥାଏ । ରହ, ରହ, ସେ କଥା ବର୍ତ୍ତମାନ ଚିନ୍ତା କରି ଲାଭ ନାହିଁ; କିପରି ଆଗ ଷ୍ଟେସନରେ ପହଞ୍ଚି ଗାଡ଼ି ଧରେ । ଏହିପରି ଚିନ୍ତା କରୁଛି, ହଠାତ୍‌ ଅଧ ବାଟରେ ମୋ ଗାଡ଼ିର ଚକଟା ହୁଗୁଳି ଗଲା । ମନ ଷ୍ଟେସନରେ ଥାଏ, କିନ୍ତୁ ଗାଡ଼ି ନ ଗଲେ ତ ଜିନିଷ ପତ୍ର ଯିବ ନାହିଁ, ବିଶେଷତଃ ଚାଲିକରି ଗଲେ ଉଛୁର ହେବ । ଗାଡ଼ି ଧରିବା ସମ୍ଭବ ହୋଇ ନ ପାରେ । ମାତ୍ର ତୁରନ୍ତ ଯାଇ ଘରେ ପହଞ୍ଚିବାକୁ ମନରେ ଏତେ ଉଦ୍‌ବେଗ ଥିଲା ଯେ, ଗାଡ଼ି ଧରିବାକୁ ଧାଇଁଲି; କିନ୍ତୁ ଧାଇଁ ଧାଇଁ ଶୀତ ଦିନର ସେ ଥଣ୍ଡାରେ ଦେହ ଝାଳ ଗମଗମ ହୋଇଥିଲେ ସୁଦ୍ଧା ଯେଉଁ ଗାଡ଼ିରେ ଯିବାକୁ ଷ୍ଟେସନକୁ ଆସିଥିଲି ସେ ଗାଡ଼ି ଆଉ ମିଳିଲା ନାହିଁ- ତାର ଦୁଇଘଣ୍ଟା ପରେ ଛାଡ଼ୁଥିବା ଗାଡ଼ି ଧଇଲି-। ଅବଶ୍ୟ ଘୋଡ଼ାଗାଡ଼ିବାଲା ଠିକ୍‌ ସମୟରେ ଆସି ଜିନିଷ ପତ୍ର ପାଖରେ ଦେଇଗଲା । ପ୍ରଥମ ଗାଡ଼ିଟା ପାଇଥିଲ ସିଧା ସିଧା ଦିନ ଏଗାରଟାବେଳେ ଘରେ ପହଞ୍ଚିଥାନ୍ତି; କିନ୍ତୁ ଏ ଦ୍ୱିତୀୟ ଗାଡ଼ି ବାଟରେ ବଦଳୁ ଥିବାରୁ ଘରେ ପହଞ୍ଚୁ ପହଞ୍ଚୁ ରାତି ଦଶଟା ଏଗାରଟା ହେଲା ।

‘‘ମୁଁ ଗାଡ଼ିରେ ଚଢ଼ିଲି, ଗାଡ଼ି ଷ୍ଟେସନ୍‌ରୁ ଛାଡ଼ିଲା । ସଙ୍ଗେ ସଙ୍ଗେ ମୋର ଅନ୍ୟାନ୍ୟ ସମସ୍ତ ଚିନ୍ତା ଛାଡ଼ି ଘରେ ଯାଇ କି ଦୃଶ୍ୟ ଦେଖିବି, ସେହି ଚିନ୍ତା ହୃଦୟକୁ ଅଧିକାର କରି ବସିଲା । କାହିଁକି ଯେ ଏପରି ହେଲା, ମୁଁ କହି ପାରିବି ନାହିଁ । ମୁଁ ଖାଲି ଏତିକି ଜାଣେ, ଗାଡ଼ି ଡବା ଭିତରେ ପଶିବା ମାତ୍ରେ ଚିନ୍ତାସ୍ରୋତର ଗତିରୋଧ କରିବା ପାଇଁ ମୋର ସାମର୍ଥ୍ୟ ରହିଲା ନାହିଁ । ଚିନ୍ତା ନାନା ପ୍ରକାର ଦୃଶ୍ୟ ମୋ ହୃଦୟରେ ଆଙ୍କି ଦେଇଗଲା । କେଉଁ ଦୃଶ୍ୟ ଦେଖି ଈର୍ଷାରେ ଦଗ୍‌ଧ ହୋଇଗଲି, ଅନ୍ୟ କେଉଁ ଦୃଶ୍ୟ କ୍ରୋଧରେ ମତେ ଜର୍ଜରିତ କରିପକାଇଲା, କେଉଁ ଦୃଶ୍ୟ ବା ଅପମାନରେ ମୁଣ୍ଡକୁ ତଳକୁ କରିଦେଲା । ଚିନ୍ତା ଏପରି ସଜୀବ ଭାବରେ ଚିତ୍ରଗୁଡ଼ିକୁ ଆଙ୍କି ଦେଉଥାଏ ଯେ, ସେସବୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ମୋତେ ବୋଧ ହେଉଥାଏ । ବିକୃତ ମସ୍ତିଷ୍କର ବିକୃତ କଳ୍ପନା ପ୍ରକୃତ ବୋଲି ମନେକରି ମୁଁ ଅଭିଭୂତ ହେଉଥାଏ । ସତେ ଯେପରି ପାପଦେବତାର କୌଣସି ଦୂତ ନାନାପ୍ରକାର କଳ୍ପନା ଓ ସୂଚନା ମୋ ମନରେ ଦେଇ କଳ୍ପନାରେ ମୋତେ କଶାଘାତ କରୁଥିଲା ।

‘‘ସେହି ଲଳିତ ବାବୁଙ୍କର ବଡ଼ ଭାଇ ସଙ୍ଗେ ବହୁଦିନପୂର୍ବେ ହୋଇଥିବା ଗୋଟିଏ କଥାବାର୍ତ୍ତା ମନେପଡ଼ିଲା । ଅତି ପୁରୁଣା ସେ କଥା । ଆଜି ଭାରି ନୂତନ ଲାଗିଲା । ମୁଁ ତାଙ୍କୁ ଥରେ ପଚାରିଥିଲି, ‘ତୁମେ କେବେ ବେଶ୍ୟା ଘର ବା ସେପରି ହୀନ ସ୍ଥାନକୁ ଯାଅ କି ?’ ସେ ହସି ହସି ଉତ୍ତର ଦେଇଥିଲେ, ‘ହୀନ ସ୍ଥାନକୁ ଯିବାରେ କି ଦରକାର ଅଛି ? ଖୁବ୍‌ ବଡ଼ ଘରେ ବି ବେଶ ଆମୋଦ ହୋଇପାରେ । ଏପରି ଯେ କହିଥିଲା ତାର ନିଜ ଭାଇ ଆଜି ମୋ ପରି ସମ୍ଭ୍ରାନ୍ତ ଲୋକର ଘରେ, ମୋ ସ୍ତ୍ରୀ ପରି ଉଚ୍ଚ ଶିକ୍ଷିତା ରମଣୀ ସଙ୍ଗେ ସଙ୍ଗେ ପ୍ରେମବନ୍ଧନ ବାନ୍ଧିବାକୁ ସମର୍ଥ ହୋଇଛି-। ହାୟରେ ବିଧାତା ! ଏହି ଚିନ୍ତା ହେବା ସଙ୍ଗେ ସଙ୍ଗେ ଗୋଟାଏ କିପରି କ୍ରୋଧମିଶ୍ରିତ ଭୟରେ ମୋ ଦେହ କମ୍ପି ଉଠିଲା । ମୁଁ ମନକୁ ମନ ସାନ୍ତ୍ୱନା ଦେଲି- ‘ନା, ଏ କଥା ଅସମ୍ଭବ । ଏହା ହୋଇ ନ ପାରେ । ମୋ ସ୍ତ୍ରୀ ମୋତେ ଏତେ ପ୍ରତିଶ୍ରୁତି ଦେଇଛି, ସଫା କହିଛି, ଲଳିତ ବାବୁଙ୍କୁ ସେ ଅତି ହୀନ ମନେକରେ । ସେ କଅଣ ତାଙ୍କ ସଙ୍ଗେ ପ୍ରେମରେ ପଡ଼ିବ ? ଅସମ୍ଭବ, ସମ୍ପୂର୍ଣ୍ଣ ଅସମ୍ଭବ-। କିନ୍ତୁ–କିନ୍ତୁ ସେ ତ ମିଛ କହିଥାଇପାରେ । ମୋ ସ୍ତ୍ରୀ ମିଛ କହିବା ତ ଆଶ୍ଚର୍ଯ୍ୟ ନୁହେ । ଅନେକ ଥର ଦେଖାଯାଇଛି । ଲଳିତ ବାବୁଙ୍କୁ ହୀନ ମନେକରୁଛି ବୋଲି ମିଛରେ କହି ପ୍ରକୃତରେ ତାଙ୍କୁ ପ୍ରେମର ଉପଯୁକ୍ତ ବୋଲି ମନେକରି ତାଙ୍କ ସଙ୍ଗେ ସଙ୍ଗେ ପ୍ରେମରେ ପଡ଼ିଥିବ- କିଏ ଜାଣେ । ଏହି ଚିନ୍ତା ସଙ୍ଗେ ସଙ୍ଗେ ପୁଣି ଅବିଶ୍ୱାସ, ଘୃଣା ଓ କ୍ରୋଧ ମୋତେ ଘାଣ୍ଟି ପକାଇଲା ।

‘‘ମୁଁ ଯେଉଁ ବଖରାରେ ଥାଏ, ସେ ବଖରାରେ’ ଆଉ ମୋଟେ ଦୁଇଜଣ ବସିଥାନ୍ତି–ଜଣେ ସ୍ତ୍ରୀ ଓ ତାଙ୍କର ସ୍ୱାମୀ । ଦୁହେଁ ଖୁବ୍‌ ଧୀରଭାବରେ ବସିଥାନ୍ତି, ମୋ ସଙ୍ଗେ ସେମାନେ କୌଣସି ଆଳାପ କରୁ ନ ଥାନ୍ତି । ପରସ୍ପର ମଧ୍ୟରେ ମଧ୍ୟ ଖୁବ୍‌ କମ୍‌ କଥାବାର୍ତ୍ତା ହେଉଥାନ୍ତି, ଶେଷକୁ ମଝିରେ ଗୋଟାଏ ଷ୍ଟେସନ୍‌ରେ ସେମାନେ ମଧ୍ୟ ଚାଲିଗଲେ । ମୁଁ ଏକୁଟିଆ ରେଲ ଡବାଟା ଭିତରେ ଆବଦ୍ଧ ହୋଇ ଚିନ୍ତାର ଅତ୍ୟାଚାରରେ ପ୍ରପୀଡ଼ିତ ହେଉଥାଏ । ପିଞ୍ଜରାବଦ୍ଧ ହିଂସ୍ର ପଶୁପରି ମୁଁ ରେଳ ବଖରାର ସେହି ନିର୍ଜନ କାରାବାସରୁ ମୁକ୍ତି ପାଇବାକୁ ଉଦ୍‌ବିଗ୍ନ ହୋଇପଡ଼ୁଥାଏ-। କେତେବେଳେ ଆସନରୁ ହଠାତ୍‌ ଉଠିପଡ଼ି ଦୁଆର ମୁହଁକୁ ଧାଇଁ ଯାଉଥାଏ କିନ୍ତୁ ପରମୁହୂର୍ତ୍ତରେ ଠିଆ ହେବାକୁ ଅସମର୍ଥ ହୋଇ ପୁଣି ଆସି ଆସନରେ କଚାଡ଼ି ହୋଇ ପଡ଼ୁଥାଏ, କେତେବେଳେ ମୁଁ ଦ୍ରୁତ ପଦରେ ସେହି ବଖରାରେ ପଦ ଚାରଣ କରୁଥାଏ–ସତେ ଯେପରି ରେଳକୁ ଗୋଡ଼ଉଚି । ଏଣେ ଧୀରେ ଧୀରେ ମୋ ବଖରାଟି ହଲି ହଲି ଆସନ, ଝରକା ଏବଂ ଦୁଆରଗୁଡ଼ିକୁ ହଲାଇ ହଲାଇ ଆଗକୁ ଧାଉଁଥାଏ–ଠିକ୍‌ ଆମ ଏ ରେଳ ବର୍ତ୍ତମାନ ଯେପରି ଯାଉଛି-।’’ ଏହା କହି ଚନ୍ଦ୍ରମଣି ବାବୁ ହଠାତ୍‌ ଆସନରୁ ଠିଆ ହୋଇପଡ଼ିଲେ । କିଛିକ୍ଷଣ ସେହି ରେଳବଖରା ଉପରେ ପଦଚାରଣ କରି ପୁଣି ବସି କହିବାକୁ ଲାଗିଲେ, ‘‘ଓହୋ ! ବାସ୍ତବିକ ଏ ରେଳବଖରାଗୁଡ଼ାକ ଏଡ଼େ ଭୟଙ୍କର ଜିନିଷ, ଏଗୁଡ଼ାକ ମୋ ମସ୍ତିଷ୍କକୁ କିପରି ବିକୃତ କରି ଦେଉଛନ୍ତି ! ସେ ଦିନ ଏଇ ରେଳବଖରାରେ ମୁଁ ଯେ ଯନ୍ତ୍ରଣା ଅନୁଭବ କରିଛି, ତାହା ବର୍ତ୍ତମାନ ମନେପଡ଼ିଲେ ଏହି ବଖରାରୁ ଡେଇଁ ପଡ଼ି ମୁକ୍ତିଲାଭ କରିବା ପାଇଁ ମନ ହେଉଛି, ଓହୋ, ସେ ଦିନର ଯେଉଁକଷ୍ଟ–ଯେଉଁଆଡ଼େ ଚାହୁଁଥାଏ, ସେ ସବୁ ମୋର ମନକୁ ଧରି ବାନ୍ଧି ଟାଣି ଓଟାରି ଆଣି ପୁଣି ସେହି ଘଟଣା ବା କଳ୍ପନା ଉପରେ ପକାଇ ଦିଅନ୍ତି । ବେଳେ ବେଳେ ମନକୁ ଟିକିଏ ଅନ୍ୟ ଚିନ୍ତାରେ ଲଗାଇବାକୁ ଉଦ୍ୟମ କରି ମୁଁ ମୋର ପୁରୀ ବସାଘର ଚାକର ବୁଢ଼ାଟି କଥା ମନେ ପକାଇଲି । ସେ ଦାଢ଼ିଆ ବୁଢ଼ାଟିର ଦୃଶ୍ୟ ଆଖି ଆଗରେ ଦିଶିଗଲା; କିନ୍ତୁ ତହିଁ ସଙ୍ଗେ ସଙ୍ଗେ ଦିଶିଲା ତା ପାଖରେ ଛିଡ଼ା ହୋଇଥିବା ତା ନାତିଟି । ନାତିର ବୟସ ମୋର ପୁଅର ବୟସ ସଙ୍ଗେ ସମାନ । ସେହି ସୂତ୍ରରେ ମୋ ପୁଅ ମୁହଁ ଦିଶିଗଲା ଏବଂ ମନେପଡ଼ିଗଲା ତା ମା କଥା- କଅଣ କରୁଥିବ ବର୍ତ୍ତମାନ ସେ, ସେହି ଘୃଣ୍ୟ ଗାୟକ ମୁହଁରେ ଚୁମ୍ୱନ ଦେଉଥିବ । ମୋର ସରଳପ୍ରାଣ ଶିଶୁଟି ତାର ନିଜ ମା ଗୋଟାଏ ଅପରିଚିତ ଲୋକକୁ ଚୁମ୍ବନ ଦେବାର ନିଜ ଆଖିରେ ଦେଖୁଥିବ ପରା ! ସେ ଦୃଶ୍ୟ ଦେଖି ତା ଶିଶୁପ୍ରାଣରେ କି ଭାବ ହେଉଥିବ ! ସେ ଭାବ କିନ୍ତୁ ଯେ ଭାବ ହେଉ, ତା ମା’ର ଯାଏ କେତେ ଆସେ କେତେ ? ସେ ତ ବର୍ତ୍ତମାନ ପ୍ରେମରେ ପାଗଳୀ, ଏହିପରି ପୁଣି ସେହି କଥା ଆସି ମନେପଡ଼େ । ସେ କଥାରୁ ହୃଦୟକୁ ପୁଣି ଅନ୍ୟତ୍ର ଓଟାରି ନେବା ପାଇଁ ମୁଁ ଚେଷ୍ଟାକରି ତହିଁ ପୂର୍ବଦିନ ସକାଳେ ପୁରୀ ଡାକ୍ତରଖାନାରେ ଯାହା ପରିଦର୍ଶନ କରିଥିଲି ସେ କଥା ମନେପକାଇଲି । ମନେପଡ଼ିଲା ଗୋଟିଏ ରୋଗୀ ରାତିରେ ନିଦ ନ ହେଉଥିବାର ଡାକ୍ତରଙ୍କ ପାଖରେ ଆପତ୍ତି କରୁଥାଏ । ସେହି ଡାକ୍ତରଙ୍କର ଯାହାଙ୍କ ନିଶ ଲଳିତ ବାବୁଙ୍କର ନିଶପରି ମୁନିଆଁ, ସେହି ମୁନିଆ ନିଶ ଲଳିତ ବାବୁଙ୍କୁ ଆଣି ଆଖି ଆଗରେ ଠିଆ କରିଦେଲା । ଡାକ୍ତର, ଡାକ୍ତରଖାନା, ରୋଗୀସବୁ ପାସୋର ଗଲେ । ମନେପଡ଼ିଗଲା ଲଳିତ ବାବୁଙ୍କ କଥା ଓ ତା’ କଥା । ଲଳିତ ବାବୁ ଶୀଘ୍ର ଆମ ଜାଗା ଛାଡ଼ି ଯାଉଛନ୍ତି ବୋଲି କହି ମୋତେ କିପରି ଠକାଇ ଦେଲେ । ଆଉ ସେ–ସେ ତ ନିଶ୍ଚୟ ଜାଣିଥିବ ଲଳିତବାବୁ ଶୀଘ୍ର ସେ ସ୍ଥାନ ତ୍ୟାଗ କରୁନାହାନ୍ତି ବୋଲି; କିନ୍ତୁ ସେ ତୁନି ହୋଇଗଲା–ମୋତେ ଠକାଇବାରେ ସାହାଯ୍ୟ କଲା ।

‘‘ଏହିପରି ମନକୁ ବାଁରେଇବା ପାଇଁ ଯେତେ ଯେ ବିଷୟ ବିଚାର କରୁଥାଏ, ସବୁ ଆଣି ମୋତେ ସେହି ଜାଗାରେ ପହଞ୍ଚାଉଥାଏ । ସତେ ଯେପରି ସଂସାରର ସମସ୍ତ ଦୃଶ୍ୟ କ୍ରିୟାକଳାପ କୌଣସି ନା କୌଣସିରୂପେ ସେମାନଙ୍କର ସେହି ପାପ ପ୍ରଣୟ ସଙ୍ଗେ ସଂପୃକ୍ତ । ଅନ୍ୟ କିଛିବିଷୟ ଚିନ୍ତା କରି ମନକୁ ଟିକିଏ ଆରାମ ଦେବା ଏକାବେଳେ ଅସମ୍ଭବ ହୋଇ ଉଠିଲା । ମୋର ଭୀଷଣ ଯନ୍ତ୍ରଣା ବେଳକୁବେଳ ଅଧିକ ଭୀଷଣ ହେବାକୁ ଲାଗିଲା, ସନ୍ଦେହ ଓ ସଂଶୟ ମୋତେ ବେଶୀ କଷ୍ଟ ଦେଲା । ସେ ମୋତେ ଯାହା କହିଛି, ସତ କହିଛି ନା ମିଛି କହିଛି, ତାକୁ ତାର ବିଶ୍ୱାସ କରିବାର କଥା ନା ଅବିଶ୍ୱାସ କରିବାର କଥା, ପ୍ରେମ କରିବି ନା ଘୃଣା କରିବି–ଏ ବିଷୟରେ ମୋର ଘୋର ସଂଶୟ ଉପସ୍ଥିତ ହେଲା ଏବଂ ସଂଶୟ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମୋର ଯନ୍ତ୍ରଣା ବଢ଼ିବାକୁ ଲାଗିଲା । ଏକ ସମୟରେ ମନେକଲି, ଗାଡ଼ି ଷ୍ଟେସନରେ ଠିଆ ହେଲେ ଯାଇ ରେଳ ଲାଇନରେ ବେକ ଥୋଇଦେବି । ରେଳ ମୋ ଉପରେ ଚାଲି ଯାଇ ମୋର ସମସ୍ତ ଯନ୍ତ୍ରଣା ଏକ ମୁହୂର୍ତ୍ତରେ ଶେଷ କରିଦେବ । ଏହିପରି ବିଚାରିଲାବେଳେ ମନରେ ଆନନ୍ଦ ହେଉଥାଏ- ରେଳ ଲାଇନରେ ବେକ ଥୋଇଦେଲେ ଯନ୍ତ୍ରଣା ଶେଷ ହୋଇଯାନ୍ତା, ଏହି କଳ୍ପନାରେ । କିନ୍ତୁ ଏ ଚିନ୍ତାକୁ କାର୍ଯ୍ୟରେ ପରିଣତ କରିପାରିଲି ନାହିଁ–ଲଳିତ ବାବୁଙ୍କ ପ୍ରତି ମୋର ଈର୍ଷା ଏବଂ କ୍ରୋଧର ଆଧିକ୍ୟ ଯୋଗୁ, ତା’ପ୍ରତି ମୋ ଘୃଣା ଯୋଗୁ । ବିଚାରିଲି ମୁଁ ମରିଗଲେ ତ ସେ ମୋ ଯନ୍ତ୍ରଣା ବୁଝିବ ନାହିଁ । ଲଳିତବାବୁ ତ ଅବଲୀଳାରେ ନିଜ ଉଦ୍ଦେଶ୍ୟ ସାଧନ କରିବ । ମୁଁ ପ୍ରତି ଷ୍ଟେସନରେ ଗାଡ଼ିରୁ ଉତୁରି ପ୍ଲାଟଫର୍ମରେ ବୁଲି ବୁଲି ହୃଦୟକୁ ଅନ୍ୟଚିନ୍ତାରେ ଅଭିଭୂତ କରାଇବାପାଇଁ ଚେଷ୍ଟା କରୁଥାଏ । ଗୋଟିଏ ଷ୍ଟେସନରେ ଜଣେ ବୁଢ଼ାଯାତ୍ରୀ ପାନବାଲାଠାରୁ ପାନ କିଣିବାର ଦେଖିଲି । ମୁଁ ବି ସେତିକିବେଳେ ପାନ କିଣିବାକୁ ଯାଇ ତାହା ସଙ୍ଗେ ପରିଚିତ ହେଲି ଏବଂ ତା ପଛେ ପଛେ ତାହାର ସେହି ମଇଳା ଆବର୍ଜନାପୂର୍ଣ୍ଣ ତୃତୀୟ ଶ୍ରେଣୀ ଗାଡ଼ିକି ଯାଇ ସେଠାରେ ବସିଲି । ଯାତ୍ରୀମାନେ କେତେ ବିଷୟ ପକାଇଥାନ୍ତି । ସେସବୁ ଶୁଣିବାକୁ ଚେଷ୍ଟା କଲି କିନ୍ତୁ ମନ ଲାଗିଲା ନାହିଁ । ପରବର୍ତ୍ତୀ ଷ୍ଟେସନରେ ନିଜର ସେହି ନିର୍ଜନ ବଖରାକୁ ଫେରିଲି । ମୋର ସେହି ପୂର୍ବଚିନ୍ତା ପୁଣି ଆରମ୍ଭ ହେଲା । ମନକୁ ମନ କହିଲି, ତାକୁ ଅବିଶ୍ୱାସ କରି ନିଜେଗୁଡ଼ାଏ ଯନ୍ତ୍ରଣା ଭୋଗିବା ଆଜିତ ପ୍ରଥମ ନୁହେଁ, ଏହିପରି ଅନେକ ଘଟଣା ଘଟି ଯାଇଛି । ତାକୁ ବହୁବାର ବିଶ୍ୱାସ କରିଛି; କିନ୍ତୁ ସେ ସବୁ ଅବିଶ୍ୱାସର ଆଦୌ କାରଣ ନ ଥିଲା ବୋଲି ତ ଶେଷରେ ଜଣାଯାଇଛି; ଏଥର ହୁଏତ ସେହିପରି ହୋଇପାରେ । ହୁଏତ ମୁଁ ଅଧରାତିରେ ଯାଇ ଘରେ ପହଞ୍ଚିଲାବେଳକୁ ସେ ନିଷ୍ପାପ ଲୋକ ସୁଲଭ ନିଦ୍ରାରେ ଅଭିଭୂତ ହୋଇଥାଇପାରେ । ହୁଏତ ତାର ସେ ସମୟର କଥାବାର୍ତ୍ତାର ସରଳତାରେ ମୋର ସମସ୍ତ ସନ୍ଦେହ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇପାରେ । ତେବେ ଏତେ ଚିନ୍ତା କାହିଁକି ? ଏତେ ଯନ୍ତ୍ରଣାର କାରଣ କଅଣ ? କିନ୍ତୁ ହୃଦୟ ଭିତରୁ ଗୋଟିଏ କ୍ଷୀଣ ଶବ୍ଦ ଶୁଭିଲା । ନା, ଏପରି ବାଞ୍ଛାକରି ମନକୁ ସାନ୍ତ୍ୱନା ଦେଉଛନ୍ତି ? ଏଥରର ସନ୍ଦେହ ସବୁ ସତ୍ୟ । ଏଥରର ସନ୍ଦେହ ଆଉ ଅମୂଳକ ନୁହେଁ; ପୁଣି ସେହି ଘୃଣା ଓ ବିଷାକ୍ତ ଚିନ୍ତାର ସ୍ରୋତ ମୋ ମନକୁ ଅଧିକାର କରି ବସିଲା । ସେତିକିବେଳେ ମୋର ବ୍ରହ୍ମଚର୍ଯ୍ୟର ଯେ ସ୍ଖଳନ ହୋଇଥିଲା, ତାହା ମନେପଡ଼ିଲା । ସେ ସମୟରେ ମୁଁ ନିଜେ ପାପ କରିଛି ବୋଲି ସିନା ଆଜି ଅନ୍ୟର ପାପ ବିଷୟରେ ସନ୍ଦିହାନ ହୋଇ ଏତେ ଯନ୍ତ୍ରଣା ଭୋଗୁଛି । ମୁଁ ଯଦି ନିଜେ ଆଜୀବନ ପବିତ୍ର ଥାନ୍ତି, ତାହାହେଲେ ଅନ୍ୟମାନଙ୍କର ପାପ ବିଷୟରେ ମୋର ସନ୍ଦେହ ହୁଅନ୍ତା କିପରି, ଏବଂ ଯନ୍ତ୍ରଣା ବା ହୁଅନ୍ତା କାହିଁକି-? ଏହିପରି ଚିନ୍ତାକରି ସମସ୍ତ ଈର୍ଷା ଓ ସନ୍ଦେହ ମଧ୍ୟରେ ମୋର ହୃଦୟରେ ପ୍ରକୃତ ଅନୁତାପର ଗୋଟିଏ ଛାୟା ପଡ଼ିଗଲା । କିନ୍ତୁ ଏ ଅନୁତାପର ପ୍ରଭାବ ବଡ଼ କ୍ଷୀଣ, ଅନୁତାପରେ ସ୍ତ୍ରୀ ଓ ଲଳିତ ବାବୁଙ୍କୁ କ୍ଷମା କରିପାରିଲି ନାହିଁ ।

‘‘ମୋର ଏସବୁ ଚିନ୍ତା ଭିତରେ ଅଧିକ କଷ୍ଟଦାୟକ କଥା ଏହି ଯେ ମୋର ସ୍ତ୍ରୀ ଉପରେ ମୋର ଗୋଟାଏ କିପରି ସ୍ୱତଃସିଦ୍ଧ ଅଧିକାର ଅଛି ବୋଲି ମୁଁ ମନେକରୁଥାଏ । କିନ୍ତୁ ଏ ଅଧିକାର ଜାରି କରିବା ପାଇଁ ମୋର ସାମର୍ଥ୍ୟ ନାହିଁ । ସେ ମୋର, କିନ୍ତୁ ନିଜର ଇଚ୍ଛାମତେ ଯଥେଚ୍ଛାଚାର କରିବା ପାଇଁ ତାର ଶକ୍ତି ଅଛି । ସେ ମୋର ବୋଲି ମୁଁ ମନେକରୁଛି । କିନ୍ତୁ ତାକୁ ଶାସନ କରିବା ପାଇଁ ମୋର କ୍ଷମତା ନାହିଁ । ଲଳିତ ବାବୁଙ୍କୁ ଶାସ୍ତି ଦେବାପାଇଁ ମଧ୍ୟ ମୁଁ କଅଣ କରିପାରେ ?

‘‘ଆହୁରି ଗୋଟିଏ ଗୋଲକଧନ୍ଦା । ସେ ଯଦି ମୋତେ ଛାଡ଼ି ପ୍ରକାଶ୍ୟରେ ଲଳିତବାବୁଙ୍କ ସଙ୍ଗକୁ ଚାଲି ଯାଇଥିବ, ତେବେ ତ ଏକ ପ୍ରକାର ଭଲ । ଜାଣିବି ସ୍ତ୍ରୀ ମୋର ଅନ୍ୟତ୍ର ବିବାହ କଲା-। ଆମ୍ଭମାନଙ୍କ ଭିତରେ ତ ଛାଡ଼ପତ୍ରର ପ୍ରଥା ଚଳେ । ଅନ୍ତତଃ ଦାଣ୍ଡକୁ ଘଟଣାଟା ବେଶୀ ଦୋଷାବହ ହେବ ନାହିଁ । ମୋର ହୃଦୟ-ଯନ୍ତ୍ରଣାକୁ କାଳକ୍ରମେ ଭବିତବ୍ୟତା ଶାନ୍ତ କରିପାରିବ । କିନ୍ତୁ ଯଦି ମୋତେ ସଫା ନ ଛାଡ଼ି ସେ ମିଥ୍ୟାଚାରିଣୀ ହୁଏ, ମୋର ବୋଲି ମୋତେ ଦେଖାଇ ଓ ଜଗତକୁ ଦେଖାଇ ପ୍ରକୃତରେ ଅନ୍ୟକୁ ନିଜର କରେ, ତେବେ ମୋର ଉପାୟ କଅଣ ? ମୋ ସନ୍ଦେହ ଓ ଆଶଙ୍କା ଦୂର ହେବ କିପରି ? ମୋର ଆକାଂକ୍ଷା ଓ ଆଶା କେଉଁ ଦିଗ ଧରି ଚାଲିବ ? ଏହି ଚିନ୍ତାରେ ମୁଁ ଏକ ପ୍ରକାର ପାଗଳ ହୋଇଗଲି ।’’

•••

 

(କୋଡ଼ିଏ)

 

‘‘ଘର ଆଉ ଗୋଟିଏ ଷ୍ଟେସନ୍‌ ବାକି । ଆମ ଷ୍ଟେସନ୍‌ର ପୂର୍ବବର୍ତ୍ତୀ ଷ୍ଟେସନ୍‌ରେ ଗାଡ଼ି ରହିଲା । ସେଠାରୁ ଆମ ସହରର ଆଲୋକଗୁଡ଼ିକ ମିଞ୍ଜି ମିଞ୍ଜି ଦେଖାଯାଉଥାଏ । ଆଲୋକ ମିଞ୍ଜି ମିଞ୍ଜି ହେଲେ କଅଣ ହେଲା, ତାହା ସ୍ପଷ୍ଟ ଜଣାଇ ଦେଉଥିଲା, ଘର ଆସି ପାଖ ହେଲାଣି । ଆଉ ଟିକିଏ ଗଲେ ଗାଡ଼ି ଷ୍ଟେସନ୍‌ରେ ଲାଗିବ, ଏବଂ ବର୍ତ୍ତମାନ ଯେଉଁ ଆଲୋକ ମିଞ୍ଜି ମିଞ୍ଜି ଦିଶୁଛି, ତାହାର ତୀବ୍ର ଆଲୋକ ମତେ ବାଟ କଢ଼େଇ ନେଇ ପାପ କଳୁଷିତ ମୋର ଘରେ ନେଇ ପହଞ୍ଚାଇବ । ଘର ପାଖ ହୋଇଗଲା । ମୋ ସ୍ତ୍ରୀ ଯେଉଁଠାରେ ସେହି ହୀନ ସଙ୍ଗୀତଜ୍ଞ ସଙ୍ଗେ ପାପ ପ୍ରଣୟରେ ମାତିଛି, ତାହା ବର୍ତ୍ତମାନ ମୋ’ଠାରୁ ଘଣ୍ଟାକର ବାଟର ଦୂରରେ ବି ନାହିଁ । ଏ ଚିନ୍ତା ମୋ ହୃଦୟକୁ ଯେତେ କଷ୍ଟଦେଲା ତାକୁ ସେତିକି ଉଦ୍‌ବିଗ୍ନ କରି ପକାଇଲା । କିପରି ଘରେ ଯାଇ ପହଞ୍ଚିବି, ସବୁ କଥା ସ୍ପଷ୍ଟକରି ଆଖିରେ ଦେଖିବି, ସେଥିପାଇଁ ମୁଁ କାଉଳି ହେଉଥାଏ–ଗାଡ଼ି କାହିଁକି ସେ ଷ୍ଟେସନରୁ ଛାଡ଼ୁନାହିଁ ବୋଲି ମନେ ମନେ ବ୍ୟସ୍ତ ହେଉଥାଏ । ଏଣେ ପ୍ରକୃତ ସତ୍ୟର ସମ୍ମୁଖୀନ ହେବାକୁ ସଙ୍କୋଚ ବି ଥାଏ । ମୋ ଛାତି ଦୁରୁଦୁରୁ କମ୍ପିଲା, ଦେହ ଶୀତେଇଗଲା ଏବଂ ଦାନ୍ତ ପାଟି ଥରିଲା । ସେତେବେଳର ଅବସ୍ଥାରେ ବାସ୍ତବିକ୍‌ ମୁଁ ବଡ଼ ଦୟାର ପାତ୍ର ହୋଇ ଉଠିଥିଲି-

 

‘‘ଶେଷରେ ଗାଡ଼ି ଯାଇ ଆମ ଷ୍ଟେସନରେ ରହିଲା ଏବଂ ମୁଁ ଯନ୍ତ୍ରଚାଳିତବତ୍‌ ପ୍ଲାଟଫର୍ମରୁ ବାହାରି ବାହାରେ ଖଣ୍ଡିଏ ଘୋଡ଼ାଗାଡ଼ିରେ ଉଠି ଗାଡ଼ିବାଲାକୁ ଘର ଠିକଣା ବତାଇଦେଲି । ଗାଡ଼ି ଚାଲୁଥାଏ, ମୁଁ କିଛି ନ ବିଚାରି ବାଟରେ ପାରି ହୋଇ ଯାଉଥିବା ଲୋକଙ୍କୁ ଚାହିଁଥାଏ ଏବଂ ଗାଡ଼ିର ଛାଇ ଆଗପଟେ ଆଲୁଅ ପଡ଼ିଲେ କିପରି ପଛକୁ ଯାଉଛି, ପଛପଟ ଆଲୁଅ କିପରି ଛାଇକୁ ଆଗକୁ ନେଇଯାଉଛି, ସେହି କଥା ଦେଖୁଥାଏ । ଗାଡ଼ି ଅଧବାଟ ଯିବାପରେ ହଠାତ୍‌ ମୋର ମନେହେଲା, ମୋର ବାକ୍ସ ଓ ଲୁଗାପଟା ସବୁ ଗାଡ଼ିରେ ଛାଡ଼ି ଆସିଛି । ଲୁଗାପଟା ପାଇଁ ଟିକିଏ ବ୍ୟସ୍ତ ହୋଇ ପଡ଼ିଲି; କିନ୍ତୁ ପୁଣି ମନେହେଲା, ଗାଡ଼ି ଆମ ଷ୍ଟେସନରେ ପ୍ରାୟ ଅଧଘଣ୍ଟାରୁ ବେଶୀ ରହିବ । ଫଳରେ ମୁଁ ବର୍ତ୍ତମାନ ନ ଫେରି ଘରୁ ଚାକର ପଠାଇ ଦେଲେ ମଧ୍ୟ ଜିନିଷ ମିଳି ପାରିବ । ଏକଥା ସେତେବେଳେ ଅବଶ୍ୟ ବିଚାରି ଥିଲି କି ନାହିଁ ସଫା କହି ପାରିବି ନାହିଁ । ଗାଡ଼ି ଆମ ଷ୍ଟେସନ୍‌ରେ ବେଶୀ ବେଳ ନ ରହୁଥିଲେ ମଧ୍ୟ ବା ଚାକର ଯାଇ ଜିନିଷପତ୍ର ପାଇବା ଅସମ୍ଭବ ହୋଇଥିଲେ ସୁଦ୍ଧା, ମୁଁ ଯେ ମୋ ମନର ସେତେବେଳ ଅବସ୍ଥାରେ ଷ୍ଟେସନ୍‌କୁ ଫେରିଥାନ୍ତି, ସେପରି ବୋଧ ହେଉ ନାହିଁ । ମୋର ସ୍ମରଣ ହେଉଛି, ଘରେ ଯେ ଭିଷଣ ଦୃଶ୍ୟ ଦେଖିବାର ଆଶଙ୍କ କରିଥାଏ, ତାହାରି ଗୋଟିଏ କିପରି ଅସ୍ପଷ୍ଟ ଛାୟା ମୋ ମନକୁ ସମ୍ପୂର୍ଣ୍ଣରୂପେ ଆବୃତ କରି ରଖିଥାଏ ।

 

‘‘ମୁଁ ମୋ ଦୁଆର ମୁହଁରେ ଯାଇ ପହଞ୍ଚିଲି । ସେତେବେଳକୁ ଅଧ ରାତିର ପାଖ ପାଖ । ଜଣେ ଦିଜଣ ଗାଡ଼ିବାଲା ଆମ ଫାଟକ ଦୁଆର ଆଗରେ ବୋଧହୁଏ ଭଡ଼ାପାଇଁ ଅପେକ୍ଷାକରି ଠିଆ ହୋଇଥାନ୍ତି । ଦୋମାହାଲା ଉପରେ, ମୋ ଶୋଇବା ଘର ଝରକା ବାଟୁ ଆଲୁଅ ଆସି ସଡ଼କରେ ପଡ଼ିଥାଏ । ଏତେ ରାତି ପର୍ଯ୍ୟନ୍ତ କାହିଁକି ଆଲୁଅ ଜଳୁଛି, ସେ ବିଷୟରେ କୌଣସି କାରଣ କଳ୍ପନା କରିବାକୁ ଚେଷ୍ଟା ନ କରି ମୁଁ ଦୁଆର ମୁହଁରେ ଯାଇ ହାତ ମାଇଲି । ହଠାତ୍ ମୋ ମନରେ କିପରି ଗୋଟାଏ ଆଶଙ୍କା ଆସି ପହଞ୍ଚି ଗଲା ଯେ, ସତେ ଯେପରି ମୋର ଜୀବନର ଗୋଟାଏ କିଛି ସ୍ମରଣୀୟ ଦାରୁଣ ଘଟଣା ଘଟିବ । ମୋର ଦୁଆରେ ମାରିବା ଶୁଣି ଚାକର ମାଧିଆ ଦୁଆର ଖୋଲିଦେଲା । ମାଧିଆ ବହୁଦିନରୁ ଗୋଟିଏ ନିମକସଚା ବିଶ୍ୱାସୀ ଚାକର କିନ୍ତୁ ଭାରି ବୋକା । ଦୁଆର ଫିଟାଇ ଦେବାମାତ୍ରେ ମୋର ଆଖି ଆଗରେ ଖଣ୍ଡିଏ ଛତା ଓ ଯୋତା ହଳେ ପଡ଼ିଥିଲା । ଏହା ଦେଖି ମୋର ଆଶ୍ଚର୍ଯ୍ୟ ହେବାର କଥା; କିନ୍ତୁ ମୁଁ ଏଥିରେ ଆଶ୍ଚର୍ଯ୍ୟ ହେଲି ନାହିଁ- କାରଣ ଏହିପରି ଗୋଟାଏ କିଛି ଘଟିବ ବା ଦେଖିବି ବୋଲି ମୋର ଆଶଙ୍କା ଥାଏ । ତେବେ ମୋ ଆଶଙ୍କାକୁ ସତବୋଲି ମନେ ମନେ ବିଚାରି ମାଧିଆକୁ ପ୍ରଶ୍ନ କଲି, ‘‘କିରେ, କିଏ ଆସିଛି କି ? ଏ ଛତା ଯୋତା କାହାର?’’ ମାଧିଆ କୌଣସି ଉପକ୍ରମଣିକା ନ ହୋଇ ପଦେ କଥାରେ ଉତ୍ତର ଦେଲା ‘ଲଳିତବାବୁ’ । ମୁଁ ପଚାରିଲି ଆଉ କିଏ ଅଛି? ମାଧିଆ କିଛିକ୍ଷଣ ଚୁପ୍ ରହି କହିଲା, କେହି ନାହିଁ । ତାର ସେହି ଉତ୍ତର ଦେବାର ସ୍ୱର ବର୍ତ୍ତମାନ ମନେପଡ଼ୁଛି । ସେ ମୋତେ ସାନ୍ତ୍ୱନା ଦେଲାପରି କଥାଟି କହିଦେଲା–ସତେ ଯେପରି ଆଉ କିଏ ଥିଲେ ମୁଁ ବିରକ୍ତ ହୋଇଥାନ୍ତି । ତା କଥା ଶୁଣି ତେବେ ମୋ ଆଶଙ୍କଟା ଠିକ୍ ବୋଲି ଆଉ ଥରେ ବିଚାରି ପଚାରିଲି ‘‘କିରେ, ପିଲାଏ-?’’ ସେ ଉତ୍ତର ଦେଲା–‘‘ବାବୁ, ପିଲାଟିମାନଙ୍କର ସମସ୍ତଙ୍କର ଦେହ ଭଲ ଅଛି । ସେଉଟିମାନେ ତ କେତେବେଳୁ ଶୋଇପଡ଼ିଲେଣି ।’’ ଏହାପରେ ମୋର ନଶ୍ୱାସ ପ୍ରଶ୍ୱାସ ରୁଦ୍ଧ ହୋଇ ଆସିଲା । ମୋର ସ୍ତ୍ରୀ ନିଷ୍ପାପ ଶଯ୍ୟାକ୍ରୋଡ଼ରେ ଶାୟିତ ଥିବ ବୋଲି ବେଳେ ବେଳେ ଯାହା ଆଶା କରୁଥିଲି, ସେ ଆଶା ତେବେ ପଣ୍ଡ ହେଉ, ଆଉ କାହିଁକି, ଯାହା ତ ହେବାର ହେଲାଣି, ବର୍ତ୍ତମାନ ଦମ୍ଭ ଓ ଧୈର୍ଯ୍ୟ ଦରକାର । ଏ କଥା ଯେତେ ବିଚାରିଲି, ମୋର ଧୈର୍ଯ୍ୟ ସେତିକି ଲୋପ ହେବାକୁ ବସିଲା-। ସବୁଠାରୁ ମନ୍ଦ ଏପରି ଯେଉଁ ଆଶଙ୍କା କରିଥିଲି, ବର୍ତ୍ତମାନ ତାହା ଯେ ନିର୍ମମ ନିଷ୍ଠୁର ସତ୍ୟରୂପେ ଆଗରେ ଠିଆ । ଭୋ ଭୋ ଡକା ଛାଡ଼ିଲା ପରି ମନେହେଲା । କିନ୍ତୁ ପର ମୁହୂର୍ତ୍ତରେ ସୈତାନ ମୋ ମନ ଭିତରେ ତୁନି ତୁନି ଉପଦେଶ ଦେଲା । ମାଇକିନିଆ ପରି ଏପରି ଅଧୈର୍ଯ୍ୟ କାହିଁକି ? ବର୍ତ୍ତମାନ ଏପରି କାନ୍ଦିଲେ ବା କୌଣସି ପ୍ରକାର ଚିତ୍କାର କଲେ ସେମାନେ ଯେ ତମେ ଆସିବାର ଜାଣିପାରି ଯେ ଯୁଆଡ଼େ ଖସିଯିବେ, ସ୍ଥିର କରି କିଛି ଜାଣିପାରିବ ନାହିଁ । ସାରା ଜୀବନ ସଂଶୟ ଓ ଅବିଶ୍ୱାସରେ ଘାଣ୍ଟି ହୋଇ ମରିବ ।’

 

‘‘ଏ ଉପଦେଶ ପାଇ ହୃଦୟରୁ ଦୁଃଖ କୁଆଡ଼େ ଚାଲିଗଲା ଏବଂ ଆପଣ ଶୁଣିକରି ଆଶ୍ଚର୍ଯ୍ୟ ହେବେ, ମୋ ମନରେ ଭାରି ଆନନ୍ଦ ଉପୁଜିଲା । କାରଣ ବର୍ତ୍ତମାନ ତାର ସ୍ୱରୂପ ଜାଣିବାକୁ ଏବଂ ତାର ପାପର ଉପଯୁକ୍ତ ପ୍ରତିଫଳ ତାକୁ ଦେବାପାଇଁ ପ୍ରକୃଷ୍ଟ ସୁଯୋଗ ମିଳିଛି । ଘୃଣା ଓ ପ୍ରତିହିଂସା ଅଗ୍ନି ସ୍ଫୁଲିଙ୍ଗ ପରି ମୋ ଆଖିରୁ ବାହାରି ପଡ଼ୁଥାଏ । ସେତିକିବେଳେ ମାଧିଆ ଆସି ଉପର ମହଲାରେ ପହଞ୍ଚିଗଲା । ବୋଧହୁଏ ତାହାର ଉଦ୍ଦେଶ୍ୟ, ଯାଇ ସାଆନ୍ତାଣିଙ୍କୁ ମୋର ଆକସ୍ମିକ ଆଗମନ ବାର୍ତ୍ତା ଦେବ, ସେପରି ହେଲେ ମୋର କାର୍ଯ୍ୟପନ୍ଥା ବ୍ୟର୍ଥ ହୋଇଯିବ ବୋଲି ମନେକଲି । ମୁଁ ତାକୁ ଅଟକାଇଲି ଏବଂ ତୁରନ୍ତ ଷ୍ଟେସନକୁ ଗୋଟିଏ ଗାଡ଼ିରେ ଯାଇ ଷ୍ଟେସନ ମାଷ୍ଟ୍ରଙ୍କୁ ମୋ ନାମ କହି ଗାଡ଼ିରୁ ମୋର ଜିନିଷପତ୍ର ଘେନି ଆସିବା ପାଇଁ ତାକୁ ହୁକୁମ ଦେଲି ।

 

‘‘ସଙ୍ଗେ ସଙ୍ଗେ ସେ ହୁକୁମ ତାମିଲ୍ କରିବାକୁ ଧାଇଁଲା । ସେ ଯିବାପରେ ଦାଣ୍ଡ ଦୁଆର ଭଲକରି କିଳି ଦେଇ ମୁଁ ଉପରକୁ ଉଠିଲି–ମୋର କାର୍ଯ୍ୟ ସାଧନ କରିବା ନିମନ୍ତେ–କିନ୍ତୁ କି କାର୍ଯ୍ୟ କିପରି ସାଧନ କରିବାକୁ ହେବ ସେ ବିଷୟରେ ସେ ସମୟରେ ମୋର କୌଣସି ଧାରଣା ନ ଥାଏ-। ମୁଁ ଘୁଣାକ୍ଷରେ ସୁଦ୍ଧା ବିଚାରି ନ ଥାଏ ଯେ ମୁଁ ସେଦିନ ରାତିରେ ଯାହା କଲି ମୋତେ ସେପରି କିଛି କରିବାକୁ ପଡ଼ିବ । କଅଣ କରିବି କିଛି ମୁଁ ସ୍ଥିର କରି ନ ଥାଏ । ତେବେ ପ୍ରକୃତ ଘଟଣା କଣ ସେ ବିଷୟରେ ମୋର ଆଉ କୌଣସି ସନ୍ଦେହ ନ ଥାଏ । ହୁଏତ ଏକଥା ସତ୍ୟ ହୋଇ ନ ଥିବ । ହୁଏତ ମୋର ଆଶଙ୍କା ଭ୍ରାନ୍ତ ହୋଇଥିବ । ମୋର ଏଠାରେ ଯେ ଆଶଙ୍କା ସବୁଥିଲା, ତାହା ଯେ ସମ୍ପୂର୍ଣ୍ଣ ସତ୍ୟ ସେ ବିଷୟରେ ଆଉ କୌଣସି ପ୍ରମାଣ ଲୋଡ଼ା ନାହିଁ । ସେ ମୋର ଅଜ୍ଞାତରେ ଅଧ ରାତିରେ ତାଙ୍କ ସଙ୍ଗେ ଏକୁଟିଆ ଆସି ଆଗରୁ ପିଲା ମାନଙ୍କୁ ସୁଆଇ ଦେଇଛି । ଏତିକି ତ ଯଥେଷ୍ଟ-। ଏହାପରେ ଆଉ କି ପ୍ରମାଣ ଦରକାର ହୋଇପାରେ ? ତେବେ ଶେଷ ପ୍ରମାଣ ଅର୍ଥାତ୍ ଚାକ୍ଷୁଷ ପ୍ରମାଣଟାକୁ ନେବାପାଇଁ ମନରେ କୌତୂହଳ ଜାତ ହେଲା । ସଙ୍ଗେ ସଙ୍ଗେ ମୋର ଭୟ ହେଲା, ଠିକ୍ ଏହି ସମୟରେ ସେମାନେ ଯଦି ଛାଡ଼ ବାଡ଼ ହୋଇଯାନ୍ତି, ଲଳିତବାବୁ ଯଦି କୌଣସି ମତେ ଖସି ଚାଲିଯାନ୍ତି ତେବେ ମୋ ଶେଷ ପ୍ରମାଣଟା ଯେ ଅପୂର୍ଣ୍ଣ ରହିଯିବ, ସନ୍ଦେହ ପାଇଁ ଯେ ବାଟ ରହିଯିବ ।

 

‘‘ଯେତେଶୀଘ୍ର ହୁଏ ସେମାନଙ୍କ ସଙ୍ଗେ ଯାଇ ପହଞ୍ଚିବା ସଂକଳ୍ପରେ ମୁଁ ଗୋଡ଼ ଟିପି ଟିପି ଗୋଟିଏ ବୁଲା ବାଟରେ ଅର୍ଥାତ୍ ପିଲାଙ୍କ ଶୋଇବା ଘର ଦେଇ ଯାଇ ସେମାନେ ବସିଥିବା ବୈଠକଖାନା ଦୁଆର ମୁହଁରେ ପହଞ୍ଚିଲି । ମୋ ସଭା ସାନଝିଅଟିର ଧାଇ ସେ ଘରେ ଶୋଇଥିଲା-। ମୋର ମନେହେଲା ସତେ ଯେପରି ସେ ମୋ ପାଦ ଶବ୍ଦରେ ଚମକି ପଡ଼ିଛି । ଉଠି ପଡ଼ିବା ଉପରେ ଅଛି । ହଠାତ୍ ସେ ଯଦି ଉଠିପଡ଼େ ଏକଥା ଚିନ୍ତାକରି ଭାରି ଲାଜ ମାଡ଼ିଲା । ଭାରି ଆତ୍ମଗ୍ଲାନି ଆସିଲା, ଆର ଘରେ କଅଣ ଚାଲିଛି ଧାଇଟା ଯଦି କୌଣସି ମତେ ଜାଣିପାରବ ଏକଥା ମନେକରି ମୋ ମୁଣ୍ଡ ତଳକୁ ହୋଇଗଲା ।

 

‘‘ହାୟ, ସେ ମୋତେ ନେଇ କେତେ ତଳକୁ ପକେଇଛି ! କେଡ଼େ ସଂଭ୍ରାନ୍ତ ଲୋକ ମୁଁ, କେଡ଼େ ବଡ ଘରର ପୁଅ, ଜୀବନଯାକ ପରିବାରରେ ବାନ୍ଧି ହୋଇ ପୂର୍ଣ୍ଣରୂପେ ପାରିବାରିକ ସୁଖ ଅନୁଭବ କରିବି ବୋଲି ବିଚାରି ଆଜି ଏହି ପରିଣାମରେ ଆସି ପହଞ୍ଚିଛି । ପାଞ୍ଚଟା ପିଲାର ମା ସେ-। ଗୋଟାଏ ଅତି ହୀନ ଗାୟକର ପ୍ରେମରେ ପଡ଼ି ମୋ ଘରମୁଣ୍ଡରେ କଳଙ୍କ-ଶଗଡ଼ ଲଦି ଦେଇଛି । ସେ ଲୋକଟାର ବର୍ଣ୍ଣ ଟିକିଏ ଅଧିକ ଗୋରା ବୋଲି ସେ ଏଡ଼େ ବଡ଼ ହୀନ କାର୍ଯ୍ୟ କରିବାକୁ ତିଳେମାତ୍ର କୁଣ୍ଠିତ ହେଉ ନାହିଁ । ଫେର ପିଲାମାନଙ୍କର ଏଡ଼େ ନିକଟରେ ଯେଉଁ ପିଲାମାନଙ୍କୁ ସେ ସ୍ନେହକରେ ବୋଲି ଜୀବନଯାକ ଛଳନା କରି ଆସୁଥିଲା–ଚାକରାଣୀ ଧାଇଟା ଶୋଇବା ଘରର ଏତେ ପାଖରେ–ଓହୋ କେତେ ହୀନ ସେ ! ନାରୀ ହୋଇ ମା ହୋଇ ସେ କି ଅକର୍ମ କରୁଛି ! ସରଳ ପିଲାମାନଙ୍କ ଆଗରେ କି ଆଦର୍ଶ ଆଣି ଥୋଉଛି । ନା, ନା, ସେ ନାରୀ ନୁହେଁ ରାକ୍ଷସୀ; ସେ ମା ନୁହେଁ ପିଲାମାନଙ୍କର ଶତ୍ରୁ ।

 

‘‘ମନେପଡ଼ିଗଲା ତାର ସେ ଚିଠିକଥା । ଏଣେ ଏପରି ନାଟ ଲାଗିଛି । ତେଣେ କେଡ଼େ ସରଳଭାବରେ ଛଳନା କରି ସେ ମୋ ପାଖକୁ ଚିଠି ଲେଖିଛି । ମାୟାବିନୀ–ମିଥ୍ୟାବାଦିନୀ ସେ । ମୁଁ ଯଦି ଆଜି ରାତିରେ ନ ଆସି କାଲି ସକାଳେ ପହଞ୍ଚିଥାନ୍ତି ତାହାହେଲେ କେଡ଼େ ସରଳ ଭାବରେ ସେ ମୋତେ ଅଭିନନ୍ଦନ କରିଥାନ୍ତା । କେତେ ପ୍ରକାର ବେଶ ପରିପାଟିରେ ମୋ ମନକୁ ଭୁଲାଇବାର ଚେଷ୍ଟା କରିଥାନ୍ତା । ଓହୋ ! ମିଥ୍ୟାଚାର ଆଉ କେତେ ବାଟ ଯାଇପାରେ । ଏପରି ବିଚାରି ବିଚାରି ମୁଁ ଧାଇର ଚକ୍ଷୁଅନ୍ତରାଳକୁ ଚାଲି ଯିବାପାଇଁ ସେ ଘରଛାଡ଼ି ବରଣ୍ଡାକୁ ଚାଲି ଆସିଲି ଏବଂ ବରଣ୍ଡାର ଗୋଟିଏ ଚଉକି ଉପରେ ପଡ଼ିଗଲି । ପୁଣି ବିଚାରିଲି ଏ ତ କାଳ ବିଳମ୍ବ କରିବାର ସମୟ ନୁହେଁ । ହଠାତ୍ ଚଉକିରୁ ଉଠି ମୁଁ ସେମାନଙ୍କ ଘର ଆଡ଼କୁ ଯିବାକୁ ଚେଷ୍ଟା କଲି; କିନ୍ତୁ ଚଉକିରୁ ଗୋଡ଼ ଉଠିଲା ନାହିଁ । ଘୋର ଅବସାଦ ମୋତେ ଘୋଟିଗଲା । ମନେହେଲା, ସତେ ଯେପରି ମୁଁ ଆଉ ବଞ୍ଚିବି ପାରିବି ନାହିଁ । ସତେ ଯେପରି ମୋର ମୁର୍ଚ୍ଛା ହୋଇ ପ୍ରାଣନାଶ ହୋଇଯିବ ।

 

‘‘ମୁଁ ସ୍ଥିର ବୁଝିଲି, ସେ ମୋର ମୃତ୍ୟୁର କାରଣ ହେବ । ମୋର ମନେହେଲା, ମୋର ମୃତ୍ୟୁ ହିଁ ସେ କାମନା କରୁଛି । ମତେ ମାରିଦେବାକୁ ମଧ୍ୟ ସେ ପଶ୍ଚାତ୍‌ପଦ ହୁଅନ୍ତା ନାହିଁ । ଏପରି ଅବସ୍ଥାରେ ମୁଁ ତ ମଲେ ନ ଚଳେ । ମୋର ମୃତ୍ୟୁ ହେବ ତାର ଶ୍ରେଷ୍ଠ ସୁଯୋଗ । ଏ ସୁଯୋଗ ମୁଁ ତାକୁ କେବେ ଦେବିନାହିଁ । ତତ୍ପର ମୁହୂର୍ତ୍ତରେ ଆତ୍ମହତ୍ୟା ଇଚ୍ଛା ମୋ ହୃଦୟରୁ ଯାଇ ତାକୁ ହତ୍ୟା କରିବାପାଇଁ ପ୍ରବୃତ୍ତି ଜାଗି ଉଠିଲା । ଏଣେ ମୁଁ ଏକାକୀ ବସିଛି । ତେଣେ ସେ ଦୁହେଁ ବୈଠକଖାନାରେ ବସି ନିଃସଙ୍କାଚରେ ଆଳାପ କରୁଛନ୍ତି । ଏ କଥା ମନେପଡ଼ି ସେହିକ୍ଷଣି ତାକୁ ତଣ୍ଟିଚିପି ମାରି ଦେବାକୁ ମନହେଲା ।

 

‘‘ସପ୍ତାହ ପୂର୍ବେ ଯେଉଁଦିନ ମୁଁ ତାକୁ ମୋ ଶୋଇବା ଘରୁ ବଳାତ୍କାରରେ ବାହାର କରି ଦେଇଥିଲି ଏବଂ ଜିନିଷପତ୍ର ଛିନ୍‌ଭିନ୍‌ ଫୋପାଡ଼ି ଥିଲି, ସେହି ଦିନର ସ୍ମୃତି ମନେପଡ଼ି ତାକୁ ସେ ଦିନ କାହିଁକି ହତ୍ୟା ନ କଲି ସେଥିପାଇଁ ନିଜକୁ ଧିକ୍କାର କଲି । କିଛି ଗୋଟିଏ ନୃଶଂସ କାର୍ଯ୍ୟ କରି ତାକୁ ଶିକ୍ଷା ଦେବା ନିମନ୍ତେ କ୍ରୁର ପ୍ରକୃତି ମୋର ହୃଦୟରେ ଜାଗିବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ସମସ୍ତ ସତ୍ ପ୍ରକୃତି ଦୂର ହୋଇଗଲା ଏବଂ ହିଂସ୍ରଜନ୍ତୁର ହିଂସା ଓ ପାଶବିକତା । ମୋର ହୃଦୟକୁ ସମ୍ପୂର୍ଣ୍ଣ ଜୟ କଲା ।’’

•••

 

(ଏକୋଇଶ)

 

‘‘ଏହି ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ମୁଁ ଗୋଡ଼ରୁ ଯୋତା କାଢ଼ି ପକାଇଲି । ଏବଂ ଖୁବ୍ ଧୀରେ ଧୀରେ ଟିକିଏ ସୁଦ୍ଧା ଶବ୍ଦ ନ କରି ମୋର ଅସ୍ତ୍ରଶସ୍ତ୍ର ଯେଉଁଠାରେ ସେଠାକୁ ଗଲି । ଖଣ୍ଡିଏ ଗୁପ୍ତି ବାହାର କଲି । ଖୁବ୍ ଛୋଟ, ହାତରେ ଧରି ଯିବାକୁ ହୁଏ ନାହିଁ, ଏବଂ ଏ ପର୍ଯ୍ୟନ୍ତ ତାହା କେବେ ବ୍ୟବହାର ହୋଇ ନ ଥିଲା, ଖୋଳଭିତରୁ ଗୁପ୍ତିଟି ବାହାରିଲା ଖୁବ୍ ଦାଢ଼ୁଆ ହୋଇଥାଏ । ଅନ୍ଧାର ଘରେ ଝକ୍‌ମକ୍‌ ଝଲସୁ ଥାଏ, ତାର ସେହି ତେଜରେ ମୁଁ ଜ୍ଞାନଶୂନ୍ୟ ହୋଇଗଲି । ମୁଁ ଖୋଳ ଗୋଟାଇବାକୁ ନ ରହି ଦେହରୁ କୁରୁତା ଓ ଚାଦର ପ୍ରଭୃତି ବାହାର କଲି ସେହି ଗୁପ୍ତି ହସ୍ତରେ ଧୀରେ ଧୀରେ ସେମାନଙ୍କ ଘର ଦୁଆର ମୁହଁକୁ ଗଲି । ଦୁଆର ଏପାଖେ ଟିକିଏ ଠିଆ ହୋଇ କାନ ଡେରିଲି ଏବଂ ତା’ପରେ ତା’ପରେ ଖୁବ୍ ଯୋରରେ ଦୁଆରକୁ ଧକ୍କାମାରି ଫିଟାଇ ସେମାନଙ୍କ ସମ୍ମୁଖରେ ଯାଇ ପହଞ୍ଚିଲି । ହଠାତ୍ ଘର ମଝିରେ ମୋତେ ଦେଖି ସେମାନଙ୍କ ଚେହେରା ଓ ଅବସ୍ଥା ଯାହା ହେଲା ବର୍ତ୍ତମାନ ମୋର ସଫା ମନେପଡ଼ୁଛି । ମନେପଡ଼ୁଛି କାରଣ ସେମାନଙ୍କର ସେହି ଚେହେରା ଦେଖି ମୋ ମନ ଆନନ୍ଦରେ ପୁରି ଯାଇଥିଲା । ମୁଁ ମୋର ସଂକଳ୍ପ କାର୍ଯ୍ୟରେ ପରିଣତ କରିବାକୁ ସେହି ଚେହେରାରେ ଶ୍ରେଷ୍ଠ ଯୁକ୍ତି ପାଇଥିଲି, ମୋତେ ଦେଖି ସେମାନଙ୍କର ମୁହଁରେ ଘୋର ନୈରାଶ୍ୟ ଏବଂ ଅତି ଘୃଣ୍ୟ ଭୟ ଚିତ୍ରିତ ହୋଇଗଲା । ହଠାତ୍ ମୋତେ ଦେଖି ସେମାନେ ଯେପରି ତୁନି ପଡ଼ିଗଲେ ସେ ଦୃଶ୍ୟ ମୁଁ ମଲା ପର୍ଯ୍ୟନ୍ତ ପାଶୋର ପାରିବି ନାହିଁ । ଲଳିତ ବାବୁ ମୋ ସ୍ତ୍ରୀର ଖୁବ ନିକଟରେ ଗୋଟିଏ ଚଉକିରେ ବସିଥିଲେ । ହଠାତ୍ ମତେ ଦେଖି ସେ ଛାନିଆ ହୋଇଗଲେ । ଏବଂ କାନ୍ଥରେ ଯାଇ ଲେସି ହୋଇ ଠିଆ ହେଲେ । ମୁଁ ସ୍ପଷ୍ଟ ଦେଖିଲି ଭୀରୁ ଲଳିତବାବୁ ଅତିଘୃଣ୍ୟ ଭୟରେ ମୁହ୍ୟମାଣ ।

‘‘ଆଉ ସେ–ତା’ଠାରେ ମଧ୍ୟ ସେହି ଭୟ, କିନ୍ତୁ ଭୟ ସଙ୍ଗେ ଆଉ କିଛି ମିଶିଥାଏ । ଏହି ଆଉ କିଛି ଟିକକ ଯଦି ନ ଥାନ୍ତା, ମୁଁ ଯଦି ଖାଲି ଭୟର ଚିତ୍ର ତା ମୁହଁରେ ଦେଖିଥାନ୍ତି, ତେବେ ଅଳ୍ପ ସମୟ ମଧ୍ୟରେ ଯେଉଁ କାଣ୍ଡ ଘଟିଗଲା ତାହା ଘଟି ନ ଥାନ୍ତା । ଘଟଣା ଅନ୍ୟ କ୍ରମଧରି ଚାଲିଥାନ୍ତା, କିନ୍ତୁ ମୋତେ ଜଣାଗଲା ଭୟ ସଙ୍ଗେ ସଙ୍ଗେ ନୈରାଶ୍ୟ ବିରକ୍ତି ଏବଂ ମୋ ପ୍ରତି କ୍ଷଣକ ପାଇଁ ତା ମୁହଁରେ ଦେଖା ଦେଇ କୁଆଡ଼େ ଲିଭିଗଲା । ମୁଁ ମନେକଲି, ମୁଁ ତାହାର ଅନ୍ତରଙ୍ଗ ପ୍ରେମିକ ସଙ୍ଗରୁ ତାକୁ ଛଡ଼ାଇ ନେବାପାଇଁ ହଠାତ୍ ଆସି ଏପରି ଆର୍ବିଭୂତ ହେବାରୁ ତା ମନରେ ବିରକ୍ତିତାର ନିରବଚ୍ଛିନ୍ନ ସୁଖରେ ବାଧା ଦେବାକୁ ଯିବାରୁ ତାର ମୋ ପ୍ରତି ଏ ଘୃଣା । ଏହି ଚିନ୍ତା, ଏହି ଆଶଙ୍କା ମୋ ହୃଦୟରେ କ୍ରୋଧ ସଙ୍ଗେ ପ୍ରତିହଂସାର ନିଆଁ ଜାଳି ଦେଲା ।

‘‘ତା ମୁହଁରେ ଏହି ନୈରାଶ୍ୟ ଓ ବିରକ୍ତିର ଭାବ ବେଶି ସମୟ ରହିଲା ନାହିଁ । ସେ ଲଳିତବାବୁଙ୍କ ଆଡ଼କୁ ଚାହିଁଲା ଏବଂ ମୋର ମନେହେଲା, ସତେ ଯେପରି ଲଳିତବାବୁ ଚାହାଣୀରେ ତାକୁ କହୁଛନ୍ତ ‘ବର୍ତ୍ତମାନ ଆଉ ଉପାୟ କଅଣ ? ମିଛ କହି ଯଦି ଏ ବିପଦରୁ ଉଦ୍ଧାର ପାଇବାର ସମ୍ଭବ, ତା ହେଲେ ଆରମ୍ଭ କର, ବିଳମ୍ବ କାହିଁକି ? ଲଳିତବାବୁଙ୍କ ଚାହାଣୀରୁ ଏତକ ପଢ଼ି ତାର ନୈରାଶ୍ୟ ଓ ବିରକ୍ତି କୁଆଡ଼େ ଚାଲିଗଲା ଏବଂ କିପରି ନିଜ ପ୍ରେମିକକୁ ରକ୍ଷା କରିବ ସେଥିପାଇଁ ତାର ଘୋର ଉତ୍କଣ୍ଠା ଜାତ ହେଲା । ମୁଁ ଦୁଆରବନ୍ଧ ପାଖରେ ପିଠି ଆଢ଼ୁଆଳରେ ଛୁରୀଟା ଧରି ଠିଆ ହୋଇଥାଏ । ଲଳିତବାବୁ ହସିହସି ଅତି ସରଳଭାବରେ ଆରମ୍ଭ କଲେ–‘ଗାଉଣା ବାଜଣା କରୁ କରୁ’–ଠିକ୍ ସେହି ସମୟରେ ସେ କହି ଉଠିଲା, ‘ବଡ଼ ଆଶ୍ଚର୍ଯ୍ୟ କଥା ତ ! ଚିଠି’–କିନ୍ତୁ ତାକୁ ବା ତାଙ୍କୁ ନିଜର ବକ୍ତବ୍ୟ ଶେଷ କରିବାକୁ ଅବସର ମିଳିଲା ନାହିଁ । ସପ୍ତାହକପୂର୍ବେ ଯେଉଁ ପ୍ରଳୟଙ୍କରୀ ପ୍ରବୃତ୍ତି ମୋ ହୃଦୟରେ ଜାଗି ଉଠିଥିଲା, ଆଜି ସେହି ପ୍ରବୃତ୍ତି ପୁଣି ମୋତେ ଅଧିକାର କରିବାକୁ ବସିଲା ଏବଂ ମୁଁ ପୂର୍ଣ୍ଣ ଆଗ୍ରହ ଓ ଉତ୍ସାହର ସହିତ ସେ ପ୍ରବୃତ୍ତି ଆଗରେ ଆତ୍ମସମର୍ପଣ କଲି ।

‘‘ସେମାନଙ୍କୁ ଆଉ ନିଜ ବକ୍ତବ୍ୟ ଶେଷ କରିବାକୁ ସମୟ ମିଳିଲା ନାହିଁ । ମୁଁ ଭୀମ ବିକ୍ରମରେ ତା ଉପରେ ପଡ଼ିଲି । ଛରୀ ଲୁଚାଇ କରି ଧରିଥାଏ କାଳେ ଲଳିତବାବୁ ମୋ ଉଦ୍ଦେଶ୍ୟ ସାଧନରେ ବାଧା ଦେବେ । ଛୁରୀର ଲକ୍ଷ୍ୟସ୍ଥାନ ଆଗରୁ ସ୍ଥିର କରିଥାଏ । କିନ୍ତୁ ମୁଁ ତାକୁ ଆକ୍ରମଣ କରିବାକୁ ଗଲାବେଳକୁ ସେ ଆସି ହଠାତ୍ ମୋ ହାତକୁ ଧରି ପକାଇଲେ ଏବଂ ‘ହାଁ, ହାଁ, ଏ କି ପାଗଳାମି’ ବୋଲି ପାଟି କଲେ ।

‘‘ଲଳିତବାବୁଙ୍କ ପରି ଦୁର୍ବଳ ଲୋକର ହାତ ଛଡ଼େଇ ଆଣିବା ମୋ ପକ୍ଷରେ ଅତି ସହଜ କାର୍ଯ୍ୟ । ମୁଁ ତାଙ୍କୁ ଆକ୍ରମଣ କରିବାକୁ ବସିଲି । ମୋ ଆଖି ଦେଖି ତାଙ୍କ ମୁହଁ ପାଣ୍ଡୁର ହୋଇଗଲା-। ସେ ଭୟରେ ଥରି ଥରି ଟେବୁଲ ତଳେ ଗଳି ଘରୁ ପଳାଇଲେ । ମୁଁ ପଛରେ ଧାଇଁଲି; କିନ୍ତୁ ମୋତେ ଜଣାଗଲା, ପଛରୁ ଯେପରି ମୋତେ କେହି ଟାଣୁଛି । ଫେର ଦେଖିଲି ମୋର ସ୍ତ୍ରୀ । ତା’ଠାରୁ ଖସି ଯିବାପାଇଁ ଖୁବ୍ ଚେଷ୍ଟାକଲି; କିନ୍ତୁ ସେ ମୋର ଅଣ୍ଟାକୁ ଏପରି ଜକଟମକଟ କରି ଧଇଲା ଯେ ଲଳିତବାବୁଙ୍କୁ ଗୋଡ଼ାଇ ଧରିବା ମୋ ପକ୍ଷରେ ଅସମ୍ଭବ ହେଲା ।

‘‘ଉଦ୍ଦେଶ୍ୟ ସାଧନରେ ଏପରି ତା’ଠାରୁ ବାଧା ପାଇବାରୁ ଏବଂ ବିଶେଷତଃ ସେ ମୋତେ ସ୍ପର୍ଶ କରିବାରୁ ମୋ ହୃଦୟରେ କ୍ରୋଧ ବେଶୀ ଜଳି ଉଠିଲା । ଖୁବ୍ ଭୀଷଣ ଭାବରେ ତାକୁ ଆଘାତ କଲି ଏବଂ ସେହି ଆଘାତର ଜୋରରେ ସେ ଚିତ୍କାର କରି ମୋତେ ଛାଡ଼ିଦେଲା ।

‘‘ମୁଁ ପୁଣି ଲଳିତବାବୁଙ୍କ ପଛରେ ଧାଇଁଲି । କିନ୍ତୁ ଦାଣ୍ଡଦୁଆରେ ଆସି ପହଞ୍ଚିଛି, ବିଚାରିଲି–ମୁଁ କେଡ଼େ ପାଗଳ; ଏପରି ଅବସ୍ଥାରେ ମୁଁ ଯଦି ମୋର ସ୍ତ୍ରୀର ପାପ-ପ୍ରେମିକ ପଛରେ ସଡ଼କରେ ଧାଏଁ, ଲୋକ ଦେଖିଲେ କଅଣ କହିବେ? ପ୍ରତିହିଂସା ସାଧନ କରିବା ପାଇଁ ଘୋର ପ୍ରବୃତ୍ତି ହେଉଥିଲା ସତ, କିନ୍ତୁ ଏଥିପାଇଁ ଲୋକଙ୍କ ଉପହାସ୍ୟ ହେବାକୁ ମୋର ଇଚ୍ଛା ନ ଥିଲା । କ୍ରୋଧରେ ଏକପ୍ରକାର ଜ୍ଞାନଶୂନ୍ୟ ହୋଇଥିଲେ ହେଁ ମୋର କି କାର୍ଯ୍ୟ ଲୋକଙ୍କୁ କିପରି ଜଣାପଡ଼ିବ, ସେ ବିଷୟରେ ଟିକିଏ ଅନୁଭୂତି ମୋର ଥାଏ । ପ୍ରବଳ ଇଚ୍ଛା ସହ ଲଳିତବାବୁଙ୍କୁ ଛାଡ଼ି ମୁଁ ପୁଣି ଉପରକୁ ଉଠିଲି । ଯାଇ ପହଞ୍ଚିଲି ସେଇ ଚିରସ୍ମରଣୀୟ ବୈଠକଖାନା ଭିତରେ ।

‘‘ମୋର ସ୍ତ୍ରୀ ଆସି ଖଟ ଉପରେ ପଡ଼ିଯାଇଛି । ମୋର ଆଘାତ ତାକୁ ଖୁବ୍ ବାଧିଛି ବୋଲି ଜଣାଯାଉଛି । ସେ ମୋ ଆଡ଼କୁ ବଲବଲ କରି ଚାହୁଁଛି । ତାହାର ସେହି ଚାହାଣୀ ଜଣାଇ ଦେଉଥାଏ, ମୁଁ ତାର କିପରି ଶତ୍ରୁ ଏବଂ ମୋ ପ୍ରତି ତାର କିପରି ଭୟ ଓ ଘୃଣା । ଅବଶ୍ୟ ତା ମନରେ ଆଉ କଅଣ ଭାବ ଥିଲା, ମୁଁ ତା ଠିକ୍ କହିପାରିବି ନାହିଁ, କିନ୍ତୁ ମୋର ମନେହେଲା, ସତେ ଯେପରି ଏହି ଭୟ ଓ ଘୃଣା ଦୁଇଟି ପ୍ରବୃତ୍ତି ତାକୁ ଅଧିକାର କରିଛି । ଅନ୍ୟର ପ୍ରଣୟରେ ପଡ଼ିଥିବା ନାରୀର ସେ କଥା ଜାଣିପାରିଥିବା ସ୍ୱାମୀ ପ୍ରତି ଯେପରି ଭାବ ହେବା କଥା, ତାର ସେହି ଭାବ ହୋଇଛି ବୋଲି ମୁଁ ବୁଝିଲି । ତେବେ କେବଳ ଯେବେ ସେହି ଚାହାଣୀରେ କଥା ଥାନ୍ତା, ସେ ଯଦି ପାଟି ନ ଫିଟାଇଥାନ୍ତା, ତା ହେଲେ ବୋଧହୁଏ ମୁଁ ଆତ୍ମସମ୍ବରଣ କରିଥାନ୍ତି; କିନ୍ତୁ ସେ କଥା କହିବାକୁ ଆରମ୍ଭ କଲା ଏବଂ ମୋର ହାତ ପ୍ରସାରି ଦେଲା ।

‘‘ସେ ମୋତେ କହିଲା, ‘ଦେଖ, ବୁଝି ବିଚାରି କାର୍ଯ୍ୟ କର । ଏପରି କାହିଁକି ହେଉଛ ? ଲଳିତବାବୁ ଓ ମୋ ମଧ୍ୟରେ କିଛି ଘଟିନାହିଁ । ମୁ ନିଷ୍କଳଙ୍କ ।’ ଏହି ଶେଷ ପଦକ ମୋତେ ବେଶୀ ରଗାଇଦେଲା । ଏପରି ସମୟରେ ‘ମୁଁ ନିଷ୍କଳଙ୍କ’ ବୋଲି କହିବାରୁ ମୁଁ ବୁଝିଲି ସେ ପୁରା କଳଙ୍କିନୀ-। ଲଳିତବାବୁଙ୍କ ସଙ୍ଗେ ଆଉ ଘଟିବାକୁ ତାର କିଛି ନାହିଁ । ସୁତରାଂ କ୍ରୋଧରେ ଅଧୀର ହୋଇ ମୁଁ ଉତ୍ତରରେ ଚିତ୍କାର କଲି, ‘ମିଥ୍ୟାବାଦିନୀ, ରାକ୍ଷସୀ, ଶେଷ ମୁହୂର୍ତ୍ତରେ ମଧ୍ୟ ମିଥ୍ୟା ।’ ବାଁ ହାତରେ ତା ହାତକୁ ମୁଁ ଚାପିଧରିଲି, କିନ୍ତୁ ସେ ହାତ ଛଡ଼ାଇ ନେଲା । ମୁଁ ଛୁରୀ ନ ଛାଡ଼ି ବାଁହାତରେ ତା ତଣ୍ଟି ଧରି ଖଟ ଉପରେ ତାକୁ ପକାଇ ଚିପିଦେଲି । ଓଃ, ତା ବେକ କେଡ଼େ ଶକ୍ତ ! ସେ ଦୁଇହାତରେ ମୋ ହାତକୁ ଛଡ଼ାଇ ଦେଲା । ସତେ ଯେପରି ଏଥିପାଇଁ ମୁଁ ଅପେକ୍ଷା କରୁଥିଲି । ସେ ମୋ ହାତ ଛିଞ୍ଚାଡ଼ ଦେବା ସଙ୍ଗେ ସଙ୍ଗେ ମୁଁ ଖୁବ୍ ଜୋରରେ ତାର ବାଁପଟ ପେଟରେ ଠିକ୍ ଛାତି ତଳକୁ ଛୁରୀ ଭୁଷିଦେଲି.....

‘‘ଲୋକେ କହନ୍ତି ପାଗଳ ହୋଇଥିଲାବେଳେ କଅଣ କରିପକାନ୍ତି, ଜଣାପଡ଼େ ନାହିଁ, କିନ୍ତୁ ତାହା ଠିକ୍ ନୁହେଁ–ତୁଚ୍ଛା ମିଛ । ମୁଁ ଯାହା କଲି ସେ କଥା ମୋର ସଫା ମନେଥାଏ ଏବଂ ମୁହୂର୍ତ୍ତକ ପାଇଁ ସୁଦ୍ଧା ମୋର କାର୍ଯ୍ୟରେ ସଂଜ୍ଞାଲୋପ ହେଉ ନ ଥାଏ । ମୋ ହୃଦୟରେ କ୍ରୋଧ ଯେତିକି ଜଳୁଥାଏ ସଂଜ୍ଞା ଓ ଅନୁଭୁତି ତେତିକି ପ୍ରବଳ ହୋଇ ଉଠୁଥାଏ ଏବଂ ମୋ ହୃଦୟର ସମସ୍ତ ସନ୍ଧିବିସନ୍ଧି ସେହି ପ୍ରବଳ ଆଲୋକରେ ଆଲୋକିତ ହୋଇଯାଉଥାଏ । ଏପରି ଅବସ୍ଥାରେ ମୁଁ କଅଣ କରୁଛି, ସେ ବିଷୟରେ ଜ୍ଞାନ ଲୋପ ହେବ କିପରି ? ଅବଶ୍ୟ କଅଣ କରିବି ସେକଥା ଆଗରୁ ବିଚାର କରି ନ ଥିଲି । କିନ୍ତୁ ଘଟଣା ସମୟରେ ଏବଂ ସେହି ସମୟର କେତେ ମୁହୂର୍ତ୍ତ ଆଗରୁ ମୁଁ କଅଣ କରୁଛି, ସେ କଥା ମୋତେ ସ୍ପଷ୍ଟ ଦେଖାଯାଉଥାଏ । ମୁଁ ଠିକ୍ ଜାଣିପାରୁଥାଏ, ମୁଁ ଛାତି ତଳେ ତାକୁ ମାରୁଛି ଏବଂ ଦାଢ଼ୁଆ ଛୁରୀ ତା ପେଟରେ ପୂରା ଗଳିଯିବ । ଏ କାର୍ଯ୍ୟ କଲାବେଳେ ମୁଁ ବୁଝୁଥାଏ, ଏହା ଅତି ନୃଶଂସ କାର୍ଯ୍ୟ ଏବଂ ଏହାର ପରିଣାମ ଭୀଷଣ ।

‘‘କିନ୍ତୁ ଏ ଜ୍ଞାନ ଉଦୟ ହେବାର ଠିକ୍ ପରେ ଏଡ଼େଶୀଘ୍ର କାର୍ଯ୍ୟ ହୋଇଗଲା ଯେ, ମୋର ମନେହେଲା ସଂଜ୍ଞା ଓ କାର୍ଯ୍ୟ ଠିକ୍ ଏକ ମୁହୂର୍ତ୍ତରେ ହୋଇଛି । ସେ ସମ୍ପର୍କରେ ସବୁକଥା ମୋର ମନେଅଛି । ମୋର ମନେଅଛି, ତାର କୁରୁତା କିପରି ଛୁରୀକୁ ଟିକିଏ ବାଧା ଦେଇଥିଲା ଏବଂ କିପରି ପୋଷାକର ବାଧା, ଚମଡ଼ା ଓ ପଞ୍ଜରା ହାଡ଼ର ବାଧା ତୀକ୍ଷ୍‌ଣ ଛୁରୀ ଅବଲୀଳାରେ ଅତିକ୍ରମ କରି ତାର ପେଟ ଭିତରକୁ ପଶିଗଲା । ଛୁରୀ ନ ପଶିବ ବୋଲି ସେ ଦୁଇ ହାତରେ ତାକୁ ଧରି ପକାଇଲା, କିନ୍ତୁ ହାତ ଖଣ୍ଡିଆ ହେଲା–ଛୁରୀ ବାଧା ମାନିଲା ନାହିଁ ।

‘‘ଜେଲଖାନା ଭିତରେ ହାଜତରେ ରହି ମୋର ନୈତିକ ପ୍ରବୃତ୍ତିର ଯେତେବେଳେ ଘୋର ପରିବର୍ତ୍ତନ ବା ବିପ୍ଳବ ହେଲା, ସେ ସମୟରେ ମୁଁ ଏହି ଘଟଣାର ପ୍ରତ୍ୟେକ ସୁକ୍ଷ୍ମ ବିଭାଗ ମନେପକାଇ ସେତେବେଳେ ମୋ ମନରେ କି ଧାରଣା ସବୁ ହୋଇଥିଲା, ତାହା ସ୍ମରଣ କରିଥିଲି । ମନେଅଛି ସେତେବେଳେ ଠିକ୍‌ ଛୁରୀ ଭୁଷି ଦେବାର ମୁହୁର୍ତ୍ତକ ପୂର୍ବେ ମୁଁ ସ୍ପଷ୍ଟ ବୁଝିପାରିଥିଲି ଯେ ମୁଁ ମାରୁଛି ।

‘‘ଜଣେ ଅସହାୟ ଅବଳା–ମୋର ନିଜ ସ୍ତ୍ରୀକୁ ମୁଁ ହତ୍ୟା କରୁଛି; କିନ୍ତୁ ପୁର୍ବରୁ କହିଛି ଚିନ୍ତାର ଠିକ୍‌ ସଙ୍ଗେ ସଙ୍ଗେ କାର୍ଯ୍ୟ ହୋଇଗଲା । ଆହୁରି ମଧ୍ୟ ମନେଅଛି, ଛୁରୀ ଭୁଷିଦେବା ପରେ ମୁଁ ଛୁରୀକୁ ପୁଣି ଟାଣି ଆଣିଥିଲି । ସତେ ଯେପରି ଏପରି କରିବାଦ୍ୱାରା ମୋର କରିଥିବା କାର୍ଯ୍ୟର ପ୍ରତିକାର ହେବ ବୋଲି ମୋର ମନେହେଲା । ତା’ପରେ ହଲଚଲ ନ ହୋଇ ସେହି ଛୁରୀ ହାତରେ ମୁଁ ଠିଆ ହୋଇ ରହିଲି । ଖାଲି ବିଚାରୁଥାଏ, ଏ କାର୍ଯ୍ୟର ପ୍ରତିକାର ସମ୍ଭବ ନା ନାହିଁ ? ଛୁରୀ କାଢ଼ି ଆଣିବା ପରେ ସତେ କଅଣ ତାର କିଛି ଉପକାର ହେଲା କି ?

‘‘ସେ ଖଟରୁ ହଠାତ୍‌ ଉଠିପଡ଼ି ଚିତ୍କାର କଲା, ‘ଧାଈ, ସେ ମୋତେ ମାରି ପକାଇଲେ ଲୋ ।’ ଏ ଚିତ୍କାର ଶୁଣି ଧାଈ ଧାଇଁ ଆସି ତାପାଖେ ପହଞ୍ଚିଲାଣି, ତଥାପି ମୋର ମନେହେଉଥାଏ, ସତେ ଯେପରି ବିଶେଷ କିଛି ଅନିଷ୍ଟ ହେବ ନାହିଁ । ବୋଧହୁଏ ସେ ମିଛରେ ଏପରି ଚିତ୍କାର କରୁଛି-

‘‘ଏହି ସମୟରେ ରକ୍ତଧାର ତାହାର ଲୁଗା ଭେଦି ପଦାକୁ ବାହାରିଲା, ତଳେ ଝରଝର ହୋଇ ପଡ଼ିଲା, ହଠାତ୍‌ ମୋର ମାନସିକ ଭାବ ମଧ୍ୟ ପରିବର୍ତ୍ତିତ ହୋଇଗଲା । ମୁଁ ବିଚାରିଲି, ଯାହା ହୋଇଛି, ଠିକ୍‌ ହୋଇଛି, ତା ପ୍ରତି ମୁଁ ଯାହା କରିଛି, ତାହାର ପ୍ରତିକାର ହେବାର କିଛି ପ୍ରୟୋଜନ ନାହିଁ । ମୋର ମନେହେଲା ଯାହା ହୋଇଛି ତାହାହିଁ ମୋର କରିବା ଉଚିତ ଥିଲା । ତଥାପି ମୁଁ ଠିଆ ହୋଇଥାଏ । ଅବଶେଷରେ ସେ ରକ୍ତସ୍ରାବ ହେତୁ ଅବଶ ହୋଇ ପଡ଼ିଗଲା । ମୁଁ ଛୁରୀଟା ତଳେ ଫୋପାଡ଼ି ଦେଇ ସେ ଘର ଛାଡ଼ି ଚାଲିଗଲି । ସ୍ଥିର କଲି ଏତେବେଳେ ବିହ୍ୱଳ ହେବା ଉଚିତ ନୁହେ–ଧୀରତା ଓ ସ୍ଥୈର୍ଯ୍ୟ ବଡ଼ ପ୍ରୟୋଜନ । ତା ଆଡ଼କୁ ବା ଧାଈ ଆଡ଼କୁ ଟିକିଏ ସୁଦ୍ଧା ନ ଚାହିଁ ଧୀରେ ଧୀରେ ବାହାରିଗଲି । ଧାଈ ଭୟରେ ଚାତ୍କାର କରୁଥାଏ ଓ ଚାକରାଣୀକି ଡାକୁଥାଏ । ମୁଁ ମୋ ଶୋଇବା ଘରକୁ ଯିବା ବାଟରେ ଚାକରାଣୀକୁ ଦେଖି ତା ସାନ୍ତାଣୀ ପାଖକୁ ତାକୁ ପଠାଇ ଦେଲି, ଏବଂ ମୋ ଶୋଇବା ଘରେ ଯାଇ ବିଚାର କଲି, କଅଣ କରିବି ?

‘‘ସେଠାରେ ମୋର କଅଣ କରିବା ଉଚିତ ବେଶ୍‌ ମତେ ଦିଶିଗଲା । କାନ୍ଥରୁ ପିସ୍ତଲ ବାହାର କରି ଆଣିଲି । ଦେଖିଲି ଟୋଟା ଭର୍ତ୍ତି ହୋଇ ତାହା ଠିକ୍‌ ସଜ୍ଜିତ ହୋଇ ରହିଛି । ପିସ୍ତଲ୍‌ଟି ଆଣି ହାତ ପାଖରେ ଟେବୁଲ ଉପରେ ଥୋଇଲି । ସେହି ସମୟରେ ମୋର ସଂଜ୍ଞା ଓ ବିଚାର ଶକ୍ତି ଏକ ପ୍ରକାର ଲୋପ ହୋଇଗଲା । ଅନ୍ତତଃ ମୁଁ କିଛି ବିଚାରୁ ନ ଥାଏ । ମୋର କିଛି ମନେପଡ଼ୁ ନ ଥାଏ ।

‘‘ବହୁତ ସମୟ ବସି ବସି କଟିଲା । ଶେଷରେ ଦୁଆରେ ଆସି ଗୋଟିଏ ଗାଡ଼ି ଠିଆହେଲା ପରି ଜଣା ହେଲା । ଅଳ୍ପ ସମୟ ଭିତରେ ମାଧିଆ ଆସି ପହଞ୍ଚିଲା, ଷ୍ଟେସନରୁ ମୋ ଜିନିଷପତ୍ର ଧରି । କିନ୍ତୁ ବର୍ତ୍ତମାନ ଏ ଜିନିଷ ପତ୍ରରେ ଆଉ କି ପ୍ରୟୋଜନ ? ମାଧିଆକୁ କହିଲି, ‘କିରେ, କଅଣ ଘଟିଲାଣି ଶୁଣିଚୁ ? ଯା ପୁଲିସରେ ଖବର ଦେଇ ଆ ।’

‘‘ସେ କିଛି ନ କହି ତୁନିହୋଇ ଚାଲିଗଲେ । ମୁଁ ସିଗାରେଟ ଓ ଦିଆସିଲି ବାହାର କରି ଧୂଆଁ ଖାଇବାକୁ ଆରମ୍ଭ କଲି । କିନ୍ତୁ ଗୋଟିଏ ସୁଦ୍ଧା ସିଗାରେଟ୍‌ ସରିନାହିଁ, ମୋତେ ଭାରି ନିଦ ମାଡ଼ିଲା, ମୁଁ ଶୋଇପଡ଼ିଲି । ଶୋଉ ଶୋଉ ବୋଧହୁଏ ଦୁଇଘଣ୍ଟା କଟିଗଲା । ନିଦରେ ମୁଁ ସ୍ୱପ୍ନ ଦେଖୁ ଥାଏ–ଆମେ ଦୁହେଁ, ମୁଁ ଓ ମୋର ସ୍ତ୍ରୀ ବର୍ତ୍ତମାନ ବେଶ୍‌ ଭଲ ଭାବରେ ଚଳୁଛୁଁ । ଯେ କଳହ ହୋଇଥିଲା, ତାହା ମେଣ୍ଟିମାଣ୍ଟି ଯାଇଛି । ଭିତରେ ଟିକିଏ ସନ୍ଦେହ ଅଛି, କିନ୍ତୁ ମୋଟାମୋଟି ଆମେ ଦୁହେଁ ବର୍ତ୍ତମାନ ବନ୍ଧୁ ।

‘‘ଏହି ସମୟରେ ମୋର ସେହି ଦୁଆରେ ଆସି କିଏ ଡାକିଲା । ମନରେ ବିଚାରିଲି, ‘କିରେ କଅଣ ପୁଲିସ କି ?’ ତେବେ ମୁଁ କଅଣ ତାକୁ ସଫା ମାରି ଦେଇଛି ? ନାଇଁ ବୋଧହୁଏ ସେ ନିଜେ ଦୁଆରରେ ଡାକୁଛି । ସେ ପରି କିଛି ସାଂଘାତିକ ଘଟଣା ଘଟିନାହିଁ । ପୁଣି ଦୁଆରେ ଶବ୍ଦହେଲା, ମୁଁ ଉତ୍ତର ନ ଦେଇ ମନକୁ ମନ ପ୍ରକୃତି ଅବସ୍ଥାଟା ବୁଝିବାକୁ ଚେଷ୍ଟାକରୁଥାଏ । ଆଚ୍ଛା, ସତେ କଅଣ ମୁଁ ତାକୁ ମାରିଛି ? ହଁ, ସେଥିରେ ଆଉ ସନ୍ଦେହ କଅଣ ? ଛୁରୀ କିପରି ଟିକିଏ ଟିକିଏ ବାଧା ପାଇ ତା ପେଟ ଭିତରେ ପଶିଥିଲା, ସେ କଥା ତ ସମ୍ପୂର୍ଣ୍ଣ ମନେଅଛି । ଏହି ସ୍ମୃତିତ ତାକୁ ମାରିବାର ଶେଷ ପ୍ରମାଣ । ମୋର ହୃଦୟର ସ୍ପନ୍ଦନ ଏକାବେଳକେ ବନ୍ଦ ହୋଇଗଲା । ବିଚାରିଲି, ଆଛା, ତାର ମୃତ୍ୟୁ ଯଦି ନିଶ୍ଚିତ, ଏଥର ମୋର ପାଳି ମୁଁ ଆତ୍ମହତ୍ୟା କରିଦିଏ; କିନ୍ତୁ ମୋର ସଫା ମନେଅଛି ଠିକ୍‌ ଏହିପରି ଆତ୍ମହତ୍ୟା କରିବାକୁ ବିଚାରିଲାବେଳେ ମନ କିପରି ଭିତରେ ନାହିଁ ନାହିଁ କରୁଥାଏ, ମୁଁ ଜାଣୁଥାଏ ଆତ୍ମହତ୍ୟା କରିବାର ସାହସ ମୋ’ଠାରେ ନାହିଁ । ତଥାପି ଉଠି ପିସ୍ତଲ ଉଠାଇ ଧଇଲି । କିନ୍ତୁ ଟିପିବାକୁ ମନ ହେଲା ନାହିଁ। ମୋର ମନେଅଛି, ଆତ୍ମହତ୍ୟା କରିବାଟା ମୁଁ ଅନେକ ଥର ଚେଷ୍ଟା କରିଛି । ହେଉ, ଅଳ୍ପ ସମୟ ପୂର୍ବରେ ତ ଗାଡ଼ିରେ ସେହି କଥା ବିଚାରୁଥିଲି । ସେତେବେଳେ ଆତ୍ମହତ୍ୟା କରିବାଟା କେଡ଼େ ସହଜ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ସେ ଇଚ୍ଛା ଆଉ ହେଲା ନାହିଁ । ମୁଁ ମନକୁ ମନ ପଚାରିଲି, ଆଉ ଆତ୍ମହତ୍ୟା କରିବ କାହିଁକି ? ସେତେବେଳେ ସିନା ତାକୁ ଦଣ୍ଡ ଦେବା ନିମନ୍ତେ ମୁଁ ଆତ୍ମହତ୍ୟା କରିବାକୁ ବାହାରୁଥିଲି । ଆତ୍ମହତ୍ୟା କରିବା ପ୍ରତିହିଂସାର ଗୋଟାଏ ଉପାୟ ଥିଲା । ବର୍ତ୍ତମାନ ଆଉ କାହିଁକି ? ବର୍ତ୍ତମାନ ପ୍ରତିହିଂସା ନେବି କାହା ଉପରେ ? ଏ ସବୁ ପ୍ରଶ୍ନର ଉତ୍ତର ମିଳିଲା ନାହିଁ । ଏଣେ ଦୁଆରମରା ଚାଲିଥାଏ । ବିଚାରିଲି, ଆଚ୍ଛା ଆଗ ଦୂଆର ଫିଟାଏ । କିଏ ଆସୁଛି ଦେଖେ । ଆତ୍ମହତ୍ୟା କରିବାର ବେଳ କଅଣ କୁଆଡ଼େ ଚାଲି ଯାଉଛି ? ଏହା ବିଚାର ମୁଁ ଟେବୁଲ ଉପରେ ପୁଣି ପିସ୍ତଲ ଥୋଇଦେଲି ତା ଉପରେ ଗୋଟାଏ ଖବରକାଗଜ ଘୋଡ଼ାଇ ଦେଲି । ଦୁଆର ଫିଟାଇଲି । ପୁଲିସ ନୁହେଁ ମୋର ସ୍ତ୍ରୀର ବିଧବା ଭଉଣୀଟି ମୋର ଘର ଭିତରକୁ ପଶି ଆସିଲା ଏବଂ ‘ଚନ୍ଦ୍ରବାବୁ, ଏ କଅଣ’ ବୋଲି ଚିତ୍କାର କଲା । ତାର କାନ୍ଦିବା ଗୁଣଟା ଭାରି ବେଶୀ । ମୋତେ ଏହି ପଦକ କହିଦେବା ସଙ୍ଗେ ସଙ୍ଗେ ତା ଆଖିରୁ ଲୁହର ଦୁଇଟା ଅସରନ୍ତି ଧାର ଲମ୍ବିଗଲା । ମୋତେ ଏ ଅଭିନୟ ଭଲ ଲାଗୁ ନ ଥାଏ ।

‘‘ମୁଁ ଭାରି ବିରକ୍ତ ହୋଇ କହିଲି, ‘କଣ ? କଥା କଣ ? ଇମିତି କାହିଁକି ହେଉଛ ମ ? ତମର କଣ ଲୋଡ଼ା ଇଠେଇ ?’ ମୁଁ ବେଶ୍‌ ବୁଝୁଛି, ସେତେବେଳେ ତା ପ୍ରତି ଏପରି ରୂଢ଼ ଭାବରେ କଥା କହିବା ଉଚିତ ନ ଥିଲା । କିନ୍ତୁ ମୁଁ ଅନ୍ୟ କୌଣସି ପ୍ରକାର ସ୍ୱରରେ ତାକୁ କଥା କହିପାରିଲି ନାହିଁ ।

‘‘ସେ ସେହିପରି କାନ୍ଦି କାନ୍ଦି କହିଲା, ଚନ୍ଦ୍ର ବାବୁ ସେ ପରା ମରି ଯାଉଛି ! ଡାକ୍ତର ଆସିଥିଲା, କହିଲା, ବଞ୍ଚିବାର ଆଉ ଆଶା ନାହିଁ ।’

‘‘ଡାକ୍ତର ନାଁ ଶୁଣି ମୋ ସ୍ତ୍ରୀ ପ୍ରତି ମୋର ସମସ୍ତ ଘୃଣା ପୁଣି ପୂର୍ଣ୍ଣମାତ୍ରାରେ ଜାଗି ଉଠିଲା-। ମୁଁ ଅଧିକ ବିରକ୍ତିରେ କହିଲି, ‘ଡାକ୍ତର କଣ ଇଠିକି ଆସିଛି କି !’ ପୁଣି କହିଲି, ‘ସେ ମରିଯାଉଛି ! ମରୁ, ସେଥିରେ ମୋର କ’ଣ ଅଛି, ସେ ମୋର କିଏ କି ?’ ସେ କହିଲା ‘ଚନ୍ଦ୍ର ବାବୁ, ଏମିତି କଅଣ କହୁଛ ମ ? ଛି, ଯାଅ, ଟିକିଏ ତା ପାଖକୁ ଯାଅ । ଏତେବେଳେ ଏମିତି ନିଷ୍ଠୁର କଥା କହନ୍ତି ?’

‘‘ମୁଁ ମନକୁ ମନ ପଚାରିଲି, ‘ଆଚ୍ଛା, ତା ପାଖକୁ ମୋର ବର୍ତ୍ତମାନ ଯିବା କଣ ଉଚିତ ? ମନ ଭିତରୁ କିଏ ସତେ ଯେପରି କହିଲା, ନିଶ୍ଚୟ, ଏତେବେଳେ ନ ଗଲେ ଆଉ କଣ ବେଳ ଆସିବ ?’ ଏପରି ଅବସ୍ଥାରେ ମୋର ଯିବାହିଁ ଉଚିତ । ସ୍ୱାମୀ ଯଦି ସ୍ତ୍ରୀକି ହତ୍ୟା କଲା, ତେବେ ତା ସଙ୍ଗେ ଶେଷ ଦେଖାଟା ନ ହେଲେ ଲୋକେ କଣ କହିବେ ? ମୋର ମନେହେଲା ମୋର ସ୍ତ୍ରୀ ସଙ୍ଗେ ଶେଷ ଦେଖା କରିବାଟା ମୋର ପ୍ରଧାନ କର୍ତ୍ତବ୍ୟ ।

‘‘ମନେପଡ଼ିଗଲା, ମୋର ନିଜ ଆତ୍ମହତ୍ୟା କରିବା କଥା । ମନେ ମନେ ବିଚାରିଲି, ‘ଆତ୍ମହତ୍ୟା କରିବା ପାଇଁ ବେଳ କଣ କୁଆଡ଼େ ଯାଉଛି ଭାରି ? କିନ୍ତୁ ତା ସଙ୍ଗେ ଦେଖା କରିବା ପାଇଁ ଆଉ ତ ବେଳ ମିଳିବ ନାହିଁ ?’

‘‘ମୋର ସ୍ତ୍ରୀର ଭଉଣୀ ପଛରେ ସେ ଘରକୁ ବାହାରିଲି । ମୁଁ ଏତେବେଳେ ତା ପାଖରେ ଯାଇ ପହଞ୍ଚିଲେ, ସେ ଯେ ନାନା ପ୍ରକାର ମୁଖଭଙ୍ଗୀ ଦେଖାଇ ନାନା ପ୍ରକାର କଟୁକଥା କହିବ ସେ ବିଷୟରେ ସନ୍ଦେହ ନ ଥାଏ । କିନ୍ତୁ ସଂକଳ୍ପ କଲି, ସେ ମୋତେ ଯେତେ ପ୍ରକାର ବିରକ୍ତ କଲେ ସୁଦ୍ଧା ମୁଁ ଟିକିଏ ହେଲେ ବିଚଳିତ ହେବି ନାହିଁ ।

‘‘ବାସ୍ତବିକ ବଡ଼ ଆଶ୍ଚର୍ଯ୍ୟର କଥା ମୁଁ ମୋର ଶୋଇବା ଘର ଛାଡ଼ି ବୈଠକଖାନାକୁ ଗଲାବେଳେ ବାଟରେ ବିଚାରୁଥାଏ. ଓହୋ, ଏ ଯେଉଁ ଘଟଣାଗୁଡ଼ାକ ଘଟିଗଲା, ସେ ସବୁ କଣ ସତ ? ନା, ଏସବୁ ମନର କଳ୍ପନା । କିଛି ଘଟି ନାହିଁ । ଯାହା ଥିଲା ସବୁ ସେହିପରି ଅଛି–ସେହି ଘର, ସେହି ଦ୍ୱାର ସବୁ । କିନ୍ତୁ–କିନ୍ତୁ ଏ କଣ ? ଔଷଧର ଉତ୍କଟ ଗନ୍ଧ । ସେହି ଉତ୍କଟ ଗନ୍ଧ ଉତ୍କଟ ଭାବରେ ମନେ ପକାଇଦେଲା, ଯାହାକୁ ମନର କଳ୍ପନା ବୋଲି ବିଚାରୁଛି, ସେ ସବୁ ସମ୍ପୂର୍ଣ୍ଣ ସତ୍ୟ । ଘରଦ୍ୱାର ଯେପରି ଥିଲା, ସେପରି ଅଛି । କିନ୍ତୁ ସେ ଯେପରି ଥିଲା, ସେପରି ନାହିଁ । ତା ଦେହରେ ଛୁରୀ ସବୁ ଓଲଟ ପାଲଟ କରି ଦେଇଛି ।

ସେ ଶୋଇଥିବା ଘରେ ପଶିଗଲା ମାତ୍ରେ ମୋର ଆଖିରେ ପଡ଼ିଲା, ତାର ସେହି ସୁନ୍ଦର ରେଶମୀ ଶାଢ଼ି ଗୋଟାଏ କୋଣରେ ଚଉକି ଉପରେ ଫୋପଡ଼ା ହୋଇଛି । ଶାଢ଼ିଟାଯାକି ରକ୍ତ ସରସର । ସେ ଶାଢ଼ି ସ୍ପଷ୍ଟ ଜଣାଇ ଦେଉଥାଏ ଦୁଇ ଚାରିଘଣ୍ଟା ପୂର୍ବେ ମୁଁ କି କୃତ୍ୟ କରିଛି । ସେ ଶୋଇଥାଏ–ମୋରି ଶେଯରେ । ଚାରି ପାଞ୍ଚଟା ତକିଆ ଉପରେ ଭରାଦେଇ ଆଉଜିଥାଏ । ଆଣ୍ଠୁ ଭାଙ୍ଗି ଉପରକୁ ଟେକା ହୋଇଥାଏ । ପେଟ ଉପରେ ଲୁଗା ନ ଥିଲା; କିନ୍ତୁ ଯେଉଁ ଜାଗାରେ ଛୁରୀ ମାରିଥିଲି, ତାହା ଦିଶୁ ନ ଥାଏ । ତା ଉପରେ ଡାକ୍ତର ଆସି ବ୍ୟାଣ୍ଡେଜ ବାନ୍ଧିଦେଇ ଯାଇଥାନ୍ତି । ଆଇଡୋଫର୍ମ ଔଷଧର ଉତ୍କଟ ଗନ୍ଧ ସେ ଘରଟିକୁ ପୂର୍ଣ୍ଣ କରି ରଖିଥାଏ । ତା’ପରେ ଦେଖିଲି ତାର ସେହି ଚିରପରିଚିତ ଓ ଚିରଅପରିଚିତ ମୁହଁଟି । ମୁହଁ ଫୁଲି ଯାଇଛି ଲଳିତବାବୁଙ୍କୁ ମୁଁ ଗୋଡ଼ାଇଲାବେଳେ ସେ ବାଧା ଦେଇ ଯେଉଁ ଚାପୁଡ଼ାଟି ପୁରସ୍କାର ପାଇଥିଲା, ସେହି ଆଘାତ ଯୋଗେ ତା ବା ଆଖିପତା ତଳକୁ ଖଣ୍ଡେ ଖୁବ୍‌ ନାଲି ଦିଶୁଥାଏ । ସେ ମୁହଁରେ ଆଉ ସୌନ୍ଦର୍ଯ୍ୟର ଚିହ୍ନ ନ ଥାଏ । ମୃତ୍ୟୁର ବିଭୀଷିକା କ୍ରମେ କ୍ରମେ ତାର ମୁଖମଣ୍ଡଳକୁ ଆକ୍ରମଣ କରି ଆସୁଥାଏ । ସେ ମୁହଁ ଦେଖି ମୋର ଭୟ ହେଲା । ମୁଁ ଟିକିଏ ପଛକୁ ଘୁଞ୍ଚି ଆସିଲି ।

‘‘ଏହାଦେଖି ତା ଭଉଣୀ କହିଲା, ‘ଯା, ଯା, ତା ପାଖକୁ ଯାଅ ମ ।’

‘‘ମୁଁ ବିଚାରିଲି ବାସ୍ତବିକ୍‌ ଏତେବେଳେ ତା ପାଖକୁ ଯିବାହିଁ ଉଚିତ । ବୋଧହୁଏ ବର୍ତ୍ତମାନ ସେ ଅନୁତାପ କରିବାକୁ ଇଚ୍ଛା କରୁଥିବ । ବୋଧହୁଏ ତାର ଦୋଷ ଓ ବ୍ୟଭିଚାର ନିମନ୍ତେ ମୋତେ କ୍ଷମା ମାଗିବ । ମନକୁ ମନ ପଚାରିଲି, ଆଚ୍ଛା ସେ ମୋତେ କ୍ଷମା ମାଗିଲେ ମୁଁ କଅଣ ତାକୁ କ୍ଷମା ଦେବି ? ଉତ୍ତର ମିଳିଲା–ନିଶ୍ଚୟ, ସେ ଯେ ମୃତ୍ୟୁମୁଖରେ । ବର୍ତ୍ତମାନ ତାକୁ କ୍ଷମା ଦେବା ମୋର କର୍ତ୍ତବ୍ୟ । ଏହିପରି ମୃତ୍ୟୁ ଶଯ୍ୟାରେ ତାକୁ ମୋର ଉଦାରତା ଦେଖାଇବା ପାଇଁ ସଂକଳ୍ପ କରି ଧୀରେ ଧୀରେ ମୁଁ ତାର ଶଯ୍ୟା ନିକଟବର୍ତ୍ତୀ ହେଲି । ଅତି କଷ୍ଟରେ ସେ ଆଖି ଦୁଇଟି ଟେକି ମୋ ଆଡ଼କୁ ଚାହିଁଲା ଏବଂ ଖୁବ୍‌ କଷ୍ଟରେ ଅସ୍ପଷ୍ଟ ଭାବରେ ମୋତେ କହିଲା–‘ଆଉ ଚିନ୍ତା କଅଣ ? ଏଥର ଏଣିକି ତୁମ ମନକାମନା ପୂର୍ଣ୍ଣ କର । ମୋତେ ତ ହତ୍ୟା କଲ ଏଥର ତୁମ ସୁଖ ନିରବଚ୍ଛିନ୍ନ ହେଉ ।’ ଏ କଥା ତାର ଆଖି ଏବଂ ମୁଖ ଭଙ୍ଗୀରୁ ବୁଝିଲି ।

‘‘ମୃତ୍ୟୁ ନିକଟବର୍ତ୍ତୀ ହେଲେ ସୁଦ୍ଧା ତାର ଭାବ ପରିବର୍ତ୍ତିତି ହେଇନାହିଁ । ସେହି ପୁରୁଣା ପରିଚିତ ପାଶବିକତା ଏବଂ ଘୃଣା ବର୍ତ୍ତମାନ ସୁଦ୍ଧା ତାର ହୃଦୟକୁ ସମ୍ପୂର୍ଣ୍ଣ ଅଧିକାର କରି ରଖିଛି । ସେ ପୁଣି କହିଲା–ପିଲାଙ୍କୁ ତମେ ପାଇବ ନାହିଁ । ମୋ ପିଲାଙ୍କୁ ମୁଁ ତୁମ ହାତରେ ଛାଡ଼ିବି ନାହିଁ । ସେ (ତ ଭଉଣୀ) ତାଙ୍କୁ ନେବ । ମୁଁ ମୋର ପିଲାଗୁଡ଼ିଙ୍କୁ ତାରି ହାତରେ ଛାଡ଼ିଯିବି ।’

‘‘ପିଲାଙ୍କୁ ମୁଁ ପାଇବି କି ଆଉ କିଏ ପାଇବ, ସେ କଥା ସେତେବେଳେ ମୋର ଚିନ୍ତାର ସାମଗ୍ରୀ ନ ଥିଲା । ମୁଁ ତାରି ପାପ, ବିଶ୍ୱାସଘାତକତା ଏବଂ ବ୍ୟଭିଚାର ବିଷୟ ସେତେବେଳେ ଚିନ୍ତା କରୁଥିଲି । ଆଶାଥିଲା, ସେ ଶେଷ ମୁହୂର୍ତ୍ତରେ ତାର ଦୋଷ ସ୍ୱୀକାର କରି ମୋର କ୍ଷମା ଭିକ୍ଷା କରିବ । କିନ୍ତୁ କାହିଁ ? ସବୁ ବିଷୟ ତାର ମନେପଡୁଛି । ସବୁ କଥା ସେ କହୁଛି, କିନ୍ତୁ ସେହି ବିଷୟ ତାର ମନକୁ ଆସୁ ନାହିଁ ବା ଘୁଣାକ୍ଷରରେ ସେ ସେ ପ୍ରସଙ୍ଗ ଉଠାଉ ନାହିଁ ।

‘‘ମୁଁ ଏହି କଥା ଚିନ୍ତା କରୁ କରୁ ସେ ବିଦ୍ରୁପକରି ପୁଣି କହିଲା ‘ହଉ ଦେଖ ଦେଖ । ଆପଣା ହାତରେ କି କୀର୍ତ୍ତି କରିଛ, ସେ କଥା ଦେଖି ତୃପ୍ତି ଅନୁଭବ କର ।’’ ଦୁଆରବନ୍ଧ ପାଖରେ ତାର ଭଉଣୀ ଓ ପିଲାଟିମାନେ ଠିଆ ହୋଇଥାନ୍ତି । ମୁଁ ପିଲାଟିମାନଙ୍କୁ ଚାହିଁଲି ଏବଂ ସେମାନଙ୍କଠାରୁ ଆଖି ଫେରାଇ ତାର ସେହି ଯନ୍ତ୍ରଣାକ୍ଳିଷ୍ଟ ମୁଖଭଙ୍ଗୀକି ଆଉଥରେ ଦେଖିଲି । ସେହି ଥରକରେ ମୋର ଗର୍ବ, ଅଧିକାର, ଜ୍ଞାନ ପାଶୋର ହୋଇଗଲା । ସେ ମୋ ପ୍ରତି କି ଅନ୍ୟାୟ ବ୍ୟବହାର କରିଛି ସବୁ ଭୁଲିଗଲି । ଅତୀତ ମନରୁ ଅନ୍ତର ହୋଇ ବର୍ତ୍ତମାନ ଅନୁଭୂତିର ଅଣୁବୀକ୍ଷଣ ଯନ୍ତ୍ରରେ ପ୍ରକାଣ୍ଡ ଆକାର ଧାରଣ କଲା । ତାହାର ତଥାକଥିତ ଦୋଷସବୁ ଆଖିକି ବଡ଼ ଛୋଟ ଦିଶିଲା । ମୋର ଯେଉଁ ସନ୍ଦେହ ଓ ଇର୍ଷା ହୃଦୟରେ ପ୍ରବଳ ହୋଇ ମୋତେ ଏ କର୍ମ କରାଇ ଥିଲା, ସେ ଈର୍ଷା ସେ ସନ୍ଦେହ ବଡ଼ ହେୟ ବୋଧ ହେଲା । ମୁଁ ଆଖି ଆଗରେ ଦେଖିଲି, ପରମେଶ୍ୱରଙ୍କର ଗୋଟିଏ ମହାପ୍ରାଣୀକୁ ମୁଁ କି ଘୋର ଯନ୍ତ୍ରଣା ଦେଉଛି–ଗୋଟିଏ ମାନବ ମୋ ଯୋଗୁ ମୃତ୍ୟୁର କବଳରେ ପଡ଼ି କି ଯନ୍ତ୍ରଣା ସହୁଛି । ସେ ଯେ ମୋର ସ୍ତ୍ରୀ, ସେ କଥା ମୁଁ ଭୁଲିଗଲି । ଆଖି ଆଗରେ ଦିଶିଲା, ତାର ମାନବୀ–ନା, ଦେବୀମୂର୍ତ୍ତି । ମନେହେଲା ତାର ଗୋଡ଼ତଳେ ଲୋଟି ପଡ଼ିବି । ଆବେଗରେ ତାର ହାତକୁ ଧରି କହିବି ‘ପାଷଣ୍ଡ ମୁଁ, ଦେବି ମୋତେ କ୍ଷମା କର ।’ କିନ୍ତୁ ସାହସ ହେଲା ନାହିଁ । ସେ ତାର ଦୁର୍ବଳ ଆଖି ଦୁଇଟି ବନ୍ଦ କରି ମଉନ ରହିଲା; ତାର କଥା କହିବାର ସାମର୍ଥ୍ୟ ଦୂର ହୋଇଥିଲା ପରା ! ହଠାତ୍‌ ତାର ବିକଳ ମୁହ ଟିକିଏ ଥରିଗଲା ଗୋଟାଏ ଭ୍ରୂକୁଟି ତା ମୁହଁରେ ଆଙ୍କି ହୋଇଗଲା ଏବଂ ସେ ଦୁର୍ବଳଭାବରେ ତାର ଦୁର୍ବଳ ହାତ ଦିଓଟିରେ ଠେଲି ମୋତେ ଦୂରକୁ ତଡ଼ି ଦେବାକୁ ବସିଲା । ଆଉ ସହି ପାରିଲି ନାହିଁ–‘ପ୍ରିୟେ, କ୍ଷମା କର ପ୍ରିୟେ, ଦୁବୁର୍ତ୍ତ ମୁଁ କି ଭିଆଣ ଭିଆଇ ବସିଛି !’ ଏହା କହି ମୁଁ ତାର ଗୋଡ଼ତଳେ ପଡ଼ିଗଲି । କିନ୍ତୁ ସେ କହିଲା ‘କ୍ଷମା, ଏତେବେଳେ କ୍ଷମା ନାମ ଶୁଣି ହସ ମାଡ଼ୁଛି । କ୍ଷମା ଦେବି କାହାକୁ–ତୁମକୁ ? ଓହୋ ବଞ୍ଚନ୍ତି ହେଲେ !’ ବହୁ କଷ୍ଟରେ ଏପରି କହି ସେ ଆହୁ ଟିକିଏ ଡେରି ହୋଇ ମୋ ଆଡ଼କୁ ଚାହିଁଲା । ମୃତ୍ୟୁର ଉଜ୍ଜ୍ୱଳତାରେ ତାର ଆଖିଦିଓଟି ଛଳ ଛଳ ଦିଶୁଥାଏ । ସେ କହିଲା–ଆଉ ଏତେବେଳେ କ୍ଷମା ମାଗୁଛ କାହିଁକି ? ତୁମ୍ଭର କାମନା ତ ପୂର୍ଣ୍ଣ ହୋଇଛି । ତୁମକୁ ମୋର କ୍ଷମାଦେବା ଅସମ୍ଭବ, ତୁମ ପ୍ରତି ଘୃଣାରେ ମୋ ହୃଦୟ ପୁରି ରହିଛି ।

‘‘ଏତକ କହିଲା ପରେ ହଠାତ୍‌ ତାର ବାଚାଳତା ଆସି ପହଞ୍ଚିଗଲା । ତାର ମନ କୌଣସି କଥାରେ ସ୍ଥିର ହୋଇ ନ ରହି ଖାଲି ଏଣେ ତେଣେ ହେଲା ପରି ଲାଗିଲା । ସେ ବେଳେ ବେଳେ ଚିତ୍କାର କରୁଥାଏ, ‘ଦିଅ, ମାରି ଦିଅ । ଛୁରୀ ଭୁଷି ଦିଅ, ମୁଁ ତୁମକୁ ଡରିଛି ନା ତୁମ ଛୁରୀକୁ ଡରିଛି ? ଖାଲି ଏତିକି, ମୋତେ ମାରିବା ସଙ୍ଗେ ଏ ପିଲାଟିମାନଙ୍କୁ ବି ମାରିଦିଅ । ତାଙ୍କୁ ମାରିଦିଅ–ସେ, ଯିଏ–ଓଃ ସେତ ପଳେଇ ଗଲେଣି, ଭଲ ହୋଇଛି । ମୋର ଏ ଅବସ୍ଥା ସେ ଦେଖନ୍ତେ କାହିଁକି ?’ ଏହିପରି ପ୍ରଳାପ ଶେଷ ପର୍ଯ୍ୟନ୍ତ ଚାଲିଲା । ଆଉ ସେ କାହାକୁ ଚିହ୍ନି ପାରିଲା ନାହିଁ । ସେହିଦିନ ଦ୍ୱିପହରକୁ ତାର ପ୍ରାଣବାୟୁ ଉଡ଼ିଗଲା ।

‘‘ସେତେବେଳେ ମୁଁ ତା ପାଖେ ନ ଥିଲି । ସେ ଦିନ ସକାଳ ୮ଟାବେଳେ ପୁଲିସ ଆସି ମୋତେ ନେଇଗଲା ଥାନାକୁ । ସେଠାରୁ ଜେଲ ହାଜତକୁ ଗଲି, ମକଦ୍ଦମା ବିଚାର ଅପେକ୍ଷାରେ । ହାଜତରେ ଏଗାରମାସ ରହିବାକୁ ପଡ଼ିଲା । ଏହି ଏଗାରମାସ ବିଶ୍ରାମ ପାଇ ମୋତେ ମୋ ବିଷୟରେ, ମୋର ଅତୀତ ଜୀବନ ବିଷୟରେ ଚିନ୍ତା କରିବାକୁ ବେଶ୍‌ ସୁବିଧା ମିଳିଲା । ମୋର ଅତୀତ ଜୀବନର ପ୍ରକୃତ ତଥ୍ୟ ଓ ଅର୍ଥ ମୁଁ ଏହିଠାରେହିଁ ବୁଝିବାକୁ ସମର୍ଥ ହୋଇଥିଲି । ମୋର ମାନସିକ ବୃତ୍ତିଗୁଡ଼ିକର ଘୋର ପରିବର୍ତ୍ତନ ଏହିଠାରେ ହୋଇଥିଲା । ମୋ ଆଖିରୁ ଅନ୍ଧପୋଟଳି ଫିଟିଲା, ହାଜତକୁ ଯିବାର ତିନିଦିନ ପରେ । ଯେବେ’’–ସେ ଗୋଟାଏ କଅଣ କହିବାକୁ ଯାଉଥିଲେ, କିନ୍ତୁ ହଠାତ୍‌ ତାଙ୍କ ସ୍ୱର ବନ୍ଦ ହୋଇଗଲା । ଘୋର ଆବେଗପୂର୍ଣ୍ଣ ହୃଦୟର କ୍ରନ୍ଦନ ଦମନ କରି କଥା କହିବା ତାଙ୍କ ପକ୍ଷରେ ଅସମ୍ଭବ ହେଲା । ସେ ତୁନି ହୋଇ ମୁହଁ ଘୋଡ଼ାଇ ବସି ରହିଲେ । ତା’ପରେ ଟିକିଏ ଛାଡ଼ି ପୁଣି କହିଲେ, ‘‘ତିନିଦିନ ପରେ ହାଜତରୁ ମୋତେ ଯେତେବେଳେ ସେମାନେ ଘରକୁ ନେଲେ, ସେତିକିବେଳେ ବାସ୍ତବିକ ମୋର ଦିବ୍ୟ ଚକ୍ଷୁ ଖୋଲିଲା-! ସେ ପର୍ଯ୍ୟନ୍ତ ତାର ସଂସ୍କାର ହୋଇ ନ ଥାଏ ।’’ ସେ ପୁଣି କାନ୍ଦିଲେ, କିନ୍ତୁ ତୁରନ୍ତ କାନ୍ଦ ଦବାଇ କହିଲେ । ତିନିଦିନ ପରେ ଯେତେବେଳେ ମୁଁ ତାର ମୃତମୁଖ ଦେଖିଲି, ସେତିକିବେଳେ ବୁଝିଲି, ମୁଁ କେଡ଼େ କୁକର୍ମ କରିଛି–ସେତିକିବେଳେ ଅନୁଭବ କଲି ମୁହିଁ ତାର ହତ୍ୟାକାରୀ । ଅଳ୍ପଦିନ ପୂର୍ବରେ ଯେ ହସୁଥିଲା, ଖେଳୁଥିଲା, ସରସତାରେ ଅନ୍ୟକୁ ମୁଗ୍ଧ କରୁଥିଲା ଏବଂ ନିଜେ ମୁଗ୍‌ଧ ହେଉଥିଲା, ତାକୁ ମୁଁ ମୋର ନିଜ ହାତରେ ଆଜି ନିର୍ଜୀବ କରିପକାଇଛି । ମୋରି ଯୋଗୁ ତା ଦେହରେ ଆଜି ସ୍ପନ୍ଦନ ନାହିଁ । ସେ ନିର୍ଜୀବ ମାଟିକୁଣ୍ଢେଇ ହୋଇଛି । ମୁଁ ଯାହା କରିଛି ତାର ଆଉ ପ୍ରତ୍ୟାବର୍ତ୍ତନ ନାହିଁ, ପ୍ରାୟଶ୍ଚିତ୍ତ ନାହିଁ । ନିଜ କୃତର ପ୍ରତ୍ୟକ୍ଷ ଦୃଶ୍ୟ ଦେଖି ମୁଁ ସବୁ ବୁଝିଲି; କିନ୍ତୁ ଖାଲି ବୁଝିବା ସିନା ସାର ! ମୋର ପାପର ଫଳ ତ ଆଉ ଫେରିବ ନାହିଁ । ଯାହା ଯାଇଛି, ସେ ତ ଆଉ ଆସିବ ନାହିଁ ।’’

 

ଏତିକି କହି ସେ ଭୋ ଭୋ ଡକା ପାରିଲେ ଏବଂ ଏପରି ଅବସ୍ଥାରେ ସାନ୍ତ୍ୱନା ଦେବା ନିରର୍ଥକ ବୋଲି ବୁଝି ମୁଁ ତୁନି ହୋଇ ଅନୁତାପ ଦଗ୍‌ଧ ସେହି ହୃଦୟବାନ୍‌ ପୁରୁଷଟିକୁ ଚାହିଁ ରହିଲି-

ଅନେକ ସମୟ ଗଲା । ସେ ମୋରି ପାଖରେ କାନ୍ଦୁଥାନ୍ତି ଏବଂ ଆବେଗରେ ତାଙ୍କ ଦେହ ଥରି ଯାଉଥାଏ । ଅବଶେଷରେ, ‘ହଉ ବିଦାୟ ହେଉଛି’ ବୋଲି କହି ସେ ମୋ ଆଡ଼କୁ ପଛ କରି ଶୋଇଲେ ଏବଂ ଘୋଡ଼ିହେଲା ଚାଦରଟି ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ହୋଇ ପଡ଼ିଲେ । ଗାଡ଼ି ଚାଲୁଥାଏ ।

ଯେଉଁ ଷ୍ଟେସନରେ ମୋର ଓହ୍ଲାଇବାର କଥା ଦିନ ୮ଟା ବେଳକୁ ସେ ଷ୍ଟେସନ୍‌ ଆସି ହେଲା । ଓହ୍ଲାଇଯିବା ପୂର୍ବରୁ ମୁଁ ତାଙ୍କ ନିକଟକୁ ଗଲି । ସେ ଯେଉଁଠାରେ ଠିଆ ହୋଇଥିଲେ, ମୁଁ ସେ ପାଖରେ ଠିଆ ହୋଇ ଯାଉଛି ବୋଲି ତାଙ୍କୁ କହିଲି । ସେ ଟିକିଏ ସୁଦ୍ଧା ହଲଚଲ ହେଲେ ନାହିଁ । ବାସ୍ତବିକ୍‌ ତାଙ୍କୁ ନିଦ ହୋଇଯାଇଥାଏ, କି ଆଉ କଥାବାର୍ତ୍ତା । ହେବା ପାଇଁ ତାଙ୍କର ମନ ନ ଥାଏ, କେଜାଣି ? କିନ୍ତୁ ସେ ଉଠିଲେ ନାହିଁ, କି ମୋ କଥାର ଉତ୍ତର ଦେଲେ ନାହିଁ । ତାଙ୍କୁ ସେ ସମୟରେ ବ୍ୟସ୍ତ କରିବା ଉଚିତ ନୁହେ ବୋଲି ଭାବି ମୁଁ ଧୀରେ ଧୀରେ ଗାଡ଼ିରୁ ଓହ୍ଲାଇ ପଡ଼ିଲି, କିନ୍ତୁ ଘୋଡ଼ିହେଲା ଭିତରେ ତାଙ୍କର ସେହି କରୁଣ ମୂର୍ତ୍ତି ଘୋଡ଼ିହେଲା ଭେଦ କରି ମୋ ଆଖିକୁ ଦିଶି ଯାଉଥାଏ ଏବଂ ମୋ ଆଖି ସମବେଦନାରେ ଛଳ ଛଳ ହେଉଥାଏ ।

Image